ପ୍ରବନ୍ଧ

ଆଜିର ସମାଜ ଓ ନାରୀ

Odia Author Amitav Sahu

ଇତିହାସ କହେ ଭାରତ ହେଉଛି ନାରୀ ପ୍ରାଧାନ୍ୟର ଦେଶ ଯେହେତୁ ଏଇ ମାଟି ହେଉଛି ଦେବତାଙ୍କ ମାଟି ଏଠି ଅନେକ ମହାମହିମ, ମୁନି, ଋଷି, ଦେବ ଦେବୀଙ୍କ ଜନ୍ମ ।

ଆଜିର ସମାଜ ଓ ନାରୀ

କୁହାଯାଏ କାନନ କୁନ୍ତଳା ତଟନୀ ନୀଖଳା ସ୍ୱର୍ଣ୍ଣପ୍ରସୁ ଦେବଭୂମି ଭାରତବର୍ଷ ଯେଉଁଠି ସୃଷ୍ଟିର ଆବାହମାନ କାଳରୁ ଦେବତାଙ୍କ ବାସସ୍ଥଳୀ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଏଇ ମାଟିର ଶିରୀ, ଶୋଭା, ସୁନ୍ଦରୀମା, ସ୍ତୁତି, ସଂସ୍କୃତି, ଐତିହ୍ୟ ଅତିବ ମହାନ୍ । ଏଇ ପବିତ୍ର ମାଟିରେ ଜନ୍ମ ଲଭି ନିଜକୁ ଧନ୍ୟ ମନେ କରନ୍ତି ଅନେକ ମହାମାନ୍ୟ ବ୍ୟକ୍ତି । ମାତୃଭୂମିର ସେବା ତା’ର ସୁରକ୍ଷାରେ ଅନନ୍ୟ ମହାମାନବଙ୍କ ବଳିଦାନ ଭାରତର ଇତିହାସ ଏକ ମୂକସାକ୍ଷୀ । ଇତିହାସ କହେ ଭାରତ ହେଉଛି ନାରୀ ପ୍ରାଧାନ୍ୟର ଦେଶ ଯେହେତୁ ଏଇ ମାଟି ହେଉଛି ଦେବତାଙ୍କ ମାଟି ଏଠି ଅନେକ ମହାମହିମ, ମୁନି, ଋଷି, ଦେବ ଦେବୀଙ୍କ ଜନ୍ମ । ଅନେକ ନାରୀଙ୍କ ଧୈର୍ଯ୍ୟ ସାହାସ ଦୃଢ଼ତା ମହନୀୟ କୀର୍ତ୍ତିର କିମ୍ୱଦନ୍ତୀ ଅକ୍ଷରେ ଅକ୍ଷରେ ଲିଖିତ ଯାହା ଆମେ ପଠନ କରୁଛେ । ଯେଉଁ ଦେଶର ସ୍ତୁତି ସଂସ୍କୃତି ପରମ୍ପରା ଗୁଣଗାରିମା ସମଗ୍ର ବିଶ୍ୱରେ ଅଗ୍ରଗଣ୍ୟ ଆଜି ସେଇ ଦେଶର ଚଳନ୍ତି ସମାଜରେ ନାରୀର ସ୍ଥିତି କ’ଣ ଏକ ସମ୍ୟକ୍ ଆଲୋଚନା ।

“ନାରୀ” ନାହିଁ ତୁଳନା ଯାହାର, ରୀତି ନୀତି ଗୁଣଗାରିମା ଅପାର । ନାରୀ ନଦୀପରି ସ୍ରୋତସ୍ୱିନୀ କେବଳ ବୋହିବା ଶିଖିଛି ଅନ୍ୟର ଉପକାରେ । ପଥୁରିଆର ଶକ୍ତ ପ୍ରହାରରେ ପାହାଡ଼ ଛାତିର ସ୍ତବ୍ଧ ପଥର ପରି ସହି ଚାଲିଛି ଯେତେ ସବୁ ଦୁଃଖ, କଷ୍ଟ, ଯାତନା, ଯନ୍ତ୍ରଣା, ପ୍ରତାରଣା ଓ ଲାଞ୍ଛନା । ଛାତିର କୋହକୁ ଛାତି ଭିତରେ ଜାବୁଡ଼ି ଧରି ଆଖିର ଲୁହକୁ ଅମୃତ ସମ ପାନ କରି ବଦଳରେ ସ୍ନେହ, ପ୍ରେମ, ମମତାର ଡୋରିରେ ବାନ୍ଧି ରଖିଛି ଆପଣାର ଲୋକଙ୍କୁ । କହିବାକୁ ନିଜକୁ ଘୃଣା ଲାଗୁଛି ମାତୃଗର୍ଭର ଅନ୍ଧାରୁଆ କୋଠରୀ ଭିତରେ ବାହାରକୁ ଆସିବାର ରାସ୍ତା ଖୋଜୁଥିବା ଗୋଟେ ଶିଶୁ କନ୍ୟାର ଅନ୍ଧାର ଭିତରେ ହିଁ ଲିଭିଯାଏ ଜୀବନ ଦୀପ । ଶାଶୁଘର ଲୋକ ଓ ସ୍ୱାମୀର କଡ଼ା ବଚନ, ରାକ୍ଷାସ ପରି କର୍ମ ଆଗରେ ଜଣେ ଦୁଃଖିନୀ ମା’ର ଦୁଃଖର ମୂଲ୍ୟ ଅବା କେତେ । ଗୋଟେ ସନ୍ତାନକୁ ନେଇ ସ୍ୱପ୍ନ ଦେଖୁଥିବା ଜନନୀର ଗର୍ଭକୁ ନଷ୍ଟ କରିଦିଅନ୍ତି ତା’ ଆପଣାର ଲୋକେ । ରାଜ୍ୟରେ ଚଳିତ ବର୍ଷର ଜନଗଣନାରୁ ଜଣାଯାଏ ଯେ, ଆଠ ହଜାର ବାଳିକା ନିଖୋଜ । ଦଶ ବର୍ଷରେ ମହିଳାଙ୍କ ଆନୁପାତିକ ହାର ହ୍ରାସ । ଚାରି ଶତକଡ଼ାର ଊର୍ଦ୍ଧ୍ଵ ନାବାଳିକା ବିବାହ । ନିୟନ୍ତ୍ରଣ ଅଭାବରୁ ଅବାଧ ଲିଙ୍ଗ ନିରୂପଣ । କିଶୋରୀ ଶକ୍ତି ଯୋଜନାରୁ ନଅ ଲକ୍ଷରୁ ଊର୍ଦ୍ଧ୍ଵ ଝିଅ ବାଦ୍ । ଏଥିପାଇଁ ଦାୟୀ କିଏ ? ଏ ସବୁର ଉତ୍ତର ଆମ ପାଖରେ ଥାଇ ବି ନଥିଲା ପରି । ଯଦିବା ସୌଭାଗ୍ୟ ବଶତଃ ଜନ୍ମ ନେଲା କେଉଁ ଶିଶୁ କନ୍ୟା ତେବେ ତାକୁ ମୁକ୍ତି ନାହିଁ ଏନ୍ତୁଡ଼ିଶାଳରୁ ହିଁ ଆରମ୍ଭ ହୁଏ ଦୁଃଖଦ ଜୀବନର ଯାତ୍ରା ମଶାଣିକୁ ଯିବା ଯାଏଁ ।

ଶାଶୁ ଘରେ ବଳଦ ପରି ଖଟି ଖଟି କ୍ଳାନ୍ତି ଖୋଜୁଥିବା ବସ୍ତୁଟିଏ ସେ, ତଥାପି କାହାର ଦରଦ ଆଖିର ପାତ୍ରୀ ହୋଇପାରିନି ସେ । ସେ କେବଳ ନିନ୍ଦା, ଅପବାଦ, ଘୃଣା, ଲାଞ୍ଛନାର ଯୋଗ୍ୟ । ତଥାପି ତା’ ମନରେ ତିଳେ ମାତ୍ର ଅବଶୋଷ ନାହିଁ । ଦୁଃଖ ଓ ଯନ୍ତ୍ରଣାରେ ତଳିତଳାନ୍ତ ହୋଇଗଲାଣି ସେ । କେଉଁଠି ଯୌତୁକ ନିର୍ଯ୍ୟାତନାରେ ଜଳି ଯାଉଛି ନବ ବିବାହିତା ବଧୂର ଶରୀର ତ । କେଉଁଠି ମଦୁଆ ସ୍ୱାମୀର ନିସ୍ତୁକ ମାଡ଼ରେ ରକ୍ତ ରଞ୍ଜିତ ହେଉଛି ଶରୀର । ପୁଣି କେଉଁଠି ଅସହ୍ୟ ପ୍ରତାରଣା ଓ ଲାଞ୍ଛନାରେ ଲହୁ ହୋଇ ବୋହି ଯାଉଛି ଆଖିର ଦୁଃଖିନୀ ଲୁହ । ତଥାପି ଆଜିବି ସେ ଘରକୁ ସ୍ୱର୍ଗ କରି ଗଢ଼ି ତୋଳିବାର ଅଭିପ୍ରାୟରେ ଅଭ୍ୟାସରତ ନାରୀ । ଯିଏ ଆମକୁ ଜନ୍ମ କଲା, ତା’ର ସ୍ନେହ ମମତା, ଲାଳନ ପାଳନରେ ଆମେ ବଡ଼ ହେଲେ ଦୁନିଆଁ ଦେଖିଲେ, ଯିଏ ଆମକୁ ସମାଜରେ ପରିଚୟ ଦେଲା ତଥାପି ସେଇ ନାରୀ ଜାତିକୁ ଏତେ ଘୃଣା କାହିଁକି ? ସ୍ନେହମୟୀ ମା’, ପ୍ରେମମୟୀ ପତ୍ନୀ, ଗୁଣମତୀ ବୋହୂ, ସେବାରେ ଦାସୀ, ସହନରେ ଧରିତ୍ରୀ- ରାଧା, ମୀରା, ସୀତା, ସାବିତ୍ରୀଙ୍କ ପରି ସର୍ବଗୁଣେ ସମପନ ଥାଇ ବି ଅବହେଳିତ ସମୟର ପ୍ରଖର ସୁଅରେ କୁଟାଖିଅ ପରି ଭାସି ଚାଲିଛି ସେ ଉଧାରିବାକୁ କେହି ନାହିଁ ।

ଏବେ ସକାଳୁ ସକାଳୁ ବସି ଖବର କାଗଜ ପଢ଼ିବାକୁ ଜମା ଭଲ ଲାଗୁନି । କିମ୍ୱା ଦୂରଦର୍ଶନରେ ସମାଚାର ଦେଖିବାକୁ ମନ ବଳୁନି । କାରଣ ସବୁ ଖବର କାଗଜରେ ସବୁ ସମାଚାରରେ ସେଇ କଥା, କେଉଁଠି ତିନି ବର୍ଷର ଶିଶୁକନ୍ୟାକୁ ବଳତ୍କାର ପରେ ହତ୍ୟା । କେଉଁଠି ନାବାଳିକାର ଧର୍ଷିତା ଶରୀର ଉଧାର ଆସାମୀକୁ ଖୋଜିବାରେ ପୋଲିସ୍‌ର ତଦନ୍ତ । କେଉଁଠି କଲେଜ ଛାତ୍ରୀକୁ ଅପବ୍ୟବହାର କରି ପାଞ୍ଚ ଗିରଫ୍ । କେଉଁଠି ଷଷ୍ଠ ଶ୍ରେଣୀ ଛାତ୍ରୀ ହେଉଛି ଗର୍ଭବତୀ । ପୁଣି କେଉଁଠି ନବମ ଶ୍ରେଣୀର ଛାତ୍ରୀ ପୁତ୍ର ସନ୍ତାନର ଜନନୀ । କେଉଁଠି ଦଦାର ଯୌନ ଶୋଷଣରେ ଝିଆରୀ ନ୍ୟାୟର ଦ୍ୱାରସ୍ଥ । କେଉଁଠି ବସ୍‌ଷ୍ଟାଣ୍ଡ୍‌ରେ ବିଦେଶୀ ମହିଳାଙ୍କ ସହିତ  ଅସଦ୍‌ ବ୍ୟବହାର । ଏବେ ଘରେ, ବାହାରେ, ମନ୍ଦିରରେ, ମସ୍ଜିଦ୍‌ରେ, ସ୍କୁଲ୍‌ରେ, କଲେଜ୍‌ରେ, ରେଳଷ୍ଟେସନ୍‌ରେ, ବସ୍‌ଷ୍ଟାଣ୍ଡ୍‌ରେ, ରାସ୍ତାରେ, ଘାଟରେ, ଦିନରେ, ରାତିରେ, ସବୁଠି କାମନା ବାସନା ଲାଳସାରେ ମଜ୍ଜି ରହିଥିବା ନରରୂପୀ ରାକ୍ଷାସଙ୍କ ଭିଡ଼ । ଟିକିଏ ସୁଯୋଗ ମିଳିଲେ ଲୁଟି ନେବେ ଯୌବନତ୍ୱ ।

ଏବେ ଘରୁ ଗୋଡ଼ କାଢ଼ିବାକୁ ବି ଡର ଲାଗୁଛି । ଯେଉଁ ସମାଜର ରୀତିନୀତି, ସ୍ତୁତି, ସଂସ୍କୃତି, ପରମ୍ପରା, ସ୍ନେହ ସମ୍ପର୍କର ଅତୁଟ ବନ୍ଧନର ଏକତ୍ୱକୁ ନେଇ ଆମେ ଗର୍ବ କରୁଥିଲେ, ଏବେ ଏଠି କୁଢ଼ କୁଢ଼ ନିଆଁ କୁହୁଳୁଚି ଠାଏଁ ଠାଏଁ ହିଂସା ଘୃଣା କ୍ରୋଧ ସଂଘର୍ଷ ଶୋଷଣ କର୍ଷଣ, ବର୍ଷଣ, ଧର୍ଷଣ ଅପମିଶ୍ରଣ ଲୁଣ୍ଠନ, ଚୋରି, ଡକାୟତି, ଜାଲିଆତି, ଠକ, ଟାଉଟରର । ଖୋଳି ତାଡ଼ି ନଷ୍ଟଭ୍ରଷ୍ଟ କରି ଦେଲେଣି ସାଇତା ସବୁ ସ୍ତୁତି, ସଂସ୍କୃତି ଓ ଐତିହ୍ୟକୁ । ବହୁତ ସମୟରେ ନାରୀ ହିଁ ପାଲଟେ ଗୋଟେ ନାରୀର ବାଧକ । କେଉଁଠି ଶାଶୁ ଯାତନା ଦିଏ ବୋହୂକୁ ପୁଣ୍ୟ କେଉଁଠି ବୋହୂ ଶାଶୁକୁ ! ହେଲେ ଏ ଲୁପାଛୁପିର ଖେଳ ଭିତରେ ନାରୀ ଜାତି ଭୁଲିଯାଏ ଯେ ସିଏ ବି ଦିନେ ଥିଲା କାହା ଝିଅ, ହେଲା କାହା ବୋହୂ, କାହା ପତ୍ନୀ, କାହା ଜନନୀ ପୁଣି କାହା ଶାଶୁ ପ୍ରତ୍ୟେକଟି ନାରୀ ଏ ସମସ୍ତ ପର୍ଯ୍ୟାୟକୁ ଅତିକ୍ରମ କରି ଆସୁଛନ୍ତି ଓ ଆଗାମୀ ଭବିଷ୍ୟତରେ ଆସିବେ ମଧ୍ୟ । ତେବେ ଏ ସଂଘର୍ଷ କାହିଁକି ? ଏଠି ରକ୍ଷା କରିବାକୁ କେହି ନାହିଁ ତୋର ତୁ ଏକା ତୋ’ ନିଜର । ତଳସ୍ଥ କର୍ମଚାରୀ ଠାରୁ ଉଚ୍ଚପଦସ୍ଥ ଅଧିକାରୀ ଯାଏଁ ସମସ୍ତେ ଠକ, ଚୋର, ଟାଉଟର୍ । ଏବେ ବି ସମୟ ଅଛି ହେ ନାରୀ ଜାଗ୍ରତ ହୁଅ, ତୋ ଅବହେଳାର ସୁଯୋଗକୁ ଜଗି ବସିଛନ୍ତି ସଭିଏଁ ଏଠି । କିଏ କହେ ତୁ ଅବଳା ତୁ ଦୁର୍ବଳା ହେଲେ ମୁଁ କହେ ତୁ ସବଳା, ତୁ ଦୁର୍ଗା, ତୁ କାଳୀ, ତୁ ସିଂହବାହିନୀ, ତୁ ବିଜୟିନୀ ସଂହାର କର ଏ ସମାଜର ଯେତେ ସବୁ ରାକ୍ଷାସକୁ ସଜାଡ଼ି ଦେ’ ତୋ’ ସ୍ୱପ୍ନର ସବୁଜ ଦୁନିଆଁକୁ ଯୁଗେ ଯୁଗେ ସମ୍ମାନର ଅଧିକାରିଣୀ ହେଉ ନାରୀ ! ପୂଜନୀୟା ହେଉ ନାରୀ ! ବନ୍ଦନୀୟା ହେଉ ନାରୀ !

ଲୋକପ୍ରିୟ ଲେଖା

To Top