କବିତା

ଉଠ ! ଜାଗ ! ଆଖିଖୋଲ ଅହଲ୍ୟା….

Prasanta Kumar Behera's odia poem Utha ! Jaaga ! Aakhi Khol Ahalyaa

ସତରେ ତୁମେ କଣ
ଏ ଯାଏ ଏତିକି ଜାଣିନ ?
ତୁମ ଶରୀର କେବଳ ତୁମର
ତା’ ଉପରେ ଆଉ କାହାର ବି
କୌଣସି ପ୍ରକାର ଅଧିକାରର
ପ୍ରଶ୍ନ ହିଁ ଉଠୁନି ।

ଉଠ ! ଜାଗ ! ଆଖିଖୋଲ ଅହଲ୍ୟା....

ନାରୀ !

ଈଶ୍ୱରଙ୍କ ସୃଷ୍ଟିର ଖୁବ୍ ଆକର୍ଷଣୀୟ
ମନୋମୁଗ୍ଧକର ସୁନ୍ଦର ସୁ କୋମଳ
ରୂପ ପ୍ରାଚୁର୍ଯ୍ୟରେ ଭରା
କମନୀୟ ଚେହେରା ତୁମେ ।

କେତେଦିନ ଆଉ ତୁମେ
ଲମ୍ପଟ ପୁରୁଷର ପଣ୍ୟଶାଳାରେ
ଅସହାୟ ବନ୍ଦିନୀ ସାଜି
ଅତି ନଗନ୍ୟ ଓ ନଗ୍ନ ହୋଇ
ନିଜ ଭିତରେ ଚପାଇ ରଖିଥିବ
ନିର୍ଯ୍ୟାତନାର ସେଇ କରୁଣ କାହାଣୀ ?

ଲଜ୍ଜା ଓ ସାମାଜିକ ପ୍ରତିଷ୍ଠା ପାଇଁ
ନିଜ ହୃଦୟକୁ ଚୁର୍‌ଚୁର କରି
କାମୁକ ପୁରୁଷର ଯାବତୀୟ
ଯୌନ ବିକୃତିକୁ ସ୍ୱୀକୃତି ଦେଇ
କେତେଦିନ ସହ୍ୟ କରୁଥିବ
ତୁମ ନିଭୃତ ନାରୀତ୍ୱର
ସେଇ ବିଭତ୍ସ ବ୍ୟଥା ?

ସତରେ ତୁମେ କଣ
ଏ ଯାଏ ଏତିକି ଜାଣିନ ?
ତୁମ ଶରୀର କେବଳ ତୁମର
ତା’ ଉପରେ ଆଉ କାହାର ବି
କୌଣସି ପ୍ରକାର ଅଧିକାରର
ପ୍ରଶ୍ନ ହିଁ ଉଠୁନି ।

ଉଠ , ଜାଗ ,
ଆଖିଖୋଲି ଦେଖ ,
ମୁହଁ ଫିଟାଅ ,
ଏବେ ସମୟ ଆସିଛି
ଭାଙ୍ଗିଦିଅ ତୁମ ସମସ୍ତ ନାରୀସୁଲଭ
ଲାଜ ସରମ ଓ ସାମାଜିକ କଟକଣା ।

ମାମଲା ଫିଟାଅ,
ଲମ୍ପଟ ଚରିତ୍ର ଉପରୁ
ପରଦା ଉଠାଅ,
ତୁମ ସୌନ୍ଦର୍ଯ୍ୟ ଓ ଯୌବନକୁ ନେଇ
ଖେଳ ଖେଳୁଥିବା କ୍ଷମତାଶାଳୀ କାମୁକଙ୍କ
କଳା କାରନାମା ସବୁ ବଖାଣ ।
ଏବେ ତୁମକୁ କେହି କହିବେନି
ଦୋଷୀ, ବେଶ୍ୟା କିମ୍ୱା ଚରିତ୍ରହୀନା ।

ମନେରଖ ତୁମେ
ଅସମ୍ଭବବୋଲି କିଛି ନାହିଁ ଏବେ
ପାଷାଣୀ ଅହଲ୍ୟାରୁ
ସଶକ୍ତ ନାରୀରେ ରୂପାନ୍ତରିତ ହୋଇ
ଅତ୍ୟାଚାରିତା, ଶୋଷିତା, ଲାଞ୍ଚିତା ଆଦି
ଶବ୍ଦ ସବୁକୁ ବହୁ ଦୂରକୁ
ଫିଙ୍ଗି ଫୋପାଡ଼ିବାର
ସମୟ ଆସିଯାଇଛି ।

ଲୋକପ୍ରିୟ ଲେଖା

To Top