କବିତା

ତୀର୍ଥଯାତ୍ରା

Odia Writer Aparna Mohanty

କାହାକୁ
ପ୍ରାଣଦେଇ ରମଣ କରିବା
କେଡେ଼ ସାଧ୍ୟ ସାଧନାର କଥା !

ତୀର୍ଥଯାତ୍ରା

ବହୁନାରୀ ସମ୍ଭୋଗରେ
ତୁମ ଚଟୁଳ ଦକ୍ଷତା ଯୋଗୁଁ
ତୁମେ କି ସଂସାର
କେବେ ଲଜ୍ଜିତ ହୁଅ କି?

ତେବେ
ବହୁପୁରୁଷ ସମଭୋଗରେ
ମୋର ଲଜ୍ଜିତ ହେବା
ଉଚିତ୍ କାହିଁକି ?

କାହାକୁ
ପ୍ରାଣଦେଇ ରମଣ କରିବା
କେଡେ଼ ସାଧ୍ୟ ସାଧନାର କଥା !

ଆତ୍ମାର
ଅନାଘ୍ରାତ ନୈବେଦ୍ୟକୁ
କେଉଁ ଦେବଦୁର୍ଲ୍ଲଭ
ପ୍ରେମିକ-ପଣକୁ
ସମର୍ପଣ କରିବାର
ସେ କି ଅନବରତ
ତୀବ୍ର ବ୍ୟାକୁଳତା ।

ବିଧି
ଯାଚୁଥିବେ ଅଷ୍ଟସିଦ୍ଧି
ସଂସାର
ଯାଚୁଥିବ ଯଶ-ବିଭବ
ଏପରିକି
ସ୍ୱୟଂ ଈଶ୍ୱର
ଯାଚୁଥିବେ ମୋକ୍ଷ

ସବୁଠୁଁ ମୁହଁ ଫେରେଇ
ସୁଖସମ୍ପଦ ବୋଲି
ମୁଠେଇ ଧରିବା
ଆହତ ହାତପାପୁଲିରେ
ରଡ଼ନିଆଁ ପରି
କିଛି ବ୍ୟଥା ।

ନେତ୍ରମୁଦି
ଉର୍ଦ୍ଧ୍ଵବାହୁ ତୋଳି
ପ୍ରାର୍ଥନାମୟ
ନିରାଭରଣ ଦେହ ମନ୍ଦିରରେ
କିଛି ଅନିର୍ବଚନୀୟ ସହ
ମିଳନର
ଅନନୂଭୂତ ନିବିଡ଼ତା

ସମୟର ବତାସରେ
ଅହରହ ଲିଭିଯାଉଥିବା
ଅସୁମାରୀ ଆଶା
ଓ ଆସ୍ଫାଳନର ଅନ୍ଧାରରେ
ଗୋଟିଏ ନିରଭିମାନ, ନିଃସର୍ତ୍ତ
ଦୀପଶିଖାର ସ୍ଥିରତା ।

ତୁମ ସ୍ପର୍ଶରେ
କ୍ଷତ ବିକ୍ଷତ
ବଂଶୀରନ୍ଧ୍ରପରି ରିକ୍ତ
ଅଙ୍ଗ ପ୍ରତ୍ୟଙ୍ଗରେ
ମୁଁ ଏକ ଅନଶ୍ୱର-ସୁରତି
ମାଗିବା ମାତ୍ରେ ଇ
ଘୋର ସୁଷୁପ୍ତିମଗ୍ନ
ତମର କ୍ଲାନ୍ତ ହତଚେତନା ଦେହ
ଟଳିପଡେ଼
ମୋ ଅଭିମନ୍ତ୍ରିତ ଚରଣ ପାଖରେ ।

ମତେତ ଯେମିତି ହଉ
ଅନାହତ ମୂର୍ଚ୍ଛନାକୁ
ଅନୁସରଣ କରି କରି
ତନୁରୁ ଅତନୁକୁ
ଅର୍ଥରୁ ପରିମାର୍ଥକୁ
ଯିବାକୁ ହବ
ଚେଇଁ ଥାଉଁ ଥାଉଁ ।

ତମପରି
ଅନେକ ଅସାଡ଼
ଶରୀର ପାଖରୁଁ
ବିଦାୟ ଘେନିଲାବେଳେ
ଆଖିରେ ଆଖିଏ
ଲୁହ ଥାଏ ମୋର
ପାଦରେ
ତୀର୍ଥାଟନର ତତ୍ପରତା ।

ଲୋକପ୍ରିୟ ଲେଖା

To Top