କବିତା

ଉଜୁଡ଼ା କ୍ଷେତ

Dr Dilip Kumar Swain's odia poem Ujudaa Ksheta

ମୁହଁ ଶୁକେଇ ବସିଚି ବିଲ
ମଲା ଚଢ଼େଇର ଥଣ୍ଟରେ
ପାଚିଲା ଧାନର ଗୀତ
ଅକ୍ଷିତୃତୀୟାର ଭୋଗ
କାହିଁ ଯେ ?

ଉଜୁଡ଼ା କ୍ଷେତ

କାହିଁକି ମୁହଁ ଶୁକେଇଚୁ
ହଳିଆଙ୍କ ପାନଖିଆ
ଧାନ ରୋଉଥିବା ରଇତାଣୀଙ୍କ ଚୂଡ଼ି ଝମଝମ
ଗେଣ୍ଡା, କୋଚିଆଙ୍କ କଳିଗୋଳ
ମାଲିକର ମୁର୍କିହସା
ଆଉ ନାହିଁ ବୋଲି ନା କ’ଣ ?

ମୁହଁ ଶୁକେଇ ବସିଚି ବିଲ
ମଲା ଚଢ଼େଇର ଥଣ୍ଟରେ
ପାଚିଲା ଧାନର ଗୀତ
ଅକ୍ଷିତୃତୀୟାର ଭୋଗ
କାହିଁ ଯେ ?

ମୁହଁ ଶୁକେଇ ବସିଚି ବିଲ
ହଳବଳଦର ନରମ ସହବାସରେ
ପୁଲକିତ ମାଟି
ଏବେ ପାୱାର୍ ଟ୍ରଲର ଧର୍ଷଣରେ ରକ୍ତାକ୍ତ
ଫଳିବା ପୂର୍ବରୁ ଉଜୁଡ଼ି ଯାଉଚି ମଞ୍ଜି
ମାଟିସାରା ଭ୍ରୁଣଙ୍କ କଙ୍କାଳ ।

ମୁହଁ ଶୁକେଇ ବସିଚି ବିଲ
ଆକାଶରେ ଆଉ ମେଘ ନାହିଁ
ମାଟିତଳକୁ ଖସିଯାଉଚି ଜଳ
ପାଣି ବିନା ହୋଇପାରୁନି ଚାଷ ଅନୁକୂଳ ।
ମାଟିର ମହାଯୋନିରେ
ହଳଲଙ୍ଗଳର ରମଣର ବାସ୍ନା ଏବେ କାହିଁ ଯେ !

ମୁହଁ ଶୁକେଇ ବସିଚି ବିଲ
ଗୋଟାଏ ଦସ୍ତଖତରେ
ବିକ୍ରି ହୋଇଗଲା ପରେ ମାଲିକାନା
ଏବେ ଏଠି କାରଖାନାର ତୂରୀ ବାଜିବ
ଫୁଲ, ଫଳ, ଗୋରୁପଲ ବଦଳରେ
ତତଲା ତାୱାର କୋକେଇରେ
ତରଳିଯିବ ମାଟିର ମସୃଣ ମଲାଟ ।

ଆଉ ମୁହଁ ଶୁକାନା ତୁ
ଏବେ ମୁଠାଏ ମାଟି
ପାପୁଲିଏ ପାଣି ଦେଖିଲେ
କହିବାକୁ ପଡ଼ିବ
ହେଇ ବିଲ, ବିଲ, ବିଲ
ମାଟି ଅଛି ତ
ଫୁଟୁଥିବ ଫୁଲ !

ଲୋକପ୍ରିୟ ଲେଖା

To Top