କବିତା

ତ୍ରିଧାରା

Nrushingha Tarai's odia poem Tridhaaraa

ସ୍ୱପ୍ନର ସୌରଭ ସବୁ
ପାଲଟନ୍ତି ଫୁଲ
ଶ୍ରାବଣୀର ସ୍ୱର ହୋଇ
ଠିକ୍ ମୋ ପ୍ରିୟା ପରିକା ।

ତ୍ରିଧାରା

ବର୍ଷା

ଜରିଲଗା ଓଢ଼ଣା ଫାଙ୍କରୁ
ହସ ଫୁଟେ ସମୁଦ୍ରର ଢେଉପରି ଯେବେ
ତୁହାତୁହା ନରମ ଓଠରେ
ସଜଫୁଟା ଜହ୍ନିଫୁଲ
ତୋଫାଗୋରା ଜହ୍ନର ଆଲୁଅ କିବା ।

ଜଳିଯାଏ ମୋ ଦେହ
ଭର୍ତ୍ତି ହୋଇଯାଏ ତାତି-ମୁଠାମୁଠା ଉଷ୍ମତା
ସ୍ୱପ୍ନର ସୌରଭ ସବୁ
ପାଲଟନ୍ତି ଫୁଲ
ଶ୍ରାବଣୀର ସ୍ୱର ହୋଇ
ଠିକ୍ ମୋ ପ୍ରିୟା ପରିକା ।

ପାଦରେ ଘୁଙ୍ଗୁର ପେନ୍ଥା
ରିମ୍‌ଝିମ୍ ଝିପ୍‌ଝିପ୍ ଶବ୍ଦ
ନାଲିଟୋପା-ମଥାରେ ସାଧବବୋହୂ
ବେଶ୍‌ମାନେ
ନାଁକୁ ତମର ବର୍ଷା
ରାଣୀ ସମ୍ୱୋଧନ ।

କେରାକେରା ଅସଜଡ଼ା ବେଣୀ
ଆକାଶର ସ୍ମୃତି ହୋଇ
ଛୁଇଁ ଏ ମାଟିର ଆଖି
କ୍ଷେତ ବଣ ସଡ଼କ ସହର
ଛୁଏଁ ମୋ ପ୍ରିୟାର ତନୁ
ଭିଜେ ତା’ର ପଣତ ଓ ଶାଢ଼ି ।

ବସନ୍ତ

ଫେଣ୍ଟା ଫେଣ୍ଟି ଯେତେ ସବୁ ରଙ୍ଗ
ଫର୍ଦ୍ଦଫର୍ଦ୍ଦ କାଗଜରେ ବୋଳି
ଅମାନିଆ ଚଗଲା ବୟସ
ଫାଜିଲ ଝିଅଟା ପରି
ବାଧ୍ୟକରେ ଛବି ଆଙ୍କିବାକୁ
ରଙ୍ଗ ତୂଳୀ ଧରି ।

ଆକାଶର ନିରବତା
ସମୁଦ୍ର ଉଚ୍ଛ୍ୱାସ
ଧୂସର ପାହାଡ଼
ପାର୍କରେ ଭେଟିଥିବା ଛିଟକନାର ଫ୍ରକ୍‌ପିନ୍ଧା
ଜାପାନୀ ବାଳିକା
ଏବଂ ଲିଲିର କସମ୍
ଖୋରାକ ଯୋଗାନ୍ତି
ମାରାଥନ ରେସ ବେଳେ
ଠୋଠେ ତାଳିମାରି
ଝୁଙ୍କ ଉଠେ
ଆହୁରି ବଢ଼ାଇ ଦିଏ ଜିଦ୍
ରଙ୍ଗ ଆଉ ତୂଳୀ ଧରି ଛବି ଆଙ୍କିବାକୁ
ମହାନ୍ତିବାବୁଙ୍କ ସେ ଲାଜୋଇ ଝିଅଟା ।

ବୈଶାଖ

ତମର କଡ଼ା ତାଗିଦ୍
ନାଲିଆଖି ଭୁରୁଡ଼ି ଭୟରେ
ଦେଖିଲ କେମିତି
ମୋ ଶାଢ଼ି ଆଉ ଶାୟା
ଝାଳରେ ଭିଜିଚି ।
ଭଲ ଲାଗେ ବୋଧେ- ଖାଲିଦେହ ଦେଖିବାକୁ ମୋର
ତଥାପି ମନ ବି ପୂରେନା
ବେଶ୍ ହୁଏ ଚିଡ଼େଇ ଚିଡ଼େଇ
ନୟାନ୍ତ ମୁଁ ହେଲେ
ଜମିଗଲେ ମୋ ଦେହରେ ରକ୍ତର କଣିକା ।

ଏମିତି ନା ମଣିଷ
ନିଛାଟିଆ ଆମ୍ୱତୋଟା
ଶିରଶିର ଝାଞ୍ଜି-ପଥଶ୍ରାନ୍ତ ମାଇପିଟା
କ’ଣ ବେଶି ଆପଣାର
ତାକୁ ଏତେ ପ୍ରେମରେ ଝୁରୁଚ ।
ଗଦାଗଦା ବାଲି-ଶୁଖିଲା ବେଣାମୋଟା
ସାପକାତି, ଗେଣ୍ଡାର ଖୋଳପା
ଅରମା ଦୂବଘାସ ଭର୍ତ୍ତି
କୁହତ କାହିଁକି ତମର ଏ ଇଲାକା ?

ନାଇଟ୍ କ୍ଲବ୍, ଦାମୀ ବାସ୍ନା
ପାର୍କ କି ଟାଉନହଲଟିଏ ନାହିଁ,
ଏଣୁ ତେଣୁ ଶସ୍ତା କେଇଟା
ଫୁଟ୍‌ପାଥର ଚାହାଛଣା, ପାନିଆ
ଖଡ଼ଶାଗ, ପାଣିଚିଆ କ୍ଷୀର
ୟା’କୁ ନେଇ କିଏ ବା କିପରି-ଏଠି ସଂସାର କରିବ
ଏତେ ଦହଗଞ୍ଜ ସହି ।

1 Comment

1 Comment

  1. Binay Mohapatra

    December 28, 2017 at 9:03 am

    ଅତି ସୁନ୍ଦର ରଚନା ।

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top