ବ୍ୟଙ୍ଗକବିତା

ଡାକ୍ତର ସାକ୍ଷାତ ଈଶ୍ୱର

Shree Shree Hugulaa's odia satire poem Daaktara Sakhyaata Ishwara

ଏ କଥା ମୁଁ କହୁନାହିଁ କରି ଯୋଖାଯୋଖି,
କହୁଛି ଏକଥା ଯାହା ଦେଖିଅଛି ମୋର ଦୁଇ ଆଖି ।

ଡାକ୍ତର ସାକ୍ଷାତ ଈଶ୍ୱର

ଡାକ୍ତର ତୁମେ ଭଗବାନ, ଶୁଣିଥିଲି ଯାହା ଲୋକ ମୁଖେ,
ତୁମେ ପ୍ରକୃତ ଭଗବାନ ଜାଣିଲି
ନର୍ସ ଭାବେ ଚାକିରୀ କଲା ପରେ ତୁମ ପାଖେ ।

ତୁମେ ହେଉଛ ବ୍ରହ୍ମା-ବିଷ୍ଣୁ-ମହେଶ ସମାନ,
ତୁମ ହାତେ ଆତ-ଯାତ ସମସ୍ତ ଜୀବନ ।

ତୁମ କୃପା ହେଲେ ଶିଶୁ ଆଲୋକ ଦେଖଇ,
ନହେଲେ ଶିଶୁ ଭ୍ରୁଣ ଅବସ୍ଥାରୁ ସଫା ହୋଇଯାଇ ।

ଏ କଥା ମୁଁ କହୁନାହିଁ କରି ଯୋଖାଯୋଖି,
କହୁଛି ଏକଥା ଯାହା ଦେଖିଅଛି ମୋର ଦୁଇ ଆଖି ।

ଗର୍ଭବତୀ ହେଲା ପରେ ମଦନା ସ୍ତ୍ରୀ ଆସିଥିଲା ତୁମ ପାଖ,
ପଚାରିଥିଲା ପୁଅ ଅଛି ନା ଝିଅ ତୁରନ୍ତ ଟିକେ ଦେଖ ।

ତୁମ ଧ୍ୟାନ ବଳେ ଜାଣିଲ ଗର୍ଭେ ଅଛି ଏକ ଝିଅ,
ମଦନା ସ୍ତ୍ରୀ କହିଥିଲା ପେଟ ତା’ର ତୁରନ୍ତ ସଫାକରି ଦିଅ ।

ତମ ମନ୍ତ୍ର ବଳେ ମଦନା ସ୍ତ୍ରୀର ପେଟ ଶୁଖି ଶୁଖି ଗଲା,
ଚାହୁଁ ଚାହୁଁ ପେଟ ତା’ର ପୂରା ସଫା ହୋଇଗଲା ।

ଏଭଳି ଅନନ୍ୟ ଗୁଣ ଯେ ତୁମ ପାଖେ ଭରିଅଛି,
ଅବିଶ୍ୱାସ କରିବିବା କେମିତି ଯାହା ନିଜ ଆଖିରେ ଦେଖିଛି ।

ସେହିଦିନୁ ମଦନା ସ୍ତ୍ରୀ ତୁମକୁ ହଉଅଛି ଝୁରି,
ତା’ ଗର୍ଭ ହରଣ କରିଥିବାରୁ ନାମ ତୁମ ହରି ।

ଏତିକି ଯେ ତୁମ ଗୁଣ ନୁହେଁ ଆହେ ଡାକ୍ତର ମହାପୁରୁ,
ଆହୁରି କେତେ କିଏ ଉପକୃତ ହୋଇଛନ୍ତି ତୁମ୍ଭଠାରୁ ।

ଚୌଧୂରୀ ବାବୁ ପତ୍ନୀଙ୍କ ହୋଇଥିଲା ଝିଅ,
ସାଙ୍ଗେ ସାଙ୍ଗେ ବଦଳେଇ ଦେଲ ସେ ଚାହିଁବାରୁ ପୁଅ ।

ଗୋରା ତକ ତକ ଥିଲା ସେ ରାଜକୁମାର ପରି,
ଶନିଆଁ ସ୍ତ୍ରୀର ଗର୍ଭରୁ ସେ ପଡ଼ିଥିଲା ଝରି ।

ଶନିଆଁ ସ୍ତ୍ରୀ ବିଚରା କାନ୍ଦି କାନ୍ଦି ମଲା,
ପୁଅ କାନ୍ଦ ଶୁଣୁଥିଲି ଝିଅ କେମିତି ଯେ ହେଲା?

ବୁଝେଇ ସୁଝେଇ ତାକୁ ବିଦା କରିଦେଲ,
ଆର ଥରକୁ ଦେଖିବା ବୋଲି ଯେ କହିଲା ।

ତୁମ ମାୟା ମୋ ବିନା ଆଉ କାହାକୁ ଯେ ଗୋଚର,
ପିଲା ବଦଳା ଗୁଣ ଥିବାରୁ ତୁମ ନାମ ବଦଳେଶ୍ୱର ।

ଏତ ସବୁ ତୁମ ପାଇଁ ସାମାନ୍ୟରୁ ସାମାନ୍ୟ,
ଆହୁରି କେତେ କ’ଣ କରିପାର ଯାହା ଆମ ପାଇଁ ଅସାମାନ୍ୟ ।

ତୁମ ମାୟାକୁ ଆଉ କିଏ ପାରିବ ଯେ କଳି,
ଚୋରୀ ଗୁଣରେ ତ ତୁମେ ଯିବ ଶ୍ରୀକୃଷ୍ଣଙ୍କ ଠାରୁ ବଳି ।

କେ କହେ ଶ୍ରୀକୃଷ୍ଣଙ୍କୁ ରାଧା ହୃଦୟର ଚୋର,
ତୁମେ ତ ଚୋରୀ କରିପାର କାହା ହୃଦୟ ପୁଣି କିଡ଼ିନି କାହାର ।

ଷୋହଳ ସହସ୍ର ଗୋପୀଙ୍କ ସହ ଥିଲା କୃଷ୍ଣଙ୍କର ଭାବପ୍ରୀତି,
ତୁମ ପ୍ରୀତି ଜଣାପଡ଼େ ଡାକ୍ତରଖାନାରେ ହୋଇଗଲେ ଅଧ ଘଡ଼ି ରାତି ।

ମାଳତୀ, ମିନତୀ, ଶୋଭା ଯେତେ ନର୍ସ ଅଛନ୍ତି,
ତୁମ ରାସଲୀଳା ଏଠି ସମସ୍ତେ ଜାଣନ୍ତି ।

କାହାକୁ ଛାଡ଼ିନ ତୁମେ ସେ ହେଉ ଅବା ଛବି, ରୁବି, ବବି,
ତୁମ ରାସଲୀଳାର ତ ମୁଁ ନିଜେ ଅନୁଭବୀ ।

ଗାଲକୁ ଚିପି ତମେ ଦେହେ ମାରିଦିଅ ହାତ,
ଆଜିଯାଏ ଦେହରୁ ମୋ ଯାଇନି ତମ ଦନ୍ତ-ନଖ ଘାତ ।

ଚୋରୀ ଆଉ ନାରୀ ଗୁଣେ କିଏ ହେବ ତୁମ ସରୀ,
ଶ୍ରୀକୃଷ୍ଣ ବି ଆସିଲେ ତୁମ ଆଗେ ଯିବେ ହାରି ।

ତମେ ଭାବକୁ ନିକଟ ପୁଣି ଅଭାବକୁ ଦୂର,
ଭାବ ଥିଲା ବାଲା ପାଆନ୍ତି ଦର୍ଶନ ତୁମର ।

ସେ ପାଇଥାଏ ସେହି ଫଳ ଯେ ଯେମିତି ଦେଇ,
ନ ଦେଲା ବାଲାଙ୍କର ତୁମେ ମାଡ଼ନାହିଁ ଛାଇ ।

ରାଜନେତା, ଶିଳ୍ପପତି ଆଦି ପ୍ରୀୟ ଭକତ ତୁମର,
ତାଙ୍କ ସ୍ମରଣ ମାତ୍ରେ ଛୁଟିଯାଏ ତୁମ ମର୍ସିଡ଼ିଜ କା’ର ।

ଗରିବ ଗୁରୁବା ଯେତେ ନେହୁରା ହେଲେ ବି,
ଶୁଣନାହିଁ ଡାକ ତାଙ୍କ ପାରନ୍ତିନି ବୋଲି ଦେଇ ।

ସୁମତୀର ସ୍ୱାମୀ ଘାଣ୍ଟି ହେଉଥିବା କାମଳ ରୋଗରେ,
ଗୁହାରି କରିଥିଲା ଆସି ତୁମ ଚରଣରେ ।

କହିଥିଲ ତାକୁ ପଚାଶ ହଜାର ନକରିଲେ ଜମା,
ରୋଗୀ ମଲେ ପଛେ ମରୁ ତାକୁ ଛୁଇଁବନି ଜମା ।

ବିଚାରୀ ପଚାଶହଜାର ଯୋଗାଡ଼ କରି ନପାରିଲା,
ସ୍ୱାମୀ ତା’ର ଘାଣ୍ଟି ହୋଇ ବାରଣ୍ଡାରେ ମଲା ।

ଅଭାଗିନୀଟା ଯଦି ଟିକେ ତୁମ କଥା ମାନିଥା’ନ୍ତା,
ବିଚାରୀଟା ଆଜି କାହିଁ ରାଣ୍ଡି ହୋଇଥା’ନ୍ତା ।

ଧନି-ମାନି ଯେତେସବୁ ତୁମେ ତାଙ୍କରି ଗୋସାଇଁ,
ଭାବକୁ ନିକଟ ବୋଲି ତୁମେ ହେଲ ଭାବଗ୍ରାହୀ ।

ସିଜର-କଇଁଚି ହେଲା ଆୟୁଧ ତୁମରି,
ସେଇ ହେଲା ଜୀବଦାନ ସେଇ ଜୀବହାରୀ ।

ରୋଗୀ ସେବା ବେଳେ ଯଦି ପ୍ରସାଦରେ ହୁଏ ଟିକେ ହେଳା,
ଜୀବ ଥାଉ ଥାଉ ଜାଣ ବୁଡ଼ିଲା ଯେ ବେଳା ।

ତୁମ ହାତେ ଥାଏ ଫୁସ୍‌ଫୁସ୍, ଧମନୀ ଆଉ ନାଡ଼ି,
କାଟିକୁଟି ଅଲଗା ଯାଗାରେ ଦିଅ ପୁଣି ଯୋଡ଼ି ।

ଆଠଦିନ ଆଗୁ ପଛେ ମରିଥାଉ ରୋଗୀ,
ବଞ୍ଚିବା ଛଳରେ ତୁମେ ଟଙ୍କା କରିପାର ଭୋଗି ।

ବକେୟା ରାଶି ଯଦି ତୁମ ପାଖେ ନ ପହଞ୍ଚେ ,
ପଡ଼ିବା ଯାଗାରୁ ଶବ ନ ଘୁଞ୍ଚଇ ଇଞ୍ଚେ ।

ହରିଆ ସ୍ତ୍ରୀଟା ପଡ଼ି କିଡ଼ିନୀ ରୋଗରେ,
ଆସିଥିଲା ତୁମ ପାଖ ବଞ୍ଚିବା ଲୋଭରେ ।

ହରିଆଟା ଚାଷୀ ଲୋକ ଗରିବ ଘରର,
ସ୍ତ୍ରୀକୁ ବେଞ୍ଚଇବାକୁ ବିକିଦେଲା ଜମିବାଡ଼ି ତା’ର ।

ସ୍ତ୍ରୀ ତା’ର ବଞ୍ଚିଲାନି ମଲା ଶେଷେ ତୁମରି ହାତରେ,
ଶବ ତା’ର ଦେଲନାହିଁ ବାକି ଥିଲା ବୋଲି ଦି’ ଚାରି ହଜାରେ ।

ହରିଆଟା ବିଚରା ନିଜ ହାତ ନିଜ କପାଳରେ ମାରି,
କାନ୍ଦି କାନ୍ଦି ଆସିଲା ତା’ ଘରକୁ ଯେ ଫେରି ।

ତା’ ପର ଦିନ ଶବଟାକୁ ବିଲେ ଫୋପାଡ଼ିଲ ନେଇ,
କୁକୁର ବିଲୁଆ ସବୁ ଦେଲେ ତାକୁ ଖାଇ ।

ଏସବୁ ବୁଝିବୁ କେମିତି ଛାର ମଣିଷ ଯେ ଆମେ,
ଏସବୁ କରିପାର କାରଣ ମହାକାଳ ତୁମେ ।

ଜୟ ହେଉ ଜୟ ହେଉ ଡାକ୍ତର ତୁମର,
ମୁଁ ଛାର ନର୍ସ ତୁମେ ସାକ୍ଷାତ ଈଶ୍ୱର ।

ଲୋକପ୍ରିୟ ଲେଖା

To Top