ବ୍ୟଙ୍ଗକବିତା

ନୁଆ ହରିହର ଭେଟ

Bisweswar Majhi's odia satire poem Nuaa Harihara Bheta

ଘରଣୀ ତୁମର ଲକ୍ଷ୍ମୀ ଠାକୁରାଣୀ ଅଭାବଟି ଜଣା ନାହିଁ
ଜୀବନସାଥୀ ମୋ ପାର୍ବତୀ ବିଚାରୀ ଫଟା ପାଉଲାଟେ ନାହିଁ ।

ଷାଠିଏ ପଉଟି ଖାଉଛ ନିଇତି ସରପୁଳି ଛେନାପୋଡ
ବେଲପତ୍ର ଖାଲି ଚୋବାଉଛି ମୁହିଁ ଖାଇବାକୁ ନାହିଁ ଥୋଡ ।

ନୁଆ ହରିହର ଭେଟ

ଜଗନ୍ନାଥ ଥରେ ବୁଲି ଆସିଥିଲେ ଭୂବନେଶ୍ୱର୍ ହୋଇ ସଜ
ଭବାନୀ ମଲ୍ ରେ ଭେଟ ହୋଇଗଲେ ମହାପୁରୁ ଲିଙ୍ଗରାଜ ।

ଭଲମନ୍ଦ ପଚାରିଲେ ଜଗନ୍ନାଥ ଭୋଳା ଦିଅନ୍ତି ଉତ୍ତର
ଗଞ୍ଜେଇ ମିଳୁନି ମାର୍କେଟରେ ଆଉ ଖାଲି ବ୍ରାଉନ୍ ସୁଗାର୍ ।

ଭୂବନେଶ୍ୱରରେ ପାଣିପାଗ ଯାହା ରାଜନୀତି ଉବୁଟୁବୁ
ଛକି ବସିଛନ୍ତି କିଏ କେତେବେଳେ କାହାକୁ କରିବେ କାବୁ ।

ତୁମେ ତ ବସିଛ ବଡଦେଉଳରେ ରତ୍ନ ସିଂହାସନ ପରେ
ନୀତି ଭିଡ ତମ ବଡ ଦେଉଳରେ କିଏବା ମତେ ପଚାରେ ।

ଘରଣୀ ତୁମର ଲକ୍ଷ୍ମୀ ଠାକୁରାଣୀ ଅଭାବଟି ଜଣା ନାହିଁ
ଜୀବନସାଥୀ ମୋ ପାର୍ବତୀ ବିଚାରୀ ଫଟା ପାଉଲାଟେ ନାହିଁ ।

ଷାଠିଏ ପଉଟି ଖାଉଛ ନିଇତି ସରପୁଳି ଛେନାପୋଡ
ବେଲପତ୍ର ଖାଲି ଚୋବାଉଛି ମୁହିଁ ଖାଇବାକୁ ନାହିଁ ଥୋଡ ।

ସମୁଦ୍ରକୂଳରେ ଦେଉଳ ଭାଇନା ଖାଉଛ ଶୀତଳ ହାୱା
ଭୂବନେଶ୍ୱରର ଗରମ ଦେଖିଲେ ହୋଇଯିବ ତମେ ବାୟା ।

ବିନ୍ଦୁସାର ଜଳ ଶୁଖିଯାଉଅଛି ଗାଧୋଇ ପାରୁନି ମୁହିଁ
ଅନ୍ତ ବାସୁଦେବ ପ୍ରସାଦ ବାଣ୍ଟନ୍ତି ମୋ କଥା ଭାବନ୍ତି ନାହିଁ ।

କାର୍ତିକା ବସୁନି ମୟୁର ବାହନେ ଖୋଜୁଛି କରିସ୍ମା ପଲସର
ପାର୍ବତୀ ଜମାରୁ ଷଣ୍ଢରେ ବସୁନି ଦର୍କାର ଆକ୍ଟିଭା ପ୍ଲେଜର ।

ଗଣେଶଟା ଡେଲି ଝାମେଲା କରୁଛି ଖାଇବାକୁ ରାଶି ଲଡୁ
ପାର୍ବତୀ କହୁଛି ଟଙ୍କା ନାହିଁ ଯଦି ବିକିଦିଅ ତମ ଗଡୁ ।

ବୃଷଭ ମୋ ଡରେ ପାର୍ବତୀଙ୍କ ସିଂହ କାଳେ ଗିଳି ଦବ ତାକୁ
ମୂଷାଟା ବସିକି ଚୁଟୁରୁ ଚୁଟୁରୁ କାଟେ ବାଘ ଛାଲଟାକୁ ।

ମୟୁରକୁ ଦେଖି ମୋ ଅଣ୍ଟାରେ ସାପ ଭିଡି ମୋଡି ଯଦି ହେଲା
ଡର ଲାଗେ ଭାରି ବାଘଛାଲ କାଳେ ଖସି କରିବ ଲଙ୍ଗଳା ।

ଯାଚି ବରଦିଏ ପ୍ରଚାର ବୋଲି ମୋ ସବୁଦିନେ ନାହିଁ ଭିଡ
କାମ ପଡିଗଲେ ଭକ୍ତ ମୋର କରେ ରୁଦ୍ରାଭିଷେକର ରଡ ।

ଭକ୍ତ ମୋର ଯେତେ ଭାରି ମତଲବି ଅଫିସରଠୁ ଅର୍ଦଳି
ଗୁହାରି କରନ୍ତି ଲାଞ୍ଚ ଦେଇ ମୋତେ ଅଛଡ଼ା ଆନ୍ଧ୍ର କଦଳୀ ।

କହନ୍ତି ଶିବହେ ଦୟା ରଖିଥିବ ରୋକିବ ମୋ ଟ୍ରାନ୍ସଫର
ଛୁଆପିଲା କେହି ଚଳି ପାରିବେନି ଛାଡି ଏ ଭୁବନେଶ୍ଵର ।

ଜାଗରରେ ଚତୁର୍ଦ୍ଦଶୀ ସୋମବାର ସଙ୍କ୍ରାନ୍ତିରେ ଠେଲାପେଲା
ଶ୍ରାବଣ ମାସରେ କାଉଡିଆ ଭିଡ ଶୋଇ ପାରୁନାହିଁ ଭଲା ।

ଏଇଥିରୁ ତୁମେ ଜାଣି ପାରିବ ମୋ କେମିତି ଚଳେ ସଂସାର
ଜଗତର ନାଥ ହୋଇ ପଚାରୁଛ ମତେ ପୁଣି କି ଖବର ।

ଚାହାଟେ ଯାଚନ୍ତି ପକେଟ୍ ମୋ କଣା ଭଲହେଲା ଭେଟାଭେଟ
ବେଳ ହେଲେ ଟିକେ ବୁଲି ଆସନ୍ତନି ମୋ ଲିଙ୍ଗରାଜ ମଠ ।

ଜଗା କହୁଛନ୍ତି ମୋ ଦୁଃଖ କଥା ଶୁଣି ପାରିବକି ଭାଇ
ହାତଗୋଡ ନାହିଁ ଟଣା ଭିଡା ହୋଇ ରଥଯାତ୍ରା କରେ ମୁଁହି ।

ପଣ୍ଡା ଉପଦ୍ରବ ଦିନୁ ଦିନ ବଢେ ସହି ହେଉନାହିଁ ଆଉ
ମୋ ସ୍ୱର୍ଣ ଭଣ୍ଡାର ଊଣା ଦେଖି ତାଙ୍କ ସୁନାହାର ଦାଉଦାଉ ।

ହୁଣ୍ଡିକୁ ମୋହର ଚଳୁ କରୁଛନ୍ତି ଭକତକୁ ମାଡ ଦେଇ
ଦେଖ ତିରୁପତି କି ସୁଖେ ଅଛନ୍ତି ହୁଣ୍ଡି ତାଙ୍କ ପୁରୁଥାଇ ।

ରଥରେ ମୁଁ ବସେ ମୋତେ ଘେରିଥାନ୍ତି ଅଠ୍‌ଚାଳିଶ ଇଞ୍ଚ ଛାତି
ଦୟିତାପତିଏ ପଣ୍ଡାଙ୍କଠୁ ବଳି ଦେଖାନ୍ତି ତାଙ୍କ ଶକତି ।

ମିଳି ମିଶି ସବୁ ଚଳୁ କରୁଛନ୍ତି ନେତାଠାରୁ ବିଲଡର୍
ଆତଙ୍କବାଦୀଏ ଟାର୍ଗେଟ କରନ୍ତି ଶିରୀ ମନ୍ଦିରକୁ ମୋର ।

ପଥର ଖସୁଛି ଦେଉଳରୁ ମୋର ଆଇଏସ୍ ଆଇ ଦିଏ ଚିଠି
ମନ୍ଦିର ଭାଙ୍ଗିଲେ ଦାୟି ରହିବୁନି ସର୍କାର ଦେଖାଏ ପିଠି ।

ଲକ୍ଷ୍ମୀ ଋଷି ତା’ର ଅଲଗା ରହୁଛି ସଂସାର ସୁଖ ମୋ କାହିଁ
ନିଜ ଆଖିରେ ତ ଦେଖିଯାଅ ଥରେ ପୁରୀ ବୁଲିଆସ ଭାଇ ।

(+ – × ÷ % = ମୋତେ କ’ଣ ମିଳିବ???)

ସବୁ ଭକ୍ତ ଏଠି ବିକଳେ ଧାଆନ୍ତି ସୁଆର୍ଥ ଯେଉଁଠି ଥାଇ
ଜଗନ୍ନାଥ କିଏ କିଏ ଲିଙ୍ଗରାଜ ଯଦି ମତଲବ ନାହିଁ ।

 

 

ଲୋକପ୍ରିୟ ଲେଖା

To Top