କବିତା

ତମେ କେଉଁଠି ?

Prasanta Kumar Behera's odia poem Tame Keunthi

ତମ ପ୍ରାସାଦର ବାଲ୍‌କୋନିରେ
ନା
ରତ୍ନପଲଙ୍କରେ
ଅବା
ସିଂହାସନମାର୍କା ଚୌକିରେ ?

ଏଇ !
କୁହନା ?
ଏଇ କରୋନାର ଅତଙ୍କରେ
ତମେ କେଉଁଠି ?

କୃଷ୍ଣଚୂଡ଼ାର ଲାଲ୍ ଟକଟକ୍
ସେଇ ଫୁଲରେ
ନା
ଆମ୍ୱ ବଉଳର ଗହଳିରେ ?

ସତରେ ତମେ କେଉଁଠି ଏବେ ?

ତମେ ତ ଜାଣ
ଏବେ ସବୁଆଡେ କର୍ଫ୍ୟୁ
ଖାସ୍ ସେଇଥିପାଇଁ
ତମକୁ ଖୋଜି ପାରୁନି
ରାଜରାସ୍ତାରେ
ସମୁଦ୍ରର ବେଳାଭୂମିରେ
ଆଉ ମଲ୍‌ରେ
କିମ୍ବା ଆମେ ଏକାଠି
ଘଣ୍ଟାଘଣ୍ଟା ବସୁଥୁବା
ସେଇ ପାର୍କରେ

ଆରେ କୁହନା କେଉଁଠି ତମେ ?

ତମ ପ୍ରାସାଦର ବାଲ୍‌କୋନିରେ
ନା
ରତ୍ନପଲଙ୍କରେ
ଅବା
ସିଂହାସନମାର୍କା ଚୌକିରେ ?

କଣ କରୁଛ ତମେ ?
ଫେସବୁକରେ ମଗ୍ନ
ନା
ହ୍ଵାଟ୍ସଆପରେ ବ୍ୟସ୍ତ ?

ହଉ ଶୁଣ !
ତମେ ଯେଉଁଠି ଥାଅ
ଯାହା କରୁଥାଅ
କିନ୍ତୁ ଭଲରେ ଥାଅ
ଆଉ ଜାଣ
ମୁଁ ତମକୁ
ଏଇଠି ଥାଇ
କ୍ଷଣେ ବି ଭୁଲିନି
ଆଗକୁ ବି ଭୁଲିପାରିବିନି ।

ଲୋକପ୍ରିୟ ଲେଖା

To Top