ପ୍ରବନ୍ଧ

ଅନୈତିକ ରାଜନୀତି

Er Bidyadhar Panda's odia prose Anitika Raajaniti

ଏଥର କିନ୍ତୁ ଏକ ନୂଆ ଟିଭିଚ୍ୟାନେଲ୍ ଆର୍‌ ଭାରତ ଏବଂ ରିପବ୍ଲିକ୍ ଇଣ୍ଡିଆ ସବୁ ଖବର ଛାଡିଛୁଡି ମହାରାଷ୍ଟ୍ର ସରକାର, ମହାରାଷ୍ଟ୍ର ପୋଲିସ୍ ଏବଂ ଡ୍ରଗ୍ ମାଫିଆଙ୍କ ପଛରେ ପଡିଗଲା ।

ଅନୈତିକ ରାଜନୀତି

ଆଜିକାଲି କିଛି ରାଜନୈତିକ ନେତା ଭୁଲି ଯାଉଛନ୍ତି ଯେ ସେମାନେ ନର୍ଥକୋରିଆରେ ନୁହେଁ ଭାରତରେ ରାଜନୀତି କରୁଛନ୍ତି । କୋଡିଏ ପଚିଶ ବର୍ଷ ତଳେ ଲାଲୁପ୍ରସାଦ ଯାଦବ ବିହାରକୁ ଶାସନ କଲାପରି ମାହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ଏବେ ସେହି ଏକାପରି ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ତାଙ୍କ ସାଙ୍ଗରେ ମୁଖ୍ୟ ଅଘଟଣ ହେଲା ସହଯୋଗୀ ସଞ୍ଜୟ ରାଓତ୍, ସାମ୍ନାର ମୁଖ୍ୟ ସମ୍ପାଦକ । ଅଖିଲେଶ ଯାଦବଙ୍କ ଚାଚାପରି ଏଇ ସଞୟ ରାଓତ୍ ୰ ବାଲାସାହେବ ଠାକ୍‌ରେଙ୍କ ସାଙ୍ଗରେ ବେଶୀଦିନ କାମ କରିଥିବାରୁ ଉଦ୍ଧବ ତାଙ୍କର ମୁଖ୍ୟ ଉପଦେଷ୍ଠା ଭାବରେ ଗ୍ରହଣ କରିନେବା ସ୍ୱାଭାବିକ୍ କଥା । ସମ୍ପ୍ରତି ମହାରାଷ୍ଟ୍ର ସରକାର ପାଇଁ ଏହା ହେଲା ସବୁଠାରୁ ବଡ ଅସୁବିଧା । ଦିଗ୍‌ବିଜୟ ସିଂଙ୍କ ପରି ତାଙ୍କର ରାଜନୀତିରେ ବହୁତଦିନର ପ୍ରଚୁର ଅଭିଜ୍ଞତା । କିନ୍ତୁ ରାହୂଳ ଗାନ୍ଧୀଙ୍କୁ ଦିଗୀସାହେବ୍ ଉପଦେଶ ଦେଇଦେଇ ଯେମିତି ବେକାର କରିଦେଲେ ସେହିପରି ସାଂସଦ ସଞ୍ଜୟ ରାଓତ୍ ଉଦ୍ଧବଙ୍କୁ ଅଳ୍ପଦିନରେ ନିକମ୍ମା କଲାପରି ପ୍ରତିୟମାନ ହେଉଛି । ଅଭିନେତ୍ରୀ କଙ୍ଗନାର ଅଫିସ୍ ଭଙ୍ଗାଗଲା ପରେ ମରାଠିଲୋକମାନଙ୍କ ସହ କିଛି ଅନୁଗତ ଶିବସୈନିକ ମଧ୍ୟ ମହାରଷ୍ଟ୍ର ସରକାର ଉପରେ ନାରାଜ ହେଲାପରି ଲାଗୁଛି । ମୁମ୍ବେଇ ସହରରେ ଲକ୍ଷଲକ୍ଷ କୋଠା ଅବୈଧ ଉପାୟରେ ଗଢାଯାଇ ବ୍ୟବହାର ହେଉଥିବା ବେଳେ ହଠାତ୍ କଙ୍ଗନା ରାନାଓତ୍ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ନିଆଗଲା ? କରୋନା ଭୂତାଣୁର କଟକଣା ଚାଲିଛି ଏବଂ ମାଲିକାଣୀ ଘରେ ନାହିଁ । ସମଗ୍ର ଭାରତବାସୀ ମହାରାଷ୍ଟ୍ର ସରକାର ଏବଂ ମୁମ୍ବେଇ ପୋଲିସର ଏପରି ଅନୀତି ଢଙ୍ଗରଙ୍ଗ ବହୁତ ଦିନରୁ ଲକ୍ଷ କରିଆସୁଛନ୍ତି । ପ୍ରଥମେ ସୁଶାନ୍ତ ସିଂ ରାଜପୁତ୍ର ମ୍ୟାନେଜର୍ ଦିଶା ସାଲିୟାନ୍ର କେସ୍ ହତ୍ୟା ନା ଆତ୍ମହତ୍ୟା ଭଲରେ ତଦନ୍ତ କଲେନାହିଁ । ମନେମନେ ଆତ୍ମହତ୍ୟା କହି ଫାଇଲ୍ ବନ୍ଦ କରିଦେଲେ । ପରେ ସେହି ଫାଇଲ୍ କମ୍ପୁଟର୍‌ରୁ ଆପେଆପେ ନା ଭୁଲ୍‌ବସତଃ ଲିଭିଗଲା ବୋଲି କହି ପଲ୍ଲା ଝାଡିଦେଲେ । ବିହାର ପୋଲିସ୍ ଅଫିସରଙ୍କୁ କ୍ୱାରାଂଟାଇନ୍‌ରେ ରଖି ସୁଶାନ୍ତର ହତ୍ୟାଜନିତ ପ୍ରମାଣପତ୍ର ନଷ୍ଟ କରିବାକୁ ମାଫିଆମାନଙ୍କୁ ଭରପୁର୍ ସମୟ ସୁଯୋଗ ଦେଲେ । ପାଞ୍ଚ ପାଞ୍ଚଟା ଡାକ୍ତରଙ୍କୁ ହାତକରି ରାତି ଅଧରେ ପୋଷ୍ଟମଟମ୍ ସାରି ସବୁ ପ୍ରମାଣ ରଫାଦଫା କରିଦେଲେ । ଏବକାର ବନ୍ଦିନୀ କନ୍ୟା ରିୟାକୁ ସରଳ ଓ ନିଷ୍କପଟ ଝିଅକହି ସମସ୍ତ ସରଳ ଜନତାଙ୍କୁ ଅନ୍ଧାରରେ ରଖିଲେ । ସଞ୍ଜୟ ରାଓତ୍ କହିଲେ ଯେ ତା ବାପା ସହ ସୁଶାନ୍ତର ଆଦୌ ଭଲ ସମ୍ପର୍କ ନଥିଲା । ସେ ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ । ଭଉଣୀମାନେ କେହି ସୁଶାନ୍ତକୁ ପଚାରିଲେନି ବୋଲି ରିୟା ବିଚାରି ତାର ସେବା ସୁଶ୍ରୁଷା କରି ବଞ୍ଚେଇଥିଲା । କେତେକେତେ ମନଗଢା ସିନେମା ଗପପରି ମନରୁ ଛନ୍ଦିଛାନ୍ଦି ସମସ୍ତଙ୍କୁ ଆଈମା କାହାଣୀ ଶୁଣେଉଥିଲେ, ଏବେ ମନେପଡିଲେ ଲଜ୍ଜା ଲାଗେ । ଏସବୁ ପରେ ସେମାନେ ପ୍ରତିକ୍ରିୟାଶୀଳ ହୋଇ କରୋନା କାଳରେ ସତ୍ୟର ସପକ୍ଷେରେ ଛିଡା ହୋଇଥିବା କଙ୍ଗନାର ଅଫିସରେ ବୁଲ୍‌ଡୋଜର୍ ଚଳେଇବା, କୋଟିକୋଟି ଟଙ୍କାର ଘରକରଣା ଜିନିଷ ସହ ଆସବାବ ପତ୍ର ଭାଙ୍ଗିରୁଜି ଚୁର୍‌ମାର୍ କରିଦେବା ଘଟଣାରୁ ଜଣାପଡୁଛି ଯେ ମହାରାଷ୍ଟ୍ର ସରକାର ଏବଂ ପୋଲିସ୍ ସମ୍ପୂର୍ଣ୍ଣ ରୂପରେ ମାଫିଆ ଏବଂ ଡ୍ରଗ୍ ପେଡାଲର୍‌ଙ୍କ ସପକ୍ଷରେ ଛିଡା ହୋଇଛନ୍ତି । ଏପରିକି ହାଇକୋର୍ଟର ନିଦ୍ଧେର୍ଶକୁ ମଧ୍ୟ ମରାଠା ଅଧିକାରୀ ମାନଙ୍କ ଆଦୌ ଖାତିର ନାହିଁ ।

ଏବେ ମହାରାଷ୍ଟ୍ରରେ ଶିବସେନା, ଏନ୍ସିପି ଓ କଂଗ୍ରେସ ତିନିଦଳର ତ୍ରୀଶଂକୁ ଗଠବନ୍ଧନ ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ନାଁକୁ ଖାଲି ଚୌକି ମାଡି ବସିଛନ୍ତି, କିନ୍ତୁ ପ୍ରକୃତ ମୁଖିଆ ହେଲେ ଶରତ ପାୱାର ଏବଂ ସଞ୍ଜୟ ରାଓତ୍ । କଂଗ୍ରେସ ଦଳର ନେତୃବୃନ୍ଦ ଏବଂ କେନ୍ଦ୍ରନେତା ଅନ୍ଧ ମୁକ ବଧୀର ପରି ତାମସା ଦେଖି ନିଜର ଭାଗ ବାଣ୍ଟି ନେଉଛନ୍ତି । ସାଧାରଣ ଜନତା ହଇରାଣ । ବିଜେପି ମୁଖ୍ୟ ବିରୋଧିଦଳ ହିସାବରେ ବହୁତ ବିଧାୟକଙ୍କୁ ଧରି ବସିଛି । କିନ୍ତୁ ପ୍ରଭାବହୀନ ପରି ଲାଗୁଛି । କେବଳ ଫଡନ୍‌ବିଶ୍‌ଙ୍କର ଦୁଇମିନିଟିଆ ବାଇଟ୍ ମଝିରେ ମଝିରେ ଟିଭିରେ ଦେଖିବାକୁ ମିଳୁଛି । ଏବେ ଯେତେଯେତେ କଥା ସବୁ ମୁମ୍ବେଇ ବିଷୟରେ ଲୋକଲୋଚନକୁ ଆସୁଛି, ଏସବୁ ରାତାରାତି ହୋଇଯାଇନି । ଏମାନେ ଅନାଦି କାଳରୁ ଏଠି ଅଛନ୍ତି, ନିଜର ଶାସନ ଚଳେଇ ଆସୁଛନ୍ତି । ବିଶ୍ଲେଷଣ କଲେ ଜାଣିହେବ ଜଣେ ସଫଳ ଅଭିନେତା ଅଭିନେତ୍ରୀ ବା ଗାୟକ ଗାୟୀକା ହଠାତ୍ ଗାୟେବ୍ ହୋଇଯାଆନ୍ତି । ତାଙ୍କୁ ଜୀବନ ଜୀବିକା ଧରି ଚଳିଲା ପରି କାମ ବି ମିଳେନା । ତେଣୁ କେମିତି କହିବା ମୁମ୍ବେଇ ସହରରେ କଳାର ବିଶେଷ ଆଦର ରହିଛି ବୋଲି ! ସଦାବେଳେ ଏଠି ମାଫିଆରାଜ୍ । ବହୁ ଯୁବା ନୂତନ ଅଭିନେତ୍ରୀଙ୍କୁ ରେବ୍ ପାର୍ଟିକରି ବାଲ୍କୋନିରୁ ଠେଲାଯାଇ ଆତ୍ମହତ୍ୟା ରୂପ ଦିଆଯାଏ । ଏଥିରେ ମୁମ୍ବେଇ ପୋଲିସ୍ ଏବଂ ନେତାମାନଙ୍କ ସହଯୋଗ ମିଳେ । ଏଥର କିନ୍ତୁ ଏକ ନୂଆ ଟିଭିଚ୍ୟାନେଲ୍ ଆର୍‌ ଭାରତ ଏବଂ ରିପବ୍ଲିକ୍ ଇଣ୍ଡିଆ ସବୁ ଖବର ଛାଡିଛୁଡି ମହାରାଷ୍ଟ୍ର ସରକାର, ମହାରାଷ୍ଟ୍ର ପୋଲିସ୍ ଏବଂ ଡ୍ରଗ୍ ମାଫିଆଙ୍କ ପଛରେ ପଡିଗଲା । ପଛେପଛେ ଆଉ ଦୁଇତିନିଟା ଗଣମାଧ୍ୟମ ସେହିପଥ ଅନୁସରଣ କରିବାରୁ ସୁଶାନ୍ତ କେସ୍ ଦିନୁଦିନ ଜଟ୍ଟିଳ ହୋଇ ଶେଷରେ ଏବେ କେନ୍ଦ୍ର ଅଧିନସ୍ଥ ସିବିଆଇ ବିଭାଗ ତଦନ୍ତ କରୁଛି । ଅବଶ୍ୟ ଆମଦେଶ ଏହା ପୂର୍ବରୁ ବହୁ ସିବିଆଇ ତଦନ୍ତ ଦେଖିଛି, ଅଧିକାଂଶ ତଦନ୍ତରେ ଫଳାଫଳ ଶୂନ । ମଝିରେମଝିରେ ଲାଲୁ ଭଳି ଲୋକଙ୍କୁ ଭିତରେ ପୁରେଇ ଇଜ୍ଜତ ବଞ୍ଚେଇ ରଖିଥିବାରୁ ଏବେ ବି ଲୋକେ କହୁଛନ୍ତି ସିବିଆଇ ତଦନ୍ତ ହେଉ । କିନ୍ତୁ ଆମ ଚିଟ୍‌ଫଣ୍ଡ କଥା ଦେଖନ୍ତୁ । ଜମାକାରୀ ଅପେକ୍ଷା କରିକରି ଈହଧାମ ତ୍ୟାଗ କରୁଛନ୍ତି ସିନା କିନ୍ତୁ ଟଙ୍କା ଫେରସ୍ତ ମିଳୁନି । ଯେଉଁ ନେତା ଦି ତିନିମାସେ ମାମୁଁଘର ଗଲେ, ନିଜନିଜ ପୁଅକୁ ବିଧାୟକ ଜିତେଇ, ରାଜନୈତିକ କ୍ଷେତ୍ରର ଦାୟିତ୍ୱ ହସ୍ତାନ୍ତର କରି ଏବେ ପଘାଛିଣ୍ଡା ଷଣ୍ଢପରି ବଜାର ସାରା ନିଶରେ ଘିଅମାରି ବୁଲୁଛନ୍ତି । ତେଣୁ ନୂଆନୂଆ ଏବେ ତଦନ୍ତରେ ଗତି ଅଛି । ତଦନ୍ତ ପ୍ରକ୍ରିୟାର ଛୋଟମୋଟ ଖବରପାଇ ଲୋକମାନେ ଖୁସିରେ ବିଭୋର ହୋଇହୋଇ ଅଳ୍ପ ଦିନପରେ ବୋର୍ ହୋଇଗଲେ ସେମାନେ ଶୋଇଯିବେ, ତାପରେ ଅଧିକାରୀ ଶୋଇଲେ । ମାଫିଆଙ୍କୁ ଦମନକରିବା କଣ ଛୋଟିଆ କଥା !

ମୁମ୍ବେଇ ସହରକୁ ଭାରତର ଅର୍ଥନୈତିକ ଦୃଷ୍ଟିରୁ ରାଜଧାନୀ କହିଲେ ଅତ୍ୟୁକ୍ତି ହେବନାହିଁ । ପ୍ରତ୍ୟେକ ରାଜ୍ୟର ଲୋକ ଏଠି ବସବାସ କରୁଛନ୍ତି । କଳାକାର ହିସାବରେ ଯେଉଁମାନେ ସେମାନଙ୍କର ନିଜନିଜ କ୍ଷେତ୍ରିୟ ସହରରେ ଭଲ କରୁଛନ୍ତି ସେମାନେ ମୁମ୍ବେଇ ଆସି ବଢିବାର ସ୍ୱପ୍ନ ଦେଖୁଛନ୍ତି । ଏହି ସହରରେ ମରାଠି ମାନଙ୍କ ସଂଖ୍ୟା ଯେତିକି ମରାଠି କହିପାରୁନଥିବା କି ବୁଝିପାରୁନଥିବା ଲୋକଙ୍କ ସଂଖ୍ୟା ଅଧିକ । ତେଣୁ ସୁଶାନ୍ତ ସିଂ ରାଜପୁତ୍ର ହତ୍ୟା ହେଉ କି ଆତ୍ମହତ୍ୟା ହେଉ, ଏ ଘଟଣାକ୍ରମରେ ମହାରାଷ୍ଟ୍ର ସରକାର ଏବଂ ମହାରାଷ୍ଟ୍ର ପୋଲିସ ଯେଉଁଭଳି ଭାବେ ନାଟକ କଲେ, ତାହା ଦେଖି ସମସ୍ତେ ଏବେ ଧିରେଧିରେ ବିଶ୍ୱାସ କରିବାକୁ ବାଧ୍ୟ ହେଉଛନ୍ତି ଯେ ଡ୍ରଗ୍‌ମାଫିଆମାନେ ହେଲେ ମହାରାଷ୍ଟ୍ର ସରକାରଙ୍କ ପୋଷ୍ୟପୁତ୍ର । ତାଙ୍କର ପଞ୍ଝାରୁ ମୁମ୍ବେଇକୁ ରକ୍ଷାକରିବାକୁ ହେଲେ ସହରକୁ କେନ୍ଦ୍ର ଶାସିତ ଅଂଚଳ କରିବା ଦିଗରେ ପ୍ରଚେଷ୍ଟା କରାଯିବା ଉଚିତ୍ । କାରଣ ଆଜିର ମନୋଭାବ ନେଇ ମହାରାଷ୍ଟ୍ର ସରକାର କେବେହେଲେ ବାହାରରାଜ୍ୟରୁ ଆସିଥିବା ନାଗରିକଙ୍କୁ ନ୍ୟାୟ ଦେବାରେ ସଫଳ ହେବନାହିଁ । ସେସବୁ ବାହାର ଲୋକଙ୍କ ବିନା ବି ମୁମ୍ବେଇକୁ କଳ୍ପନା କରିବା କଠିନ । ଅମିତାଭ୍ ବଚ୍ଚନ ବିନା ମୁମ୍ବେଇକୁ କିଏ ଭଲ ପାଇବ ! ସିଏ ତ ମରାଠି ନୁହେଁ । ସାହାରୁକ୍ ଖାନ୍ ବି ଦିଲ୍ଲୀରୁ ଆସିଛନ୍ତି । ନିଜେ ବଢିବା ସଙ୍ଗେ ସଙ୍ଗେ ସେମାନେ ମୁମ୍ବେଇର ବି ମାନସମ୍ମାନ ବିଶ୍ୱ ଦରବାରରେ ବୃଦ୍ଧି କରିଛନ୍ତି । ତେଣୁ ସେହିପରି ଲୋକମାନଙ୍କ ଚିଠା ତ ବହୁତ ଲମ୍ବା । ତାଙ୍କୁ ସବୁ ସହରରୁ ବାହାର କରିଦେଲେ ମୁମ୍ବେଇ କଣ ବଞ୍ଚିବ ! ଆଜି ଉଚ୍ଚନ୍ୟାୟାଳୟକୁ ଅବମାନନା ହୋଇଛି, କାଲି ସର୍ବୋଚ୍ଚ ନ୍ୟାୟାଳୟକୁ ଏମିତି କରିପାରନ୍ତି । କେନ୍ଦ୍ର ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣକଲେ ଜନସାଧାରଣଙ୍କ ମନରେ ଆମର ସାର୍ବଭୌମତା ଏବଂ ଗଣତନ୍ତ୍ର ପଦ୍ଧତି ଉପରେ ବିଶ୍ୱାସ ଦୃଢିଭୂତ ହେବ ।

ଲୋକପ୍ରିୟ ଲେଖା

To Top