ହେ ଇଶ୍ଵର,
ତୁମେ ପରା କହିଥିଲ
ପରୀଟିଏ ମୋ ବାଟ ରହିଛି ଚାହିଁ
ହସିବ ସେ, ହସାଇବ
କୋଳେ ନେଇ, କେତେ ଯତନରେ ।।
ତୁମେ ପରା କହିଥିଲ,
ତା ଆଦର ଯତ୍ନ ତୁମ ପରି
ତା ହାତେ ଯାଦୁ ଅସୁମାରି
କୋମଳ ପରଶ ତା ଅମୃତ ସମ ।।
ତୁମେ ପରା କହିଥିଲ,
କହିବ ସେ ଶିଖାଇବ
ଯେତେ ମିଠା କଥା, ସେ ଦୁନିଆର
ହାତ ଧରି ଶିଖାଇବ ଚାଲି ।।
ତୁମେ ପରା କହିଥିଲ,
ହାତ ଯୋଡି ଶିଖାଇବ ପ୍ରାର୍ଥନା
ମମତା ମୟୀ ପରୀଟି
ରକ୍ଷା କବଚ ସାଜିବ ମୋ ପାଇଁ ।।
ତୁମେ ପରା କହିଥିଲ,
ମା, ସେ ପୃଥିବୀ ରେ ତୁମର ରୂପ
ହେଲେ କାଇଁ ସାଜିଲା ସେ ବଇରୀ
କନ୍ୟା ସନ୍ତାନ, ମୁଁ, ଅନ୍ତରରେ ମୋର ହତ୍ୟା କରି ।।