କବିତା

ସ୍ୱର୍ଗତ ରବି ରାୟଙ୍କର ଦିବଙ୍ଗତ ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

Nishikanta Padhi's odia poem Swargata Rabi Rainkara Dibanggata Aapma Prati Asrula Shraddhanjali

ସେ ଏଇ ମାଟିର ମଣିଷ
ତ୍ୟାଗ ଓ ଆଦର୍ଶରେ ଗଢିଛି ସେ ଦେଶ
ମାଟି ପରେ ବୁଣି ମୁଠା ମୁଠା ଯଶ
ସ୍ମୃତିର କ୍ୟାନଭାସ ପରେ ଲେଖିଛି ସେ ସ୍ୱର୍ଣ୍ଣ ଇତିହାସ ।

ସ୍ୱର୍ଗତ ରବି ରାୟଙ୍କର ଦିବଙ୍ଗତ ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ମାଟିର ମଣିଷ
ପାଦତଳେ ନିଥର ପୃଥିବୀ ମଥାପରେ ଇଥର ଆକାଶ
ମଝିରେ ସେ ତପସ୍ୱୀ ସ୍ଥିତପ୍ରଜ୍ଞ ନୀରବ ସାଧକ ।
ନୁହେଁ ବୁଦ୍ଧ ନୁହେଁ ତଥାଗତ
ନୁହେଁ ଦେବତା ଦାନବ ଅବା ଗନ୍ଧର୍ବର ସୁତ ।
ସେ ଏଇ ମାଟିର ମଣିଷ ।
ସେ ଏଇ ମାଟିର ମଣିଷ
ତ୍ୟାଗ ଓ ଆଦର୍ଶରେ ଗଢିଛି ସେ ଦେଶ
ମାଟି ପରେ ବୁଣି ମୁଠା ମୁଠା ଯଶ
ସ୍ମୃତିର କ୍ୟାନଭାସ ପରେ ଲେଖିଛି ସେ ସ୍ୱର୍ଣ୍ଣ ଇତିହାସ ।
ତେଜି ଆଜି ଅନ୍ତିମ ନିଃଶ୍ୱାସ
ଆଖିବୁଜି ଯାଇଛି ସେ ଶୋଇ ।
ଜୀବନ ଯୁଦ୍ଧରେ ଜୟଯୁକ୍ତ ସୈନିକଟିଏ ସେ
ବୋଧେ ପଡିଅଛି ଥକି
ଶୋଇଥାଉ ଡାକ ନାହିଁ ତାକୁ ଡାକ ନାହିଁ ।

ନାହିଁ ଛତ୍ରୀ ଖଡ୍ଗ ଢାଲ ଅଶ୍ୱ ଅବା ହାତୀ
ତଥାପି ସେ ଛତ୍ରପତି ।
ସମାଜବାଦର ଦକ୍ଷ ସେନାପତି
ସେ ଦିନ ପାହିଥିଲା ଅନ୍ଧାର ଶର୍ବରୀ
ଉଇଁ ଥିଲା ରବି ।
ଉଦ୍ଭାସିତ ଆଲୋକର ପଥେ
ଦିଶୁଥିଲା ଗୋଟେ ମାନବବାଦର ଛବି
ଅସ୍ତମୀତ ରବି ଆଜି ଆକାଶର ତାରା
କେତେ ସ୍ୱପ୍ନ ସମ୍ଭାବନାର ଆଲୋକ ଇସାରା
ଆଜି କ୍ଲାନ୍ତ ବାଟୋଇଟିଏ ସେ ସମୟର ପାନ୍ଥଶାଳାରେ
ପଡିଅଛି ଶୋଇ
ମାଟିର ମଣିଷ ସେ ମାଟି ପରେ ଶୋଇଥାଉ
ଡାକ ନାହିଁ ଥାଉ ଡାକ ନାହିଁ
ତା ଜନ୍ମମାଟି ତା ମାଟି ମଣିଷକୁ
ଯତନରେ ନେବ ଯେ କୋଳେଇ ।

ଲୋକପ୍ରିୟ ଲେଖା

To Top