କବିତା

ବନ୍ଦେ ମାତରଂ

Navajyoti Rai's odia poem Vande Mataram

ଖୋଲିଦେଇ ଆସେ
ହୃଦୟର ଦ୍ୱାର
ସେ ପ୍ରୌଢ଼ ଦମ୍ପତିଙ୍କର
ଯେ କାଲି ରାତିରେ
କିରୋସିନ ଓ ଦିଆସିଲି
ସଜିଲ କରୁଥିଲେ
ଢାଳିବାକୁ ସୁନାନାକୀ
ବୋହୂଟି ଉପରେ ।

ବନ୍ଦେ ମାତରଂ

ଆପଣମାନେ ଏଠି
ପତାକା ଉଡାନ୍ତୁ
ଜାତୀୟ ସଂଗୀତ ଗାଉଥାଆନ୍ତୁ
ବାଣ୍ଟୁଥାଆନ୍ତୁ ଚକୋଲେଟ୍‌
ମୁଁ ଯାଇ ଆଉଁସି ଦେଇ ଆସିବି
ସେ କ୍ଷତଗୁଡିକୁ
ଯାହାର ହାତ ପାଉନି
ଟିକିଏ ମଲମକୁ !

ପିନ୍ଧେଇ ଦେଇ ଆସିବି
ମୋର ଲୁଗାରୁ ଅଧେ
ସେ ବାୟାଣୀ ଝିଅଟିକୁ
ଯାହାକୁ ଅଇଁଠା ଥାଳିଟିଏ ପରି
ଫିଙ୍ଗିଦେଇଛନ୍ତି
ଦଳେ ଅସଭ୍ୟ ଗଧିଆ
ବାଣ୍ଟି ଆସେ କିଛି ସାମର୍ଥ୍ୟ
ମେରୁଦଣ୍ଡ ସଳଖିବାକୁ
ବି.ପି.ଏଲ. ଚାଉଳରୁ
ଅବଶିଷ୍ଟ ଜୀବନ ସାଉଁଟୁଥିବା
ମଣିଷମାନଙ୍କ ।

ଖୋଲିଦେଇ ଆସେ
ହୃଦୟର ଦ୍ୱାର
ସେ ପ୍ରୌଢ଼ ଦମ୍ପତିଙ୍କର
ଯେ କାଲି ରାତିରେ
କିରୋସିନ ଓ ଦିଆସିଲି
ସଜିଲ କରୁଥିଲେ
ଢାଳିବାକୁ ସୁନାନାକୀ
ବୋହୂଟି ଉପରେ ।

ଖୋଜିଦେଇ ଆସେ
ସେଇ ପିଲାମାନଙ୍କର
ଅପହୃତ ଶୈଶବ
ଯେଉଁମାନଙ୍କ ବାପା
ଚାଲିଗଲେ ସୀମାନ୍ତରେ
କି ଛତିଶଗଡ଼ ଜଙ୍ଗଲରେ ।

 

ପହଞ୍ଚେଇ ଦିଏ
ସେ ହଳକ ପାଉଁଜି
ଭଉଣୀର ପାଖରେ
ଯାହା ଭାଇ ପହଞ୍ଚିଲା
ବନ୍ଦ ହୋଇ କଫିନ୍‌ରେ ।

ଖଣ୍ଡେ ନାଲି ଗାମୁଛା
କି ତଉଲିଆ ଦେଇ ଆସେ
ହଳହଳ ପେଜୁଆ ଆଖିଙ୍କୁ
ଯିଏ ନିରନ୍ତର ଅନେଇ ରହିଛି
ଦାଦନ ଯାଇଥିବା ପୁଅର ବାଟକୁ ।

ଟିକେ ସଜାଡ଼ି ଦେଇ ଆସିବି
ସେ ଘରକରଣାକୁ
ଯିଏ କେଉଁ ବଣୁଆ ଫୁଲର ମାୟାରେ
ଉଜାଡି ଦେଇଛି ନିଜର ବଗିଚା ।

ବଞ୍ଚିବାର ଆଶା ଦେଇ ଆସିବି
ସେ ମାଂସ ପିତୁଳାଙ୍କୁ
ଯିଏ ନିତିପ୍ରତି ମରନ୍ତି ଗର୍ଭରେ ।

ଲେଉଟେଇ ଆଣିବି ସେଇ ଭୋକିଲା ପେଟକୁ
ଯିଏ ମୁହାଁଇଛି ଅନ୍ଧ ଗଳିକୁ
ଫୁଟପାଥ୍‌ରୁ ଉଠେଇ
ପହଞ୍ଚେଇ ଦେଇ ଆସେ
ସେମାନଙ୍କୁ
ଅନ୍ତତଃ କୁଡ଼ିଆରେ ।

ଡାକି ଆଣେ ସ୍ୱାଧୀନତାକୁ
ଡ଼ାକବଙ୍ଗଳାର କାଜୁ ପ୍ଲେଟ୍‌ ଓ
ମଦ ଗ୍ଲାସ୍‌ରୁ
ଟିକେ ଅପେକ୍ଷା କରିଥିବେ
ଜାତୀୟ ସଙ୍ଗୀତର ଧୂନ୍‌
ସରିବା ପୂର୍ବରୁ ମୁଁ ଫେରିବି
ଆଣ୍ଠୁ ଉପରକୁ ଖଦିଟିଏ ପିନ୍ଧି
ହାତରେ ବାଡିଟିଏ ଧରି
ତା’ପରେ ଆମେ ସମସ୍ତେ ମିଶି ଗାଇବା
ବନ୍ଦେ ମାତରଂ ।

ଲୋକପ୍ରିୟ ଲେଖା

To Top