ପ୍ରବନ୍ଧ

ଅଙ୍କଲଗ୍ନା

Alankar Acharya's odia prose Ankalagnaa

ଶିଶୁ କନ୍ୟାଟି ପ୍ରତି ସମସ୍ତଙ୍କର ‘ଆହା’ ପଦ ଭିତରେ ଯେ ତା’ର ପିତୃପରିଚୟ, ଜନ୍ମ ସମ୍ବନ୍ଧିତ ପ୍ରଶ୍ନ, ତା’ର ଆକସ୍ମିକତାରେ ଆଗମନୀର ଶୁଭ ବା ଅଶୁଭ ସେଙ୍କତ ଆଦି କୁତ୍ସ ଚିନ୍ତାଧାରା ସବୁ ଯେ ବଢ଼ିଚାଲୁଥିଲା ତାହା ଜନକ ବେଶ୍ ବୁଝିପାରୁଥିଲେ ।

ଅଙ୍କଲଗ୍ନା

ଆକାଶର ଧୂସର-ଧୂସାଭ ଦିଗନ୍ତରେ ଅଂଶୁମାନ କେତେକାଳରୁ ବିଦାୟ ନେଲେଣି । ତାଙ୍କର ହା- ହୁତାଶମୟ ରୁକ୍ଷତାରେ ବୁଭୁକ୍ଷିତ ଧରିତ୍ରୀ ବକ୍ଷରେ କିନ୍ତୁ ତଥାପି ଅସ୍ତରା ଗର ଅରୁଣିମା ବିଞ୍ଚି ହୋଇ ପଡ଼ିଥିଲା । ଚୈତ୍ର-ଚନ୍ଦ୍ରୋଦୟର ମାହେନ୍ଦ୍ର ଲଗ୍ନକୁ ଉପଭୋଗ କରିବା ନିମିତ୍ତ ସମଗ୍ର ମିଥିଳା ନଗରୀରେ ଯେପରି କେହି ନଥିଲେ, ଚତୁର୍ଦ୍ଧିଗରେ ଘେରି ରହିଥିଲା ଏକ ଶୀତଳ-ଉଦାସୀନତା, ନୀରବ-ନିର୍ଜନ୍ନତା । ନଦୀତଟରୁ ଶୁଭୁନଥିଲା ସମବେତ ଋଷିମଣ୍ଡଳିଙ୍କ ସନ୍ଧ୍ୟା ପ୍ରାର୍ଥନା କିମ୍ବା ଦେବାଳୟରୁ ଭାସିଆସୁନଥିଲା ଆରତୀ ରାଗିଣୀ । ଶସ୍ୟକ୍ଷେତ୍ରରୁ କୃଷକର ପ୍ରତ୍ୟାବର୍ତ୍ତନ ଜନୀତ କ୍ଲାନ୍ତି ନଥିଲା, ହଜିଯାଇଥିଲା ଧେନୁ ଓ ଗୋପାଳମାନଙ୍କର ଗୋଧୂଳି-କୋଳାହଳ । ଏଭଳି ଏକ ଦୁର୍ଦ୍ଧିନ ପୁଣି ତା ଙ୍କ ରାଜ୍ୟକୁ ଯେ ଶ୍ରୀହନ କରିଦେବ ଏହାକୁ ବିଶ୍ୱାସ କରିପାରୁନଥିବା ଶିରଧ୍ୱଜ ଜନକ ଧିର ପଦପାତରେ ଚନ୍ଦ୍ରଶାଳ ମଧ୍ୟକୁ ପ୍ରବେଶ କଲେ । ସେତେବେଳକୁ ଦୂରାକାଶରେ ଚନ୍ଦ୍ରମା ଖୁବ୍ ଉଚ୍ଚକୁ ଉଠିଗଲେଣି । ମୃତ ମନୁଷ୍ୟର ଖର୍ପର ଭଳି ଦିଶୁଥିବା ଜହ୍ନକୁ ଏକ ଲୟରେ ଚାହିଁରହିଥିଲେ ରାଣୀ ସୁନୟନା । ସେ ତଯେପରି ସେ ଛାୟାଲୋକରେ ପ୍ରବେଶକରି ଦେଖୁଥିଲେ ଆଗତ ଭବିଷ୍ୟତର ଭୟଭୟତା ଗୁଡ଼ିକୁ ।

ଜନକତାଙ୍କର ନିକଟବର୍ତ୍ତୀ ହେବାର ସଙ୍କେତ ପାଇଥିଲେ ମଧ୍ୟ ସେ ନିଶ୍ଚଳ ଦେବମୂର୍ତ୍ତି ନ୍ୟାୟରେ ଦଣ୍ଡାୟମାନ ଥିଲେ । ରାତ୍ରି ଯେତେ ଯେତେ ଗଭୀର ହେଉଥିଲା ଜନକଙ୍କ ମନରେ ଥିବା ପ୍ରଶ୍ନବାଚୀ ଚିହ୍ନ ସେତେ-ସେତେ ଲମ୍ବିଲମ୍ବି ଚାଲୁଥିଲା । ଦୀର୍ଘ ଦ୍ୱାଦଶ ବର୍ଷ ଧରି ସେ ଓ ତାଙ୍କ ପ୍ରଜାଗଣ ଭୋଗିଚାଲୁଥିବା ଦୁର୍ଭିକ୍ଷର ଦାରୁଣାଘାତରେ ମ୍ରିୟମାଣ ପ୍ରିୟତମା ସୁନୟନାଙ୍କ ନୀଳକମଳ ସମ ନେତ୍ରରେ ଅଶ୍ରୁର ଅବାରିତ ଧାରା ଯେମିତି ତାଙ୍କ ଭିତରେ ଥିବା ସମସ୍ତ ଅବଶିଷ୍ଟ ଧୈର୍ଯ୍ୟ, ଆଶା ଓ ଅଭୀପ୍ସାର ବନ୍ଧକୁ ଛିନ୍ନ-ଭିନ୍ନ କରିବାକୁ ବସିଥିଲେ । ଦ୍ୱିତୀୟ ବିବାହର ପ୍ରସ୍ତାବ କୁ ଶେଷଥର ପାଇଁ ପ୍ରତ୍ୟାଖ୍ୟାନ କରିବାକୁ ପୂର୍ଣ୍ଣ-ପ୍ରାଣରେ ଉଦ୍ୟତ ଜନକ ନିଜ ଅର୍ଦ୍ଧାଙ୍ଗିନୀଙ୍କ ଅସ୍ପଷ୍ଟ-ଓଷ୍ଠା ଧାରର କମ୍ପନ ଦେଖି କିଛି କ୍ଷଣ ଲାଗି ମୌନ ରହିଗଲେ ।

ମିଥିଳାରେ ଦୀର୍ଘ ବର୍ଷ ଧରି ନିଜର ଏକଛତ୍ରବାଦୀ ଶାସନ ଚଲାଉଥିବା ଦୁର୍ଦମନୀୟ ଦୁର୍ଭିକ୍ଷ ପାଇଁ ଯେ ପରୋକ୍ଷରେ ତାଙ୍କ ନିଶ୍ୱ-ଶୂନ୍ୟ କୋଳକୁ ନାନା ଟୀକା-ଟିପ୍ପଣୀର ସାମ୍ନା କରିବାକୁ ପଡ଼ୁଛି ତାହା ଶିରଧ୍ୱଜଙ୍କୁ କିମ୍ବା ଅନ୍ୟ ଯେ କୌଣସି ରାଜନ୍ୟବର୍ଗଙ୍କୁ ଉତ୍ତମରୂପେ ଅବଗତ ଥିଲେ ମଧ୍ୟ କେହି ଏହାର ସ୍ଥାୟୀ ସମାଧାନର ମାର୍ଗଟିକୁ ଆବିଷ୍କାର କରିପାରିନାହାନ୍ତି ଏଯାବତ୍ । ତାହା କ’ଣ ସମ୍ଭବ ? ନିୟତି ଠାରୁ ଜୋରଜବରଦସ୍ତ କରି କିଛି ଛଡ଼ାଇଆଣିବା ଯେ ଏକ ଦୁରୂହ ବ୍ୟାପାର ଏ ହା ରାଜା ଠାରୁ ପ୍ରଜା ବେଶ ଭଲଭାବେ ସମସ୍ତେ ଜାଣିଥିବା ସତ୍ତ୍ୱେ, ପ୍ରତିକୂଳ ପରିସ୍ଥିତିର ଚାପରେ ଅନ୍ଧବିଶ୍ୱାସକୁ ଆଶ୍ରା କରିନେଇ ଆଉ କିଛିଦିନ ବଞ୍ଚିଯିବାକୁ ଯେମିତି ସମସ୍ତେ ତତ୍ପର ଥିଲେ । ଜନକଙ୍କ ପରବର୍ତ୍ତୀ ପିଢ଼ିର ଉତ୍ତରାଧିକାରୀ ଭାବେ ଉଭୟ ଦମ୍ପତିଙ୍କର ସନ୍ତାନ ଉତ୍ପାଦନରେ ଅସମର୍ଥତାକୁ ରାଜ୍ୟରେ ଅମଙ୍ଗଳ ସୂଚକ ଏକ ଗ୍ରହ- କୂଟ ବୋଲି ସମସ୍ତେ ଧିରେ ଧିରେ ବିଚାର କରିବାକୁ ଲାଗିଥିଲେ । ଯାହାର ପ୍ରକୋପରେ ଶସ୍ୟ- ଶ୍ୟାମଳା ମିଥିଳାର କୃଷି କ୍ଷେତ୍ର ହାରଇଛି ନିଜର ଉର୍ବରତା, ସୁନାବ୍ୟା-ପୂଣ୍ୟତୋୟାଗଣ ହରାଇଛନ୍ତି ନିଜର ଆର୍ଦ୍ରତା । ଆଉ ରାଜ୍ୟରେ କ୍ରମଶଃ ଅକାଳ-ରାକ୍ଷସୀ ବିସ୍ତାର କରି ଚାଲୁଛି ତା’ର କରାଳ-କାୟା । ସୁନୟନା ବହୁପୂର୍ବରୁ ବାରମ୍ବାର ଗୁହାରି କରିଛନ୍ତି ଶିରଧ୍ୱଜଙ୍କ ନିକଟରେ ଦ୍ୱିତୀୟ ପତ୍ନୀ ଗ୍ରହଣ କରି ତା’ ଦ୍ୱାରା କୂଳ-ରତ୍ନ ପ୍ରାପ୍ତିକରି ଓ ଦୁର୍ଭିକ୍ଷର ଅନ୍ତ କରିବାକୁ, ମାତ୍ର ଶିରଧ୍ୱଜ ପ୍ରତିଥର ତାଙ୍କୁ ସାନ୍ତ୍ୱନା ଦେବା ସହ ଦ୍ୱିତୀୟ ବିବାହ ଭଳି ଏକ ପ୍ରଥାକୁ ସ୍ୱୀକୃତି ଦେଇନାହାନ୍ତି ସର୍ବା ନ୍ତକରଣରେ । ପ୍ରତିଥର ତାଙ୍କ ଧାରଣା ଅଧିକରୁ ଅଧିକ ବଳବତ୍ତର ହୋଇଛି ଯେ ସେ ଜଣେ ରାଜର୍ଷି ହିସାବରେ ଉଭୟ ରାଜକାର୍ଯ୍ୟ ଏବଂ ଆଧ୍ୟାତ୍ମିକ ଜୀବନ ମଧ୍ୟରେ ଉତ୍ତମ ଯୋଗସୂତ୍ର ରକ୍ଷାକରି ଜୀବନ ଅତିବାହିତ କରିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ସେହି ପରିପ୍ରେକ୍ଷୀରେ ସେ କଦାପି ନିଜର ଦୁଃଖ-କଷ୍ଟ ଲାଘବ ନିମିତ୍ତ ସ୍ୱାର୍ଥପର କାମନା ପୋଷଣ କରିନାହାନ୍ତି ଅଥଚ ସେହି ଧାରାରେ ମିଶାଇ ଦେଇଛନ୍ତି ନିଜ ପରିବାରର ପ୍ରତ୍ୟେକଟି ସଦସ୍ୟଙ୍କୁ । ସୁନୟନାଙ୍କ ସମେତ ଅନୁଜ କୁଶଧ୍ୱଜ ଏବଂ ଭାତୃବଧୂ କୃପାୟନୀ ତାଙ୍କ ଆଧ୍ୟାତ୍ମ ଜୀବନ ରୂପି ପାଦପର ଗୋଟିଏ ଗୋଟିଏ ଶକ୍ତ ଶାଖା ଯାହାର ଅନୁପସ୍ଥିତିରେ ଶିରଧ୍ୱଜ ସ୍ୱୟଂ ଅପୂର୍ଣ୍ଣ ରହିଯିବେ ପଛେ ସେ ସ୍ଥାନ ପୂରଣ କରିବାକୁ ଆଉ କାହାକୁ ନିୟୋଜିତ କରିପାରିବେ ନାହିଁ । ଜନକ ଏବଂ ସୁନୟନା ଉଭୟ ଉଭୟଙ୍କୁ ନିମେଷ ପାତ ବର୍ଜିତ ନୟନରେ ଦେଖୁଥିଲେ । ଦୁହିଁଙ୍କ ଅପାଙ୍ଗ ଅଶ୍ରୂପୂର୍ଣ୍ଣ ଥିଲା । ଉଭୟ ସାଧାରଣ ମାନବ ଭଳି ପାର୍ଥିବ ଯଶ-ଐଶ୍ଚର୍ଯ୍ୟ, ଧନ-ସମ୍ପତ୍ତି ବା ପ୍ରତିପତ୍ତିର ମୋହରେ ଆବଦ୍ଧ ନଥିଲେ । ଅମୃତ ତତ୍ତ୍ୱରେ ସଦାସର୍ବଦା ନିମଜ୍ଜିତ ଥିବା ଦୁଇ ପ୍ରା ଣୀଙ୍କ ପାଇଁ ଜୀବନର ସ୍ୱତନ୍ତ୍ର ଆଦର୍ଶ ଥିଲା । ଜୀବନର ପରିଭାଷା ମଧ୍ୟ ଥିଲା ସ୍ୱତନ୍ତ୍ର – ଅତିମାନସିକ ଏ ବଂ ଆଧ୍ୟାତ୍ମିକ । ଏକ ପଟରେ ପାରିବାରିକ ଜୀବନର ସମସ୍ୟା ଏବଂ ଅନ୍ୟ ପଟରେ ପ୍ରଜାଙ୍କର ଦୁର୍ଦ୍ଧଶା, ଯାହା ତାଙ୍କ ବିଚାରରେ ବୃହତ୍ ସାମାଜିକ ସମସ୍ୟା ହୋଇ ମୁଣ୍ଡ ଟେକିଥିଲା । ଯେତେବେଳେ ଦେଖାଯାଏ କୌଣସି ବ୍ୟକ୍ତି ସମାଜର ଜଡ଼ତା, ରୂଢିବାଦ, ପ୍ରାକୃତିକ-ବିପତ୍ତି ବା ଅମାନବୀୟ ନୀତିନିୟ ମ ବିରୁଦ୍ଧରେ ଲଢ଼ୁଛି, ସେତେବେଳେ ସେହି ବ୍ୟକ୍ତି ‘ ମୁଁ ’ ଏବଂ ‘ ମୋର’ କ୍ଷୁଦ୍ର ସ୍ୱାର୍ଥରୂପକ ବୃତ୍ତ ମଧ୍ୟରେ ଆବଦ୍ଧ ରହିପାରେନାହିଁ । ଠିକ୍ ସେହିପରି ଜନକଙ୍କ ବର୍ତ୍ତମାନ ବିଶ୍ୱକଲ୍ୟାଣ ଦିଗରେ ଆତ୍ମନିବେଶ କରିବାକୁ ଲାଗିଛି । ରାଜ୍ୟ-କୋଷରୁ ଧନ-ରତ୍ନ ଶସ୍ୟରାଶି ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ସବୁର ଆକଳନ କରି ସେ ସବୁକୁ କିପରି ସମଭାଗରେ ପ୍ରଜାମାନଙ୍କ ମଧ୍ୟରେ ବଣ୍ଟନ କରାଯିବ ସେ ନେଇ ବିଶେଷ ସଂଘଟନ ତାଙ୍କଦ୍ୱାରା ଗଠିତ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ରାଜକୋଷରେ ବ୍ୟାପକ କ୍ଷୟ ତାଙ୍କ ଚିନ୍ତାକୁ ଅତିମାତ୍ରାରେ ବଢ଼େଇଦେଇଛି । ଜଳଦାନରେ ପ୍ରକୃତିର କୁଣ୍ଠା କ୍ରମଶଃ ଅପପୁଷ୍ଟି, ଅନାହାର ମୃତ୍ୟୁ ଆଦି ଭୟଙ୍କର ଅବସ୍ଥା ସବୁକୁ ଜନ୍ମ ଦେବାରେ ଲାଗିଲାଣି । ଅବଶ୍ୟ ପଡ଼ୋଶୀ ରାଜ୍ୟମାନଙ୍କର ସୁ-ସମର୍ଥନ ମିଥିଳା ସହ ସର୍ବଦା ରହିଆସିଛି, ମାତ୍ର କେତେ ଦିନ ? ଭୂମିର ପ୍ରତ୍ୟୁତ୍ପନ୍ୟତା ତଥା ଜଳଧାରଣ କ୍ଷମତା ଉପରେ ରାଜ୍ୟର ଉନ୍ନତି ନିର୍ଭରଶୀଳ । ମାତ୍ର ଯେଉଁଠି ପ୍ରକୃତିର ଏତେ ବଡ଼ ବିମୂଖତା ସେଠି ମାନବର କୃତ୍ତିତ୍ୱ କ’ଣ !

ଦେବାରଧନା, ଯଜ୍ଞ ଇତ୍ୟାଦି କରି ଇନ୍ଦ୍ରାଦି ଦିଗପାଳଙ୍କୁ ସନ୍ତୁଷ୍ଟ କରିହେବ କି ନା ସେ ନେଇ କୂଳ-ପୁରୋହିତ, ମୁନିଋଷି କୌଣସି ସ୍ପଷ୍ଟିକରଣ ଦେଇପାରୁନଥିବା ସ୍ଥଳେ ଏତାଦୃଶ କର୍ମରେ ପ୍ରୟୋଜିତ ଶସ୍ୟ, ପୁଷ୍ପ-ଫଳ, ଜଳ, ଘୃତ ଆଦି ପୂଜାଦ୍ରବ୍ୟକୁ ଯଜ୍ଞସ୍ଥଳରେ ସ୍ୱାହା କରିଦେବା ଅଥବା ପ୍ରସ୍ଥର-ପ୍ରତିମାର ଅଭିଷେକ ଢ଼ାଳି ଦେବା ଭଳି ମାନସିକତା ଜନକଙ୍କ ଭିତରେ ଅାଦୌ ନଥିଲା । କାରଣ ସେ ବୁଝିପାରୁନଥିଲେ ଦ୍ରବ୍ୟର ପ୍ରକୃତ ମୂଲ୍ୟାଙ୍କନ ଏବଂ ପ୍ରୟୋଜନ କ’ଣ, ସେ ପୁଣି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ । ସତର୍କ ପ୍ରହରୀ ଭଳି ସର୍ବଦା ଜାଗ୍ରତ ରହୁଥିବା ଶିରଧ୍ୱଜ କିନ୍ତୁ ସେଦିନ ଅସହାୟ ବୋଧ କରୁଥିଲେ । ଅବିଶ୍ରାନ୍ତ ଅଶ୍ରୁ ଝରାଇ ଝରାଇ ନିଦ୍ରା ଗଲେ ରାଣୀ ସୁନୟନାଙ୍କର ଶୟନକକ୍ଷରେ ।

ରାତ୍ରିର ଅନ୍ତିମ ପ୍ରହର, କିରଣୋଜ୍ୱଳ ଉଷାଦେବୀଙ୍କ ଆଗମନକୁ ଚାହିଁରହିଛି ତାରକୋଜ୍ଜଳା ମହା-ନିଶା ନିଦ୍ରା-ବିଭୂତ ଜନକଙ୍କ ନେତ୍ରପଟରେ ସ୍ୱପ୍ନାଲୋକର ଅଙ୍କୁରୋଦ୍‌ଗମ । ନିଦ ତୁଟିଲା ବେଳକୁ ତାଙ୍କୁ ମନେହେଲା ଚେତନାରେ ଯୁଗାନ୍ତର ଘଟିଯାଇଛି । ସେ ଯାହା ଦେଖିଲେ ସ୍ୱପ୍ନ ରୂପରେ, ତାହା ବାସ୍ତବତା ଠାରୁ ଯେମିତି ବହୁଗୁଣ ଅଧିକ ବାସ୍ତବ-ଚତୁର୍ଦ୍ଧିଗରେ ନୀଥର ନୀଳ-ଜଳର ମହାର୍ଣ୍ଣବ, ତା’ରି ଉପରେ ଭାଷମାନ ଅବସ୍ଥାରେ ଠିଆ ହୋଇଛି ବିଶାଳ ମେରୁ, ସହସ୍ରପଂଣ ଅହିକୁ କୌଶଳ କ୍ରମେ ବନ୍ଧା ଯାଇଛି ରଜ୍ଜୁ ରୂପେ ଏବଂ ଉଭୟ ପାଶ୍ୱର୍ରୁ ଦୁଇ ଗୋଟି ଗୋଷ୍ଠି ସେହି ମହାସାଗରକୁ ମନ୍ଥନ କରିବା କ୍ରିୟାରେ ନିୟୋଜିତ ଅଛନ୍ତି । ଏକ ପାଖରେ ଆସ୍ତିକବୋଧ, ସ୍ୱସ୍ତି, ଶୁଭ ଙ୍କରୀ ଶକ୍ତି ରହିଥିବା ବେଳେ ଅନ୍ୟ ପାଖେ ନାସ୍ତିକବୋଧ, ଆତଙ୍କବାଦ ଭଳି ଆସୁରୀ ଶକ୍ତିବଳ ପ୍ରୟୋଗ କରୁଛି । ଉଭୟଙ୍କ ମିଳିତ ପ୍ରଚେଷ୍ଟାରେ ସମ୍ଭବ ହୋଇପାରିଛି ଏତେ ବିଶାଳ ସାଗରର ମନ୍ଥନ । ଧିରେ ଧିରେ ନିଷ୍କମ୍ପ-ନିଃଶବ୍ଦ ହୋଇଆସୁଛି ସିନ୍ଧୂ । ମହାରାତ୍ରୀର ଅବଗୁଣ୍ଠନ ଭେଦକରି ଏକ ମୃଦୁ ଗୁଞ୍ଜନର ଶଙ୍ଖଧ୍ୱନି । ଚୈତନ୍ୟର ସରୋବରରୁ ପ୍ରଳୟ ସିନ୍ଧ୍ୱକୁ ପ୍ରତିହିତ କରି ମୁକୁଳି ଆସୁଛି ଭାବକମଳ । ‘ଶ୍ରୀ’ ଆବିର୍ଭାବର ସେହି ମାହେନ୍ଦ୍ରଲଗ୍ନକୁ ହୃଦୟରେ ଧାରଣକରି ଆନନ୍ଦ-ମଥିତ ମହାର୍ଣ୍ଣବ ବକ୍ଷରେ ପସ୍ଫୁଟିତ ହେଉଛି ଦିବ୍ୟସୁଗନ୍ଧିଯୁକ୍ତ ରକ୍ତପଦ୍ମ । ପଦ୍ଦ୍ୟୁତିରେ ଜ୍ୟୋତିସ୍ମାନ ଦିଶୁଛନ୍ତି ଦେବଗଣ, ଦୈତ୍ୟମାନଙ୍କ କାଳିମା ପ୍ରତିହିତ ଦେବୀଙ୍କ ପରିପ୍ରଭାରେ । ଏବଂ ସେହି କ୍ଷଣି କନକୋଜ୍ଜ୍ୱାଳା ପରମ୍ବିକାଙ୍କ କରୁଣା-କଟାକ୍ଷ ହଠାତ୍ ରାଜର୍ଷୀ ଜନକଙ୍କ ଉପରେ ନିକ୍ଷିପ୍ତ ହେଲା । ସ୍ୱପ୍ନାବସ୍ଥାରେ ସେ ଦୃଷ୍ଟି ଏତେ ପ୍ରଖର ଥିଲା ଯେ ଜନକଙ୍କ ଚକ୍ଷୁ ଉନ୍ମୀଳିତ ହୋଇଗଲା ।

ତପନ ତାଙ୍କର ତାପିତ ଜ୍ୱାଳାରେ ର୍ଭୂବଲୋକକୁ ଦଗ୍ଧ କରିବା ପୂର୍ବରୁ ଜନକ ତୀବ୍ର ଅଶ୍ୱ ଚାଳନା କରି ପହଞ୍ଚିଯାଇଥିଲେ ଚର୍ମନ୍ୱତୀ ନଦୀତଟରେ ବାସ କରୁଥିବା ଯାଜ୍ଞବଲ୍କ୍ୟଙ୍କ ଆଶ୍ରମରେ । ଜନକଙ୍କ ମନରେ ଗତ ରାତିର ସ୍ୱପ୍ନକୁ ନେଇ ଉଠିଥିବା ବିକ୍ଷିପ୍ତ ଚିନ୍ତା ସବୁକୁ ଏକାଠି କରି ସେ ସବୁଙ୍କୁ ପରିସ୍ଥତିର ସମାଧାନ ସୂତ୍ର ରୂପେ ଜନକଙ୍କୁ ଅବଧାରଣା କରାଇଲେ ରାଜଗୁରୁ ଯାଜ୍ଞବଲ୍କ୍ୟ । ଆଶ୍ୱସ୍ତିର ତିଳକ ଧାରଣ କରି, ନିୟତି ଚକ୍ରର ବୀପରିତ ଦିଶାରେ ନିଜ ସହ ପ୍ରକୃତିକୁ ଗମନ କରିବାକୁ ଇଚ୍ଛା ପୋଷଣ କରିଥିବା ଜନକ ପ୍ରଜାଗଣ ଏବଂ ଅନ୍ୟାନ୍ୟ ରାଜନ୍ୟବର୍ଗଙ୍କ ଗ୍ରହଣରେ ଯଜ୍ଞ ପୁରୋଧା ସତାନନ୍ଦଙ୍କୁ ମାଧ୍ୟମ କରି ନିଜର ଉଦ୍ବୋଧନ ପ୍ରଦାନ କଲେ । ବୈଶାଖ ଶୁକ୍ଳ ତୃତୀୟାର ପବିତ୍ର ପ୍ରତ୍ୟୁଷରୁ ପ୍ରଜା-ରାଜା ସମସ୍ତେ ଏକାକାର ହୋଇ ମିଥିଳା କୃଷିକ୍ଷେତ୍ରର ସାମୁହକ-କୃଷିକରଣ କାର୍ଯ୍ୟରେ ମନୋନିବେଶ କଲେ । ରାଜପରିଚ୍ଛେଦ ତ୍ୟାଗ କରି ପୂର୍ଣ୍ଣ ରୂପେ ରାଜ-କିରିଟୀର ଅହଂକାର ମୁକ୍ତ ହୋଇ ଜନକ ଭୂମି କର୍ଷଣ କ୍ରିୟା ଦ୍ୱାରା ପୃଥ୍ୱୀ ଓ ଆକାଶର ମିଳନ ଲାଗି ତତ୍ପର ଥିଲେ । ସ୍ୱପ୍ନ ତାଙ୍କୁ ପ୍ରତି ମୁହୂର୍ତ୍ତରେ ସଂଗ୍ରାମମୟ ଜୀବନ ଏବଂ କର୍ତ୍ତବ୍ୟ ସମ୍ପାଦନା ପ୍ରତି ଶତମୂଖ କରିଦେଉଥିଲା । କର୍କଶ ଭୂମିରେ ସୀତର ତୀକ୍ଷ୍ଣ ଧାର ଗାର ପକେଇ ଆଗକୁ ବଢ଼ୁଥାଏ । ସତେ ଯେମିତି ମିଥିଳା ରାଜ୍ୟର ହସ୍ତେରଖା ଅନିଶ୍ଚିତ ଦୁର୍ଭାଗ୍ୟର ଚୌହଦକୁ ପାର କରିବାକୁ ବଦ୍ଧ ପରିକର । ବିତିଯାଇଛି ଷଷ୍ଠ ଦିବସ, ପ୍ରଜାଗଣ ଭାଳିବାକୁ ଲାଗିଲେଣି ଜନକଙ୍କ ଏତାଦୃଶ କର୍ମ ଆଉ ପ୍ରକୃତି ବିରୁଦ୍ଧରେ ଷଡ଼ଯନ୍ତ୍ର ନୁହଁତ ! ନା ଏହା ତାଙ୍କ ବିକୃତ ମାନସିକତା । ସମସ୍ତଙ୍କ ମନରେ ଅସୀମାହିତ ପ୍ରଶ୍ନରାଶି ଉଙ୍କିମାରୁଥିବା ସତ୍ତ୍ୱେ କିନ୍ତୁ ଜନକ ଏବଂ ସୁନୟନାଙ୍କ ତୀବ୍ର ଆସ୍ତିକବୋଧର ଉତ୍ସାହ ଆଗରେ ସମସ୍ତେ ମୂକ ପାଲଟି ଯାଉଥିଲେ । ନବମୀ ଚନ୍ଦ୍ରଙ୍କ କ୍ଷୀଣ ଜ୍ୟୋସ୍ନାରେ ସାମାନ୍ୟ ଶୀତଳତା ଲାଭ କରି ଦିବସର କ୍ଲାନ୍ତ – ଅବସନ୍ନ ଦେହକୁ ବୀଦେହର ଭୂମିରେ ଲୋଟିବାକୁ ନଦେଇ ରକ୍ତକ୍ଷରା ପଦପାତରେ ସ୍ୱେଦ ଜର୍ଜରୀତ ହସ୍ତରେ ଶେଷକୁ ଜନକ ନଜେ ହଳ କରିବା ଆର ̧ କରିଦେଇଥିଲେ ।

ସୀତ ମୂନ ଅଟକିଯାଇଛି କୌଣସି କଠିନ ବସ୍ତୁର ସଂସ୍ପର୍ଶରେ । ଉତ୍କଣ୍ଠା ବଢ଼ଚାଲିଛି । କୁଶଧ୍ୱଜଙ୍କ ସ୍ୱଳ୍ପ ପ୍ରୟାସରେ ଭୂମି ମଧ୍ୟରୁ ସମୁତ୍ଥିତ କ୍ଷୁଦ୍ର ପେଟିକାକୁ ଖୋଲି ଧରିଛନ୍ତି କୃପାୟନୀ । ଚତୁର୍ଦ୍ଧିଗରେ ଖେଳିଯାଇଛି ଦିବ୍ୟକମଳର ମଧୂଗନ୍ଧ । ସ୍ତବ୍ଧ-ଚକିତ ସମସ୍ତେ । ପେଟିକା ମଧ୍ୟରେ ଉଦ୍ଭାନଶାୟୀ କନ୍ୟା-ସନ୍ତାନ । ଶିଶୁ କନ୍ୟାଟି ପ୍ରତି ସମସ୍ତଙ୍କର ‘ଆହା’ ପଦ ଭିତରେ ଯେ ତା’ର ପିତୃପରିଚୟ, ଜନ୍ମ ସମ୍ବନ୍ଧିତ ପ୍ରଶ୍ନ, ତା’ର ଆକସ୍ମିକତାରେ ଆଗମନୀର ଶୁଭ ବା ଅଶୁଭ ସେଙ୍କତ ଆଦି କୁତ୍ସ ଚିନ୍ତାଧାରା ସବୁ ଯେ ବଢ଼ିଚାଲୁଥିଲା ତାହା ଜନକ ବେଶ୍ ବୁଝିପାରୁଥିଲେ । ସମାଜର ନିମ୍ନ ମନୋଭୂମିରେ ଜାତ ସ୍ୱଭାବତଃ ସଂକୀର୍ଣ୍ଣ – ନୀଚ ଚେତନା ସବୁକୁ ଉଦ୍ଧ୍ୱର୍ମୂଖୀ କରିଦେଇ ଜନକ ବାତ୍ସଲ୍ୟପୂର୍ଣ୍ଣ ହୃଦୟରେ ‘ଅଙ୍କଲଗ୍ନା’ କଲେ ଶିଶୁକନ୍ୟାକୁ । ସେହି କ୍ଷଣରେ ମିଥିଳା ଗଗନରେ ବିପୁଳାୟତନ ମଧ୍ୟରେ ସଞ୍ଚରିତ ହେଲା ବହଳ-ମେଘମାଳା । ଚପଳାର ବିଦ୍ୟୁତପ୍ରଭାରେ ଜନକ ଦେଖୁଛନ୍ତି କନ୍ୟାର ମୂଖଶ୍ରୀ । ତା ନେତ୍ରରେ ଆଦ୍ୟ-ଆଷାଢ଼ର ନୀଳାଞ୍ଜନ, ଅଧରରେ ଅମୃତର ଅନ୍ୱେଷା ଏବଂ ହସ୍ତ-ପଦରେ କମଳର ସମ୍ଭାବନା । ମାଟି-ଆକାଶର ଗୁପ୍ତମିଳନର ମାଧ୍ୟମ ସାଜି ଝରିପଡ଼ୁଥିଲା ଅବିଶ୍ରାନ୍ତ ବର୍ଷା । ଆନନ୍ଦାପ୍ଲୁତ ପ୍ରଜା, ଜଳପ୍ଲାବିତା ତଟିନୀ, ରଜସ୍ୱଳା ପୃଥିବୀ ମାତା । ସନ୍ତପ୍ତା ଧରା ଆଜି ଧନ୍ୟା, ଅନନ୍ୟାର ପାଦଯୁଗଳକୁ ଧାରଣକରି, ଯାହାକୁ ଦିନେ ଜନକ ଆଙ୍କିଥିଲେ ଇରମ୍ମଦର ରଙ୍ଗରେ ମାନସପଟ୍ଟିକା ଉପରେ ଆକାଂକ୍ଷାର ତୂଳୀ ନେଇ ।

ଭୂମି-ମଙ୍ଗଳର ଅବଧାରିକା, ସ୍ୱପ୍ନମାନସର ସୃଜନିକା, ଭୂମିଜାକୁ ଆତ୍ମଜା ରୂପେ ପାଳନକରି ଉତ୍ତମ-ଶିକ୍ଷା, ସଂସ୍କାର, ଜନ୍ମଗତ ଅଧିକାର, ଲାଳନ ପାଳନ ଏବଂ ନୀରୂପ ଭଲପାଇବା ଦେଇ ସୁସ୍ଥ ସମାଜର ମୁକୁର-ବିମ୍ବ ରୂପେ ବଢ଼େଇବାର ଦୃଢ଼ ସଂକଳ୍ପ ନେଇ ଶିରଧ୍ୱଜ-ଜନକ “ସୀତା”ଙ୍କୁ ଅର୍ପଣ କଲେ ସୁନୟନାଙ୍କ ମମତାସିକ୍ତ ଅଙ୍କ ମଧ୍ୟକୁ ।

ଲୋକପ୍ରିୟ ଲେଖା

To Top