କବିତା

ଅନ୍ୟନାୟିକା ମୃତ୍ୟୁଦେବୀ

Odia Author Dr. Archana Nayak

ବାରମ୍ୱାର ତପସ୍ୟା କରି ବିଧାତାଙ୍କୁ ସନ୍ତୁଷ୍ଟ କରିପାରିଥିବା ସତ୍ତ୍ୱେ ମଧ୍ୟ ମୃତ୍ୟୁଦେବୀଙ୍କ ପ୍ରତି ବିଧାତାର ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଲା ଓ ତପସିଦ୍ଧା ମୃତ୍ୟୁ ଦେବୀଙ୍କ ନିକଟରେ ତାହା ସ୍ୱୀକାର କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା ।

ଅନ୍ୟନାୟିକା ମୃତ୍ୟୁଦେବୀ

ନୂତନ ସୃଷ୍ଟିର ପରିକଳ୍ପନାରେ ସ୍ରଷ୍ଟାମାନସ ମଗ୍ନ । ନିଜ ସୃଷ୍ଟିର ବିବିଧତା ଓ ବୈଚିତ୍ର୍ୟରେ ନିଜେ ମୁଗ୍ଧ ବିହ୍ୱଳ ବିଧାତା ଧରଣୀର ସ୍ଥିତି ପ୍ରତି ଧ୍ୟାନ ଦେବାର ଅବସର ପାଇନାହାନ୍ତି । ତାଙ୍କ ମନରେ ନୂତନ ସଂରଚନାର ରୂପରେଖ ଅବରିତ ଲୀଳାୟିତ ହୋଇଚାଲିଛି ବିଭିନ୍ନ ଛନ୍ଦରେ । କର୍ଣ୍ଣରେ କେବଳ ଧ୍ୱନିତ ହେଉଛି ସୃଷ୍ଟିର ମଧୁର କୂଜନ । ଆଖି ଆଗରେ ଆବିର୍ଭୂତ ହୋଇଚାଲିଛି ଗୋଟିଏ ପରେ ଗୋଟିଏ ରୂପ । ଗଢ଼ି ହୋଇଚାଲିଛି ଅସଂଖ୍ୟା ଜୀବସତ୍ତା ।

ବିତିଯାଇଛି ଅନେକ ବର୍ଷ । ହଠାତ୍ ଦିନେ ସମସ୍ତ ଆନନ୍ଦ କଳରୋଳ ଭିତରେ ପ୍ରଜାପତି ଶୁଣିପାରିଲେ ଏକ କ୍ଷୀଣ କ୍ରନ୍ଦନ ଧ୍ୱନି । ସେହି ମୁହୂର୍ତ୍ତରେ କଟିଗଲା ତାଙ୍କର ମଗ୍ନତା, ତୁଟିଗଲା ସୃଜନସ୍ୱପ୍ନର ନିଶା । ବିଧାତା ଆତ୍ମସ୍ଥ ହୋଇ ଉଠିଲେ । ନିମିଷକେ ଦୃଷ୍ଟି ତାଙ୍କର ସଞ୍ଚରିଗଲା ନିଜ ସୃଷ୍ଟି ସମୂହ ଉପରେ ।

କିନ୍ତୁ ଏ କ’ଣ ସବୁ ଦେଖୁଛନ୍ତି ସେ ! ବହୁ ବିଚିତ୍ରବର୍ଣ୍ଣା ପୁଷ୍ପରାଶିରେ ବର୍ଣ୍ଣିଳ ଦିଶୁଥିବା ଅଞ୍ଚଳଟିଏ ଚାହୁଁ ଚାହୁଁ ତୃଣଭୋଜି ଜୀବମାନଙ୍କର କ୍ଷୁଧା ପ୍ରଶମିତ କରିବାକୁ ଯାଇ ନିଶ୍ଚିହ୍ନ ହୋଇଯାଉଛି । ବହୁ ହିଂସ୍ର ପଶୁମାନଙ୍କର ସମାରୋହ କାରଣରୁ ଅବିରତ ଲାଗି ରହିଚି ଭୟଙ୍କର ରକ୍ତାକ୍ତ ସଂଘର୍ଷ । ବହୁ ଜଳଚରଙ୍କର ଉପସ୍ଥିତି ପଙ୍କିଳ କରିଦେଉଛି ନଦୀର ସ୍ୱଚ୍ଛ ଜଳଧାର, ଆକାଶର ଅହରହ ଉଡ଼ିବୁଲୁଥିବା ଅସଂଖ୍ୟ ପକ୍ଷୀଙ୍କର ଛାୟାପତ ପୂର୍ଣ୍ଣ ସୂର୍ଯ୍ୟାଲୋକରୁ ବଞ୍ଚିତ କରୁଛି ପୃଥିବୀକୁ !

ଜଳ ସ୍ଥଳ ଆକାଶ ସର୍ବତ୍ର ବିଧି ଦେଖୁଛନ୍ତି କେବଳ ଜୀବସତ୍ତା । ଏତେ ସୃଷ୍ଟି କେବେ ସମ୍ଭବ ହେଲା । ବିସ୍ମିତ ହେଉଥିଲେ ବିଧାତା । ତାଙ୍କର ବିସ୍ମୟ ପୁଣି ବହୁଗୁଣିତ ହୋଇଗଲା ଯେତେବେଳେ ତାଙ୍କର ଦୃଷ୍ଟି ଆକର୍ଷିତ ହେଲା ଦ୍ୱିପଦ ବିଶିଷ୍ଟ ଜୀବ ମଣିଷ ଦିଗରେ ।

ସେ ଜାଣନ୍ତି ଅଦ୍ୟାବିଧି ସୃଷ୍ଟି ହେଉଥିବା ଜୀବସକଳଙ୍କ ମଧ୍ୟରେ ଏହି ମଣିଷ ହିଁ ତାଙ୍କର ଶ୍ରେଷ୍ଠ ସଂରଚନା । ଯାହାକୁ ସେ ଅନ୍ୟଜୀବମାନଙ୍କ ଅପେକ୍ଷା ଅନେକ କିଛି ଅଧିକ ଦେଇଛନ୍ତି, ତାଙ୍କୁ ବୁଦ୍ଧିଦେଇଛନ୍ତି, ମନ ଦେଇଛନ୍ତି ଓ ଦେଇଛନ୍ତି ବହୁ କଥା ଅନୁଭବ କରିବାର କ୍ଷମତା । କିନ୍ତୁ ତାଙ୍କର ଅନ୍ୟମନସ୍କତାର ପରିଣତି ସ୍ୱରୂପ ସେମାନେ ଯେ କଳ୍ପନାତୀତ ସଂଖ୍ୟାରେ ବୃଦ୍ଧି ପାଇସାରିଲେଣି । ନିଜ ବୁଦ୍ଧିର ସହାୟତାରେ ଅନ୍ୟମାନଙ୍କର ଅସ୍ତିତ୍ୱକୁ ବିପନ୍ନ କରି ନିଜର ସ୍ଥିତିକୁ ପୃଥିବୀରେ କେବଳ ଦୃଢ଼ କରିବାରେ ଲାଗିଛନ୍ତି ଏମାନେ ।

କ’ଣ କରିବେ ବିଧାତା କିଛି ସମୟ ପାଇଁ ବୁଝିପାରିଲେ ନାହିଁ । ସୃଷ୍ଟିରେ ଭାରସାମ୍ୟ ରକ୍ଷା କରିବା ପାଇଁ ଶେଷରେ ଜୀବମାନଙ୍କୁ ନାଶକରିବା ବ୍ୟତୀତ ଅନ୍ୟ ଉପାୟ ତାଙ୍କ ନିକଟରେ କିଛି ନଥିଲା ।

ଚାହୁଁ ଚାହୁଁ ତାଙ୍କର ଇନ୍ଦ୍ରିୟ ସମୂହରୁ ନିର୍ଗତ ଅଗ୍ନିଶିଖା ଦିଗ୍‌ବିଦିଗ୍‌ ବ୍ୟାପ୍ତ ହେବାକୁ ଲାଗିଲା । ସ୍ୱର୍ଗ, ଭୂର୍ଲୋକ, ଆକାଶମଣ୍ଡଳସ୍ଥିତ ଗ୍ରହନକ୍ଷତ୍ରଆଦି ଓ ସ୍ଥାବର ଜଙ୍ଗମ ସମସ୍ତ ଦଗ୍ଧ ହେବାକୁ ଆରମ୍ଭକଲା ।

ଏପ୍ରକାର ବିଷମ ଅବସ୍ଥାରେ କରୁଣାମୟ ପ୍ରଜାପ୍ରିୟ ମହାଦେବ ସ୍ଥିର ରହିପାରିଲେ ନାହିଁ । ପ୍ରଜାପତିଙ୍କୁ ନିବୃତ୍ତ କରିବା ପାଇଁ କହିଲେ, “ପ୍ରଜାସକଳଙ୍କ ନିଜେ ସୃଷ୍ଟି କରି ପୁଣି ସେମାନଙ୍କୁ ନିଧନ କରିବା ଆପଣଙ୍କ ପକ୍ଷରେ ସମୀଚୀନ ନୁହେଁ । ତେଣୁ ଆପଣ କ୍ରୋଧ ସଂବରଣ କରି ଶାନ୍ତ ହୁଅନ୍ତୁ ।”

ଦେବାଧିଦେବଙ୍କ ଅନୁରୋଧର ଉତ୍ତର ଦେଇ ପ୍ରଜାପତି କହିଲେ ଯେ କ୍ରୋଧରୁ, ଘୃଣାରୁ ବା ବିରକ୍ତିରୁ ସେ ନିଜେ କରିଥିବା ପ୍ରଜାପତି କହିଲେ ଯେ କ୍ରୋଧରୁ, ଘୃଣାରୁ ବା ବିରକ୍ତିରୁ ସେ ନିଜେ ସୃଷ୍ଟି କରିଥିବା ପ୍ରଜାଗଣଙ୍କୁ ବିନାଶ କରିବାକୁ ପ୍ରବୃତ୍ତି ହୋଇ ନଥିଲେ ବରଂ ଅତ୍ୟଧିକ ଜୀବବୃଦ୍ଧିରେ ଅସ୍ଥିର ହୋଇଉଠିଥିବା ପୃଥିବୀକୁ ସାନ୍ତ୍ୱନା ଦେଇ ପ୍ରକୃତିର ଭାରସାମ୍ୟ ରକ୍ଷା କରିବା ପାଇଁ ସେ ପ୍ରଳୟମୂର୍ତ୍ତି ଧାରଣ କରିବାକୁ ବାଧ୍ୟ ହୋଇଥିଲେ ।

ତଥାପି ମହାଦେବ ବିଧିଙ୍କୁ ପୁନଃ ପ୍ରାର୍ଥନା କଲେ ନିଜର ପ୍ରଳୟଙ୍କରୀ ତେଜକୁ ସଂହରଣ କରିବାପାଇଁ । କାରଣ ବସୁନ୍ଧରାର ଭାର ଲାଘବ ପାଇଁ ସଂହାର ଅବଶ୍ୟମ୍ଭାବୀ ହେଲେ ମଧ୍ୟ ନିଜେ ସୃଷ୍ଟିକର୍ତ୍ତା ନିଜ ସୃଷ୍ଟିର ବିନାଶ ସାଧନ କରିବା ଉଚିତ୍ ହେବନାହିଁ ।

ଶିବଙ୍କର ପ୍ରାର୍ଥନା ନିୟତବାକ୍ୟ ଓ ସଂଯତଚିତ୍ତ ଦେବ ପ୍ରଜାପତି ନିଜ ଅନ୍ତାରାତ୍ମାରେ ତେଜଙ୍କୁ ପ୍ରତିସଂହାର କଲେ । କିନ୍ତୁ ତାଙ୍କର ରୋଷଜ ବହ୍ନି ଉପସଂହୃତ ହେବା କାଳରେ ସେଥିରୁ ଅଦ୍ଭୁତ ଭାବରେ ସୃଷ୍ଟି ହେଲା ଏକ ନାରୀ ମୂର୍ତ୍ତି ।

ବ୍ରହ୍ମାଙ୍କର ଦଷିଣ ପାର୍ଶ୍ଵରେ ଦଣ୍ଡାୟମାନା ହେଲେ ସେ । ତାଙ୍କର ପିଙ୍ଗଳବର୍ଣ୍ଣ ଦେହରେ ଥିଲା କୃଷ୍ଣ ଓ ରକ୍ତବର୍ଣ୍ଣର ବସନ, କର୍ଣ୍ଣରେ ମଣିକୁଣ୍ଡଳ ଓ ବିଭିନ୍ନ ଅଙ୍ଗରେ ଦିବ୍ୟ ଆଭୂଷଣମାନ ଶୋଭାପାଉଥିଲା । ତାଙ୍କର ପଦ୍ମପାଖୁଡ଼ା ସମ ନେତ୍ର ତଳେ ଦୃଶ୍ୟହେଉଥିଲା । ଗାଢ଼ କୃଷ୍ଣବର୍ଣ୍ଣର ରେଖା ଓ କଣ୍ଠଦେଶରେ ଦୀର୍ଘ ନୀଳକମଳ ମାଳା । ଯୋଡ଼ ହସ୍ତରେ ସେ ବ୍ରହ୍ମଙ୍କୁ ପ୍ରଣିପାତ କରି ତାଙ୍କ ସୃଷ୍ଟିର କାରଣ ଜାଣିବା ପାଇଁ ବିନୀତ ଭାବରେ ନିବେଦନ ଜଣାଇଲେ ।

ବିଧାତା ଶାନ୍ତ କଣ୍ଠରେ ଉତ୍ତର ଦେଲେ, “ହେ ମୃତ୍ୟୋ ! କେବଳ ପ୍ରାଣୀସଂହାର ନିମନ୍ତେ ମୁଁ ତୁମକୁ ସୃଷ୍ଟି କରିଛି । ତୁମେ ମୋର ଆଦେଶାନୁସାରେ ପ୍ରଜାମାନଙ୍କୁ ସଂହାର କରିବ ।”

ଏହି ନିଷ୍ଠୁର ଆଦେଶ ଶୁଣିବା ପରେ ନାରୀ ଜଣକର ଆଖିରୁ ଝରିପଡ଼ିଲା ଅଶ୍ର୍ରଧାର । ଶେହି ଅବିଶ୍ରାନ୍ତ ଭାବରେ ଝରୁଥିବା ଅଶ୍ର୍ରକୁ ନିଜର ଦୁଇ ହାତ ପାପୁଲିରେ ଆଞ୍ଜୁଳା କରି ଧରି ଶୋକାତୁର କଣ୍ଠରେ ବିଧିଙ୍କୁ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ, ମୁଁ କୋମଳାଙ୍ଗୀ ନାରୀ । ମୋତେ ଆପଣ ଏପରି ନିର୍ମମ ଆଦେଶ କାହିଁକି ଦେଉଛନ୍ତି ?”

କିପରି ମୁଁ ନାରୀର ଆନନ୍ଦ, ଗର୍ବ, ସୌଭାଗ୍ୟ ଓ ଏକମାତ୍ର ଆଶ୍ରୟ ତା’ର ସ୍ୱାମୀକୁ ତା’ ନିକଟରୁ ଛଡ଼େଇନେବି ? କିପରି ମା’ କୋଳରୁ ମୁଁ ଛଡ଼େଇ ନେଇପାରିବି ତା’ର ସନ୍ତାନକୁ ?

କିପରି ବା ଦୁଗ୍ଧପୋଷ୍ୟ ଶିଶୁଠାରୁ ହରଣ କରିନେଇ ପାରିବି ତା’ର ଜନନୀକୁ ? ଭାଇଠାରୁ ଭଉଣୀଙ୍କୁ ? ବନ୍ଧୁଠାରୁ ବନ୍ଧୁକୁ ? ପ୍ରେମିକଠାରୁ ତା’ର ପ୍ରିୟତମାକୁ ? ପତିହରା ପତ୍ନୀର, ପୁତ୍ରହରା ମାତାର ଓ ପ୍ରିୟାକୁ ହରାଇଥିବା ପ୍ରେମିକ ଆଖିର ଅଶ୍ରୁ ଅଗ୍ନିକଣା ପାଲଟି ମତେ ଯେ ଅହରହ ଦଗ୍ଧୀଭୂତ କରିବ । ମୁଁ ସେ କଷ୍ଟ ସହ୍ୟ କରିପାରିବ ନାହିଁ ପ୍ରଭୁ । ଆପଣ ମତେ ମୁକ୍ତି ଦିଅନ୍ତୁ । ଅଗଣିତ ମଣିଷର ଅଭିଶାପର ବୋଝ ମୁଁ ବୋହିପାରିବିନି । ମତେ ଦୟା କରନ୍ତୁ । ଏହି ନିଷ୍ଠୁର କର୍ମ ମତେ ଅର୍ପଣ କରନ୍ତୁ ନାହିଁ । ବିଧି କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ରହିଲେ ଏବଂ ତାଙ୍କର ପୂର୍ବ ନିର୍ଦ୍ଦେଶ ପାଳନ କରିବା ନିମନ୍ତେ ପ୍ରସ୍ତୁତ ହେବାକୁ କହିଲେ । ମୃତ୍ୟୁ ଦେବୀ ନୀରବରେ କିଛି କାଳ ଅବସ୍ଥାନ କରିବା ପରେ ବ୍ରହ୍ମାଙ୍କର ନିର୍ଦ୍ଦେଶକୁ ପାଳନ ନ କରି ଧେନୁକ ତୀର୍ଥରେ ପରମ ଦୁଷ୍କର ତପସ୍ୟା କଲେ ପଞ୍ଚଦଶ ପଦ୍ମସଂଖ୍ୟକ ବର୍ଷ ।

ବ୍ରହ୍ମା ତାଙ୍କର ତପଃ ସ୍ଥଳରେ ପ୍ରବେଶ କରି ପୁନଃ ତାଙ୍କୁ ପୂର୍ବୋକ୍ତ ନିର୍ଦ୍ଦେଶ ପ୍ରଦାନ କଲେ ।

ଦେବୀ ପୁଣି ଥରେ ନୀରବରେ ପ୍ରତ୍ୟାଖ୍ୟାନ କଲେ ବିଧିଙ୍କର ନିର୍ଦ୍ଦେଶ । ସେହି ନିଷ୍ଠୁର କର୍ମ ନ କରିବା ପାଇଁ ସେ କେବଳ ବାୟୁ ଭକ୍ଷଣ କରି କଠୋର ମୌନବ୍ରତ ପାଳନ ପୂର୍ବକ ଦୁଇ ଅୟୁତ ବର୍ଷ କଠିନ ତପସ୍ୟା କଲେ । ଗଣ୍ଡୁକୀ ନଦୀ, ଗଙ୍ଗାତୀର, ସୁମେରୁ ପର୍ବତ ଓ ହିମାଳୟର ଶିଖର ପ୍ରଭୃତି ଯେଉଁ ସ୍ଥାନରେ ଦେବତାମାନେ ଯଜ୍ଞକର୍ମ କରିଥିଲେ, ସେ ସ୍ଥାନରେ ସେ ବହୁବର୍ଷଧରି ଘୋରତର ତପସ୍ୟା କଲେ । ସେ ଭାବୁଥିଲେ ଏଥିରେ ବିଧି ତାଙ୍କ ଦୟା ପରବଶ ହୋଇ ନିଜର ନିର୍ଦ୍ଦେଶ ଫେରାଇ ନେବେ ।

ବିଧାତା ମୃତ୍ୟୁଦେବୀଙ୍କର ତପସ୍ୟାରେ ସନ୍ତୁଷ୍ଟ ହେଲେ ସତ କିନ୍ତୁ ନିଜ ନିଷ୍ପତ୍ତିରେ ଅଟଳ ରହିଲେ ଏବଂ ତାଙ୍କୁ ଆଶ୍ୱାସନା ଦେଲେ ଯେ ତାଙ୍କର ଇଚ୍ଛା ପାଳନ କରିବା ଦ୍ୱାରା ମୃତ୍ୟୁ ଦେବୀଙ୍କୁ କୌଣସି ଦୋଷ ଲାଗିବ ନାହିଁ । କାରଣ ବିଧିଙ୍କର ବ୍ୟବସ୍ଥା ଅନୁସାରେ ବ୍ୟାଧି ପୀଡ଼ିତ ପ୍ରଜାସକଳ ତାଙ୍କୁ ଦୋଷ ଦେବେ ନାହିଁ । ମୃତ୍ୟୁ ପୁରୁଷମାନଙ୍କଠାରେ ସ୍ୱରୂପରେ ପୁରୁଷ ହେବେ, ସ୍ତ୍ରୀମାନଙ୍କଠାରେ ହେବେ ସ୍ତ୍ରୀରୂପିଣୀ ଓ ନଂପୁସକ ମାନଙ୍କଠାରେ ନଂପୁସକତ୍ୱ ଲାଭ କରିବେ ।

ପ୍ରଜାମାନଙ୍କ ପାଇଁ ସମବେଦନା ଜଣାଇ ତାଙ୍କ ଆଖିରୁ ଝରୁଥିବା ଅଶ୍ରୁବିନ୍ଦୁ ସମୂହ ଘୋରରୂପା ବ୍ୟାଧି ହୋଇ ମଣିଷ ଓ ଜୀବସକଳଙ୍କୁ ଆକ୍ରାନ୍ତ କରିବେ, ଫଳରେ ସେମାନଙ୍କର ମୃତ୍ୟୁ ହେବ ।

ରାଗ ଓ ଦ୍ୱେଷଶୂନ୍ୟ ହେତୁରୁ ଅଧର୍ମ ସ୍ପର୍ଶ କରିବ ନାହିଁ ଦେବୀଙ୍କୁ ।

ବାରମ୍ୱାର ତପସ୍ୟା କରି ବିଧାତାଙ୍କୁ ସନ୍ତୁଷ୍ଟ କରିପାରିଥିବା ସତ୍ତ୍ୱେ ମଧ୍ୟ ମୃତ୍ୟୁଦେବୀଙ୍କ ପ୍ରତି ବିଧାତାର ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଲା ଓ ତପସିଦ୍ଧା ମୃତ୍ୟୁ ଦେବୀଙ୍କ ନିକଟରେ ତାହା ସ୍ୱୀକାର କରିବା ବ୍ୟତୀତ ଅନ୍ୟ ଉପାୟ ନଥିଲା ।

ଗୋଟିଏ ମୁହୂର୍ତ୍ତରେ ବଦଳିଗଲା ସବୁକିଛି । ଜୀବଟିଏ ପାଇଁ କାରୁଣ୍ୟବଶରୁ ତାଙ୍କ ଆଖିରୁ ଓ ଝରୁଥିବା ଅଶ୍ରୁବିନ୍ଦୁ ଦୁରାରୋଗ୍ୟ ବ୍ୟାଧିରେ ପରିଣତ ହୋଇ ତାକୁଇ ଆକ୍ରାନ୍ତ କରୁଥିଲା । ଶ୍ୱାସକଷ୍ଟ ଭୋଗୁଥିବା ପ୍ରାଣୀଟିର ଦୁଃଖ ଲାଘବ କରିବା ପାଇଁ ତା’ ନିକଟକୁ ସେ ଆଗେଇ ଆସୁଥିବା ବେଳେ ପୀଡ଼ିତ ଜୀବ ସତ୍ତାଟି ଭିତରେ ଆତଯାତ ହେଉଥିବା କ୍ଷୀଣବାୟୁ ପରିଣତ ହେଉଥିଲା ରୁଦ୍ରରୂପୀ ଅଣଚାଶ ପବନରେ ।

ଯନ୍ତ୍ରଣାପୀଡ଼ିତ ମଣିଷଟିଏକୁ ଆଶ୍ୱାସନା ଦେବାକୁ ସେ ଚାହୁଁଥିବା ବେଳେ ତା’ର ହୃତ୍‌ପିଣ୍ଡର ଦ୍ରୁତ ଉତ୍ଥାନ ପତନ ଧୀରେ ଧୀରେ ମନ୍ଥର ହୋଇ ସ୍ତବ୍ଧ ହୋଇଯାଉଥିଲା । ନିଷ୍ପନ୍ଦ ହୋଇଯାଉଥିଲା ଶିରାପ୍ରଶିରାରେ ରକ୍ତର ଗତି ସ୍ରୋତ । ତା’ ମସ୍ତକରେ ତାଙ୍କର କୋମଳ ହାତ ସଂଚାଳିତ ହେବାମାତ୍ରେ ସବୁଦିନ ପାଇଁ ବୁଜି ହୋଇଯାଉଥିଲା ତା’ର ବିସ୍ପାରିତ ଆଖି ଦୁଇଟି ।

କାହାର ଲିଭିଆସୁଥିବା ଜୀବନ ଦୀପକୁ ଟିକେ ତେଜି ଦେବା ପାଇଁ ଏଇ କରୁଣାମୟୀ ଦେବୀର ହାତ ଲମ୍ୱି ଆସିବା ମାତ୍ରେ ହିଁ ଛାଇ ଯାଉଥିଲା ଘୋର ଅନ୍ଧକାର । ଜୀବନର ଆୟୁ ଥିଲା ବିଧି ନିର୍ଦ୍ଧାରିତ । ସେ ଶିଶୁ କି ଯୁବକ କି ବୃଦ୍ଧ ଏକଥା ବିବେଚନା କରିବାର ଅଧିକାର ଦେବୀଙ୍କର ନଥିଲା । କେଉଁ ସମୟରେ କାହାର ମୃତ୍ୟୁ ହେବ ଏ ବିଚାର ମଧ୍ୟ ତାଙ୍କର ନୁହେଁ ।

ବିଧାତାର ଅଦୃଷ୍ଟ ଇଙ୍ଗିତରେ ପରିଚାଳିତ ସେ । ଅଥଚ ଏହି ମମତାମୟୀ ଦେବୀର ହୃଦୟଟିର ବୁଝିପାରିବାର କ୍ଷମତା କାହାରି ହେଲେ ନଥିଲା ।

ସମସ୍ତଙ୍କର ମନେ ହେଉଥିଲା ମୃତ୍ୟୁଠାରୁ ଚରମ ନିଷ୍ଠୁର ଅନ୍ୟ କେହି ନାହିଁ । ସେ କ୍ଷମାହୀନ, ସେ ଭୟଙ୍କର, ସେ ନିର୍ମମ । ସେ ଅନ୍ଧକାରଠାରୁ ବଳ ଅଧିକ ଅନ୍ଧାର । ଯାହାର ଆଘାତକୁ ପ୍ରତି ଆଘାତ କରାଯାଇ ପାରେନା ।

ଯାହାର ନିଃଶ୍ୱାସରେ ସ୍ପର୍ଶରେ ଉତ୍ପାଟିତ ହୋଇଯାଏବିଶାଳ ମହୀରୁହମାନ, ସାମାନ୍ୟ ଆଘାତରେ ଭୁଷୁଡ଼ି ପଡ଼େ ବିରାଟ ପାହାଡ଼ଖଣ୍ଡ, ପଦପାତରେ ପୃଥ୍ୱୀର କୁକ୍ଷୀ ବିଦାରୀ ଉତ୍ସାରିତ ହୁଏ ଅଗ୍ନିର ସ୍ରୋତ, ଓଠର ସ୍ପର୍ଶ ଟିକକରେ ଶୁଷ୍କ ମରୁଭୂମି ପାଲଟେ ବିଶାଳ ଜଳଭଣ୍ଡାର ।

ଯାହାର ଅଜଗରୀ ଗ୍ରାସ ମୁହୂର୍ତ୍ତକରେ ନିଶ୍ଚିହ୍ନରେ କରିଦିଏ ଜୀବନର ସତ୍ତା । ଅଥଚ ତା’ ଗ୍ରାସରେ ନ ପଡ଼ି କେହି ନିଷ୍କୃତି ପାଏ ନାହିଁ ।

ମୃତ୍ୟ ଦେବୀ ଜାଣିଥିଲେ ତାଙ୍କ ପ୍ରତି ପ୍ରାଣିସକଳଙ୍କର ପ୍ରତିକ୍ରିୟାର କଥା । କିନ୍ତୁ ଏଥିନେଇ ନିଜ ସହିତ ଚାଲିଥିବା ସଂଘର୍ଷ ତାଙ୍କର ଶେଷ ହୋଇଯାଇଥିଲା । ପରମ ପ୍ରଶାନ୍ତିର ତାଙ୍କର ଚିତ୍ତବୃତ୍ତି ସ୍ଥିର ହୋଇଯାଇଥିଲା । ସମସ୍ତଙ୍କ ପାଇଁ ସମାନ ଭଲ ପାଇବାରେ ଶୁଭକାମନାରେ ତାଙ୍କର ଅନ୍ତର ଥିଲା ପ୍ରୀତିପୂର୍ଣ୍ଣ । ସେ ଜାଣିଥିଲେ ପ୍ରାଣୀର ସମସ୍ତ ବିରୋଧ, ଭୟ ଓ ଆତଙ୍କ ସତ୍ତ୍ୱେ ପ୍ରତ୍ୟେକଙ୍କ ଜୀବନମଞ୍ଚରେ ନାଟକର ଶେଷ ଯବନିକା ପଡ଼ିବା ପୂର୍ବରୁ କଲ୍ୟାଣର, ଶୁଭର ଓ ଶାନ୍ତିର ଶୀତଳ ସ୍ପର୍ଶନେଇ ତାଙ୍କୁ ଅବତୀର୍ଣ୍ଣା ହେବାକୁ ପଡ଼ିବ ନାୟିକା ଭାବରେ ।

ଲୋକପ୍ରିୟ ଲେଖା

To Top