ପ୍ରବନ୍ଧ

ଅସ୍ତମିତ ରବି ଆଜି ଆକାଶର ତାରା

Nishikanta Padhi's odia prose Astamita Rabi Aaji Aakaashara Taaraa

ଓଡିଆ ଭାଷାକୁ ବଞ୍ଚାଇବାକୁ ଯାଇ ସେ ଇଂରାଜୀ ନାମଫଳକ ଉପରେ କଳାବୋଳା ଅଭିଯାନ ଚଳାଇଥିଲେ । ସେ ଥିଲେ ଏକମାତ୍ର ନେତା ଯେ କି ସୁପ୍ରିମକୋର୍ଟର ବିଚାରପତିଙ୍କ ବିରୁଦ୍ଧରେ ତଦନ୍ତ କମିଟି ବସାଇଥିଲେ ।

ଅସ୍ତମିତ ରବି ଆଜି ଆକାଶର ତାରା

ସ୍ୱର୍ଗତ ରବି ରାୟଙ୍କର ଦିବଙ୍ଗତ ଆତ୍ମା ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ମାଟିର ମଣିଷଟିଏ ସେ । କାଳେ କାଳେ ତାର ଅଭିପସା ଅସୀମତାକୁ ସ୍ପର୍ଶକରିବା ପାଇଁ । ବୃହତ୍ତର ଜୀବନ ବୃଥାରେ ନିଜକୁ ମିଶେଇ ଦେବା ପାଇଁ । ବିଶାଳ ଜନସମୁଦ୍ରରେ ବୁଡମାରି ନିଜର ଆତ୍ମପରିଚୟ ଖୋଜିବା ପାଇଁ । ଏଇତ ତାର ଜୀବନର ପୂର୍ଣ୍ଣତା ସଫଳତାର ଇତିବୃତ୍ତି । ଏରୁଣ୍ଡିରୁ ଶ୍ମଶାନ ଯାଏ । ଜନ୍ମରୁ ମୃତ୍ୟୁ ଯାଏ । ଜୀବନଟା ସତେ କେତେଟା ବୟସର ମାଇଲଖୁଣ୍ଟ । ତାରି ଭିତରେ କଲା କର୍ମମାନଙ୍କର ହିସାବ ନିକାଶ ହୁଏ । ଜୀବନର ଜଟିଳ ଜ୍ୟାମିତି ସବୁ ଖୋଜାହୁଏ । ଲାଭ କ୍ଷତିର ଅଙ୍କ ସବୁ ମିଶାଣ, ଫେଡାଣ, ହରଣ, ଗୁଣନ ଭିତରେ କଷା ଚାଲେ । ସଫଳତା ଆଉ ବିଫଳତାର ସ୍ୱାଦକୁ ଅନୁଭବ କରିହୁଏ । କେତେ ସାର୍ଥକ ସତେ ଏ ଜୀବନ । ଦେଖିବା ଶୁଣିବା ଲୋକେ କଳନା କରନ୍ତି । କେତେ କଥା କେତେ ସ୍ମୃତି ସବୁ କିମ୍ବଦନ୍ତୀ ପାଲଟିଯାଏ । ଇତିହାସ ବି ଲେଖାହୁଏ । ସମୟର ପୃଷ୍ଠା କଡ ଲେଉଟାଏ । ସ୍ମୃତିର କାନଭାସ୍ ଉପରେ କର୍ମ ସାଧନାର ବହୁ ବିଚିତ୍ର ବର୍ଣ୍ଣାଳୀର ଚମତ୍କାର ଚିତ୍ରପଟ ମାନ ଆଙ୍କି ହୋଇଯାଏ । ଉତ୍ତର ପିଢି ଦେଖେ । ମୁଗ୍ଧ ଚକିତ ହୁଏ । ବାହାବା କରେ । ନିଜ ପାଇଁ ରାହା ଖୋଜେ । ଉଦାହରଣ ଭରା ଇତିହାସକୁ ସେ ଅନୁସରଣ କରେ । ସେଇ ଆଦର୍ଶର ଆଲୋକମୟ ସରଣୀରେ ସେ ନିଜେ ଚାଲିପାରିବ ତ ? ? ଅନୁଚରିତ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ ହୋଇଉଠେ ପ୍ରାଣରେ । ଏକ ବିଚିତ୍ର ଆତ୍ମ ମଗ୍ନତାରେ ଅନ୍ତର୍ଚେତନା ଆଛନ୍ନ ହୁଏ । ଆଗରେ ଦିଶିଯାଉ ଥାଏ ଦିଗ୍ବଳୟର ଧୂଆଁ ଧାରରେ କ୍ରମଶଃ ଅପସରି ଯାଉଥିବା ଆଲୋକର ଜ୍ୟୋତି ପିଣ୍ଡଟି ।

ସେଇ ମାଟିର ମଣିଷ ରବି ରାୟ । ଓଡିଶା ମାଟିର ଜଣେ ତୁଙ୍ଗ ନେତା । ଅବିସମ୍ବାଦିତ ଜାତୀୟ ନେତା । ଭାରତୀୟ ସଂସଦର ଗଣତନ୍ତ୍ର କ୍ଷେତ୍ରରେ ଏକ ଅନନ୍ୟ ତଥା ଅବିସ୍ମରଣୀୟ ବ୍ୟକ୍ତିତ୍ୱ । ଜଣେ ସ୍ୱାଧୀନତା ସଂଗ୍ରାମୀ । କୁଶଳୀ ରାଜନେତା, ବିଚକ୍ଷଣ କୁଟନୀତିଜ୍ଞ । ନିରପେକ୍ଷ ବାଚସ୍ପତି ଏବଂ ସର୍ବୋପରି ଏକ ସ୍ୱାଭିମାନୀ, ଗାନ୍ଧୀବାଦୀ ମଣିଷ ଭାବେ ଶ୍ରୀଯୁକ୍ତ ରାୟ ଡକ୍ଟର ରାମ ମନୋହର ଲୋହିଆଙ୍କର ଚିନ୍ତାଧାରାରେ ଅନୁପ୍ରାଣୀତ ରବି ରାୟ ସମଗ୍ର ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଛନ୍ତି । ଶ୍ରୀଯୁକ୍ତ ରାୟ ପୁରୀ ଜିଲ୍ଲା ଅନ୍ତର୍ଗତ ଭଅଁରଗଡର ଘନଶ୍ୟାମ ରାୟ ପିତାମ୍ବର ମହାପାତ୍ରଙ୍କର ତୃତୀୟ ପତ୍ନୀ ସୂୁନାମଣି ଦେବୀଙ୍କର କୋଳଛଡା ପୁଅ ଭାବେ ଭୂମିଷ୍ଠ ହୁଅନ୍ତି ୧୯୨୬ ମସିହା ନଭେମ୍ବର ୨୬ ତାରିଖରେ । ଶ୍ରୀଯୁକ୍ତ ରାୟ ଜଣେ ନିର୍ଭୀକ ନିଷ୍କଳୁଷ ଦେଶସେବକ, ଦୃଢମନା ମଣିଷ ତଥା ଜଣେ ନୀରବ କର୍ମଯୋଗୀ । ଆଜି ସେ ଏକାନବେ ବର୍ଷ ବୟସରେ ଆମଠାରୁ ବିଦାୟ ନେଇଛନ୍ତି । ତାଙ୍କର ପାର୍ଥିବ ଶରୀର ଆଜି ଆମ୍ଭମାନଙ୍କ ପାଖରେ ଆଉ ଉପଲବ୍ଧ ହେବନାହିଁ । ହେଲେ ଅସ୍ତମିତ ରବି ଯେ ସବୁଦିନ ପାଇଁ ଆକାଶରେ ଏକ ଉଜ୍ୱଳ ତାରାଟିଏ ହୋଇ ଝଲସୁ ଥିବେ । ତାଙ୍କର ଆଦର୍ଶ, କର୍ମ ତଥା ତ୍ୟାଗ ସମଗ୍ର ଦେଶବାସୀଙ୍କୁ ଦେଶସେବା ପାଇଁ ଅଫୁରନ୍ତ ପ୍ରେରଣା ଓ ଉତ୍ସାହ ଯୋଗାଉ ଥିବ । ଜଣେ ନିଃସଙ୍ଗ ପଥଚାରୀ ତଥା ସ୍ଥିତପ୍ରଜ୍ଞ ପରି ରବି ରାୟ ଆନନ୍ଦ, ବିଷାଦ, ଜୟ ପରାଜୟ ପ୍ରତି ଯେପରି ବୀତସ୍ପୃହ ମନୋଭାବ ପ୍ରଦର୍ଶନ କରି ଏକ ଉଦାର ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିଛନ୍ତି ତାହା ଭାରତ ବର୍ଷର ଗୌରବମୟ ଇତିିହାସକୁ ନିଶ୍ଚୟ ରୁଦ୍ଧିମନ୍ତ କରୁଥିବ ।

ସେ ଦିନ ଅଣରାଜନୈତିକ ସଂଗଠନ ‘ଲୋକଶକ୍ତି ଅଭିଯାନ’ ପ୍ରତିଷ୍ଠା ସମୟରେ ରବି ରାୟ ଉଦ୍ଘୋଷଣା କରିଥିଲେ –

“ଅଗର ସଚ୍ କହନା ବଗାୱତ୍ ହୈ,
ତୋ ସମଝୋ ହମଭି ବାଗୀ ହୈ”

ଏହାର ଅର୍ଥ ସତ କହିବା ଯଦି ବିଦ୍ରୋହ ହୁଏ, ତେବେ ମୁଁ ବି ବିଦ୍ରୋହୀ । ରାଷ୍ଟ୍ର ଗଠନରେ ଯୁବଶକ୍ତିକୁ ଏକୀଭୁତ କରିବା ପାଇଁ ରବି ରାୟଙ୍କର ଉପରୋକ୍ତ ଆହ୍ୱାନ ଜାତୀୟ ସ୍ତରରେ ଦିନେ ଆଲୋଡନ ସୃଷ୍ଟିକରିଥିଲା । ସ୍ଥିତାବସ୍ଥା ବିରୁଦ୍ଧରେ ଯାବତୀୟ ପ୍ରତିକୂଳ ସ୍ଥିତି ବିରୁଦ୍ଧରେ କେବେ ସରୁ ନ ଥିବା ଯୁଦ୍ଧର ସେ ଥିଲେ ଏକାକୀ ଅପରଜୟ ସେନାପତି । ସେ ସମାଜବାଦ ଆତ୍ମ ଦୀକ୍ଷାରେ ଥିଲେ ଅଭିମନ୍ତ୍ରିତ ସନ୍ୟାସୀ । ସ୍ୱାଭିମାନର ତେଜମୟ ସୂର୍ଯ୍ୟ । ଅସ୍ତାଚଳରେ ବି ସେ ଉଦୟଗାମୀ । ମୃତ୍ୟୁ ବିଜୟୀ ……. ମୃତ୍ୟୁଞ୍ଜୟୀ ।

ଋବି ରାୟ ଏକାଧାରରେ ଥିଲେ ରେଭେନସାର ଛାତ୍ର ସଂଗଠନର ସଭାପତି, ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି, ସର୍ବ ଭାରତୀୟ ସମାଜବାଦୀ ଯୁବକ ସଂଘର ଯୁଗ୍ମ ସଂପାଦକ, ଲୋକସଭା ସାଂସଦ, ରାଜ୍ୟସଭାର ପ୍ରତିନିଧି, କେନ୍ଦ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ, ଲୋକସଭାର ବାଚସ୍ପତି, ଲୋକଶକ୍ତି ଅଭିଯାନର ପ୍ରତିଷ୍ଠାତା, ଲୋକସଭାରେ ଶୂନ୍ୟକାଳର ପ୍ରବର୍ତ୍ତକ ତଥା ଜଣେ ଓଡିଆ ଭାଷାପ୍ରେମୀ । ଓଡିଆ ଭାଷାକୁ ବଞ୍ଚାଇବାକୁ ଯାଇ ସେ ଇଂରାଜୀ ନାମଫଳକ ଉପରେ କଳାବୋଳା ଅଭିଯାନ ଚଳାଇଥିଲେ । ସେ ଥିଲେ ଏକମାତ୍ର ନେତା ଯେ କି ସୁପ୍ରିମକୋର୍ଟର ବିଚାରପତିଙ୍କ ବିରୁଦ୍ଧରେ ତଦନ୍ତ କମିଟି ବସାଇଥିଲେ ।

ରବି ରାୟ, ଭାରତୀୟ ସଂସଦର ପ୍ରଥମ ଓଡିଆ ବାଚସ୍ପତି । ଓଡିଶାର ଗର୍ବ ଓ ଗୌରବ । ଶ୍ରୀଯୁକ୍ତ ରାୟଙ୍କର କର୍ମଭୂମି ଓଡିଶାର ପୁରୀ ଜିଲ୍ଲାର ଭଅଁରାଗଡରୁ ଭାରତର ପାର୍ଲାମେଣ୍ଟ ଯାଏ ପ୍ରଲମ୍ବିତ । ରାୟଙ୍କର ସମଗ୍ର ଜୀବନକାଳ ରାଜନୈତିକ ତଥା ସାମାଜିକ ସ୍ୱଛତା ପ୍ରତିଷ୍ଠା ଦିଗରେ ଉତ୍ସର୍ଗୀକୃତ । ମୂଲ୍ୟବୋଧ ଆଦର୍ଶ ଭିତ୍ତିକ ଜୀବନଚର୍ଯ୍ୟା ମଧ୍ୟରେ ସେ ଭାରତର ପାର୍ଲାମେଣ୍ଟରେ ମାନ୍ୟବର ବାଚସ୍ପତି ଆସନ ଅଳଙ୍କୃତ କରି ପାରିଥିଲେ । କେନ୍ଦ୍ର ସରକାରରେ ବହୁ ମର୍ଯ୍ୟାଦା ବନ୍ତ ରାଜନୀତିକ ପ୍ରତିଷ୍ଠାର ଅଧିକାରୀ ହୋଇପାରିଥିଲେ । ନେହେରୁ, ଲୋହିଆ, ସୁରେନ୍ଦ୍ର ଦ୍ୱୀବେଦୀ ତଥା ଜୟପ୍ରକାଶ ନାରାୟଣଙ୍କ ପରି ମହାଜନନାୟକଙ୍କ ସହିତ ମିଶି ସେ ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କ ମାନବିକ ଚେତନାର ଉତ୍ତରଣ ପ୍ରକ୍ରିୟାରେ ବ୍ୟକ୍ତି ବିଶ୍ୱ ଓ ବର୍ହି ବିଶ୍ୱ ଏକୀଭୁତ ହୁଅନ୍ତି ଗୋଟିଏ ନିର୍ଦ୍ଧିଷ୍ଟ ଭାବଭୂମିରେ । ତାହା ଥିଲା ତାଙ୍କର ମାନବ ସଂପ୍ରୀତି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସବୁ ମଣିଷକୁ ଭଳ ପାଇବାର ଯାହାଙ୍କ ପ୍ରାଣତନ୍ତ୍ରୀରେ ସ୍ୱରାୟିତ ହୋଇଥିଲା । ମଣିଷ ଜାତି ପାଇଁ ଯାହାର ହୃଦୟର ସ୍ପନ୍ଦନ କର୍ମର ଗୀତି ଗାଉଥିଲା ତାହା ଆଜି ଚିରଦିନ ପାଇଁ ବୋଧେ ବନ୍ଦ ହୋଇଗଲା ।

ରବି ରାୟ ଥିଲେ ଗାନ୍ଧୀବାଦୀ ମଣିଷ । ତାଙ୍କ ମତରେ ଗାନ୍ଧୀବାଦ ଜଣେ ବ୍ୟକ୍ତିର ସୁଚିନ୍ତିତ ମତବାଦ ନୁହେଁ କି କୌଣସି କଳ୍ପନାର ରୂପରେଖ ନୁହେଁ । ଗାନ୍ଧୀବାଦ ହେଉଛି ଅଗଳିତ, ଦଳିତ, ପତିତ, ପୀଡିତ ମାନବାତ୍ମାର ମତବାଦ । ଏହା କେବଳ ଭାରତୀୟ ଗଣମାନସର ନିଦର୍ଶନ ନୁହେଁ । ସାରା ବିଶ୍ୱ ମାନସର ଯଥାର୍ଥ ପରିଚୟ । ଗାନ୍ଧୀଜୀ ଜଣେ ରକ୍ତ ହାଡ ମାଂସର ଶରୀରଧାରୀ ମଣିଷ ଥିଲେ ମଧ୍ୟ ତାଙ୍କର ଚିନ୍ତା, ଚେତନା, ଆଦର୍ଶ ତଥା କର୍ମ ଆଜି ସାରାବିଶ୍ୱବାସୀଙ୍କୁ ଅନୁପ୍ରାଣୀତ କରିଛି । ଗାନ୍ଧୀବାଦର ପ୍ରତିଷ୍ଠା ସତ୍ୟ, ଧର୍ମ, ନ୍ୟାୟ ଓ ଅହିଂସା ଓ ପ୍ରେମ ଉପରେ ପର୍ଯ୍ୟବେସିତ । ଏହି ମତବାଦରେ ଇର୍ଷା ନାହିଁ ଛନ୍ଦ ନାହିଁ, ପରଶ୍ରୀକାତରତା ନାହିଁ କି କପଟତା ନାହିଁ । ଏ ମତବାଦ ପ୍ରତ୍ୟେକ ମଣିଷର ମଙ୍ଗଳ କାମନା କରେ । ରବି ରାୟ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ନିରନ୍ତର ମଣିଷର ମଙ୍ଗଳ କଥା ଚିନ୍ତାକରୁଥିଲେ । ସେ ଚାହୁଁଥିଲେ ଜାତି-ବର୍ଣ୍ଣ-ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ମଣିଷର ହୃଦୟ ଭାତୃ ଭାବରେ ଭରିଉଠୁ । ଶୋଷିତ, ପିଡୀତ, ଅବିଚାର ବିଦଳିତ ମାନବାତ୍ମା ମୁକ୍ତି ପାଉ ତଥା ଦ୍ୱନ୍ଦ କବଳିତ ବିଶ୍ୱରେ ଶାନ୍ତିର ବାତାବରଣ କିପରି ଫେରିଆସୁ ।

ସ୍ୱର୍ଗତ ମହାମାନବାତ୍ମା ରବିବାବୁ ଓଡିଶାବାସୀଙ୍କର ଦୁଃଖରେ ବହୁବାର ସାମିଲ୍ ହୋଇଛନ୍ତି । ବହୁ ନଦ ନଦୀ, ସମୁଦ୍ର ଜଙ୍ଗଲ, ପାହାଡ, ଜନପଦ ସମତଳ ଭୂଇଁ ପରିବେଷ୍ଟିତ ଓଡିଶା ବାସ୍ତବରେ ଅପରୂପ ସୌନ୍ଦର୍ଯ୍ୟରେ ମହିମାମୟୀ ହେଲେ ହେଁ ଗୋଲାପରେ କଣ୍ଟା ଭଳି ବନ୍ୟା ବାତ୍ୟା ମରୁଡି ଓଡିଶାର ଚିର ସହଚର । ୧୯୪୫ ମସିହାରେ ଦଳେଇ ଘାଇର ବନ୍ୟା ଥିଲା ଖୁବ୍ ଭୟଙ୍କର ଓ ସର୍ବନାଶୀ । ଶ୍ରୀଯୁକ୍ତ ରାୟ ଲୋକଙ୍କର ଏହି ଚରମ ଦୁର୍ଦ୍ଧିନରେ ରିଲିଫ୍ କାମରେ ନିଜକୁ ଉତ୍ସର୍ଗ କରିଥିଲେ । ନବକୃଷ୍ଣ ଚୌଧୁରୀ ଓଡିଶାର ମୁଖ୍ୟ ମନ୍ତ୍ରୀ ଥିବା ସମୟରେ ସୋସାଲିଷ୍ଟ ପାର୍ଟିର ଗୋଟିଏ ବିରାଟ ବିକ୍ଷୋଭ ଆଣି ରବି ରାୟ ଭୁବନେଶ୍ୱରକୁ ଆସିଥିଲେ । ଏହି ସମୟରେ ସେ ଦୀର୍ଘ ତିନିମାସ କାଳ ଜେଲ ଦଣ୍ଡ ଭୋଗିଥିଲେ । ସେହିପରି ରେଭେନସା କଲେଜରେ ତ୍ରିରଙ୍ଗା ଉତ୍ତୋଳନ କରି ସେ ଜେଲ୍ ଦଣ୍ଡକୁ ମଧ୍ୟ ଆପଣେଇ ନେଇଥିଲେ ।

ସ୍ୱାଧୀନ ଭାରତର ଚତୁର୍ଥ ସାଧାରଣ ନିର୍ବାଚନ । ଓଡିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ପାଇଁ ବିଜ୍ଞପ୍ତି ଜାରି ହୋଇଥାଏ । ରବି ରାୟ ପୁରୀ ନିର୍ବାଚନ ମଣ୍ଡଳୀରୁ ଲୋକସଭା ପାଇଁ ପ୍ରାର୍ଥୀ ହେଲେ । ଲୋକସଭା ନିର୍ବାଚନରେ ଷାଠିଏ ହଜାର ଭୋଟରେ କଂଗ୍ରେସ ପ୍ରାର୍ଥୀ ବିଭୁଧେନ୍ଦ୍ର ମିଶ୍ରଙ୍କୁ ପରାଜିତ କରି ରବିବାବୁ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହେଲେ । ସେଇ ନିର୍ବାଚନରେ କଂଗ୍ରେସର ଅପ୍ରତିଦ୍ୱନ୍ଦୀ ନେତା ବିଜୁ ପଟ୍ଟନାୟକ ପାଟକୁରା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପରାଜୟ ବରଣ କରିଥିଲେ । ଜାନକୀ ବାବୁ ମଧ୍ୟ ସେହି ସମୟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ପରାଜିତ ହୋଇଥିଲେ । ଏହା ଥିଲା ସେତେବେଳର ଭାରତୀୟ ଗଣତନ୍ତ୍ରର ବୈଚିତ୍ର୍ୟ ଓ ବୈଶିଷ୍ଟ୍ୟ । ରବି ରାୟଙ୍କର କର୍ମ ଅଭୀପସାର ଆଲୋକ ଅଭିଯାନ ଆରମ୍ଭ ହେଲା ପୁରୀରୁ ଭାରତର ରାଜଧାନୀ ମହାନଗରୀ ଦିଲ୍ଲୀକୁ । ଭଅଁରାଗଡ ଅରଣ୍ୟର ସବୁଜ ବଳୟ ଭିତରୁ ଭାରତର ପ୍ରାଣକେନ୍ଦ୍ରକୁ । ଯେଉଁ ଦିଲ୍ଲୀ ହଜାର ହଜାର ବର୍ଷର ଇତିହାସର ଗନ୍ତାଘର । କେତେ ଦିଗବିଜୟ କେତେ ଲହୁ ଲୁହ, ଯୁଦ୍ଧ ବିଗ୍ରହ, ବିଶ୍ୱାସ ଅବିଶ୍ୱାସ, ତ୍ୟାଗ ତିତିକ୍ଷା ଆତ୍ମୋତତ୍ସର୍ଗ, ଆନନ୍ଦ ଉଲ୍ଲାସ, ସଫଳତା ବିଫଳତା ଉତଥାନ ପତନର ମୁକସାକ୍ଷୀ ହେଉଛି ଏହି ଦିଲ୍ଲୀ । ସେଇ ଦିଲ୍ଲୀର ପ୍ରାଣକେନ୍ଦ୍ର ପାର୍ଲାମେଣ୍ଟ ଭବନରେ ପାଦ ଥାପିଲେ ସାଂସଦ ରବି ରାୟ । ସ୍ୱାଧୀନ ଭାରତର ଆଶା ଓ ବିଶ୍ୱାସ, ସ୍ୱପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରବି ବାବୁ ଆଗେଇ ଗଲେ କର୍ମ ଯୁଦ୍ଧରେ । ୧୯୮୯ ମସିହାରେ ରବିରାୟ ସର୍ବ ସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ସମ୍ବାଦ ସର୍ବତ୍ର ପ୍ରଚାରିତ ହୋଇଗଲା ଓଡିଶାର ସବୁ ସାଂସଦ ରବି ରାୟଙ୍କୁ ଅଭିନନ୍ଦନ ଜଣାଇଲେ । ନିଜ କୋଠରୀରେ ବିଜୁବାବୁ ରବି ରାୟଙ୍କୁ ପାଞ୍ଚ ମିନିଟ୍ କାଳ କୋଳାଗ୍ରତ କରି ଅଭିନନ୍ଦନ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ନୀଳମଣି ରାଉତରାୟ ମଧ୍ୟ ରବି ରାୟଙ୍କୁ ଖୁବ୍ ଆନନ୍ଦରେ କରମର୍ଦନ କରି ବଧାଇ ଜଣାଇଲେ । ସେ ଦିନ ଦିଲ୍ଲୀ ଦରବାରରେ ଅବହେଳିତ ଓଡିଶା ପାଇଁ ଏହା ଥିଲା ସବୁଠାରୁ ଗୌରବମୟ ସଫଳତା । କିଛିଦିନ ଅନ୍ତେ ରବିବାବୁ ବିଜୁବାବୁଙ୍କ ସହିତ ପ୍ଲେନରେ ଓଡିଶା ଫେରିଲେ । ଏକ ବୃହତ୍ତ ଜନସମୁଦ୍ର ପାଛୋଟି ନେଲା ଓଡିଶାର ଦୁଇ ତୁଙ୍ଗନେତାଙ୍କୁ । ବିଜୁବାବୁଙ୍କ ଭାଷାରେ ରବିରାୟ ଥିଲେ ଜଣେ ମହାନ୍ ଓ ଆଦର୍ଶବାଦୀ ନେତା ତଥା ଭାରତୀୟ ରାଜନୀତିର ଏକ ମାଇଲଖୁଣ୍ଟ । ରବିରାୟଙ୍କ ପରି ଜଣେ ଦେଶପ୍ରେମୀଙ୍କର ଜୀବନ ଅୟମାରମ୍ଭ ହୋଇଥିଲା ଏକ ଅଖ୍ୟାତ ପଲ୍ଲୀର ଏନ୍ତୁଡିଶାଳରୁ, କୁଆଁ କୁଆଁ ଡାକରୁ, ଜଣେ ସରଳ, ନିଷ୍କପଟ ମା’ର ପ୍ରାଣ ସ୍ପନ୍ଦନରୁ । ମୁଗ୍ଧ ଅନୁଭବରୁ । ପ୍ରଗାଢ ଭଲ ପାଇବାରୁ । ଅସରନ୍ତି ବାତ୍ସଲ୍ୟରୁ । ମମତାର ଆଦ୍ୟ ଓଁକାର ଉଚ୍ଚାରଣରୁ । ଗୋଟେ ବିଶ୍ୱାସର ଭାବ ଯାହାର ବ୍ୟାପ୍ତି ଆଜି ମାଟିରୁ ଆକାଶକୁ । ମାଟିର ରବି ରାୟ ଆଜି ଆକାଶର ତାରା । ଅନନ୍ତ ଅସୀମ ଦିଗରେ ଯେଉଁ ଆଲୋକ ଅଭିସାର ସମଗ୍ର ଜୀବନକୁ ଆଜି ଉପାସନା ଭୂଇଁରେ ରୁପାନ୍ତରିତ କରିଦେଇଛି । ସେ ତପସ୍ୟା ଗୋଟିଏ ଆଦର୍ଶର ଗୋଟିଏ ବିଶ୍ୱାସର ତପ ଶ୍ମରଣ । ହିମାଳୟ ପରି ଅନମନୀୟ ଯେଉଁ ନୀତି ଓ ଶୃଙ୍ଖଳାର ଅଚଳାୟନ । ଯେଉଁ ମୂଲ୍ୟବୋଧର ଅନୁରକ୍ତି ସମୁଦ୍ର ଭଳି ଅତଳ ତଳ ସ୍ପର୍ଶୀ ଆକାଶ ଭଳି ମହିମାବନ୍ତ ପୁଣି ପୃଥିବୀ ଭଳି ଦରଦୀ ଓ ସମ୍ବେଦନଶୀଳ, ସେହି ମହା ନାୟକଙ୍କର ଅମର ଆତ୍ମା ପ୍ରତି ଏହି ପ୍ରବନ୍ଧଟି ଦେଶବାସୀଙ୍କର ଗଭୀର ଶ୍ରଦ୍ଧାଞ୍ଜଳୀ ହେଉ । ଏତିକି ଏ ଲେଖକର ବିନମ୍ର ପ୍ରାର୍ଥନା ।

ଓଁ ଶାନ୍ତିଃ ଓଁ ଶାନ୍ତିଃ ଓଁ ଶାନ୍ତିଃ

ଲୋକପ୍ରିୟ ଲେଖା

To Top