ପ୍ରବନ୍ଧ

ଆମେ ସ୍ୱାଧୀନ ଓ ଏଇ ଆମ ସ୍ୱାଧୀନତା !

ସାଧାରଣ ଲୋକମାନେ କିନ୍ତୁ ସତ୍ୟତାର ଅନ୍ଧ ଗଳିରେ ପଡ଼ିଥିବା ଗଦା ଗଦା ଶବ ଉପରେ ଚାଲି ପାଶୋରିଗଲେ ପୂର୍ବ ପ୍ରତିଶ୍ରୁତି ତଥା ପରମ୍ପରା ଆଉ ବଂଶ ବୁନିଆଦୀକୁ ।

ଆମେ ସ୍ୱାଧୀନ ଓ ଏଇ ଆମ ସ୍ୱାଧୀନତା !

ସ୍ୱାଧୀନତା ଦିବସରେ ରାଜରାସ୍ତା ହୋଇଉଠେ ଲୋକାରଣ୍ୟ । ସମାଜର ଶ୍ରେଷ୍ଠଗଣ ବଡ଼ ଆଡ଼ମ୍ୱର ସହକାରେ ପତାକା ଉତ୍ତୋଳନ କରି ଗର୍ବ ଅନୁଭବ କରନ୍ତି । ସ୍ୱାଧୀନତାର ପଞ୍ଚମ ବେଦ ଉପସ୍ଥିତ ଲୋକମାନଙ୍କୁ ଘୋଷାଇ କୃତ୍ୟ କୃତ୍ୟ ମନେ କରନ୍ତି । ନ ଦେଖିଲା ଓଉ ଛ’ଫଡ଼ା ପରି ସାଧାରଣ ଜନତା ଭାବନ୍ତି ଏଇ ବୋଧହୁଏ ସ୍ୱାଧୀନତା । ମଞ୍ଚ ଉପରେ ମାଇକ୍ ଆଗରେ ଚାଲେ ଭାଷଣ ବାଜି । ଉପଦେଶରେ ଜନଗଣ ଆତ୍ମୋବିଭୋର ହୁଅନ୍ତି । ପତାକା ଉତ୍ତୋଳନ ପର୍ବ ପରେ ପତାକା ଅବତରଣ କରିବାକୁ କାହାର ମନେ ନ ଥାଏ । ନିରାଡ଼ମ୍ୱର ପରିବେଶରେ ପତାକା ଅବତରଣ କରିବାକୁ ଆସନ୍ତି ଅପରିଚିତ ଅଲୋଡ଼ା ବ୍ୟକ୍ତି । ପତାକା ଖୋଲି ମୋଡ଼ି ମାଡ଼ି ଆଲମାରୀ ଅବା ବାକ୍ସ ଭିତରେ ସ୍ୱାଧୀନତାକୁ ଚାବି ପକାଇ ଭାବି ଚାଲନ୍ତି ସ୍ୱାଧୀନତାର ବିଫଳ ଅନୁଭୂତି । ସ୍ୱାଧୀନତାର ଦୀର୍ଘ ୬୨ ବର୍ଷ ପରେ ଭାରତ ଆଜି ଭାରତ, ପାକିସ୍ଥାନ ଏବଂ ବାଙ୍ଗଲାଦେଶ ନାମରେ ତିନୋଟି ଦେଶରେ ବିଭକ୍ତ । ୩ଟି ଯାକ ଦେଶର ଅବସ୍ଥା ଏକା । ସ୍ୱାଧୀନତାର ପତାକା ଚିରିଯାଇ ରାସ୍ତାରେ ଉଡ଼ୁଥିବା ବେଳେ କେଉଁଠି ଡଷ୍ଟ୍‌ବିନ୍‌ରେ ଫୋପଡ଼ା ଯାଇଥାଏ ତ କେଉଁଠି ପତାକାକୁ ଷଣ୍ଢ, ଗାଈଗୋରୁ ସେମାନଙ୍କ ଆହାର କରୁଥିବା ଚିତ୍ର ଦେଖିବାକୁ ମିଳେ । ଭାରତରେ ୧୧୯ କୋଟି ଲୋକ ଥିଲାବେଳେ ମୁଣ୍ଡପିଛା ବାର୍ଷିକ ଆୟ ହାରାହାରି ୧ ହଜାର ଡଲାର (୧ଡଲାର ୪୫ ଟଙ୍କା) । ପାକିସ୍ଥାନର ଲୋକସଂଖ୍ୟା ୧୮ କୋଟି ଥିଲାବେଳେ ମୁଣ୍ଡପିଛା ଆୟ ୧ ହଜାର ଡଲାର ରହିଛି (୧ଡଲାର ୮୨ ଟଙ୍କା) । ବାଙ୍ଗଲାଦେଶର ଲୋକସଂଖ୍ୟା ୧୬ କୋଟି ଥିବା ବେଳେ ସେଠାକାର ଲୋକ ମାନଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୫୦୬ ଡଲାର ରହିଛି (୧ଡଲାର ୬୮ ଟଙ୍କା) । ବିକଶିତ ଦେଶମାନଙ୍କ ମୁଣ୍ଡପିଛା ବାର୍ଷିକ ଆୟ ଲୁସେମବର୍ଗ ୧୧୩ ହଜାର, ନରୱେ ୯୫ ହଜାର, ସ୍ୱିଜରଲ୍ୟାଣ୍ଡ ୬୭ ହଜାର , ଅଷ୍ଟ୍ରେଲିଆ ୪୭ ହଜାର, ଆମେରିକା ୪୭ ହଜାର , ଫ୍ରାନ୍ସ ୪୬ ହଜାର, କାନାଡ଼ା ୪୫ ହଜାର, ଜର୍ମାନୀ ୪୪ ହଜାର, ଇଂଲଣ୍ଡ ୪୩ହଜାର, ଜାପାନ ୩୮ ହଜାର , ଚାଇନା ୧୭ ହଜାର, ଋଷିଆ ୧୧ ହଜାର ରହିଛି । ବିଭାଜିତ ପରେ ଭାରତ ଓ ପାକିସ୍ଥାନ କେତେ ଦରିଦ୍ର ଅବସ୍ଥାରେ ଅଛନ୍ତି ତାହା ଅନୁମେୟ । ମଣିଷର ସ୍ୱାଧୀନତା ଏଠି ହୋଇଛି ସରକାରଙ୍କ ଅଧୀନ । ସୁରକ୍ଷା ନାମରେ ଚାଲିଛି ପରସ୍ପର ମଧ୍ୟରେ ଯୁଦ୍ଧ । ରାଜନୀତିର ଅନୀତି ମଧ୍ୟରେ ଦୁଇ ଦେଶର ଜନସାଧାରଣ ମୌଳିକ ଆବଶ୍ୟକତାଠାରୁ ଏବେ ଅପହଞ୍ଚ ଦୂରରେ । ପାକିସ୍ଥାନ ଚାହୁଁଛି କଳେ ବଳେ କୌଶଳେ ଭାରତଠାରୁ କାଶ୍ମୀରକୁ ଛଡ଼ାଇନେବ । ଏଥିପାଇଁ ସେ ୬୦ବର୍ଷଧରି ଚଲାଇ ଆସିଛି ଛାୟା ଯୁଦ୍ଧ । ଅନେକ ଆଶା, ସ୍ୱପ୍ନ ନେଇ ଭାରତ ପାକିସ୍ଥାନ ସ୍ୱାଧୀନହେବା ଘୋଷଣା କରିଥିଲେ ୧୯୪୭ ମସିହାରେ ।

ସ୍ୱାଧୀନତାର ସ୍ୱାଦ କ’ଣ ଜାଣିନଥିବା ଅଧିକାଂଶ ସାଧାରଣ ଜନତା ସ୍ୱାଧୀନତା ନାମରେ ହତ୍ୟାକଲେ ନୀରିହ ନାଗରିକମାନଙ୍କୁ । ପାକିସ୍ଥାନର ସେନା ଓ ମୌଳବାଦୀ ଏବଂ ମହମ୍ମଦ ଅଲ୍ଲି ଜିନ୍ନା ହୀନ ମନ୍ୟତାର ଶିକାର ହୋଇ ଭାରତୀୟଙ୍କ ଉପରେ ଆକ୍ରମଣପାଇଁ ଖୋଲା ମନ୍ତବ୍ୟ ଦେଲେ । ଭାରତ କେବଳ ରହିଯାଅ କହିବା ବ୍ୟତୀତ ଅନ୍ୟକିଛି କରିବାର ବାଟ ନ ଥିଲା ଦୀର୍ଘ ୬୫ ବର୍ଷ ମଧ୍ୟରେ ଘଟିଥିବା ଘଟଣା ଓ ଅନେକ ଦୁର୍ଘଟଣା ପରେ ପାକିସ୍ଥାନର ମନୋବୃତ୍ତି ସ୍ପଷ୍ଟ ଜଣାପଡ଼ିବାପରେ ଭାରତ ବନ୍ଧୁତା ପାଇଁ ହାତ ବଢ଼ାଉଛି ବାରମ୍ୱାର । ଏହାକୁ ଏକ ଢାଲଭାବେ ଗ୍ରହଣକରି ପାକିସ୍ଥାନର ସେନାବାହିନୀ ଜବରଦସ୍ତ ଛାୟାଯୁଦ୍ଧ କରୁଛି । ପଛକୁ ଫେରିଲେ ଇତିହାସର ମହାନାୟକ ମାନଙ୍କର ଦୂରଦୃଷ୍ଟିରଅଭାବ ପାଇଁ ପରବର୍ତ୍ତୀ ପିଢ଼ୀ କେତେ ହତ୍ୟା, ଧର୍ଷଣ, କଳାବଜାରୀର ଶୀକାର ହୋଇଛନ୍ତି ତାହା ଜଣାପଡ଼େ । ବିଦ୍ୟାଳୟ କାନ୍ଥରେ ମନ୍ତ୍ର ପଢ଼ି ଶିଶୁଟି ପ୍ରତିଦିନ ତାକୁ ଘୋଷିବା ପରି ପାକିସ୍ଥାନ ସେନାଭାରତର ଧନଜୀବନ କିପରି ନଷ୍ଟକରାଇବ ତାହା ରାତି ପାହିଲେ ଘୋଷୁଛି ।

ପାକିସ୍ଥାନରେ ରାସ୍ତାଘାଟ କାନ୍ଥରେ ମହାନାୟକ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଫଟୋ, ମୂର୍ତ୍ତୀ ପ୍ରତି ସକାଳରେ ଲୋକମାନେ ପୂଜା କରୁଥିବା ବେଳେ ଭାରତରେ ଜାତୀୟ ପିତା କହି ମହାତ୍ମା ଗାନ୍ଧୀଙ୍କ ଫଟୋ, ମୂର୍ତ୍ତୀକୁ ମଧ୍ୟ ମହାତ୍ମା ଭାବେ ପୂଜା କରୁଛନ୍ତି ସାଧାରଣ ଜନତା । ଯେଉଁ ମୋହନ ଦାସ, ମହମ୍ମଦ ଅଲ୍ଲୀ ଜିନ୍ନା ଏକ ସ୍ୱତନ୍ତ୍ର , ସ୍ୱାଭିମାନ, ସମୃଦ୍ଧ ଭାରତର ପରିକଳ୍ପନା କରିଥିଲେ । ସେହିଦେଶର ଲୋକମାନେ ପରସ୍ପର ମଧ୍ୟରେ ହାଣକାଟ ହେଉଥିବାର ଦୃଶ୍ୟକୁ ସେମାନେ ଆଖି ବନ୍ଦକରି ସହିନେଲେ । ସାଧାରଣ ଲୋକମାନେ କିନ୍ତୁ ସତ୍ୟତାର ଅନ୍ଧ ଗଳିରେ ପଡ଼ିଥିବା ଗଦା ଗଦା ଶବ ଉପରେ ଚାଲି ପାଶୋରିଗଲେ ପୂର୍ବ ପ୍ରତିଶ୍ରୁତି ତଥା ପରମ୍ପରା ଆଉ ବଂଶ ବୁନିଆଦୀକୁ ।

ସ୍ୱାଧୀନତାର ସଂଖ୍ୟା ତାରିଖକୁ ମନେରଖି କିଏ ପୁଜିଲା ଜିନ୍ନା ତ କିଏ ପୂଜିଲା ଗାନ୍ଧୀ । ଦୁଇଦେଶରେ କାନ୍ଥରେ ଏମାନଙ୍କ ପ୍ରତିଛବି ଟାଙ୍ଗି ଦୁର୍ନୀତି ଅତ୍ୟାଚାର ଭ୍ରଷ୍ଟାଚାର ଏବଂ ଆତଙ୍କବାଦୀ ବନିଗଲେ ସ୍ୱାଧୀନତା ଆଣିଥିବା ସଂଗ୍ରାମୀଙ୍କ ପରବର୍ତ୍ତୀ ବଂଶଧର । ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇଦେଶର ଲୋକମାନେ ଭୟଭୀତ ଆତଙ୍କିତ । ପାକିସ୍ଥାନରେ ଆତଙ୍କବାଦୀମାନେ ଜନ୍ମ ହେଉଥିବା ବିଶ୍ୱ ସମୁଦାୟ କହୁଥିବା ବେଳେ, ଭାରତରେ ମାଓବାଦୀ ଏବଂ ଆତଙ୍କବାଦୀଙ୍କ ଆକ୍ରମଣରେ ଲକ୍ଷ ଲକ୍ଷ ନୀରିହଙ୍କ ପ୍ରାଣହାନୀ ଘଟୁଛି । ପାକିସ୍ଥାନର ସ୍ୱାତ ଉପତ୍ୟକା ତାଲିବାନ ଆକ୍ରମଣରେ ମୃତ ଉପତ୍ୟକା ହୋଇଥିବାବେଳେ ଇସଲାମବାଦ, ଲାହୋର, ପଞ୍ଜାବରେ ଲୋକମାନେ ନୀଜ ଜୀବନକୁ ସୁରକ୍ଷୀତ ମଣୁନାହାନ୍ତି । ବ୍ୟକ୍ତିଗତ ସ୍ୱାର୍ଥ ଲାଳସା ପାଇଁ ପାକିସ୍ଥାନର ମାଟି ହେଉଛି ରକ୍ତରେ ଜୁଡୁବୁଡୁ । ଦୁଇ ଦେଶର ଜନସାଧାରଣ ଦରିଦ୍ରର କଷାଘାତରେ ଜୁଡୁବୁଡୁ ହେଉଛନ୍ତି । ପେଟପୂରା ଖାଦ୍ୟ ଖାଇବାପାଇଁ ଏବେବି ସମର୍ଥ ହେଉ ନାହାନ୍ତି କୋଟି କୋଟି ଲୋକ । ଆଧୁନିକତାର ବାହ୍ୟ ଚାକଚକ୍ୟ ଆଡ଼ମ୍ୱରପୂର୍ଣ୍ଣ ଦେଖାଇ ହେବାର ମହୋତ୍ସବ କରି ଲକ୍ଷ ଲକ୍ଷ କୋଟି ଟଙ୍କା ଲୁଟି ନେଉଛନ୍ତି କେତେକ ବାହୁବଳୀ ଲୋକ । ବୋମା ବିସ୍ଫୋରଣରେ ଲୋକମାନେ ନିଜ ଦେହରେ ବୋମା ଖଞ୍ଜି ମୁଖିଆଙ୍କ ନିର୍ଦ୍ଦେଶରେ ଲୋକମାନଙ୍କୁ ମାରିବା ପାଇଁ ଘୁରି ବୁଲୁଛନ୍ତି । ମଦ୍ରାସା ଗୁଡ଼ିକରେ ଲୋକମାନଙ୍କୁ ମାରିବା ପାଇଁ ଶିକ୍ଷା ଦିଆଯାଉଥିବା ଅନେକ ଦିନରୁ ଅଭିଯୋଗ ହେଉଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି । ଅଧିକାଂଶ ବେସରକାରୀ ବିଦ୍ୟାଳୟରେ ଆକ୍ରମଣ ପାଇଁ ଶିଶୁମାନଙ୍କୁ ଶିକ୍ଷା ଦିଆଯାଉଥିବା ବେଳେ ସରକାରୀ କଳର ଉଦାସୀନତା ଭବିଷ୍ୟତ ପାଇଁ ବିପଦ ଆଣୁଛି । ଚୋର ଗଲାପରେ ବୁଦ୍ଧି ଦିଶିବା ପରି ପ୍ରତି ବିସ୍ଫୋରଣ ପରେ ପୋଲିସ ଗୁଇନ୍ଦା ବିଭାଗ ଖୋଳତାଡ଼ କରିବା ଆରମ୍ଭ କରୁଛି । ପ୍ରମାଣ ଅଭାବରୁ ଅପରାଧୀମାନେ ନ୍ୟାୟାଳୟର ସମ୍ମୁଖରେ ମଦ ପିଇ ଖୁସି ମନାଉଛନ୍ତି । ଅପରାଧୀ ସମର୍ଥକମାନେ ବିରାଟ ପଟୁଆରରେ ତାଙ୍କର ନେତୃତ୍ୱ ପାଇଁ ଜୟଗାନ କରୁଛନ୍ତି । ଦିଲ୍ଲୀ, ଇସଲାମବାଦରେ ତଥା କଥିତ ପୂର୍ବତନ ରାଜନେତାଙ୍କ ଦୂରଦୃଷ୍ଟିର ଅଭାବରେ ତିନୋଟି ଦେଶର ହଜାର ହଜାର ଲୋକ ପ୍ରତିବର୍ଷ ମୃତ୍ୟୁବରଣ କରୁଛନ୍ତି । ଗୋଟିଏ ସ୍ୱାର୍ଥ ତିନୋଟି ଦେଶରେ ଆଣିଦେଇଛି ଭୟଙ୍କର ପରିଣତି ତାହାହେଲା ସ୍ୱାଧୀନତା । ଏବେବି ତିନୋଟି ଦେଶର ୭୦ ପ୍ରତିଶତ ଲୋକ ଦିନକୁ ୨୦ଟଙ୍କା ରୋଜଗାର କରିପାରୁନଥିବା ବେଳେ ଘରଦ୍ୱାର ନଥିବା ହଜାର ହଜାର ଲୋକ ଷ୍ଟେସନ, ବସଷ୍ଟାଣ୍ଡ, ଆକାଶତଳେ ଗାମୁଛା ପାରି ରାତ୍ରି ଯାପନ କରିବା ସ୍ୱାଧୀନତାର ଉପହାର ମାତ୍ର । ପ୍ରଚଳିତ ନ୍ୟାୟ ଏବଂ ଶିକ୍ଷା ବ୍ୟବସ୍ଥା ସମାଜକୁ ଭାଗ ଭାଗ କରୁଥିବା ବେଳେ ଏହାର ପ୍ରତିକାର ପାଇଁ କାହାର ଆଗ୍ରହ ନାହିଁ । ବଞ୍ଚିବାକୁ ଚାହୁଁଥିବା ୫୦ପ୍ରତିଶତ ନାଗରୀକ ରାତିରେ ଶାନ୍ତିରେ ଶୋଇପାରୁ ନାହାନ୍ତି । ଘରୁ ବାହାରିଗଲେ ଘରକୁ ଫେରିବାର ଆଶା ରଖିବା ନିରର୍ଥକ ମନେ ହେଉଛି । ସରକାର ସ୍ୱାଧୀନତା ପାଇଥିବା ବେଳେ ସାଧାରଣଜନତା ଏବେବି ପରାଧୀନତାର ଶୃଙ୍ଖଳରେ ବାନ୍ଧିହୋଇଥିବା ଉପଲବ୍ଧି କରୁଛି ।

ଲୋକପ୍ରିୟ ଲେଖା

To Top