ବ୍ୟଙ୍ଗକବିତା

ଅଜବ ଜନ୍ତୁ

Dr Kulangaara's odia satire poem Ajaba Jantu

କେବେ ସିଏ କୁକୁର ପରି ଧାଏଁ
କେବେ ବିଲେଇ ପରି ମ୍ୟାଉଁମ୍ୟାଉଁ;
ଏତେ ସୁନ୍ଦର ଅଭିନୟ ମଣିଷ ଛଡା
କିଏ ବା କରିପାରିବ ଆଉ !

ଅଜବ ଜନ୍ତୁ

ମଣିଷଠି ଜନ୍ତୁପଣ ଯେତେଯେତେ
ବୃଦ୍ଧିପାଇ ଚାଲିଛି;
ଜନପଦରେ ଜନ୍ତୁଙ୍କର ସଂଖ୍ୟାରେ
ସେତେସେତେ ଅବନତି ହେଉଛି !

ନିଜକୁ ଜନ୍ତୁମାନଙ୍କର ଅଧିପତି ବୋଲି
ପ୍ରମାଣିତ କରିବା ପାଇଁ;
ଜନ୍ତୁମାନଙ୍କୁ ଖତମ କରିବା ସହ
ତାଙ୍କର ଘରଦ୍ୱାର ବି ରଖିନାଇଁ !!

ସେଥିପାଇଁ ଯଦି ବର୍ତ୍ତିଯାଇଥିବା ଗଧିଆ
କି ବିଲୁଆଟେ ପଶି ଆସୁଛି;
ସନ୍ଦେହୀ ମଣିଷର ଆଖିକୁ ସିଏ
ଭୟଙ୍କର ଓ ଅଜବ ଅଜବ ଦିଶୁଛି!

ଏବେ ଅନ୍ୟର ରକ୍ତ ପିଇବା
ଯେହେତୁ ମଣିଷର ପ୍ରଧାନ କାମ;
ଅନ୍ୟକେହି ସେହିକାମ କଲେ
ପଚାରୁଚି କିଏ ୟେ କଣ ତା ନାମ !!

ସତକଥା ହେଲା ଏଇ ଅଜବ ଜନ୍ତୁଟି
ହେଉଛି ମଣିଷ ନିଜେ;
ମେଣ୍ଢ‍ାପରି ମୁଣ୍ଡଟି ତାଆର ଟାଣ,
ରୋଗୀଦେହ ଘାସ ସହ କଲିଜା ଖୋଜେ !

ଦେଖିଲା ଲୋକେ କୁହନ୍ତି
ଶରୀର ତା ଏକଦମ୍ କଙ୍ଗାରୁ ପରି;
ବାପାମାଆ ଛାଡି ଯେଣୁ ଡିଏଁ ସିଏ
କୋଳରେ ପିଲାଛୁଆ ଧରି !!

କେବେ ସିଏ କୁକୁର ପରି ଧାଏଁ
କେବେ ବିଲେଇ ପରି ମ୍ୟାଉଁମ୍ୟାଉଁ;
ଏତେ ସୁନ୍ଦର ଅଭିନୟ ମଣିଷ ଛଡା
କିଏ ବା କରିପାରିବ ଆଉ !

ନୂଆଫୁଆ ମିଛକଥା ଏବେ ସବୁ ମଣିଷ
ଗୋଟେ ଗୋଟେ ଅଜବ ଜନ୍ତୁ;
ମିଳିନି କି ମିଳିବନି ବନ ବିଭାଗ ଓ
ମିଡିଆବାଲାଏ ତାକୁ ଯେତେ ବି ଖୋଜନ୍ତୁ !

ଲୋକପ୍ରିୟ ଲେଖା

To Top