କବିତା

ଉଡାଣ

Manmath Kumar Dalei's odia poem Udaana

ଯେତେବେଳେ ମୋ ନିଦ ଭାଙ୍ଗିଲା
ଜାଣିଲି ଏହା ଏକ ସ୍ୱପ୍ନ ଥିଲା,
ସ୍ୱପ୍ନ ବି ଏତେ ଭୟଙ୍କର ସତ କହିପାରେ
ମୋ ହେତୁରେ ନ ଥିଲା ।

ଉଡାଣ

ଆମେ ବହୁ ଉଚ୍ଚତାରେ ଥିଲୁ
କିନ୍ତୁ ଆମକୁ ଆଶ୍ଚର୍ଯ୍ୟ ଲାଗୁ ନ ଥିଲା,
ଆମେ ତଳକୁ ଚାହିଁଲୁ
ସେଠି ଆମ ଛାଇ ବି ନଥିଲା ।

ପୁର୍ବରୁ ସେମାନେ ସେଠି ଉଡୁଥିଲେ
କିନ୍ତୁ ଅତି ଅଳ୍ପ ତୀବ୍ରତାରେ,
ଆମର ପ୍ରଦର୍ଶନ ତା ଠାରୁ ଭଲ ହୋଇ ଥାନ୍ତା,
କିନ୍ତୁ ଆମେ ନ ଥିଲୁ ଜିତିବା ନିଶାରେ ।

ଆମେ ସମ୍ପୂର୍ଣ ଡରିଗଲୁ
ଯେତେବେଳେ ପ୍ରଳୟ ଡେଣା ଝାଡି ଉଡିଲା
ଆକାଶର ମଥାନ ଉପରେ
ଆଉ
ସୂର୍ଯ୍ୟ ହଜିଗଲେ ବାଦଲଙ୍କ ଗହଳି ଭିତରେ ।

ସେମାନେ କିନ୍ତୁ ମାନିଲେନି କିଛି
ଗତି କଲେ ଉର୍ଦ୍ଧ୍ୱକୁ ଉର୍ଦ୍ଧ୍ୱକୁ,
ଆମେ କିନ୍ତୁ ମୁହେଁଇଲୁ ତଳକୁ ତଳକୁ ।

ତଳେ ଆସି ଦେଖିଲୁ
କୁଢ କୁଢ ଶବଙ୍କ ପଟ୍ଟୁଆର,
ମାଆ ମାଟି ପାଦ ଭିଜି ରକ୍ତ ସରସର ।

ଯେତେବେଳେ ମୋ ନିଦ ଭାଙ୍ଗିଲା
ଜାଣିଲି ଏହା ଏକ ସ୍ୱପ୍ନ ଥିଲା,
ସ୍ୱପ୍ନ ବି ଏତେ ଭୟଙ୍କର ସତ କହିପାରେ
ମୋ ହେତୁରେ ନ ଥିଲା ।

ଲୋକପ୍ରିୟ ଲେଖା

To Top