ମୁଁ, ହଁ ମୁଁ ସେଇ ଅପ୍ରସ୍ଫୁଟିତ କଳିକା, ଯିଏ ପ୍ରସ୍ଫୁଟିତ ହେବା ପୂର୍ବରୁ, ସୂର୍ଯ୍ୟର ପ୍ରଥମ କିରଣ ପଡ଼ିବାର ବହୁପୂର୍ବରୁ ବନ୍ଦ ହୋଇଯାଏ । ବହୁତ ଚେଷ୍ଟା କରିଚି ମୁଁ ନିଜ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ । ମୋ ଅନ୍ତର୍ନିହିତ ପ୍ରତିଭାରେ ସାରା ବିଶ୍ୱକୁ ଆଲୋକର ଏକ ନୂତନ କିରଣ ଦେବା ପାଇଁ, ନିଜ ପ୍ରତି ହେଉଥିବା ଅନ୍ୟାୟ, ଅବିଚାରର ପ୍ରତିରୋଧ କରିବା ପାଇଁ । କିନ୍ତୁ ଏ ପୁରୁଷ ପ୍ରଧାନ ସମାଜର କୁତ୍ସିତ, କଳଙ୍କିତ ପ୍ରଥା ଆଗରେ ମୁଁ ଆଜି ହାରି ଯାଇଛି । ପଛରେ ପଡ଼ିଯାଇଛି ଆମର ସାମାଜିକ ସଚେତନତା, ସରକାରୀ ଯୋଜନା ଆଉ ପାଶ୍ଚାତ୍ୟ ଜ୍ଞାନ କୌଶଳ । କାରଣ ଆଜି ବି ମୁଁ ସବୁଠାରେ ଅବହେଳିତ, ନିସ୍ପେଷିତ ।
କିନ୍ତୁ କାହିଁକି ?? ନାରୀ ବିନା ଏ ସୃଷ୍ଟି ଅସମ୍ଭବ । ଏହା ଜାଣି ମଧ୍ୟ କାହିଁକି ଏ ନାରୀର ସମ୍ମାନକୁ କ୍ଷୂର୍ଣ୍ଣ କରାଯାଉଛି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମୋର ଆବଶ୍ୟକତା ଦରକାର କରୁଛ । କିନ୍ତୁ ମୁଁ ହିଁ ତୁମ ଦୃଷ୍ଟିରେ ନ୍ୟୁନ ହୋଇଯାଉଛି । ହାରିଯାଇଛି ସିନା ହାରମାନିନି ମୁଁ । ଜାରି ରଖିଚି ମୁଁ ମୋ ସଂଘର୍ଷ ଶରୀରର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ । ଆଉ ମୋର ଦୃଢ଼ ବିଶ୍ୱାସ ମୁଁ ନିଶ୍ଚୟ ସଫଳ ହେବି । ମନେରଖ ଏ ନାରୀ ଯଦି ସୃଷ୍ଟି କାରିଣୀ ମା’, ସେ ମଧ୍ୟ ସଂହାରକାରିଣୀ ଦୁର୍ଗା । ତା’ ବିନା ଏ ସୃଷ୍ଟିର କଳ୍ପନା ଅସମ୍ଭବ । ମୋର ଆଶା ଆପଣମାନେ ମଧ୍ୟ ମୋର ଏ ସଂଘର୍ଷରେ ସାମିଲ୍ ହେବେ ମୋ ସହିତ ।