କବିତା

ତା ଦୁଃଖ କାଳରାତି

Dibakar Sahoo's odia poem Taa Duhkha Kaalaraati

ସେ ସାହୁକାର ବଡ଼ ଚତୁର
ଝଡ଼ାଇ ନିଏ କିଛି
ବଜାର ଦର କରେ ଅସ୍ଥିର
ଜୀବନ ତା’ର ଛି ଛି ।

ତା ଦୁଃଖ କାଳରାତି

ବତାସ ବଢ଼ି ମରୁଡି ଝଡ଼ି
ଦଇବ ଦଣ୍ଡ ଯେତେ
ପଶୁ ଓ ପୋକ ମେଣ୍ଟାନ୍ତି ଭୋକ
ଶ୍ୟାମଳ ଶସ୍ୟ କ୍ଷେତେ ।

ପତଙ୍ଗ ପକ୍ଷୀ ସବୁରି ଆଖି
ସୁନା ରଙ୍ଗର ଧାନେ
ଆସନ୍ତି ଉଡ଼ି ଖାଆନ୍ତି ପଡ଼ି
କ୍ଷେତରେ ଥାନେ ଥାନେ ।

ଯେତେକ ବଞ୍ଚି ରଖିଲା ସଞ୍ଚି
ସେ ନୁହେଁ ପୁଣି ତା’ର
ଚୁଟିଆ ମୂଷା ରଖେ ଭରସା
ଚାଷୀର ରୋଜଗାର ।

ସେ ସାହୁକାର ବଡ଼ ଚତୁର
ଝଡ଼ାଇ ନିଏ କିଛି
ବଜାର ଦର କରେ ଅସ୍ଥିର
ଜୀବନ ତା’ର ଛି ଛି ।

ପଉଷ ଶୀତ ଥରାଏ ଚିତ୍ତ
ଫୁଙ୍ଗୁଳା ତା’ର ଘରେ
ଦିନରେ ଖରା ରାତିରେ ତରା
ବରଷା ହେଲେ ଝରେ ।

ଦଦରା ଫଟା ମଳି କୋଚଟା
ପିନ୍ଧା ବସନ ତା’ର
ଜାଣନ୍ତେ ରୋଗ କରଇ ଭୋଗ
ସହି ଯାତନା ଭାର ।

ପଖାଳ ଗଣ୍ଡେ ଲଙ୍କାରୁ ଖଣ୍ଡେ
ବଢ଼ା ତା’ ପିଲା ପାଶେ
ଶାଗରୁ ଟିକେ ତେନ୍ତୁଲି ନିଖେ
ଗିନାରେ ତା’ର ଭାସେ ।

ପାଠପଢ଼ା କୁ ନ ଯିବା ପାଇଁ
ଶୁଣେ ତା ପିଲା ଗାଳି
ପାଞ୍ଚଣଟିଏ ହାତରେ ଧରି
ଜଗଇ ଗାଈ ପାଳି ।

ଚଉରା କତି ତା ବୋହୂ ଭକ୍ତି
ସଞ୍ଜ ସଳିତା ଜାଳେ
ଅମାର କଡ଼େ ପୁରାଣ ପଢ଼େ
ନିତ୍ୟ ମଧୁର ତାଳେ ।

ଅନବରତ ଓଷା ବରତ
ମାସନ୍ତ ସଙ୍କରାନ୍ତି
ପାଳଇ ଘରେ ଘୁଞ୍ଚୁନି ଥରେ
ତା ଦୁଃଖ କାଳରାତି ।

ତାହାରି ପାଇଁ ଯାଉଛେ ଖାଇ
ବୁଝୁନା ତା’ର କଥା
ହରାଇ ମୂଲ ନ ପାଇ କୂଳ
କରୁଛି ଆତ୍ମହତ୍ୟା ।

ଲୋକପ୍ରିୟ ଲେଖା

To Top