କବିତା

ଉଦ୍ଦଣ୍ଡୀ ଝୁଅ

Niranjan Jena's odia poem Udandi Jhua

ସାଁଠଣା ଶିଖେନା ବୋଲି
ମାଆ ଗରଗର ସକାଳରୁ ସଞ୍ଜ
ଅଣ୍ଡିରୀ, ରଣଚଣ୍ଡୀ ଗୁଣ ପାଇଁ
ଗାଁ ମାଇପିଙ୍କ ଫୁସ୍ ଫୁସ୍ କଥା
ମେଲିଯାଏ ଏ ଗାଁରୁ ଅନ୍ୟ ଗାଁ ତୁଠ ।

ଉଦ୍ଦଣ୍ଡୀ ଝୁଅ

ଝୁଅକୁ ଗଛ ଚଢ଼ିବା ମନା,
ନଈ ପହଁରିବା ମନା
ଦୁମ୍‌ଦୁମ୍ ଚାଲିବା ମନା
ଠୋସ୍, ଠୋସ୍ କଥା କହିବା ବି ମନା
ମାଆର ସବୁ ଆକଟର ସୀମା
ନାଲି ଆଖି, ରାଣ ଦୁହାଇକୁ
ବାରମ୍ୱାର ଅତିକ୍ରମ କରେ ଝୁଅ
ସେଇଥି ପାଇଁ ତ ଗାଁରେ ହୁରି ପଡ଼େ ଉଦ୍ଦଣ୍ଡୀ ଝୁଅ ।

ସାଁଠଣା ଶିଖେନା ବୋଲି
ମାଆ ଗରଗର ସକାଳରୁ ସଞ୍ଜ
ଅଣ୍ଡିରୀ, ରଣଚଣ୍ଡୀ ଗୁଣ ପାଇଁ
ଗାଁ ମାଇପିଙ୍କ ଫୁସ୍ ଫୁସ୍ କଥା
ମେଲିଯାଏ ଏ ଗାଁରୁ ଅନ୍ୟ ଗାଁ ତୁଠ ।

ଉଦ୍ଦଣ୍ଡୀ ଝୁଅ ଗୁଲି ଖେଳେ, ଡାବଳ ବି ଖେଳେ
କମ୍ ବୟସୀ ଟୋକାଙ୍କ ମେଳରେ
ଧାପିରେ ଶୁଶୁରି ମାରିବା ନାଗର ଟୋକାଏ
ବାଟବଣା ହୁଅନ୍ତି ଆପଣା ଛାଏଁ
ସିଏ ରାସ୍ତାରେ ଗଲେ
ଗାଁ ଝୁଏ ମୁହଁ ମୋଡ଼ନ୍ତି- ତା’ ଛାଇ ପଡ଼ିଲେ ।

ଉଦ୍ଦଣ୍ଡୀ ଝୁଅ ସବୁଠି ଥାଏ
ଷଣ୍ଢ ଲଢ଼େଇରେ ଉସ୍କାନି ଦିଏ
ଦନ୍ତା ମାଙ୍କଡ଼ ଦଳକୁ ସାରାଦିନ ଖେଦୁଥାଏ
ଧୁ’-ଧୁ’-ଖରାବେଳ କଟିଯାଏ ତା’ର
ବର ଓହଳ ଦୋଳିରେ ।

ଏ ଝୁଅକୁ ଦେଖିବାକୁ ଆସି
ବରପକ୍ଷ ଫେରି ଯାଆନ୍ତି ଗାଁ ମୁଣ୍ଡରୁ
ରବିଶୁଦ୍ଧି ଶୁଝିଲାନି ଅନେକ ଦିନ
ଏଇ ସନ ଯୋଗକୁ ଘର ମିଳିଲା
ବର ମିଳିଲା ଉଦ୍ଦଣ୍ଡୀ ଝୁଅକୁ ।

ଗାଁ ନୋକେ କଥା ହେଲେ
ସଂସାର ଭାସିଗଲା ସାହାଣୀ ପୁଅର
ଆଉ ଥୋକେ କୁହାକୁହି ହେଲେ
ବଞ୍ଚିଗଲା ମାଈଚିଆ ସାହାଣୀ ପୁଅଟା ।

ଶାଶୁର ଫଅଁ, ଶଶୁରର ଚିତ୍କାର
ଏବଂ ଯାଆ, ନଣନ୍ଦର ଟାଇଁ ଟାଇଁ କଥା
ନିଆଁରେ ପାଣି ଭଳି ଥପ୍ କରି ନିଭିଗଲା
ଉଦ୍ଦଣ୍ଡୀ ଝୁଅର ଆଖିତରାଟିରେ ।

ମାଛିକୁ ମ’ ନ କହୁଥିବା ମକରାଇ ଝୁଅ
ବାଆ ବାସି ଗାଁକୁ ଫେରିଲା-

ଶାଶୁଘର ଲୋକେ ଉଲୁଗୁଣା ଦେଲେ
ଝୁଅଟା ଆଲୁରୀ, ବାଲୁରୀ
ପାଦକୁ ନିଘା କରି ବାଟ ଚାଲୁଥିବା
ସତିଆନା ଝୁଅ ଅପବାଦ ନେଲା,
କଥାର ଫେର କାଢ଼ିବାରୁ ଜଣାଗଲା
ଦବା, ନବାରେ ସାମାନ୍ୟ ଉଣାଥିଲା ।

ସବୁ ଦେଇ ନେଇ ଝୁଅକୁ ଘର ଦେଲେ ବି
କିଏ ତୁଠ ପଥର ସାଜି ସଂସାର ବାନ୍ଧେ ତ
କିଏ ପଥରତଳିଆ ଘାସ ପରି
ଜୀବନକୁ ପାଳେ
କେହି କେହି ନହୁଲୀ ବୟସରେ
ଜୀବନଟା ହାରେ-
କିଏ କେମିତି ମରଣ ଯନ୍ତାରେ ହିଁ ମରେ !

ଦେଖାଯାଉ, ଉଦ୍ଦଣ୍ଡୀ ଝୁଅର
କପାଳରେ କ’ଣ ଅଛି
ସିଏ ତ ନିଜ ଇଚ୍ଛାର ଈଶ୍ୱରୀ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top