କବିତା

ତାଙ୍କରି ପାଦେ ପ୍ରଣତି ଢାଳେ

Dibakar Sahoo's odia poem Taankari Paade Pranati Dhaale

ନିଦୁଆ ନିଦୁଆ ଆଖିରେ ବିଛଣା ଛାଡ଼ି
ମାର୍ଗଶୀର ପୁଷ ନିଶାନ୍ତେ ପଡ଼ି ଉଠି ।
ବହଳ ଅନ୍ଧାରେ ବିଷମ ପଥ ମାଡ଼ି
ନିର୍ଭୟେ ଯାଏ ସେ କର୍ମକ୍ଷେତ୍ରକୁ ଛୁଟି ।।

ତାଙ୍କରି ପାଦେ ପ୍ରଣତି ଢାଳେ

ଇନ୍ଦ୍ରିୟମାନଙ୍କୁ ଇନ୍ଧନ ଯୋଗାଇ ଯିଏ
ଜଗତ ଜନଙ୍କ ଜୀବନ ପ୍ରଦୀପ ଜାଳେ ।
ସେହି ତ ନିଃସ୍ୱ ନିପୀଡ଼ିତ ଚାଷୀଟିଏ
ତାଙ୍କରି ଚରଣ କମଳେ ପ୍ରଣତି ଢାଳେ ।।

ନିଦାଘେ ନିଜକୁ ଦଗ୍ଧ କରାଇ କ୍ଷେତେ
ମାଟିମଟାଳରୁ ଖୋଜେ ଯେ ଜୀବନ ରାହା ।
ବନ୍ୟା ମରୁଡ଼ିକୁ ମଥାପାତି ନେଇ କେତେ
ଜୀବନ ଯୁଦ୍ଧେ ସହଇ ଜ୍ୱଳନ ଯାହା ।।

ଚଡ଼କେ ଚମକି ନ ଯାଇ ତା’ପରି କିଏ
ଧାରା ଶିରାବଣେ ଭିଜାଇ ଦେହ ।
ଗହୀର ପାଟରେ ପଖାଳ ତୋରାଣି ପିଏ
ଜୀବିକା ପାଇଁ ଜୀବନକୁ ମଣି ହେୟ ।।

ନିଦୁଆ ନିଦୁଆ ଆଖିରେ ବିଛଣା ଛାଡ଼ି
ମାର୍ଗଶୀର ପୁଷ ନିଶାନ୍ତେ ପଡ଼ି ଉଠି ।
ବହଳ ଅନ୍ଧାରେ ବିଷମ ପଥ ମାଡ଼ି
ନିର୍ଭୟେ ଯାଏ ସେ କର୍ମକ୍ଷେତ୍ରକୁ ଛୁଟି ।।

କୁହୁଡ଼ି କାକରେ କର୍ମ ତତ୍ପର ହୋଇ
ଫୁଙ୍ଗୁଳା ଦେହରେ ଶୀତକୁ ନ ହୋଇ ଭୀତ ।
ଫାଟୁଆ କାନ୍ଧରେ କଳେଇର ଭାର ବୋହି
ଝରାଇ ରକତ ଗାଏ ଯେ ଜୀବନ ଗୀତ ।।

ତାଙ୍କରି ବିଦଗ୍ଧ ପରାଣେ ପୁଲକ ପାଇଁ
ମନ ମନ୍ଦିରେ ଜାଗିଛି କିଞ୍ଚିତ ଆଶା ।
କବିତା ପଂକ୍ତିରେ ଚମକ ନଥାଉ ନାହିଁ
ନ ଥାଉ ପଛେ ମଧୁର ଲଳିତ ଭାଷା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top