ପ୍ରବନ୍ଧ

ନିଶା

Shri Niranjan Padhee odia prose Nishaa

ସୋମ ହେଉଛି ଏକ ଅପୂର୍ବ ଭକ୍ତିରସ । ତାହା ଆଧ୍ୟାତ୍ମିକ ଜ୍ଞାନ ରସର ଅଥଳ ସାଗର । ଔଷଧମୁକ୍ତ ସୋମରସ ମଧ୍ୟ, ଆଧ୍ୟାତ୍ମିକ ସଞ୍ଜିବନୀ । ଦୀର୍ଘକାଳୀନ ଆଧ୍ୟାତ୍ମିକ ଉପାସନାରୁ ସରଳ ଭକ୍ତିର ତରଳ ହୃଦୟରେ, ସୋମରସର ଉର୍ମିମାଳା ଉଟେ ।

ନିଶା

ଆଗେ ବିଶେଷତଃ କେତେକ ଥଣ୍ଡାପ୍ରବଳ ଅଞ୍ଚଳରେ ଗରିବ ଘରର ସ୍ତ୍ରୀଲୋକମାନେ ଛୋଟ ଛୋଟ ପିଲାମାନଙ୍କୁ ଟିକିଏ ଆପୁ ଖୁଆଇ ଦେଇ ବିଲବାଡ଼ି ଝାଡ଼ଜଙ୍ଗଲକୁ କାମ କରିବାକୁ ଯିବାକୁ ବାଧ୍ୟ ହୋଇଥାନ୍ତି । ଛୁଆଟା ଘୁମେଇ ପଡ଼ିଲେ ଆଉ କାନ୍ଦିବନି, କୁଆଡ଼କୁ ଚାଲିଯିବନି । ଯେମିତି ହେଲେ ଦି’ପଇସା ଆଣି ପେଟ ପୋଷିବାକୁ ପଡ଼ିବ ତ । ଏସବୁ ଅଞ୍ଚଳକୁ ଏଜେନ୍ସି କ୍ଲାଇମେଟ୍ ବୋଲି କହନ୍ତି । ପଣତକାନିର ଶିକାରେ ଅଣ୍ଟାରେ ଝୁଲୁଥିବା ଛୁଆଟି କାନ୍ଦି କାନ୍ଦି ଦୁଷ୍ଟ ହେଲେ ତା’ ମାଆ ସଳପ କିମ୍ୱା ମହୁଲି ରସରୁ ଦୁଇ ଚାରିଥର ତାକୁ ଟିପରେ ଚଟେଇ ଦେଲେ ସେ ବି ଚୁପ୍ ହୋଇଯାଏ, ତାକୁ ଘୁମ ଆସେ ।

ଦିନସାରା ଖଟଣିରେ ଦେହଦୁଃଖ, ବର୍ଷା ଶୀତ କାକରରେ ଫୁଙ୍ଗୁଳା ଥରିଲା ଦେହ, ଧାଇଁମରା ଟାଇଁଟାଇଁ ଖରାଦିନ ସନ୍ଧ୍ୟାରେ ଦେହର ହାଲିଆପଣ, ଚାଳକୁଡ଼ିଆ ଭିତରେ ଯୁଗ ଯୁଗ ଦାରିଦ୍ର୍ୟ ଉପହାସ, ନିଜ ଆଖି ସାମ୍ନାରେ ଛୁଆ ପିଲା ପରିବାରର ଅସହାୟତାକୁ ସହି ନ ପାରିବାର ଅପୌରୁଷେୟ ମାନସିକତା ପ୍ରଭୃତି ଅନେକ କିଛି କାରଣ ଥାଇପାରେ ଏହି ନିଶାପ୍ରତି ଆକର୍ଷଣ ।

ଧନୀକ ଶ୍ରେଣୀରେ ମଧ୍ୟ ବ୍ୟର୍ଥତାରେ ଜୀବନର ବ୍ୟବଚ୍ଛେଦ ହୁଏ । ହାହାକାର ହାନ୍ଦୁଳାଏ । ଖାଁ ଖାଁ ଶୂନ୍ୟତାରେ ବିପୁଳ ଧନସମ୍ପଦ ମଧ୍ୟ ବିଷମୟ ଲାଗେ । ସୁଖଶାନ୍ତି ସ୍ନେହ ସୌହାର୍ଦ୍ଦ୍ୟ, ମୁଗ୍ଧ ମଗ୍ନମୟତାରେ ମରୁଡ଼ି ଆସେ । ପ୍ରାଣର ପୀଡ଼ିତ ପଠାରେ ବାତ୍ୟା ଛୁଟେ, ବନ୍ୟା ବହେ । ଚଉରାରେ ସନ୍ଧ୍ୟାଦୀପ ଜଳିଉଠିବା ବେଳେ ଅନ୍ତରରେ ମନଦୀପ ଜଳେ । ସେହି ଜ୍ୱଳନର ନିଶା ମଣିଷକୁ ଆହୁରି ଆହୁରି ମାଗେ । ସେ ନିଜେ ଆହୁତିଟିଏ ହୋଇ ଅନ୍ତର୍ଦହନର ଆହୁତି ସହ କିଛିକିଛି ନିଶାର ଆହୁତି ଦିଏ । ଜଳିବା ହିଁ, ଜଳିବାର ନିଶା । ବଞ୍ଚିବାର ବାହାନାରେ ବି ନିଃଶେଷ ହେବାର ନିଶା ନିତ୍ୟନିୟତ ନିହିତ ।

ଚରମ ଦାରିଦ୍ର୍ୟ ଭିତରେ ବି, ନିଶା- ମାନସିକତାର ଅତୁଳ ସମ୍ପଦର ଅଧିକାରୀ ଦୁନିଆଁର ଦରିଦ୍ରତମ ମଣିଷ । ତା’ ଖାଦ୍ୟରେ ନିହିତ ଥାଏ ନାନାଭଙ୍ଗୀ ନିଶାର ନବଯୌବନ । ସ୍ନେହଶୀଳ ସଳପ ଗଛର ଅମୃତ ଧାରରେ ନିଶା । ଥାକ ପାହାଚ ଥିବା ଲମ୍ୱା ଖଜୁରି ଗଛର ଅମୃତ ଧାରରେ ନିଶା । ବାହୁଙ୍ଗାର ପତ୍ର-ତୀରରେ ଟାଣ-ଟଙ୍କାର ତୋଳି, ଉଭା ଠିଆ ତାଳଗଛର ଅମୃତଭଣ୍ଡାରେ ନିଶା । ଖାଦ୍ୟ ସହ ନିଶାର ଏ ମୋହାବେଶ, ଜୀବନକୁ ବୋଧହୁଏ ବେଞ୍ଚଇ ରଖିଛି କାଳକାଳ । ଜୀବନକୁ ଜୀଆଇଁ ରଖିବା ପାଇଁ ପେଟପାଇଁ ଖାଦ୍ୟ ତ, ସେହି ଜୀବନର ଯନ୍ତ୍ରଣାକୁ ଭୁଲିବା ପାଇଁ ନଗ୍ନ-ନିଶାର ସମ୍ମୋହନ । ଏକା କ’ଣ ସତରେ ସତ ? ଏପଟେ ଦେହମନର ଦହନ ତ, ସେପଟେ ନିଶାର ନିପୀଡ଼ନ । ମଣିଷକୁ ଧନ୍ୟ କହିବ ନାହିଁ ତ, ଆଉ କାହାକୁ କହିବ । ସବୁ ଯୁକ୍ତି ସତେ ଯେମିତି ହାରିଯାଏ ଏହି ନିଶା-ନିମଗ୍ନ ଜୀବନ ପାଖରେ ।

କିନ୍ତୁ ଆଙ୍ଗୁଠି ଦେଖେଇ ଦେଲେ ବାପା ଗିଳିଯାଏ ଏହି ନିଶାର ନଗ୍ନତା । ତାହାର ପୁଣି ପ୍ରମୋସନ ଅଛି ଉତ୍ତରଣ ଅଛି ଉର୍ଦ୍ଧ୍ଵଗତି ଅଛି । ଉପରକୁ ଉଠେଇ ନେଇ ନିର୍ମମପଣରେ ତଳେ ଛେଚିଦେବା ହିଁ ତା’ର ଅବିଶ୍ୱସନୀୟ ସ୍ୱଭାବ । କି ସୁନ୍ଦର ରସାଳ ମହୁଲ ଫୁଲରୁ ନିଶାନିମଗ୍ନ ନିଶା, ପାହାଡ଼ୀ ଝରଣା ପରି ଛନ୍ଦତୋଳି ଝରିଝରି ନାଚି ଉଠେ ଉର୍ମିଳ ଢେଉ ଡିଆଁରେ ଜୀବନର ଶାନ୍ତଭୂଇଁ ପ୍ରଶାନ୍ତ ପଠାରେ । ପରିପୂର୍ଣ୍ଣ ମହୁଫେଣାଟେ ପରି, ଗୁଡ଼ହାଣ୍ଡି ଗହ୍ୱରରୁ ଲମ୍ଫ ଦିଏ ନିଶାମୟୀ ନିର୍ଦ୍ଦୟ ଚିତ୍ତରେ । ଗ୍ରାସମୁଖୀ ମାୟାବିନୀ, ଗ୍ରାସ ପାଇଁ ନିଶାନୟନୀ ସିଏ ସଂହାରକାରିଣୀ ।

ବିଦେଶୀ ଶାସନ ଆସେ । ନିଶାନିପୁଣା ନିଶା-ବିଦେଶିନୀ ବି ଆସେ । ହାଣ୍ଡିଆ ସଳପକୁ ହତାଦର ହୀନମାନିଆ ଦୃଷ୍ଟିରେ ଦେଖି ବିଅର ଆସେ । ମହୁଲି ମଦକୁ ଦେଖେଇ ଖତେଇ ହୋଇ, ବିଦେଶୀ ମଦ ଏହି ନିଶାବଜାରକୁ ବିସ୍ମିତ କରେ, ବିହ୍ୱଳିତ କରେ, ବ୍ୟୟ ବହୁତ କରେ । ମଣିଷକୁ ମାନମର୍ଯ୍ୟାଦା ଦିଏ ଏହି ନିଶା । ମଣିଷ ଏହାର ସମ୍ମୋହନରେ କୁଆଡ଼େ ଉଚ୍ଚ ହୁଏ ସମ୍ଭ୍ରାନ୍ତପଣକୁ ସମ୍ମୋହିତ କରି ଚିହ୍ନଟ କରେ । ମୂଲ୍ୟ ଦିଏ ମୂଲ୍ୟ ନିଏ ଚାରୁଚିତ୍ର ଚହଟିଆ ଚମକ ଦେଖେଇ ଚିତ୍ତ ଚୋରି କରେ, ଚିତା କାଟେ ।

ନିଶାଦ୍ରବ୍ୟ ସେବନରେ ନିଶା ଜମେ ଜମାଏ । ନିଶା ଘାରେ ଘୂରାଏ । ସେହି ନିଶାଦ୍ରବ୍ୟର ପ୍ରତିଜାତି ଏବଂ ପରିମାଣ ଅନୁସାରେ ତାହାର ପ୍ରକୋଷ ଓ କରାମତି । ପାରଦ ପରି ତାହା କମେ ବଢ଼େ, ଚଢ଼େ ଚରେ ଉରେ । ମୁଖା ଖୋଲେ । ପଙ୍ଖା ମେଲେ । ନିଜେ ନିଜକୁ ନିରୀକ୍ଷଣ କରିବାପାଇଁ ସୁଯୋଗ ମିଳେ । ଆଟୋପର ଅବମୂଲ୍ୟାୟନ ହୁଏ । ନୀଳବର୍ଣ୍ଣ ଶୃଗାଳର ସିଂହରଡ଼ି ଥମେ । ରଙ୍ଗ ମଉଳିଗଲେ ରୋମାଞ୍ଚରେ ରସ ମରୁଡ଼ି ହୁଏ । ଅହଂ ଅବନମିତ ହୁଏ । ଦମ୍ଭ ଦୋହଲିଯାଏ । ପ୍ରମତ୍ତ ପାଦ ଟଳଟଳ ହୁଏ । ଶେତା ଆଖିରେ ରଙ୍ଗ ମଉଛବର ରୋଶଣିମାନେ । କେତେକ ରକମର ନିଶା ଚାଉଁକିନା ଚାଇଁଖରଖର ହୁଏତ, ଆଉ କେତେକ ଧାଉଁକିନା ଧାଁ ଦଉଡ଼ କରେ । କେତେକ ମଧ୍ୟ ଗାଉଁକିନା ଗୁରୁଗଣ୍ଠିକୁ ମାଡ଼ିବସେ । କେତେକ ସମ୍ଭ୍ରାନ୍ତ ପ୍ରଜାତୀୟ ନିଶା, ଖୁବ୍ ଏକ ଗମାତିଆ ଗାମ୍ଭୀର୍ଯ୍ୟରେ ଗୁମ୍ମାରି ଗୁମ୍ସାରି ଗୁମୁସୁମୁ ଗୁଣୁଗୁଣୁ ଗରଗର ଗୁରୁଗୁରୁ ହଏ । ନିଶା ଅପହୃତ କରିନେଇଥିବା ବଳବୀର୍ଯ୍ୟ ଗୌରବକୁ ଝୁରିହୋଇ, ମଣିଷ ତା’ ହୀନବଳରେ କିଛି ମାୟାମଖା ବଳବହପକୁ ଆରୋପ କରି ଆଖି ତରାଟେ । ମଣିଷର ନିଶା ଘାଇଲା ମୁଚ୍ଛକୁ ମୋଡ଼େ । ଥରେ ରଜା ହୋଇଗଲା ପରେ ସବୁ କିଛି ପ୍ରଜାମୟ ଦିଶେ ।

ଏ ସମସ୍ତଙ୍କଠାରୁ ଭାଙ୍ଗ ନିଶା ଖୁବ୍ ଚମକପ୍ରଦ । ଏହାର ଭାବ ଭଙ୍ଗିମ ଠାଣି, ବିପୁଳ ଅବିନ୍ୟସ୍ତ ବିନ୍ୟାସ, ଜୁଆର ଭଟ୍ଟାର ଭଙ୍ଗିମା ଏବଂ କ୍ଷଣକ୍ଷଣ ଆକସ୍ମିକ ଅପଭ୍ରମର ଉନ୍ମାଦ ଯେତିକି ଅନନ୍ଦମୟ, ନିଶା-ସବାରର ଅବତରଣ ତତୋଦ୍ଧଧିକ ଅବସାଦମୟ । ନିଶା, ନିଶାସକ୍ତକୁ ନିଶାକାନ୍ତଙ୍କ ପାଖକୁ ନେଇଯାଇପାରେ । ଅଦ୍ଭୁତ ନିଶାଚରଙ୍କ ସହିତ ସହବନ୍ଧନ ସୃଷ୍ଟି କରେ । ନିଶାଜଳରେ ସ୍ନାନ କରେଇ ଦିଏ । ନିଶାପୁଷ୍ପର ମଧୁର ବାସ୍ନାରେ ବିମୋହିତ କରାଏ । ନିଶୀଧିନିର ନିଶାନ୍ଧତା ଭିତରେ ନିଧିନିମଗ୍ନ କରାଏ । ଶୁଖିଲା ସମୁଦ୍ର ଭିତରେ ଅଗନାଅଗିନି ବନସ୍ତ ବଉଳି ଉଠେ । ଆକାଶରେ ଉଡୁଥିବା ସାମୁଦ୍ରିକ ଜୀବଙ୍କର ଉଡ଼ାଣରେ ସେହି ଅଦୃଶ୍ୟ ଆକାଶ ଅପହୃତ ହୁଏ । ନିଶାନ୍ତରେ ନିଶା ନଇଁ ଆସିଲେ, ସେହି ନିଶା ପୁଣି ନିଶାଖୋର ପାଖରେ ନିଉଛାଳି ହୁଏ ।

ରାଜକୀୟଚର୍ଯ୍ୟା ପରିଚର୍ଯ୍ୟାର ରସମୟତା ଠାରୁ, ଚାଳକୁଡ଼ିଆର ଅସହାୟତା ପର୍ଯ୍ୟନ୍ତ ସୁରାର ସୁରାକ ମିଳେ । ସୁରାପାୟୀମାନଙ୍କ ସହିତ ସୁରାଜୀବୀମାନେ ମଧ୍ୟ ସମତାଳରେ ଗତିକରି ଚାଲନ୍ତି । ସୁରାସାର ଖୁବ୍ ସୁରୁଖୁରୁରେ ମିଳୁ କି ନ ମିଳୁ, ଉଭୟ ପର୍ଯ୍ୟାୟରେ ସାମାଜିକ ଶୃଙ୍ଖଳାରେ ସଙ୍କଟ ଆସେ । ରାଜକୋଷ ରସାଣିତ ହୁଏ । ଅଣ୍ଟାଖୋସା ପଇସାରେ ପର ଲାଗେ । ସୁଲତାନୀପଣରେ ସଇତାନ ସଞ୍ଚରିତ ହୁଏ ।

ମଦଗନ୍ଧର ମତୁଆଲା ବାସ୍ନା ପାଇ ମଦକ ସେବନକାରୀର ମାଦକତା ଆସେ । ମନକାଚ-ଆଇନାରେ ମଉନାବତୀର ମାୟା ମାତିଉଠେ । ସମଗ୍ର ମାୟାମହଲ ମୋହାବିଷ୍ଟ ହୁଏ । ମଦଗନ୍ଧା ସୁରେଇର ସୁରାନିର୍ଗତ ତରଳତରଙ୍ଗ ଶବ୍ଦ, କଳଧ୍ୱନି କରେ । ମଦିରାକ୍ଷୀ ମଦକଳା ଏବଂ ମନ୍ଦମନ୍ଦ ମଦନର ମହାମିଳନର ମୂଳଦୁଆ ପଡ଼େ । ମଦପାୟୀ ମଦମତ୍ତ ହୋଇ ଆତ୍ମନିୟନ୍ତ୍ରଣହୀନ ହୁଏ । ବ୍ୟକ୍ତି ବୁଡ଼େ, ଘର ବୁଡ଼େ, ବଂଶ ବୁଡ଼େ । ଇତିହାସ ଠୋ’ ଠୋ’ ହସେ । ଭୂଗୋଳରେ ଭୀତି ଜନ୍ମେ । କେତେବେଳେ ସୀମାରୁ ସୀମା ଛିଡ଼େ ତ, କେବେ ପୁଣି ସୀମାରେ ସୀମା ଯୋଡ଼ା ହୁଏ ।

ପ୍ରଜା ରଜା ହୁଏ ତ, ରଜା ପ୍ରଜା ହୁଏ । କୁଡ଼ିଆର ମଦଖଟି ସୁରାଶାଳା ରଙ୍ଗଶାଳାକୁ ଉନ୍ନିତ ହୁଏ ତ, ରଙ୍ଗଶାଳାର ରଙ୍ଗ ଫିକାପଡ଼ି ଆହୁରି ଆହୁରି ମାଗି ବାରମ୍ୱାର ପ୍ରତ୍ୟାଖ୍ୟାତ ହୁଏ । ମଦ ନିଶାଠାରୁ କ୍ଷମତାର ନିଶା ଏବଂ ଅହଂକାରର ନିଶା ବହୁ ଭାବରେ ବିପର୍ଯ୍ୟୟ ସୃଷ୍ଟି କରେ । ଏହି ମଦୋଦ୍ଧତ୍ତ ମଣିଷ ଅହଂର ଆତିଶଯ୍ୟରେ ଆଉଟୁପାଉଟୁ ହୋଇ ଶେଷରେ ଅବକ୍ଷୟମୁଖୀ ହୁଏ । ଏହି ଉଭୟ ପ୍ରକାରର ନିଶା ଦୁଇଧାରୁଆ ଛୁରୀଟିଏ ପରି ସତର୍କତା ଅବଲମ୍ୱନ କରିବାକୁ ସଙ୍କେତ ମଧ୍ୟ ଦିଏ ।

ତେବେ ଏସବୁ ନିଶାମାନେ ତ, ଖୁବ୍ ପୁରୁଣା ପରିଚୟର ନିଶା । ଆଧୁନିକ ନିଶା ଯେତିକି ଆନନ୍ଦମୟ ସେତିକି ଅପରାଧପ୍ରବଣ । ଆନ୍ତର୍ଜାତିକ ଅର୍ଥନୈତିକ ମେରୁଦଣ୍ଡ ଏବଂ ମାନଦଣ୍ଡରେ କିଛି ମାନ୍ୟତା ପାଇବାକୁ ମଧ୍ୟ, ଏସବୁ ନିଶାରାକ୍ଷାସମାନଙ୍କର ନିରନ୍ତର ଯୋଜନା । ଅନ୍ୟ ଏକ ପୃଥିବୀରେ ଅନ୍ୟ ଏକ ସ୍ୱତନ୍ତ୍ର ତଥା ସମାନ୍ତରାଳ ଅର୍ଥନୈତିକ ଶାସନକୁ ସଞ୍ଚାଳନ କରିବା ସେମାନଙ୍କର ଲକ୍ଷ୍ୟ । ଡ୍ରାମା ଭିତରେ ଡ୍ରାମା ପରି, ପୃଥିବୀ ଭିତରେ ପୃଥିବୀ, ଶାସନ ଭିତରେ ଶାସନ, ସମାଜ ଭିତରେ ସମାଜ ଏବଂ ରାଷ୍ଟ୍ରଶକ୍ତି ଭିତରେ ଏକ ଉଦ୍ଭ୍ରାନ୍ତ ଦସ୍ୟୁଶକ୍ତିର ପ୍ରଦର୍ଶନ ପ୍ରକ୍ରିୟା ଏହି ମଦମତ୍ତ ମତାନ୍ଧତାର ଲକ୍ଷ୍ୟ ।

ସାପ କାତି ଛାଡ଼ିଲା ପରି ନିଶା-ସର୍ପମାନେ ମଧ୍ୟ କାତି ପରିତ୍ୟାଗ କରି, ନୂତନ ରୂପେ ଏବଂ ନୂତନ ନାମ ଗ୍ରହଣ କରି ଭୟଙ୍କର ଭେଳିକି ସୃଷ୍ଟି କରିଚାଲିଛନ୍ତି ଏହି ସଂସାର ଭିତରେ । ନବନବ କଳେବରମାନଙ୍କରେ ସେମାନେ ଏବେ ମାରିଜୁଆନା, ମାରିହୁଆନା, ଏଲ୍.ଏସ୍.ଡ଼ି. କୋକେନ୍, ହିରୋଇନ୍, ବ୍ରାଉନ୍ ସୁଗାର. . . ଏମିତି ସେମାନଙ୍କର ଅସଂଖ୍ୟ ନାମ । ରୂପରେ ମଧ୍ୟ ବିଭିନ୍ନ ରଙ୍ଗର ଲିକୁଇଡ୍, ସିରପ୍ ଏବଂ ପାଉଡ଼ର୍ ହୋଇପାରେ ।

ପାଖାଆଖ ଦେଶର ଘନ ପାର୍ବତ୍ୟାଞ୍ଚଳରେ ଗଞ୍ଜେଇ ଅଫିମ ଚାଷ ହୋଇ, ତା’ ପରେ ନୂଆ ନାମ ନିଏ । ସେ ଅଞ୍ଚଳର ଚାଷୀ ଖୁସି ଅଞ୍ଚଳବାସୀ ଖୁସି ବ୍ୟବସାୟୀ ମଧ୍ୟ ଖୁସି । ଅର୍ଥ ଲଗାଣକାରୀଙ୍କଠାରୁ ଶାସନ ପ୍ରଶାସନ, ରାଜନୈତିକ ବିଧିବ୍ୟବସ୍ଥା, ସମସ୍ତଙ୍କର କିଛିକିଛି ପ୍ରତ୍ୟକ୍ଷ ତଥା ପରୋକ୍ଷ ସହଯୋଗ ଏବଂ ସମର୍ଥନରେ ଗଢ଼ିଉଠେ ଏପରି ଏକ ଧାନଢ଼୍ୟ ବ୍ୟବସାୟର ଭିତ୍ତିଭୂମି ଏବଂ ଅର୍ଥନୈତିକ ଅଣ୍ଡରୱାର୍ଲଡ୍ ।

କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ଏହି ନିଶାଦ୍ରବ୍ୟର ପ୍ରାଥମିକ ପରିଚୟକୁ ଅତ୍ୟାଧୁନିକ ଉପାୟରେ ସେହି ଅଗମ୍ୟ ପାର୍ବତ୍ୟାଞ୍ଚଳରେ ବି, ଛୋଟ ଛୋଟ ଲାବୋରୋଟରୀର ସାହାଯ୍ୟ ନେଇ ନିଶାର ନୂତନ ପରିଚୟକୁ ଆବିଷ୍କାର କରାଯାଇଥାଏ । ତା’ପରେ କମ୍ ଓଜନରେ ଓ କମ୍ ପରିମାଣରେ ପରିଣତ ହୋଇଥିବା ସେହି ନୂତନ ନିଶାଦ୍ରବ୍ୟକୁ ଦେଶବିଦେଶକୁ ରପ୍ତାନୀ ହୁଏ । ଏହା ଅପେକ୍ଷାକୃତ ଅଧିକ ସହଜ ଓ ସୁରକ୍ଷିତ ।

ଏହି ଅତ୍ୟାଧୁନିକ ନିଶାଦ୍ରବ୍ୟ ବେଳେବେଳେ କେତେକ ଦେଶର ଖୁବ୍ ବ୍ୟୟବହୁଳ ରାଜନୈତିକ ଖର୍ଚ୍ଚ ଚଳାଏ । ସମ୍ପୃକ୍ତ ସମୃଦ୍ଧ ବ୍ୟକ୍ତିବିଶେଷ ଏବଂ ସଂସ୍ଥାମାନଙ୍କୁ ଏହା ଆହୁରି ଆହୁରି ଧନବାନ୍ ବଳବାନ୍ ଏବଂ ପ୍ରତିପତ୍ତି ସମ୍ପନ୍ନ କରେ । ଦେଶବିଦେଶରେ ସେମାନଙ୍କର ଅର୍ଥନୈତିକ ସାମ୍ରାଜ୍ୟର ଅଭିବୃଦ୍ଧି କରେ । ସନ୍ତ୍ରାସବାଦକୁ ସଶସ୍ତ୍ର ଓ ସମୃଦ୍ଧ କରାଏ ଏହି ନିଶାସାମ୍ରାଜ୍ୟ । ଅତ୍ୟାଧୁନିକ ମାରଣାସ୍ତ୍ର ଧାରଣ କରିଥିବା ଯୋଗୁଁ ସେମାନଙ୍କ ପ୍ରୋତ୍ସାହନରେ ଏହି ନିଶାଦ୍ରବ୍ୟକୁ ସୀମାରେଖାରୁ ସୀମାରେଖା ପର୍ଯ୍ୟନ୍ତ ପାର କରାଇବାରେ ପଥ ସୁଗମ ହୋଇଯାଏ ।

ବିନ୍ଦୁରେ ସିନ୍ଧୁର ସଂସ୍ଥାପନା କରିପାରିବାର ସାମର୍ଥ୍ୟ ତ, ଏକ ଅତ୍ୟାଧୁନିକ ବୈଜ୍ଞାନିକ କୌଶଳର ପାରଦର୍ଶିତା । ପରମାଣୁ ବୋମାର କ୍ଷୁଦ୍ରତମ ଖୋପରେ ଅଜସ୍ର ବଜ୍ରଭଣ୍ଡାର ଲୁଚି ଲୁଚି ଥିଲା ପରି, ଖୁବ୍ ଛୋଟ ଏକ ହିରୋଇନ୍ ପାଉଡ଼ର୍ ଗୁଣ୍ଡରେ ନିରବତାବ୍ରତ କରୁଥାଏ ବହୁ ପରିମାଣର ଅଫିମ । ପକେଟ୍ ଫାଉଣ୍ଟେନ୍ ଭିତରେ ହାତପିନ୍ଧା ରିଷ୍ଟୱାଚ୍ ଭିତରେ ପ୍ରତିଖଣ୍ଡ ବିଡ଼ି ସିଗାରେଟ୍ ଭିତରେ ମଧ୍ୟ ଲୁଚିଯାଇପାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଏହି ଅତ୍ୟାଧୁନିକ ନିଶା ।

ବନସ୍ତ ଆଜି ବହୁବ୍ୟାକୁଳ ହେଉଛି ଅବିବେକୀ ମଣିଷର ବିଷ ଦୃଷ୍ଟିବଳୟ ଭିତରେ । ମୃତ୍ୟୁସମ ଭୟାନକ ଶକ୍ତିଭେଦରୁ ଯେଉଁ ବନସ୍ତ ଦିନେ ହନୁମାନଙ୍କ ମାଧ୍ୟମରେ ଲକ୍ଷ୍ମଣଙ୍କୁ ରକ୍ଷା କରି ଜୀବନ୍ୟାସ ଦେଇପାରିଥିଲା, ଆଜି ସେହି ବନରାଜି ଛାରଖାର ନାରଖାର ପଦା, ପଦଦଳିତ, ଶ୍ରୀହୀନ । ଆୟୁର୍ବେଦର ଆୟୁଃ ନିଃଶେଷ ପ୍ରାୟ । ଏଲୋପାଥି ହେଉ ଅବା ଯେକୌଣସି ଚିକିତ୍ସା ପଦ୍ଧତି ହେଉ, ସମସ୍ତଙ୍କ ପାଇଁ ଔଷଧ ତିଆରି ନିମିତ୍ତ ପାରମ୍ପରିକ ମୂଳ ଉତ୍ସ, ଜୈବିକ ଉପାଦାନମାନଙ୍କର ଉପଲବ୍ଧିରେ ଭୟଙ୍କର ମରୁଡ଼ି । ସେଥିପାଇଁ ଆଧୁନିକ ଚିକିତ୍ସା ବ୍ୟବସ୍ଥା ବେଶି ପରିମାଣରେ ରାସାୟନିକ ଉପାଦାନ ଉପରେ ବିଶେଷ ଭାବରେ ନିର୍ଭରଶୀଳ । ଔଷଧଭିତ୍ତିକ ସେହି ରାସାୟନିକ ଉପାଦାନ ଉପରେ ବିଶେଷ ଭାବରେ ନିର୍ଭରଶୀଳ । ଔଷଧଭିତ୍ତିକ ସେହି ରାସାୟନିକ ଉପାଦାନ ଜାହାଜରେ ଜଳପଥ ଦେଇ ଆସୁଥିବାବେଳେ ସେହି ଜାହାଜ ଭିତରେ ମଧ୍ୟ ବାଟମାରଣା ହେଉଥିବାର ଶୁଣାଯାଏ । ଛୋଟ ଛୋଟ ଲାବୋରୋଟରୀ ସାହାଯ୍ୟରେ (ଇଂରାଜୀ) ସେଥିରୁ ଅତ୍ୟାଧୁନିକ ନିଶାଦ୍ରବ୍ୟ ତିଆରି କରାଯାଇ ବିତରଣ କରାଯାଏ ବୋଲି ଶୁଣାଯାଏ । ପୃଥିବୀର ଯେକୌଣସି ବ୍ୟବସାୟ ତୁଳନାରେ ଏହିପରି ସବୁ ଅତ୍ୟାଧୁନିକ ନିଶାଦ୍ରବ୍ୟରେ ହଜାର ହଜାର ପ୍ରତିଶତରୁ ଅଧିକ ଲାଭ ଥାଏ । ଏହି ଲୋଭକୁ ଏ ଯୁଗର ମଣିଷ ଏଡ଼ିପାରିବା ଅସମ୍ଭବ ମନେହୁଏ ।

ଏଥିରେ ନିହିତ ଥିବା ଅର୍ଥନୈତିକ ଅପରାଧର ପରିସୀମା ଅକଳ୍ପନୀୟ । ଏପରି ନିଶାରେ ନିହିତ ଥିବା ଶକ୍ତି, ରାସାୟନିକ ଜୈବିକ ଏବଂ ପାରମାଣବିକ ଯୁଦ୍ଧର ଧ୍ୱଂସଲୀଳାଠାରୁ ବି, ଆହୁରି ଭୟାବହ । ଜିନ୍‌ରୁ ଜିନ୍‌କୁ, ପିଢ଼ିରୁ ପିଢ଼ିକୁ ସଂକ୍ରମିତ ହୋଇପାରିବାର ସାମର୍ଥ୍ୟ ନେଇ, ମାନବିକ ଐତିହ୍ୟର ଜ୍ଞାନ ବୁଦ୍ଧି ବିବେକ ଚେତନା ଓ ଚୈତନ୍ୟର ବିକାଶଧାରାକୁ ପଙ୍ଗୁ କରିଦେବାର ପ୍ରୟାସ ଏହି ନିଶାରାକ୍ଷସର । ଏକ ବିଶ୍ୱବିଶାଳ ହିପି ସାମ୍ରାଜ୍ୟର ସ୍ଥାପନ କରିବା ବୋଧହୁଏ ଏହି ସଂହାରୀପଣର ସଂକଳ୍ପ । ପାତଞ୍ଜଳିଙ୍କର ଯୁଗଯୁଗର ଯୋଗଧାରାକୁ ବିଘ୍ନିତ କରି, ନିଶା ନିୟନ୍ତ୍ରିତ ଏକ ମରୀଚିକାର ଅପଭ୍ରାନ୍ତି ସୃଷ୍ଟି କରିବା ଏହାର କରୁଣ ପରିଣତି ।

ଭୌତିକ ରହସ୍ୟରେ ଭରପୂର ପୃଥିବୀର ଏହି ପାର୍ଥିବ ଭଣ୍ଡାର । ସେହି ରହସ୍ୟର ରୋମାଞ୍ଚରେ ଜୀବଜଗତ ରୋମାଞ୍ଚିତ । ଭୌତିକ ରହସ୍ୟ ଭିତରେ ଆଧିଭୌତିକ ରହସ୍ୟ ନିବିଡ଼ ଭାବରେ ନିହିତ । ସଂସାରରେ ମିଳୁଥିବା ସାଧାରଣ ଭୌତିକ-ମାଦକ ଦ୍ରବ୍ୟର ଆଧିଭୌତିକ ରହସ୍ୟ ଯେ ଲୁଚିଛପି ଅଛି, ମଣିଷ ତାହା ଜାଣେ । ତାହାକୁ ଉଦ୍ଘାଟନ କରି ତା’ର କିଛି ସ୍ୱାଦ ଚାଖିବାକୁ ଏଇ ମଣିଷ ତା’ର ଅବଚେତନ ସ୍ତରରେ ସଦା ବ୍ୟାକୁଳ । ସେ ସେହି ଭୌତିକ ନିଶା ଖାଏ । ନିଶାର ଉଗ୍ର ଉତ୍ତରଣ ସମୟରେ ସେ ଆଧିଭୌତିକ ରହସ୍ୟକୁ ଅନୁଭବ କରେ । ଆନନ୍ଦମୟ ତୀର୍ଥରେ ଆନନ୍ଦ-ହିଲ୍ଲୋଳ ହୁଏ । ଏହି ସତୀର୍ଥ ସମୟର ବିରଳ ଅନୁଭବ ଖୁବ୍ କ୍ଷଣସ୍ଥାୟୀ । ନିଶା ଖସେ । ତାହାର ଅବତରଣ ଅଧ୍ୟାୟରେ ଆନନ୍ଦରୁ ସୁଖ, ସୁଖରୁ ଦୁଃଖ ଏବଂ ପରିଶେଷରେ ଦୁଃଖରୁ ଅବ୍ୟକ୍ତ ଅବସାଦମୟ ଅବସ୍ଥାକୁ ଖସି ଆସି ହାହାକାର-ହୁକୁମାତିର ଶିକାର ହୁଏ । ଯୌନ-ନିଶା ମଧ୍ୟ ଏହି ପ୍ରତାରଣାର ପର୍ଯ୍ୟାୟଭୁକ୍ତି । ଅବାଧ୍ୟ-ଅବୋଧ୍ୟ ନିଶାସକ୍ତ ମଣିଷର ଏହା ହିଁ, ଦୈନନ୍ଦିନ ଜୀବନର ଯନ୍ତ୍ରଣା-ଜ୍ୱଳନ ।

ମଣିଷ ଭୁଲିଯାଏ ଯେ, ଆଧିଭୌତିକ ରହସ୍ୟ ଭିତରେ ସର୍ବକାଳୀନ ପରମାନନ୍ଦ ପ୍ରାପ୍ତି କେବଳ ଯୋଗ-ଧ୍ୟାନ-ସମାଧି ସ୍ତରରେ ମିଳେ । ସେଥିପାଇଁ ପାରମାର୍ଥିକ ପ୍ରସ୍ତୁତି ଆବଶ୍ୟକ । ସେଥିପାଇଁ ତ ଯୋଗୀ-ମୁନି-ମାନସ ଭୌତିକ ଜଗତର ଏଇ ମାଟିମୂଲକରେ ରହି ମଧ୍ୟ ଯୋଗ-ନିଶାସକ୍ତ, ଧ୍ୟାନ-ନିଶାସକ୍ତ ଏବଂ ସମାଧି-ନିଶାସକ୍ତ ।

ଯୁଗଯୁଗର ଧ୍ୱଂସଲୀଳାର ଇତିହାସ ସବୁକୁ ତୁମେ ଜାଣିଛ ମଣିଷ । ନୃତ୍ୟରତ ଲେଲିହାନ ଅଗ୍ନିଶିଖାରେ କେଉଁପରି ପତଙ୍ଗମାନେ ନିଜକୁ ସମର୍ପି ଦିଅନ୍ତି- ତାହା ତୁମେ ଦେଖିଛ । ତୁମକୁ ହିଁ ତୁମ ଛଡ଼ା ଅନ୍ୟ କେହି ବୁଝେଇବା ଯେ ଅବାନ୍ତର, ତାହା ମଧ୍ୟ ତୁମେ ବୁଝିଛ । ଏବେ ନିଷ୍ପତ୍ତି କେବଳ ହିଁ ତୁମର ।

ଆଉ କ’ଣ ଅନ୍ୟ ନିଶା ନାହିଁ ? ଏ ଜୀବନ ପାଇଁ ନିଶା ହିଁ, ଏକ ପ୍ରାଥମିକ ଆବଶ୍ୟକତା । ଖାଦ୍ୟ, ପୋଷାକ ଭଳି ଜୀବନର ଯେକୌଣସି ସାଧନ ହେଉ, ଅସରା ଏହି ନିଶା-ଅମାରରୁ ନିଜ ପାଇଁ ଯାହାକିଛି ବାଛିବାକୁ ହୁଏ । ପଢ଼ିବା ଖେଳିବା କର୍ମକରିବା, ପ୍ରାର୍ଥନା ପୂଜାର୍ଚ୍ଚନା କରିବା ଠାରୁ ଆରମ୍ଭ କରି ଅସଂଖ୍ୟ ନିଶା ମଣିଷକୁ ସଙ୍ଖୋଳି ନେଇ ଆଉଁଶି ଦେବାପାଇଁ, ତା’ ଚତୁଃପାର୍ଶ୍ୱରେ ସଦାସର୍ବଦା ଚିରଜାଗ୍ରତ । ଆବଶ୍ୟକ ଅନୁଯାୟୀ ଆଦରି ନେବା ମଣିଷର କର୍ତ୍ତବ୍ୟ । ନିର୍ମଳ ନିଶା ଜୀବନକୁ ନିଧିମୟ କରିପାରିବ । ଅନ୍ୟ କେହି ନୁହେଁ ।

କଥା ଛଳରେ ମଣିଷ ପୌରାଣିକ ପୁରୁଷାର୍ଥକୁ ଏକି ନିର୍ଭୁଲ ବ୍ୟାଖ୍ୟା କରିବାରେ ବିମୁଖତା ପ୍ରକାଶ କରିବାର ଦେଖାଯାଏ । ବୈଦିକ ମୁନି ଋଷିମାନେ କୁଆଡ଼େ ମଦିରା ପାନ କରୁଥିଲେ । ତାହା ଯେତିକି ସତ୍ୟ ସେତିକି ଭ୍ରମାତ୍ମକ । କେଉଁ ମଦିରା ବା ନିଶାରସ ସେମାନେ ପାନ କରୁଥିଲେ । ତାହା କ’ଣ ଆମ ଏଇ ମଦିରା ପାନୀୟ ? ଯାହା ବୁଦ୍ଧି ବିନାଶକ, ଯାହାକୁ ମାଦକ ଦ୍ରବ୍ୟ ବୋଲି ଆୟୁର୍ବେଦ କହେ । ମୁନିଋଷିମାନେ ଏ ପ୍ରକାର ବୁଦ୍ଧିନାଶକ ମଦିରା ପାନର ପରିପନ୍ଥୀ । ସେମାନେ ଯଥାର୍ଥରେ ସୋମରସ ପାନ କରୁଥିଲେ । ସେ ସୋମରସ ଆମର ଏହି ପାନୀୟ ମଦିରା ନୁହେଁ ।

ସାମବେଦରେ ସୋମରସର ବର୍ଣ୍ଣନା ପର୍ଯ୍ୟାପ୍ତ । ସୋମ ହେଉଛି ଏକ ଅପୂର୍ବ ଭକ୍ତିରସ । ତାହା ଆଧ୍ୟାତ୍ମିକ ଜ୍ଞାନ ରସର ଅଥଳ ସାଗର । ଔଷଧମୁକ୍ତ ସୋମରସ ମଧ୍ୟ, ଆଧ୍ୟାତ୍ମିକ ସଞ୍ଜିବନୀ । ଦୀର୍ଘକାଳୀନ ଆଧ୍ୟାତ୍ମିକ ଉପାସନାରୁ ସରଳ ଭକ୍ତିର ତରଳ ହୃଦୟରେ, ସୋମରସର ଉର୍ମିମାଳା ଉଟେ । ମନ୍ତ୍ରାୟିତ ମନରେ ଅନୁପମ ଅନାବିଳ ଉତ୍ସାହ ଆସେ । ଭକ୍ତିରସରେ ତରଙ୍ଗାୟିତ ହେଉଥିବା ହୃଦୟରେ ଅପୂର୍ବ ଉଲ୍ଲାସ ଆସେ । ସୋମରସ କୋଟି କୋଟି ଐଶ୍ୱର୍ଯ୍ୟର ଅମୃତ ସାଗର । ତାହା ଆତ୍ମାନିର୍ଗତ ରସ । ସେ ରସରେ କାମ କ୍ରୋଧ ଲୋଭ ମୋହ ଇନ୍ଦ୍ରିୟର ଇନ୍ଦ୍ରଜାଲ କିଛି ବି ନଥାଏ । ସେସବୁ ସେଠି ମଳିନ ।

ଈଶ୍ୱର ପୂଜା ହିଁ ସୋମପୂଜା ! ଈଶ୍ୱରଙ୍କର ସମଗ୍ର ସୃଷ୍ଟିର ପୂଜା ହିଁ ସୋମପୂଜା । କ୍ଷୁଧାର୍ତ୍ତକୁ ଅନ୍ନ ଦେଇ ତୃଷିତକୁ ଜଳ ଦେଇ ଆପଣାର କ୍ଷୁଧାକୁ ସମ୍ଭାଳି ନେବା ହିଁ ସୋମପାନ । ସୃଷ୍ଟିନିହିତ ଜୀବନର ଉପାସକମାନେ ଆନନ୍ଦର ଉତ୍ସ ସୃଷ୍ଟି କରନ୍ତି । ସୋମ ଏକ ଉତ୍ପାଦକ ରସ । ସୋମସମ୍ପାଦକ ହେବା ହିଁ ମଣିଷର ପାରମାର୍ଥିକ ପରିଚୟ ।

ଏହି ବେଦୋକ୍ତ ସୋମ ସୁମତି ପ୍ରଦାନ କରେ । ଏହା ଅନ୍ତରାତ୍ମାର ସୁପ୍ତ ଚେତନାଶୀଳ ଭକ୍ତିକୁ ଜାଗ୍ରତ କରେ । ହେ ମଣିଷ ! ତୁମେ ସେହି ବିରଳ ମହିମାର ବାହକ । କିନ୍ତୁ ବାସ୍ତବିକ୍ ଜୀବନରେ ନିଶାର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି । ତୁମେ ସେହି ଆଧ୍ୟାତ୍ମିକ ସୋମରସ ପାନ କର । ସେପରି ଏକ ନିର୍ମଳ ନିଶାରେ ନିଶାସକ୍ତ ହୁଅ । ସେହି ସୋମରସ ପରିପୂର୍ଣ୍ଣ ଅଥଳ ମହୋଦଧିରେ ବୁଡ଼ ଦିଅ ପବିତ୍ର ହୁଏ, ପ୍ରାଞ୍ଜଳ ହୁଅ, ପରିପୁଷ୍ଟ ହୁଅ । ଦେଖିବ, ଏ ସଂସାର ହିପିମୟ ନ ହୋଇ ହୃଦୟମୟ ହୋଇଯିବ ।

ଲୋକପ୍ରିୟ ଲେଖା

To Top