ପ୍ରବନ୍ଧ

ଆତ୍ମ ଚିନ୍ତନ ଓଁ

Prafulla Kumar Panda's odia prose Aatma Chintana Oom

କେବଳ ମହାଜନୋ ଯେନ ଗତସ୍ୟ ପନ୍ଥା ନୀତି ଅବଲମ୍ୱନ କରି ଯଥାସମ୍ଭବ ରାଷ୍ଟ୍ରୀୟ ଦିବସ ପାଳନ କରି କର୍ତ୍ତବ୍ୟ ସମ୍ପାଦାନ କରୁଛନ୍ତି

ଆତ୍ମ ଚିନ୍ତନ ଓଁ

ଆଧ୍ୟାତ୍ମିକତାର ପୂଣ୍ୟଭୂମି ଭାରତମାତା । ଆର୍ଯ୍ୟଭୂମି, ଦେବଭୂମି ଭାବରେ ବିଶ୍ୱ ବିଦିତ । ପୂଣ୍ୟତୋୟା ଜାହ୍ନବୀ ଯାହାଙ୍କର ଗୁଣ ପରିଚର୍ଯ୍ୟା କରିବାକୁ ଅକ୍ଷମ । ଦିଗନ୍ତବିସ୍ତାରୀ ନୀଳ ପାରାବାର ଯାହାଙ୍କର ଚରଣ ଧୌତ କରିବାକୁ ଶ୍ରୀଚରଣରେ ମଥା ପିଟୁଛି । ଗିରିରାଜ ଯାହାଙ୍କର ଶିରରେ ହିରକ ଶିରସ୍ତ୍ରାଣ ସ୍ୱରୂପ ଶୋଭାପାଏ । ବେଦ ଓ ଉପନିଷଦ, ଦେଶମାନଙ୍କ ଭିତରେ ଭାରତ ଶ୍ରେଷ୍ଠ ବୋଲି ଉଦାତ୍ତ କଣ୍ଠରେ ସ୍ୱୀକାର କରେ । ଆଦିମାତା ହିଁ ଶକ୍ତିର ଉତ୍ସ । ସେ ମହାମାୟୀ, ଶକ୍ତି ବିନା ଶିବ ଶବ ସ୍ୱରୂପ । ସୃଷ୍ଟି, ସ୍ଥିତି, ବିଲୟର ମୂଳାଧାର । ସେ ସତ୍ତ୍ୱ, ରଜ, ତମ ତ୍ରିଗୁଣର ସମନ୍ୱୟ । ସେ ଭଗିନୀ, ଜନନୀ, ଜାୟାର ପ୍ରତୀକ । ସେ ପରା ଶକ୍ତି ରୂପା ଭାବେ ବିଦିତ । ସେହି ପରା ଶକ୍ତି ହିଁ ଧାରଣ କରିଥିଲେ ପ୍ରାତଃ ସ୍ମରଣୀୟା ସତୀ, ସାଧ୍ୱୀ, ବୀରା ରମଣୀମାନଙ୍କୁ । ପୁରାଣ ବର୍ଣ୍ଣିତ ଜଗତ୍ଜନନୀ ମା’ ଦୁର୍ଗା, ସତୀ-ଶିରୋମଣି, ଅହଲ୍ୟା, ଦ୍ରୌପଦୀ, ସୀତା ଠାକୁରାଣୀ, ତାରା, କୁନ୍ତୀ, ମନ୍ଦୋଦରୀ, ଏହିଭଳି ଅନେକ ଜନନୀ କୃତିତ୍ୱ ପ୍ରତିପାଦନ କରି ପରମ ପୂଜ୍ୟା । ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ରାଣୀ ଦୁର୍ଗାବତୀ, ଆଦି ବୀରା ରମଣୀମାନେ ଭାରତର ଐତିହ୍ୟକୁ ମହିମା ମଣ୍ଡିତ କରିଛନ୍ତି । ସେହି ମହାନ୍ ମହୀୟସୀ ମାତୃଶକ୍ତି ପାଇଁ ଭାରତମାତା ଗୌରବାନ୍ୱିତ । ସେ ସର୍ବବ୍ୟାପ୍ତିନୀ ଏବଂ ସର୍ବଶକ୍ତିମୟୀ । ଯାହାର ଅପରୂପ ଶୋଭାରେ ବିମୁଗ୍ଧ କବି ପ୍ରାଣରେ ଭ୍ରମ ସୃଷ୍ଟି କରେ । କବିବର ରାଧାନାଥ ରାୟଙ୍କ ଅମୂଲ୍ୟ ଗାଥା-

ଏ ଭାରତଭୂମୀ ଆମର ଜନନୀ
ପୂଣ୍ୟଭୂମୀ ନାହିଁ ସରି ଏହାର
ଅମୂଲ୍ୟ ଦୁର୍ଲଭ ରତନର ଖଣି
ସବୁ ଦେଶ ମଧ୍ୟେ ଏ ଦେଶ ସାର ।

ସମସ୍ତ ଗୁଣ, ଗାରିମା, ଶୋଭା, ପ୍ରାଚୁର୍ଯ୍ୟତା, ଶୌର୍ଯ୍ୟ, ବୀର୍ଯ୍ୟ, ଉତ୍କର୍ଷ, କଳା, ଚାତୁର୍ଯ୍ୟରେ ପୂର୍ଣ୍ଣ ଭାରତ ଜନନୀ । ପୂର୍ଣ୍ଣ ପ୍ରସୂ ଭାରତ ଭୂମିର ପ୍ରାଚୁର୍ଯ୍ୟତା ଆକୃଷ୍ଠ କରିଛି ମୋଗଲ, ଗ୍ରୀକ୍, ଗୋଲନ୍ଦାଜ, ପର୍ତ୍ତୁଗୀର୍ଜ, ଡଚ୍ ଆଦି ବିଦେଶୀ ରାଷ୍ଟ୍ରଙ୍କୁ । ଶେଷରେ ବଣିଜ କରିବାକୁ ଆସି ଇଂରେଜ ଜାତି ଭାରତବର୍ଷରେ ତା’ର ଅମାନବୀୟ ଶାସନ ଜାହିର କଲା । ବୀର ପ୍ରସବିନୀ ଭାରତମାତାର ଅମୃତ ପାନ କରିଥିବା ଅମୃତ ସନ୍ତାନଗଣ ପରାଧିନତାର ଶୃଙ୍ଖଳରୁ ମୁକ୍ତି ପାଇଁ ବଳିଦାନ ଦେଇଛନ୍ତି । ଭବିତବ୍ୟର ଭାବି ବଂଶଧରମାନଙ୍କ ନିରାପତ୍ତା ଓ ନିଷ୍କଣ୍ଟକତା ପାଇଁ ବର୍ବରମାନଙ୍କର ସମସ୍ତ ଅତ୍ୟାଚାରକୁ ଭ୍ରୁକ୍ଷେପ ନ କରି ଆତ୍ମୋତ୍ସର୍ଗ କରିଛନ୍ତି । ସେହି ଦିବଂଗତ ଅମର ଆତ୍ମାଙ୍କ ପ୍ରତି ଆମର ସମବେଦନାର ଗଭୀରତା ମାପିବା ପାଇଁ ଆତ୍ମଚିନ୍ତନ ଅପରିହାର୍ଯ୍ୟ ।

ଅନେକ ପ୍ରକାର ଦିବସ ପାଳନ କରୁଛନ୍ତି । କିନ୍ତୁ କେବେ ସେମାନଙ୍କ ପାଇଁ ହୃଦୟରୁ ସମବେଦନାର ଲୁହ ଢାଳିଛନ୍ତି କି ! ଅକଥନୀୟ ଅତ୍ୟାଚାରର ସ୍ମୃତି ରୋମନ୍ଥନ କରିଛନ୍ତି କି ? ନା କେବଳ ମହାଜନୋ ଯେନ ଗତସ୍ୟ ପନ୍ଥା ନୀତି ଅବଲମ୍ୱନ କରି ଯଥାସମ୍ଭବ ରାଷ୍ଟ୍ରୀୟ ଦିବସ ପାଳନ କରି କର୍ତ୍ତବ୍ୟ ସମ୍ପାଦାନ କରୁଛନ୍ତି । ଯେଉଁ ଯୋଗଜନ୍ମାମାନଙ୍କର ବୀରତ୍ୱ ଓ ନିଷ୍ଠାପର ସାଧନା ଫିରଙ୍ଗୀମାନଙ୍କର ଶାସନକୁ ଦୋହଲାଇ ଦେଇଥିଲା ଏବଂ ହୃଦୟରେ ଭୀତି ସଞ୍ଚାର କରିଥିଲା । ସେମାନଙ୍କ ମଧ୍ୟରୁ ଜୟୀ ରାଜଗୁରୁ ହେଉଛନ୍ତି ଅନ୍ୟତମ । ଯାହାଙ୍କୁ ଅତି ନିର୍ମମ ଭାବେ ଏବଂ ବିଭତ୍ସ ଭାବେ ଦୁଇଫାଳ କରି ହତ୍ୟା କରାଗଲା, ସେହି ହୃଦୟ ବିଦାରକ ଦୃଶ୍ୟ ଏବେ ବି ଚିନ୍ତା କଲେ ଶଙ୍କିତ ହୃଦୟରେ ଦ୍ରୁତ ସ୍ପନ୍ଦନ ସୃଷ୍ଟି ହୁଏ । ଶରୀର ଶିହରି ଉଠେ । ଯେଉଁ ଭାରତୀୟ ସିପାହୀ ପ୍ରଥମେ ଇଂରେଜ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସ୍ୱାଧୀନତାର ବୀଜ ବପନ କରିଥିଲେ, ଆମେ କୃତଘ୍ନ ସେମାନଙ୍କର ମହାନ୍ ତ୍ୟାଗ, ଜାତିପ୍ରେମକୁ ଉପଯୁକ୍ତ ସମ୍ମାନ ଦେଇଛନ୍ତି କି ! କିମ୍ୱା କୌଣସି ରାଷ୍ଟ୍ରୀୟ ଦିବସରେ ସେହି ଜାତିସ୍ମର ମାନଙ୍କର ସ୍ମୃତିଚାରଣ ପୂର୍ବକ ତାଙ୍କର ପ୍ରଶସ୍ତି ଗାନ କରିଛନ୍ତି କି ! କାରଣ ଆମେ ସ୍ୱାର୍ଧାନ୍ଧ ହୋଇ ନିଜକୁ ମହାନ୍ କରିବାର ସ୍ୱପ୍ନ ଦେଖୁଛନ୍ତି ।

କୌରବ ଜନନୀ ଗାନ୍ଧାରୀ ଅନ୍ଧତ୍ୱକୁ ଆପଣେଇ ନେଇ, ନିଜକୁ ମହାନତା ସଜାଇବାର ଦୁର୍ବାର ପ୍ରୟାସ କରି ଶେଷରେ ପାଇଲେ କ’ଣ ? ମୁଠାଏ ପାଉଁଶ ବ୍ୟତୀତ ଆଉ କିଛି ନୁହେଁ । ଶତପୁତ୍ରର ଜନନୀ ବଂଶନାଶର ସୂତ୍ରଧର ଭାବେ ବିଶ୍ୱର ପ୍ରତିପାଦିତ ହେଲେ । କିନ୍ତୁ ପଞ୍ଚପୁତ୍ରର ଜନନୀ ମାତା କୁନ୍ତୀ ମାତୃତ୍ୱର ମହାନ୍ ସାର୍ଥକତା ପ୍ରତିପାଦନ କରି ବିଶ୍ୱବନ୍ଦିତା ! ! ଜନନୀ ଓ ଜନ୍ମଭୂମିର ଗୌରବ ଏବଂ ଗାରିମା ପ୍ରତିଟି ଜୀବନରେ ଭରି ଦିଏ ଉଦ୍ଦାମତା, ସାହସ, ଧୈର୍ଯ୍ୟ, ଦେଶପ୍ରେମର ବହ୍ନି । ଜନ୍ମଭୂମିର ଗର୍ଭରୁ ଜାତ ପ୍ରଜ୍ୱଳିତ ଅଗ୍ନିସମ ପୂର୍ବ ସ୍ୱରୀ ଜାତୀୟ ପ୍ରତିଭାମାନଙ୍କର ସ୍ମୃତିଚାରଣ ହିଁ ଆମ ଜୀବନର ଜାତୀୟ ସଂଗୀତ । ଯାହା ଆମକୁ ଏକତ୍ୱ ସୂତ୍ରରେ ବାନ୍ଧିପାରିବ ଓ ବିଖଣ୍ଡତାରୁ ଅଖଣ୍ଡତା ଦିଗକୁ ଅଗ୍ରସର କରାଇପାରିବ । ବର୍ତ୍ତମାନର ଜାତୀୟ ସଂଗୀତ ରୂପେ ମାନ୍ୟତା ପାଇଥିବା ସଂଗୀତ ବା ରାଷ୍ଟ୍ରୀୟ ସଂଗୀତ ତାହା ଭାରତମାତାର ଗୁଣ, ଗାରିମା, ଐତିହ୍ୟ ଓ ସଂସ୍କୃତିକୁ କେତେ ବହନ କରିଛି, ତାହା ହିଁ ପ୍ରତ୍ୟେକ ଭାରତୀୟ ମାନଙ୍କର ଆତ୍ମଚିନ୍ତନ ହେବା ଉଚିତ୍ ନୁହେଁ କି !

ଜାତୀୟ ସଂଗୀତର ପ୍ରଥମ ଧାଡ଼ି ଜନଗଣଙ୍କର ମନର ଅଧିନାୟକ ଜୟ ହେ. . . ! ଏଠାରେ ଅଧିନାୟକ କହିଲେ କାହାକୁ ବୁଝାଏ । ଦ୍ୱିତୀୟ ଧାଡ଼ିରେ ଭାରତ ଭାଗ୍ୟ ବିଧାତା ଭାରତମାତା ହେଉଛନ୍ତି ଆମ ସମସ୍ତଙ୍କର ଭାଗ୍ୟଦେବୀ । ତା’ହେଲେ ଭାରତର ଭାଗ୍ୟବିଧାତା କିଏ ? ତା’ପର ପଦରେ ଭାରତର କେତୋଟି ରାଜ୍ୟ, ନଦୀ ଓ ପାହାଡ଼ର ନାମ । ଯଦି ଏହା କୌଣସି ରାଷ୍ଟ୍ର ନାୟକଙ୍କ ଉଦ୍ଦେଶ୍ୟରେ ଗାନ କରାଯାଉଥାଏ । ତା’ହେଲେ ରାଷ୍ଟ୍ରରେ କେହି ରାଷ୍ଟ୍ରନାୟିକା କ’ଣ ନାହାନ୍ତି ? ତାଙ୍କ ଉଦ୍ଦେଶ୍ୟରେ କାହିଁକି ଜାତୀୟ ସଂଗୀତ ଗାନ କରାଯିବ ନାହିଁ । ରାଷ୍ଟ୍ରୀୟ ଦିବସରେ ରାଷ୍ଟ୍ର ବନ୍ଦନା କରାଯିବା ଉଚିତ୍ କି ନୁହେଁ, ତାହା ହିଁ ଆତ୍ମଚିନ୍ତନ ହେବା ଆବଶ୍ୟକ । ନାଁ । ଭାରତ ଏକ ପୁରୁଷ ପ୍ରଧାନ ଦେଶ ଭାବେ ବିଶ୍ୱରେ ପରିଚିତ ହେବା ଆବଶ୍ୟକ ତାହା ଭାରତରେ ଜ୍ଞାନୀ, ଗୁଣୀ ଏବଂ ରାଷ୍ଟ୍ରନାୟକମାନଙ୍କର ଚିନ୍ତାର ବିଷୟ ନୁହେଁ କି ! ଜାତୀୟ ସଂଗୀତ ଗାନ କଲେ ଯଦି ପ୍ରତି ହୃଦୟରେ ଜାତୀୟତା ଭାବ ଉଦ୍ରେକ ନ ହେବ, ଜାତୀୟ ସଂଗୀତ ଗାନ କଲେ ଯଦି ହୃଦୟକେ ଜାତି ପ୍ରେମର ଫଲ୍ଗୁ ପ୍ରବାହିତ ନ ହେବ, ତାହା ଜନ୍ମଭୂମି ପ୍ରତି ଅବମାନନା ନୁହେଁ କି ! ବୀର ପ୍ରସବିନୀ ଭାରତମାତାର କ୍ରାନ୍ତିକାରୀ ମହାମାନବ ମାନଙ୍କ ପ୍ରତି ମଧ୍ୟ ଅପମାନ ନୁହେଁ କି !

ମାତୃଭୂମି ମାତୃଭାଷାରେ ମମତା
ଯା’ ହୃଦେ ଜନମୀ ନାହିଁ ।
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା
ଅଜ୍ଞାନୀ ରହିବେ କାହିଁ ।

ଆମେ ଯଦି ଆମ ମାତୃଭୂମିକୁ ଯଥାର୍ଥ ସମ୍ମାନ ଦେଇ ନପାରନ୍ତି । ତା’ହେଲେ ଏ ଦେଶ ଓ ଜାତି ପ୍ରଗତିର ଚରମ ଶିଖରରେ ପହଞ୍ଚିବା ଅସମ୍ଭବ । ନାରୀ ସଶକ୍ତିକରଣ ଓ ନାରୀ ଜାଗରଣର ଡିଣ୍ଡିମ ପିଟିବା ନିରର୍ଥକ ଓ ବୃଥା ଆସ୍ଫାଳନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଜୟହିନ୍ଦ୍ !

ଲୋକପ୍ରିୟ ଲେଖା

To Top