ତମେ-ମୁଁ ଏକାଠି ଚାଲିଥିଲେ ରାସ୍ତା
କେମିତି ଠିକ୍ ମୋ ପାଦତଳ ରାସ୍ତାରେ
ଶିଉଳି ଲାଗି ଗଲା ଯେ
ତମ ସହ ଉଠେଇଥିବା ପାଦକୁ
ରଖିଲା ବେଳକୁ
ଖସିପଡ଼ି ପାଣି-ପଙ୍କରେ ମୁଁ ଘାଣ୍ଟି ହେଉଥାଏ
ଶେଷଯାଏଁ ।।
ତମେ-ମୁଁ ଏକାଠି ଦେଖୁଥିଲେ ସ୍ୱପ୍ନ
ଅଥଚ ଏବେ ମତେ
ଆଖି ବୁଜିବାକୁ ହୁଏ ଭୟରେ
ଭୁଲ୍ରେ ବି ଖୋଲିଗଲେ ଆଖି
ସେଇସବୁ ସ୍ୱପ୍ନ
ପୋଡ଼ା ବଉଳ ପରି ଝଡ଼ିପଡ଼ୁଥାଏ ।।
ତମେ-ମୁଁ ସଙ୍କଳ୍ପିଥିଲେ
ଯଦି ଜଣେ ଧରିବ କଲମ
ଆଉଜଣେ ଧରିଦେବ କାଳି
ସବୁ ଲେଖା ଶେଷ ପରେ
ତମଠି ତ ଛିଟା କିଛି ଲାଗିନାହିଁ
ଅଥଚ ମୋ ଦୁନିଆଁଟା ସାରା
କଳାଯାକ ଗଲା ନେସି ହୋଇ ।