କବିତା

ସ୍ୱପ୍ନ ମରିଯାଏ ରାଜରାସ୍ତାରେ

ବୋହି ଯାଉଥାଏ, କଙ୍କାଳସାର
କଳା ପିଚ୍‌ପିଚ୍ ଦେହରୁ ତାଙ୍କର
ପାଣି ସୁଅପରି ରକ୍ତ. . .
ଝାଳ ହୋଇ ରାସ୍ତାକଡ଼ର
ଲୋଚାକୋଚା ଡ୍ରମ୍‌ରେ ତରଳୁଥିବା
ଡହ ଡହ ପିଚୁପରି ।

ସ୍ୱପ୍ନ ମରିଯାଏ ରାଜରାସ୍ତାରେ

ଦାଦନ ଖଟୁଥିବା
ପଥର କାଟୁଥିବା
ରାସ୍ତା ତିଆରି କରୁଥିବା
ଖଣି ଖାଦାନ ଖୋଳୁଥିବା
ବଡ଼ବଡ଼ିଆ ବାବୁଭାୟାଙ୍କ
ନଭଶ୍ଚୁମ୍ୱୀ ପ୍ରାସାଦ ଗଢୁଥିବା
ମାମୁଲି ମଣିଷଙ୍କ ସ୍ୱପ୍ନ ଫୁଟୁଥାଏ
ଭାତହାଣ୍ଡିରେ ଫୁଟୁଥିବା ଦି’ଟଙ୍କିଆ ଚାଉଳ ପରି ।

ବୋହି ଯାଉଥାଏ, କଙ୍କାଳସାର
କଳା ପିଚ୍‌ପିଚ୍ ଦେହରୁ ତାଙ୍କର
ପାଣି ସୁଅପରି ରକ୍ତ. . .
ଝାଳ ହୋଇ ରାସ୍ତାକଡ଼ର
ଲୋଚାକୋଚା ଡ୍ରମ୍‌ରେ ତରଳୁଥିବା
ଡହ ଡହ ପିଚୁପରି ।

ମିଶୁଥାଏ ଲଣ୍ଡା ପାହାଡ଼ର
ଖଣ୍ଡ ଖଣ୍ଡ ପଥର ସନ୍ଧିରେ
ଶୋଷି ହେଉଥାଏ, ଖଣିଖାଦାନର
ଲୁହା, ଏଲ୍‌ମିନା, କ୍ରୋମାଇଟ୍
କୋଇଲା ଗୁଣ୍ଡ ଭିତରେ
ଆଉ ଲୁଚିଥାଏ, କଂକ୍ରିଟ୍,
ମାର୍ବଲରେ ତିଆରି କାନ୍ଥ, ବାଡ଼, ଛାତ
ସମ୍ଭ୍ରାନ୍ତ ପ୍ରାଚୀର ମଧ୍ୟରେ ।

ଆଉ ଲୁଚୁଥାଏ, କଂକ୍ରିଟ୍,
ମାର୍ବଲରେ ତିଆରି କାନ୍ଥ, ବାଡ଼, ଛାତ
ସମ୍ଭ୍ରାନ୍ତ ପ୍ରାଚୀର ମଧ୍ୟରେ ।

ଆଉ ତା’ପରେ. . . !
ପିନ୍ ପିନ୍ ପକ୍କା ରାସ୍ତାରେ
ଗଡ଼ିଚାଲେ ବାବୁଭାୟାଙ୍କ
ନାମୀ ଦାମୀ ଗାଡ଼ି, ପେଁ ପାଁ
କେଁ କାଁ ଶବ୍ଦରେ କାନ ଅତରା କରି
ଅଚିନ୍ତାରେ ମଖମଲ୍ଲୀ ଶେଯ ପାରି
ଶୋଇପଡ଼ନ୍ତି ସେମାନେ ନବନିର୍ମିତ ଇନ୍ଦ୍ରପୁରୀରେ
ଯୋଗନିଦ୍ରା ଗଲା ପରି ।

କଳା ଧୂଆଁ ଛାଡ଼ି
ଜଳ, ଜଙ୍ଗଲ, ଜମି, ଖଣି, ଖାଦାନ,
ମୀନ, ପାନକୁ ଚଳୁ କରି
ବିଷାକ୍ତ ପରିବେଶର ଜୁଇରେ
ଗଢ଼ି ଚାଲନ୍ତି ଗୋଟିଏ ପରେ
ଗୋଟିଏ ପ୍ରସ୍ତାବିତ ଭାବୀ ଶିଳ୍ପ ।

ଦଧୀଚିର ଅସ୍ଥି ପରି. . .
ମାମୁଲି ମଣିଷର ରକ୍ତରେ ତିଆରି
ପ୍ରଗତିର ରଥ ଚଢ଼ି,
ମାଡ଼ି ଚାଲନ୍ତି ସେମାନେ
ଆଗକୁ, ଆଗକୁ, ଆହୁରି ଆଗକୁ
ଦଳି ଦେଇ ମାମୁଲି ମଣିଷର
ସ୍ୱପ୍ନ ସବୁକୁ ରାଜରାସ୍ତାରେ ।

ଲୋକପ୍ରିୟ ଲେଖା

To Top