ବ୍ୟଙ୍ଗକବିତା

ବିଦଗ୍ଧ କଳାଧନ (ମୋ କଳାଧନରେ)

Shree Shree Hugulaa's odia satire poem Bidagdha Kalaadhana

ମୋ ଜୀବ ଜୀବନ ତୁହି ନୟନ ବିନ୍ଦିଆ,
ତୋ ବିନା ବଞ୍ଚିକି ହେବ କହରେ ଗାନ୍ଧିଆ ।
ମୋ କଳାଧନରେ ।

ବିଦଗ୍ଧ କଳାଧନ (ମୋ କଳାଧନରେ)

ଡାକ୍ତର:

ଶୁଆଇ ଥିଲି ସିନ୍ଦୁକେ କେତେ ଯତନରେ,
ଉଠିକି ପଡ଼ିଲୁ ଧନ ମୋଦିର ଡାକରେ ।
ମୋ କଳାଧନରେ ।୧।।

କେତେ କେତେ ନାଡ଼ି କାଟି ସଞ୍ଚିଥିଲି ତତେ,
ଫୁସୁଫୁସୁ କିଡିନି ଯେ ବିକିଥିଲି କେତେ ।
ମୋ କଳାଧନରେ ।୨।।

ପିଲା ଅଦଳ ବଦଳେ ଥିଲି ମୁଁ ପୋଖତ,
ତୋ ପାଇଁ ବିକିଥିଲି କେତେ ଥଳି ରକତ!
ମୋ କଳାଧନରେ ।୩।।

ମେଡିସିନି ଷ୍ଟୋଅରଙ୍କୁ ହାତେ ରଖିଥିଲି,
ରୋଗୀଙ୍କୁ ସେଠିକୁ ଭେଜି ପଣି ପାଉଥିଲି ।
ମୋ କଳାଧନରେ ।୪।।

ତୋର ପ୍ରେମ ମୋ ମୁହଁକୁ କରିଥିଲା ବଙ୍କା,
ମଲା ରୋଗୀଙ୍କ ଠାରୁ ବି ଶୋଷୁଥିଲି ଟଙ୍କା ।
ମୋ କଳାଧନରେ ।୫।।

ଇଞ୍ଜିନିୟର୍:

ମୋ ଜୀବ ଜୀବନ ତୁହି ନୟନ ବିନ୍ଦିଆ,
ତୋ ବିନା ବଞ୍ଚିକି ହେବ କହରେ ଗାନ୍ଧିଆ ।
ମୋ କଳାଧନରେ ।୬।।

କେତେ ଛଡ଼ି ଗୋଡ଼ି ଖାଇ ରଖିଥିଲି ତତେ,
ଭାବିକି ଥିଲି ଏମିତି ଛାଡ଼ିଯିବୁ ମତେ ।
ମୋ କଳାଧନରେ ।୭।।

କୋଟିକିଆ କାମ ସାରେ ଅଧାରେ ଅଧାରେ,
ବାକି ଅଧା ସୁରକ୍ଷିତ ମୋ ଟ୍ରେଜେରି ଭିତରେ ।
ମୋ କଳାଧନରେ ।୮।।

ପୋଲ ଗଢ଼ିବାର ଠିକ୍ ବର୍ଷକ ଭିତରେ,
ଭୁଷୁଡ଼େଇ ଲିଜ୍ ଧରେ ପୁଣି ଆଉ ଥରେ ।
ମୋ କଳାଧନରେ ।୯।।

କେତେ ହୀନ ହୋଇଥିଲି ସଞ୍ଚିବାକୁ ତତେ,
ସୁଟ୍‌କିନା ଚାଲିଗଲୁ ଭସେଇ ତୁ ମତେ ।
ମୋ କଳାଧନରେ ।୧୦।।

ନେତା/ମନ୍ତ୍ରୀ:

ତୁହି ମୋର ହାତ ଗୋଡ଼ ତୁହି ମୋର ଗାଦି,
ତୋର ବିନା ନିର୍ବାଚନ ଲଢ଼ିବି କେମିତି?
ମୋ କଳାଧନରେ ।୧୧।।

ଡରୁଥାଉ ଭିଜିଲାନ୍ସ ଆସୁ ଚୋରା ବାଟେ,
ତୁ ଥାଉ ବୋଲି ମଦ ପାଣି ଘରେ ଘରେ ବାଣ୍ଟେ ।
ମୋ କଳାଧନରେ ।୧୨।।

କେତେ କେତେ ଯୋଜନାରୁ ତତେ କାଟି କାଟି,
ଶହେ ଦୁଇ ଶହ ହେବ ଭରିଥିଲି ପେଟି ।
ମୋ କଳାଧନରେ ।୧୩।।

ପଞ୍ଚାୟତ ନିର୍ବାଚନ ଆଗକୁ ଆସୁଛି,
ତେନ୍ତୁଳିଆ ବିଛା ଏବେ ମୁଣ୍ଡକୁ କାଟୁଛି ।
ମୋ କଳାଧନରେ ।୧୪।।

କୋଉଠୁ ଆଣିବି ଆଉ କୁକୁଡ଼ା ବିଅର,
ଲାଗୁଅଛି ଏଇ ଥର ହେବି ମୁଁ ଖିଅର ।
ମୋ କଳାଧନରେ ।୧୫।।

ପୁଲିସି:

ଲାଞ୍ଚ ଖାଇ ଖାଇ ତତେ ସାଇତି ମୁଁ ଥିଲି,
ସମସ୍ତିଙ୍କ ନଜରରୁ ତତେ ଜଗୁଥିଲି ।
ମୋ କଳାଧନରେ ।୧୬।।

ଗଦି ଆଉ ତକିଆରେ ଅତି ଯତନରେ,
ଶୋଉଥିଲି ଭାବି ଭାବି ପୁଣି ସପନରେ ।
ମୋ କଳାଧନରେ ।୧୭।।

ତୋ ପାଇଁ ମୁଁ ଆଦରେ ନାଇଟି ଡିଉଟି,
ଉପରି ସାଙ୍ଗକୁ ପୁଣି ମିଳେ ବି ବିଉଟି ।
ମୋ କଳାଧନରେ ।୧୮।।

ବୃଦ୍ଧକାଳେ ଜୁଟିଥିଲା ଏକଇ ଘରଣି,
ସୁନା ଗହଣାରେ କରୁଥିଲି ମୁଁ ଛାଉଣି ।
ମୋ କଳାଧନରେ ।୧୯।।

ଖାଇବାକୁ ସଅକ ସେ ଭାରି ଯେ ଇଲଶି,
କେମିତି କିଣିବି ଆଉ ଛାର ମୁଁ ପୁଲିସି ।
ମୋ କଳାଧନରେ ।୨୦।।

ଓକିଲ:

ତତେ ନେଇ ଦେଖିଥିଲି କେତେ ଯେ ସପନ,
ତୁହି ମୋର ଜୀବନ ତୁହି ଥିଲୁ ମୋ ନୟନ ।
ମୋ କଳାଧନରେ ।୨୧।।

ଧଳାକୁ କଳାକରି ମୁଁ ତତେ ପାଳୁଥିଲି,
ତୋ ଦୟାରୁ ସ୍ତ୍ରୀ-ପିଲା-ଛୁଆ କରୁଥିଲି ।
ମୋ କଳାଧନରେ ।୨୨।।

ତାରିଖ ପରେ ତାରିଖ କ୍ଲାଏଣ୍ଟ ଦେଖଇ,
ମୋ ହାତେ ତୁ ଶୋଭା ପାଉ ବିଡ଼ା ବିଡ଼ା ହୋଇ ।
ମୋ କଳାଧନରେ ।୨୩।।

ତତେ ପାଇବାକୁ ଛାଡ଼ି ନଥିଲି ମୁଁ ବାପା,
କେଏସ୍‌ରେ ପଡ଼ି ସିଏ ହେଇଥିଲା ଖପା ।
ମୋ କଳାଧନରେ ।୨୪।।

ଜଳଜଳ ଦିଶେ ନଭେମ୍ବର ଆଠ ରାତି,
ଅକାଳରେ ଛାଡ଼ିଗଲୁ ହେଇଗଲୁ ସ୍ମୃତି ।
ମୋ କଳାଧନରେ ।୨୫।।

ବେପାରୀ/ଶୀଳ୍ପପତି:

ରାତିଏ ଗଲେ ହାତୀଏ ବୋହି ଆଣେ ତତେ,
ସରୁନାହୁଁ ସରୁନାହୁଁ ବାଣ୍ଟିଲେ ବି ଯେତେ ।
ମୋ କଳାଧନରେ ।୨୬।।

ଭାରତୀୟ ବ୍ୟାଙ୍କ୍ ସବୁ ତୁହି ଡରୁଥାଉ,
ସୁଇସି ବ୍ୟାଙ୍କ୍ ଯାଇ ଆରାମରେ ରହୁ ।
ମୋ କଳାଧନରେ ।୨୭।।

ହଲେଇ ଦେଲେରେ ତତେ ଷୋଳ ବୟସୀ ଖାଲି,
ରାତି ଅଧେ ଘର ଆଡ଼େ ଆସନ୍ତି ମୋ ବୁଲି ।
ମୋ କଳାଧନରେ ।୨୮।।

ତୋ ଦୟାରୁ ଏମେଲେ ଅଟେ ମୋ ପାଦ ତଳ,
ଡାକିଦେଲେ ଘର ଆଗେ ପୁଲିସିର ଦଳ ।
ମୋ କଳାଧନରେ ।୨୯।।

ସହିବି କେମିତି ଆଖି ଆଗୁ ଚାଲିଯାଉ,
କହରେ ଧନ ତୋ ବିନା ବଞ୍ଚିବି କି ଆଉ ।
ମୋ କଳାଧନରେ ।୩୦।।

ସମାଜସେବୀ:

କେତେ କେତେ ବାଟରେ ତୁ ଧୀରେ ଧୀରେ ଆସୁ,
ସମାଜସେବା ନାମରେ ତୁ ଝୁଲାରେ ମୋ ପଶୁ ।
ମୋ କଳାଧନରେ ।୩୧।।

ଶିଶୁରକ୍ଷା ନାରୀରକ୍ଷା ନାମେ ତୁହି ବନ୍ଧା,
ଏଇଥିରୁ ଗମେଣ୍ଟରୁ ମିଳେ ଭଲ ଚାନ୍ଦା ।
ମୋ କଳାଧନରେ ।୩୨।।

ହାତରେ ବି ଥାଆନ୍ତି ବହୁ ନେତା ମନ୍ତିରୀ,
ତୋ ପାଇଁ ତାଙ୍କ ଆଗେ କେତେ ମୋ ଖାତିରି ।
ମୋ କଳାଧନରେ ।୩୩।।

ପାଞ୍ଚେ/ପଚିଶି ଫିଙ୍ଗିଦେଲେ ଗରିବଙ୍କ ଆଗେ,
ଈଶ୍ୱର ଈଶ୍ୱର ମୁହିଁ ତାଙ୍କ ପାଖେ ଜାଗେ ।
ମୋ କଳାଧନରେ ।୩୪।।

ମୋ ସୁଖ ଶିରି ସାରିଲୁ ତୁ କାହିଁ ପାଇଁ,
ଫିଙ୍ଗିବାକୁ-ପୋଡ଼ିବାକୁ ହାତ ଯାଉନାହିଁ ।
ମୋ କଳାଧନରେ ।୩୫।।

ଗୃହିଣୀ:

ପକେଟରୁ ତାଙ୍କ ପାଞ୍ଚେ/ହଜାରେ ମାରି ମାରି,
ଗଡ୍ରେଜ ଆଟାଜି ମୁଁ ଦେଇଥିଲି ଭରି ।
ମୋ କଳାଧନରେ ।୩୬।।

ପିଲା ଖର୍ଚ୍ଚ ଘର ଖର୍ଚ୍ଚ ବାହାନାରେ ପୁଣି,
ମିଛ ସତ କହି ତାଙ୍କୁ ରଖେ ମୁହିଁ ଆଣି ।
ମୋ କଳାଧନରେ ।୩୭।।

ବାଇଚାନ୍ସ ତାଙ୍କ ଆଖି ପଡ଼ିଯିବ ବୋଲି,
ଅଟା, ସୁଜି ଡଭାରେ ବି ତତେ ରଖୁଥିଲି ।
ମୋ କଳାଧନରେ ।୩୮।।

ତୋ ଶକ୍ତି ବଳେ ଧମକ ତାଙ୍କୁ ମୁଁ ଦିଅଇ,
ଟିକେ କଥାରେ ବାପଘର ଗାଁ ମୁଁ ଦେଖାଇ ।
ମୋ କଳାଧନରେ ।୩୯।।

ସାରିଦେଲା ସବୁ ସିଏ ଯାଉଛି ଲୋ ବାଧି,
ବାଡ଼ିଖିଆ, ନଇଜଳା, ଗାତପଶା ମୋଦି ।
ମୋ କଳାଧନରେ ।୪୦।।

ଲୋକପ୍ରିୟ ଲେଖା

To Top