ବ୍ୟଙ୍ଗକବିତା

ମୋହନ ବଂଶୀ – ଦ୍ୱାପରରେ ଓ ଏବେ

Prasanta Kumar Behera's odia satire poem Mohana Banshi Dwaparare o Ebe

ହେଲେ ଏବେ
ଏ କଳି ଯୁଗରେ
ଅଜସ୍ର ଭଣ୍ଡମାନେ ଏଠି
ତୁମ ପରି ରୂପ ଧାରଣ କରି
ବଂଶୀରେ ବେସୁରା ସ୍ୱର
ଦିଅନ୍ତି ଭରି ।

ମୋହନ ବଂଶୀ - ଦ୍ୱାପରରେ ଓ ଏବେ ।

ହେ ମୂରଲୀଧର !
ଗୋଟେ ନିର୍ଜୀବ ବଂଶୀରେ
ଏମିତି ମନୋମୁଗ୍ଧକର ମୂର୍ଚ୍ଛନା
କେମିତି ତୋଳ ?

ହେ ନନ୍ଦ ନନ୍ଦନ !
ଯମୁନା ନଦୀ କୂଳରେ
କଦମ୍ୱ ଗଛ ମୂଳରେ
ତ୍ରିଭଙ୍ଗିଠାଣୀରେ
ହୋଇ ଦଣ୍ଡାୟମାନ
ମୋହନ ବଂଶୀକୁ
ତୁମର କରିଧାରଣ
କରୁଥିଲ ରାସଲୀଳା
ଷୋଳସହସ୍ର ଗୋପନାରୀଙ୍କ
ସହ ସେଇ ବଂଶୀର
ମଧୁର ଝଙ୍କାରରେ
କରି ମୋହିତ ।

ହେ ଶ୍ୟାମ ସୁନ୍ଦର !
ସତରେ ତୁମ
ବଂଶୀ ସ୍ୱନ ଶ୍ରବଣ ମାତ୍ରେ
ସମସ୍ତ କର୍ମ ଛାଡି
ନିଜର ମାନ ମହତ
ସବୁକୁ ପଛରେ ପକାଇ
ଗୋପୀମାନେ ଧାଉଁଥିଲେ
ଯମୁନା କୂଳ ।

ହେ ନବଘନ !
ସତରେ ତୁମ
ମୋହନ ମୁରଲୀ ବଂଶୀ
ମୂର୍ଚ୍ଛନା ତୋଳିବା ମାତ୍ରେ
ବୃନ୍ଦାବନର ସମସ୍ତ
ବୃକ୍ଷଲତା, ପଶୁପକ୍ଷୀ
କୃଷ୍ଣ ରୂପସୁଧା ପାନକରି
ହେଉଥିଲେ ଉନ୍ମତ୍ତ ।

କଳାକାହ୍ନୁ ହେ !
ସତରେ ତୁମ
ମଧୁର ବଂଶୀ ସ୍ୱନ
ଜଡ-ଚେତନ, ଚର-ଅଚର
ସମସ୍ତଙ୍କୁ କରୁଥିଲା ଆକୃଷ୍ଟ ।

ହେ ଶ୍ରୀକୃଷ୍ଣ !
ସତରେ ତୁମ
ବଂଶୀର ଲଳିତ ସ୍ୱରରେ
ଯମୁନା ନଦୀ ହୋଇ ସ୍ତବ୍ଧ
କଳକଳ ହୋଇ ବହି ଯାଉଥିବା
ତା ଜଳଧାରା ହୋଇଥାଏ ସ୍ଥିର ।

ହେ ବଂଶୀଧର !
ତୁମେ ତ ବଂଶୀ ବିନା ଅପୂର୍ଣ୍ଣ
ସେଇ ବଂଶୀର ଲଳିତ ସ୍ୱର ସହ
ମନୋମୁଗ୍ଧକର ଶବ୍ଦ ସୃଷ୍ଟିରେ
ରାଧା ହୋଇ ବିବଶ
ଅପୂର୍ବ ଶ୍ରୀହରଣରେ ସ୍ଥାଣୁ ପଲଟି
ଆନନ୍ଦିତ ଓ ଆହ୍ଲାଦିତ ହୋଇ
ନିଜକୁ ତୁମ ପାଶେ ସମ୍ପୂର୍ଣ୍ଣ
ଦେଉଥିଲେ ସମର୍ପି ।

ହେଲେ ଏବେ
ଏ କଳି ଯୁଗରେ
ଅଜସ୍ର ଭଣ୍ଡମାନେ ଏଠି
ତୁମ ପରି ରୂପ ଧାରଣ କରି
ବଂଶୀରେ ବେସୁରା ସ୍ୱର
ଦିଅନ୍ତି ଭରି ।
ସେଇ ବେସୁରା ସ୍ୱରରେ
ବି ଆଜି ବହୁ ନାରୀ
ହୁଅନ୍ତି ବାତୁଳ
ମୋହଗ୍ରସ୍ଥ ଓ ପ୍ରେମାଷ୍ପଦରେ
ସବୁ ଇନ୍ଦ୍ରିୟର
ପ୍ରତିଟି ଇଚ୍ଛାକୁ
ଚରିତାର୍ଥ କରିବାକୁ
ସେଇ ଭଣ୍ଡମାନଙ୍କ ପାଖରେ
ହୁଅନ୍ତି ପାଗଳ ।
ରାସଲୀଳାର ନାମରେ
ବାବା ବୋଲାଉଥିବା
ଭଣ୍ଡମାନେ ଗୁରୁଣ୍ଡି ଗୁରୁଣ୍ଡି
କରନ୍ତି ଦୁଗ୍ଧ ପାନ ।

ଧରାପଡି କିଛି ଭଣ୍ଡ
ଏବେ କାରାଗୃହରେ
କରି ଅବସ୍ଥାନ
ଭକ୍ତଙ୍କୁ ତାଙ୍କର କୁହନ୍ତି
ଏ କୁଆଡେ ତାଙ୍କ ରଚିତ
ଏକ ଲୀଳା ଖେଳା ମାତ୍ର ।
ଧନ୍ୟ ସେ ଭକ୍ତ
ଏତେ ସବୁ ସତ୍ତ୍ୱେ
ଏଯାଏ ହେଲିନି ତା
ଜ୍ଞାନର ଉଦୟ
ଅଥବା ମୋହଭଙ୍ଗ
ଭଣ୍ଡ ବାବାକୁ
ଏବେବି ମଣୁଛି ଈଶ୍ୱର ।

ଲୋକପ୍ରିୟ ଲେଖା

To Top