ପ୍ରବନ୍ଧ

ଆମ ମଧୁବାବୁ

Odia Writer Shreebatsa Prasad Nath

ହଠାତ୍ ବହିଟିକୁ ନେଇ ଯାଇ ଟେବୁଲ ତଳେ ଥିବା ଅଳିଆ ଛିଣ୍ଡା କାଗଜ ଟୋକେଇରେ ପକାଇଦେଲେ ।

ଆମ ମଧୁବାବୁ

ମୁଁ ଓଡ଼ିଆ

ଏ ପ୍ରକାର ଦୃଢ଼ ମନୋଭାବ ଥିଲା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର । ସେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାପାଇଁ ସର୍ବଦା ମୁଣ୍ଡରେ ଗୋଟିଏ ପଗଡ଼ି ଧାରଣ କରୁଥିଲେ । ତାଙ୍କ ପରି ଜଣେ ଲୋକ ଆଜିଯାଏ ଓଡ଼ିଶାରେ ଜନ୍ମ ହୋଇନାହାଁନ୍ତି । ସାରା ଭାରତବର୍ଷରେ ମଧୁବାବୁଙ୍କ ଜୀବନର ମୂଲ୍ୟ ଥିଲା – “ହାତୀ ମଲେ ଲକ୍ଷେ ଟଙ୍କା ଜୀଇଲେ ଲକ୍ଷେ ଟଙ୍କା”।

ଓଡ଼ିଶାରେ ଘରେ ଘରେ ସେ ମଧୁବାରିଷ୍ଟର ନାମରେ ସୁପରିଚିତ ହୋଇଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଓକିଲ । ଓଡ଼ିଆମାନଙ୍କ ମଧ୍ୟରେ ପ୍ରଥମେ ଏମ୍. ଏ. ପାସ୍ କରିଥିଲେ । ପୁଣି ପ୍ରଥମ ଓଡ଼ିଆ ବିଲାତଯାତ୍ରୀ ଓ ପ୍ରଥମ ଓଡ଼ିଆ ମନ୍ତ୍ରୀ ହୋଇଥିଲେ । ଓଡ଼ିଆମାନଙ୍କ ଭିତରେ ସବୁକ୍ଷେତ୍ରରେ ସେ ସର୍ବପ୍ରଥମ ଅଗ୍ରଣୀ ହୋଇଥିବାରୁ ତାଙ୍କୁ ଆମେ ଆମକୁଳର ବୃଦ୍ଧପିତାମହ ବୋଲି ମନେକରୁ । ଜହ୍ନମାମୁଁ ପରି ସେ ଚିରକାଳ ସବୁ ଓଡ଼ିଆଙ୍କର ବୁଢ଼ାବାପା ହୋଇଯାଇଛନ୍ତି ।

ଦିନକର ଘଟଣା । ଜଣେ ଯୁବକଟି ନିଜ ଲେଖା ବହି ଖଣ୍ଡିଏ ମଧୁବାବୁଙ୍କୁ ଉପହାର ଦେବାପାଇଁ କଟକ ନଗରସ୍ଥ ତାଙ୍କ ବାସଭବନକୁ ଯାଇଥିଲେ । ସେ ସେତେବେଳେ ରେଭେନ୍ସା କଲେଜର ବି.ଏ. ଶ୍ରେଣୀର ଛାତ୍ର । ପରଦା ଆଢୁଆଳରେ ଦେଖିଲେ ମଧୁବାବୁ ଏକୁଟିଆ ବସି କିଛି ଲେଖାଲେଖି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସେ ଅତି ଚିନ୍ତିତ ଥିଲା ପରି ଜଣାପଡୁଥିଲେ । ଯୁବକ ଜଣକ ବାହାରେ ଥାଇ ବାରମ୍ୱାର ପରଦା ସାମାନ୍ୟ ଆଡ଼େଇ ଥରକୁ ଥର ମୁହଁ ଦେଖାଉଥିଲେ ସୁଦ୍ଧା ମଧୁବାବୁ ତାଙ୍କ ଆଡ଼କୁ ଟିକେହେଲେ ଚାହୁଁନଥିଲେ । ବହୁ ସମୟ ବିତିଗଲା ଏହିପରି ।

ଶେଷରେ ଧୈର୍ଯ୍ୟହରା ହୋଇ ଯୁବସୁଲଭ ଉଦ୍ଦୀପନା ନେଇ କବି ଚାଲିଗଲେ ହାତରେ ବହି ଖଣ୍ଡିଏ ଧରି ମଧୁବାବୁଙ୍କ ଟେବୁଲ ପାଖକୁ । ନମସ୍କାର କଲେ । ବହି ଖଣ୍ଡିକ ଟେବୁଲ ଉପରେ ଥୋଇଦେଇ ଛିଡ଼ାହୋଇ ରହିଲେ । ଅପେକ୍ଷା କଲେ ମଧୁବାବୁଙ୍କ ମୁହଁରୁ ତାଙ୍କର ପରିଚୟ ଜିଜ୍ଞାସା ଓ ପ୍ରଶଂସାସୂଚକ କେଇପଦ କଥା ଶୁଣିବା ପାଇଁ । କିନ୍ତୁ ମଧୁବାବୁ ପୂର୍ବଭଳି ଗମ୍ଭୀର ଅବସ୍ଥାରେ ଟେବୁଲ ଉପରକୁ ମୁହଁମାଡ଼ି ବସିଥାଆନ୍ତି । କୌଣସି ପରିବର୍ତ୍ତନ ଲକ୍ଷ୍ୟ ନ କରି ଯୁବକଟି ବାଧ୍ୟହୋଇ ଅତି ଧୀର ଗଳାରେ କହିଲେ-“ସାର୍, ମୋର ଲେଖା ପ୍ରଥମ କବିତା ପୁସ୍ତକ ଖଣ୍ଡିକ ଆପଣଙ୍କୁ ଉପହାର ଦେବାପାଇଁ ଆଣିଛି, ଦୟାକରି ଗ୍ରହଣ କରନ୍ତୁ ।” ଏଥର ମଧୁବାବୁ ମୁଣ୍ଡଟେକି ଯୁବକକୁ ଟିକେ ଚାହିଁଲେ ଏବଂ ହଠାତ୍ ବହିଟିକୁ ନେଇ ଯାଇ ଟେବୁଲ ତଳେ ଥିବା ଅଳିଆ ଛିଣ୍ଡା କାଗଜ ଟୋକେଇରେ ପକାଇଦେଲେ । ଅତି ଅଳ୍ପ ସମୟରେ ଏ ସବୁ ଘଟଣା ଘଟିଗଲା ସେହି ନୀରବତା ମଧ୍ୟରେ ।

ଏପରି ଅପ୍ରୀତିକର ଆଚରଣରେ ଯୁବକଟି ଉତ୍ତେଜିତ ହୋଇ ଉଠିଲେ । ହେଲେ, ଭରସି କରି କିଛି କହିପାରିଲେ ନାହିଁ । କିନ୍ତୁ ମନେ ମନେ ଭାବିଲେ – କେଡ଼େ ଅବାଗ ମଣିଷଟାଏ ! ଏଇ ମଧୁବାବୁ ନାଆଁକୁ ଓଡ଼ିଶା ସମେତ ଦିଲ୍ଲୀ ଦରବାର ଦୁଲୁକୁଛି ! ଇଂରେଜ ସରକାର ପୁଣି ହାର୍ ମାନୁଛି ! ଏମିତି କେତେ କଅଣ ଭାବି ଭାବି ମୁହଁ ବୁଲାଇ ସେଠାରୁ ପଳାଇ ଆସିବାକୁ ବସିଛନ୍ତି । ଠିକ୍ ଏତିକିବେଳେ ମଧୁବାବୁ ଲେଖା ବନ୍ଦ କରି ତାଙ୍କ ଆଡ଼କୁ ଚାହିଁ କହିଲେ-“ଆରେ ବାବୁ, ରାଗରେ ଅଭିମାନ କରି ପଳାଇ ଯାଉଛ କାହିଁକି ? ଶୁଣ, ତୁମ ନାଆଁ କଅଣ ?” ଉତ୍ତରରେ ଯୁବକବି ଜଣକ ଜଣାଇଲେ -“ମୋର ନାମ କାଳିନ୍ଦୀ ଚରଣ ପାଣିଗ୍ରାହୀ ।”

ତା’ପରେ ମଧୁବାବୁ କହି ଚାଲିଲେ- “ବଡ଼ଲାଟଙ୍କ ପାଖକୁ କେତେକ ଜରୁରୀ ବିଷୟ ନେଇ ଚିଠିଲେଖାରେ ବ୍ୟସ୍ତ ଥିଲି । ତେଣୁ ତୁମପାଇଁ ଟିକିଏ ସମୟ ଦେଇ ପାରିଲିନାହିଁ । ଦିନ ଥିଲା, ଓଡ଼ିଆ ଗଜପତି ମହାରାଜା ଓ ଓଡ଼ିଆ ବୀରମାନଙ୍କ ରଣଝଙ୍କାରରେ ଭାରତବର୍ଷ ଥରହର ହେଉଥିଲା । ବିଶାଳ ଓଡ଼ିଶା ସାମ୍ରାଜ୍ୟ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଯାହାର ସଂସ୍କୃତି, ସଭ୍ୟତା, ସାହିତ୍ୟ ଓ କଳା ଆଦି ବିଶ୍ୱ ବିଦିତ । ପୁଣି ଇଂରେଜମାନେ ଏହି ରାଜ୍ୟକୁ ଅଧିକାର କରିବାପାଇଁ କେତେ ହଟହଟା ହୋଇଛନ୍ତି, ତାହା ସେମାନେ ଜାଣନ୍ତି । ଆଜି ଇଂରେଜ ଶାସନାଧୀନ ଭାରତ ସାମ୍ରାଜ୍ୟରେ ଓଡ଼ିଶା ବୋଲି ଗୋଟିଏ ରାଜ୍ୟ ନାହିଁ । ସେଠାରେ ପୁଣି ଓଡ଼ିଆ ଭାଷା ଆସିବ କୁଆଡୁ ? ତୁମେ ଲେଖିବ କଅଣ ? ତୁମଭଳି ଉଚ୍ଚଶିକ୍ଷିତ ଯୁବକମାନଙ୍କର ପ୍ରଥମ କର୍ତ୍ତବ୍ୟ ହେଉଛି- ନିଜ ଜନ୍ମଭୂମି ଉତ୍କଳଜନନୀଙ୍କର ମୁକ୍ତିସାଧନ ଏବଂ ଦିଲ୍ଲୀ ଦରବାରରେ ଆମ ମାଆର ସ୍ୱତନ୍ତ୍ର ଆସନ ସ୍ଥାପନ ।”

ମଧୁବାବୁ ଅତି ଆବେଗ ଓ ବ୍ୟଥିତ ହୃଦୟରେ କହୁଥାନ୍ତି ତାଙ୍କର ମନର କଥା । ସେତେବେଳେ ଯୁବକଙ୍କର ମସ୍ତକ କ୍ରମଶଃ ଅବନତ ହୋଇଯାଉଥିଲା । ସେ ହତ୍‌ବାକ୍ ହୋଇ ମନେ ମନେ ଚିନ୍ତା କରୁଥିଲେ – ଆହାଃ ; ମୁଁ କଅଣ କରିବାକୁ ଯାଉଥିଲି ! ଏଡ଼େ ଉଚ୍ଚମନା ମହାନ୍ କର୍ମବୀରଙ୍କୁ ହୀନ ଦୃଷ୍ଟିରେ ଦେଖି ଯେଉଁ ଅପରାଧ କରିଛି, ତାହାର ପ୍ରାୟଶ୍ଚିତ ନାହିଁ ।

ଲୋକପ୍ରିୟ ଲେଖା

To Top