ପ୍ରବନ୍ଧ

ଅତିଥିର ହତ୍ୟା

Shri Niranjana Padhi's Odia Prose ATITHIRA HATYAA

ଏ ମର୍ତ୍ତ୍ୟମଣ୍ଡଳରେ ଏକ ଦେହଧାରୀର ଗର୍ଭାଶୟରେ ପ୍ରାଥମିକ ପରିଚୟକୁ ଭ୍ରୁଣ କୁହାଯାଇପାରେ । କେଉଁ ପ୍ରଜାତିର ଭ୍ରୁଣ କେଉଁ ଗର୍ଭାଶୟରେ କେତେ ସମୟ ପର୍ଯ୍ୟନ୍ତ ଅବସ୍ଥାନ କରେ ତାହା ପରସ୍ପର ଠାରୁ ଭିନ୍ନ ।

ଅତିଥିର ହତ୍ୟା

ଭ୍ରୁଣହତ୍ୟା ନାମକ ସମସ୍ୟା ଆମ ସମାଜରେ ଖୁବ୍ ଜଣାଶୁଣା ହେଲେ ବି ବେଶ୍ ସମ୍ୱେଦନଶୀଳ । ଏହା ମନରେ ଯେତିକି ଦୟାଭାବ ସୃଷ୍ଟି କରେ ତତୋଽଧିକ ସୃଷ୍ଟି କରେ ଘୃଣା ଏବଂ ନିଷ୍ଠୁରତା । ଭୌତିକ ଭୟ ସୃଷ୍ଟି କରିବା ସହିତ, ଏହା ଆଧ୍ୟାତ୍ମିକ ଭୟ ମଧ୍ୟ ସୃଷ୍ଟି କରେ । ନୈତିକତା ଦୃଷ୍ଟିରୁ ମଧ୍ୟ ଏହା ଖୁବ୍ ନିମ୍ନ ସ୍ତରର ଏକ ଅମାନବୀୟ ଅପକର୍ମ । ଅତ୍ୟାଧୁନିକ ଉଚ୍ଛୃଙ୍ଖଳ ସମାଜ ବ୍ୟବସ୍ଥା ହୁଏତ, ଏହାକୁ ଆବଶ୍ୟକତାର ଆଟୋପରେ ସମ୍ମାନର ସହିତ ସୁସଜ୍ଜିତ କରିପାରେ । କିନ୍ତୁ ଆପଣାର ଅନ୍ତଃକରଣରେ ଏହା ସତେ ଯେପରି ଏକ ଦୁଷ୍କୃତ କର୍ମର ଦୁଃସହ ଦହନ ।

ଏ ମର୍ତ୍ତ୍ୟମଣ୍ଡଳରେ ଏକ ଦେହଧାରୀର ଗର୍ଭାଶୟରେ ପ୍ରାଥମିକ ପରିଚୟକୁ ଭ୍ରୁଣ କୁହାଯାଇପାରେ । କେଉଁ ପ୍ରଜାତିର ଭ୍ରୁଣ କେଉଁ ଗର୍ଭାଶୟରେ କେତେ ସମୟ ପର୍ଯ୍ୟନ୍ତ ଅବସ୍ଥାନ କରେ ତାହା ପରସ୍ପର ଠାରୁ ଭିନ୍ନ । ଏଠାରେ ଆଲୋଚ୍ୟ ବିଷୟ, ମନୁଷ୍ୟ ଭ୍ରୁଣ ଉପରେ ଆଧାରିତ । ଏହି ଗର୍ଭଧାରଣର ସମୟ ସୀମା ନଅ ଦଶ ମାସ । ମାତୃଗର୍ଭରେ ଥିବା, ଆପାତତଃ ଆଠ ସପ୍ତାହ ବୟସର ଏହି ନବ ସୃଷ୍ଟିକୁ ଅନ୍ୟ ଏକ ଭାଷାରେ ଭ୍ରୁଣ କୁହାଯାଇପାରେ ।

କ୍ଷୟ ହେବା ପ୍ରକ୍ରିୟାରେ କୌଣସି ଏକ ପଦାର୍ଥ ଯେପରି ମୁହୂର୍ତ୍ତ ମୁହୂର୍ତ୍ତ କ୍ଷୟ ହେଉଥାଏ, ଅଭିବୃଦ୍ଧି ପ୍ରକ୍ରିୟାରେ ମଧ୍ୟ ସେମିତି ମୁହୂର୍ତ୍ତ ମୁହୂର୍ତ୍ତ ତା’ର ବୃଦ୍ଧି ଅବିସମ୍ୱାଦିତ । ଗର୍ଭାଶୟର ଅଦୃଶ୍ୟ ଗବୀର ଗଣ୍ଡରେ ଧବଳ ରେତ ବିନ୍ଦୁଟିଏ ରୂପ ମାଧୁର୍ଯ୍ୟର ଛାଞ୍ଚ ନେଉଥିବା ବେଳେ, ମୀନ ସନ୍ତରଣଠାରୁ ଏକ ମୌନ ମଣିଷର ମଣିକାଞ୍ଚନ ଯୋଗଯାଏ, ଏହି ଅଭିନବ ଅଭିବୃଦ୍ଧିର ବିନ୍ୟାସ । ଗାଭିଲୀ ଗର୍ଭାଶୟରେ ଅରୂପ ରୂପ ନିଏ । ନିରାକାର ଆକାର ହୁଏ । ଏକ ଗୁପ୍ତ ଅଥଚ ଚିରଚର୍ଚ୍ଚିତ ରହସ୍ୟ, ରୋମାଞ୍ଚର ସମସ୍ତ ସାର୍ଥକତାକୁ ସଞ୍ଚାଳିତ କରେ । ମାୟାମହଲରେ ମାୟାର ଡେଣା ମେଲେଇ କାୟା ବିସ୍ତାର କରେ । ସେହି କ୍ରମରେ ମାଟିକୁ ଛୁଇଁଲେ ନବସୃଷ୍ଟିର ନିଦ ଭାଙ୍ଗେ । ଏକ ଦୂର ଅଜଣା ରାଜ୍ୟରେ ପରିବର୍ତ୍ତିତ ପାଣିପାଗରେ ଅପରିଚିତମାନଙ୍କର ଗହଣରେ, ସେ ଏକ ଚରମ ଅସହାୟତାର ଅବବୋଧରେ କଇଁକଇଁ ହୁଏ । ନବସୃଷ୍ଟିର ଏହି କଲବଲିଆ କୁଆଁ କୁଆଁ କାନ୍ଦବୋବାଳି ବେଳେ ଅନ୍ୟମାନେ ଖୁସିରେ କୁରୁଳି ଉଠିବା, ବୋଧହୁଏ ତା’ପାଇଁ ଏକ ବିଧି ନିର୍ଦ୍ଦେଶିତ ବିଡ଼ମ୍ୱନା । ତେବେ ସେଇଥିପାଇଁ କ’ଣ ନବାଗତ ଅତିଥି ପର୍ଯ୍ୟାୟକ୍ରମେ ତା’ର ଅସଲ ପରିଚୟକୁ ସ୍ମରଣ କରି ହସି ହସି ପ୍ରତ୍ୟାଗମନ କଲାବେଳେ, ତା’ମନର ଓରିମାନା ମେଣ୍ଟେଇବା ପାଇଁ ଅନ୍ୟମାନଙ୍କୁ ଶୋକ ସାଗରରେ ଉବୁଟୁବୁ କରି ଦେଇଥାଏ । ଭ୍ରୁଣର କ୍ରମବର୍ଦ୍ଧିଷ୍ଣୁ କାୟା ଏ ମାଟିର ମାୟାରେ ମନ୍ତ୍ରମୋହିତ ହୋଇଗଲା ପରେ, ମହକି ଉଠେ ଏହି ସଂସାର ।

ସେ ଏକ ଆଦରଣୀୟ ଅତିଥି । ଆମନ୍ତ୍ରିତ ଅତିଥି । କିଞ୍ଚିତ୍ ଅପମାନ, ତିଳେମାତ୍ର ଅବହେଳା, ସମ୍ୟକ୍ ଅସହଯୋଗ ବିପର୍ଯ୍ୟୟ ସୃଷ୍ଟି କରିବ । କୌଣସି ଏକ ଅପରିଣାମଦର୍ଶୀ ଆଘାତ ଆପେ ଆପେ ଅଭିଶାପରେ ରୂପାନ୍ତରିତ ହୋଇଯିବ । ସେ ଅଭିଶାପ ଦୁର୍ବାସାଙ୍କର ଅଭିଶାପଠାରୁ ଶତ ସହସ୍ର ଗୁଣରେ ଅପରିମେୟ, ଅଲଙ୍ଘ୍ୟ । ଅସାମାନ୍ୟ ଅଙ୍ଗୀକାରବଦ୍ଧତା ନ ଥାଇ ଅତିଥିଙ୍କୁ ଆମନ୍ତ୍ରଣ କରିବା ପ୍ରଳୟକୁ ଆମନ୍ତ୍ରଣ କରିବାଠାରୁ ବି ଆହୁରି ପ୍ରଳୟଙ୍କର । ସୃଷ୍ଟି ଯେତିକି ସୃଜନଶୀଳ ତତୋଽଧିକ ସଂହାରଶୀଳ । ସେ ସୃଷ୍ଟିର ଶିଶୁସୁଲଭ ସରଳତାକୁ ସାବଧାନ ।

ସେଥିପାଇଁ ଏ ସୃଷ୍ଟି ଏକ ଅମୃତମୟ ଏବଂ ସଦା ସୃଜନଶୀଳ ପ୍ରକ୍ରିୟା । ସଦା ସମ୍ଭୋଗଶୀଳ ପ୍ରକ୍ରିୟା ନୁହେଁ । ସେହି ସୃଜନଶୀଳତା ସହିତ ହିଁ, ଯାହା କିଛି ଭୋଗ ସମ୍ଭୋଗର ମାୟାମନ୍ଥନ ଜଡ଼ିତ । ସୃଷ୍ଟିକୁ ଆଡ଼େଇ ଦେଇ ସମ୍ଭୋଗ-ସାମ୍ରାଜ୍ୟ ସ୍ଥାପନ କରିବା ଏକ ଦୁଃସାହସିକ ପଦକ୍ଷେପ । ସୃଷ୍ଟି ଆନନ୍ଦର ଅବବୋଧ । ସମ୍ଭୋଗ ଯନ୍ତ୍ରଣାର ଜଉଘର । ସୃଷ୍ଟି ସଂକଳ୍ପରେ ଯେକୌଣସି ସଙ୍କଟ ସୃଷ୍ଟି କରିବା, ସଂହାରକୁ ନିମନ୍ତ୍ରଣ କରିବା ସହିତ ସମାନ । ସୃଜନଶୀଳତାରେ ସେହି ଅମୃତମୟ ସୃଷ୍ଟି ଆନନ୍ଦରେ ବିଭୋର ହେଉଥିବା ବେଳେ, ସମ୍ଭୋଗର ଜଉଘର ହୁତୁହୁତୁ ହୋଇ ଜଳୁଥାଏ । ତେଣୁ ଭ୍ରୁଣଟିଏ ହିଁ ମାନବୀୟ ଯୁଗଳ ମୂର୍ତ୍ତିର ଏକ ଅସାମାନ୍ୟ ଆମନ୍ତ୍ରଣ । ଅତିଥି ଆସିବ ହିଁ ଆସିବ । ତାକୁ ରୋଧିବା ଏକ ଅପରାଧ । ସେ ଅପରାଧର ଶାସ୍ତିବିଧାନ କେବଳ ମହାରୁଦ୍ରଙ୍କର ମହାକୋପର ହାତରେ, ମହାପ୍ରଳୟର କରାଳ ଲହରୀ ହାତରେ । ସେଠି ଆଉ କାହାରି କିଛି କରିବାର ନ ଥାଏ । ଏହା ହିଁ ତ, ସୃଷ୍ଟିତତ୍ତ୍ୱର ଏକ ଭୟଙ୍କର ଅବଧାରିତ ସତ୍ୟ । ସେପରି ଏକ ଅତିଥିଙ୍କୁ ତେଣୁ ଅନାଦର କରିବା, ଫେରେଇ ଦେବା ଏକ ଅକଳ୍ପନୀୟ ଅପରାଧ ।

ଏପରି ଏକ ଅଦ୍ଭୁତ ଅତିଥିଙ୍କର ପରିଚୟଟିକୁ କ’ଣ ସତରେ ଅତିଥି- ଆମନ୍ତ୍ରଣକାରୀ ଜାଣେ । ଏକ ମାହାମାନ୍ୟ ଆମନ୍ତ୍ରକ ଏକ ମହାମାନ୍ୟ ଆବାହକ ହିଁ କେବଳ, ସେପରି ଏକ ମହାମାନ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରିବାର ସତ୍ସାହାସ କରିପାରିବ । ଅନ୍ୟ କେହି ନୁହେଁ । ସେପରି ସ୍ତରର ମହାମାନ୍ୟ ଆମନ୍ତ୍ରକମାନେ ଶାସ୍ତ୍ର, ପୁରାଣ ଏବଂ ଇତିହାସ ପୃଷ୍ଠାରେ ଅଛପା, ଅପରିଚିତ ନୁହଁନ୍ତି । ସେମାନଙ୍କ ମାଧ୍ୟମରେ ଈଶ୍ୱରଙ୍କର ଅବତାରଙ୍କଠାରୁ ଆରମ୍ଭ କରି, ମହାମାନବ ଓ ମହୀୟସୀ ମହିଳାମାନେ ଏ ଧରାପୃଷ୍ଠକୁ ସ୍ୱତନ୍ତ୍ର ନିମନ୍ତ୍ରଣ ରକ୍ଷା କରି ଆସିଛନ୍ତି । ଧନ୍ୟ ସେହି ଆମନ୍ତ୍ରଣକାରୀ । ଧନ୍ୟ ସେହି ମହାମହିମ ଅତିଥିଗଣ । ରାମ, କୃଷ୍ଣ, ବୁଦ୍ଧ, ମହାବୀର, ଯୀଶୁ, ମହମ୍ମଦ, ନାନକଙ୍କଠାରୁ ଆରମ୍ଭ କରି କବୀର, ବିବେକାନନ୍ଦ, ଅରବିନ୍ଦ, ରାମକୃଷ୍ଣ ପରମହଂସଙ୍କ ପରି ଅବତାର ଏବଂ ଯୋଗଜନ୍ମା ମନିଷୀମାନେ ଏହି ଅତିଥି ତାଲିକାଭୁକ୍ତ । ପାତଞ୍ଜଳିଙ୍କଠାରୁ ଗାନ୍ଧୀ, ଆଇନ୍‌ଷ୍ଟାଇନ୍ ଏବଂ ବ୍ୟାସ ବାଲ୍ମୀକିଙ୍କଠାରୁ ଶାରଳା, ଜଗନ୍ନାଥ, ସେକ୍ସପିଅର୍, କାଳିଦାସ, ଭଞ୍ଜ, ରବୀନ୍ଦ୍ରଙ୍କ ପର୍ଯ୍ୟନ୍ତ ଏ ଅତିଥିଗଣ ପରିବ୍ୟାପ୍ତ । ମହୀୟସୀ ନାରୀ ଅତିଥିମାନଙ୍କ ମଧ୍ୟରୁ ଗାର୍ଗୀ, ମୈତ୍ରେୟୀ, ଅଙ୍ଗିରା, ଲୀଳାବତୀ, ଲକ୍ଷ୍ମୀବାଈ, ମୀରାବାଈ, ମ୍ୟାଡ଼ାମ୍‌କ୍ୟୁରୀ, ନିବେଦିତା, ଆନିବେସାନ୍ତ, ସରୋଜିନୀ ନାଇଡୁ, ମହାଦେବୀ ବର୍ମା, ମୀରାବେନ୍, ସାରଦାଦେବୀ, ରମାଦେବୀଙ୍କ ପରି ଅସଂଖ୍ୟ ଏମାନଙ୍କର ଆଗମନ ପ୍ରତ୍ୟାଗମନ ପ୍ରକ୍ରିୟା ।

ଭୋଜିଭାତରେ ଅତିଥିମାନଙ୍କର ପରିଚିତି ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥାଇ କର୍ତ୍ତା ନିମନ୍ତ୍ରଣ କରେ । କିନ୍ତୁ ଏଠାରେ ଆଲୋଚିତ ନିମନ୍ତ୍ରଣ ଏମିତି ସାଧାରଣ ନୁହେଁ । ଏ ନିମନ୍ତ୍ରଣ ଏକ ସ୍ୱତନ୍ତ୍ର ଧରଣର । ଏକ ଉଦାର ଉଚ୍ଛଳ ଉଚ୍ଛ୍ୱାସର ଉହାଡ଼ରେ, କର୍ତ୍ତା ଅନେଇ ରହିଥାଏ ପରମ ପବିତ୍ର ପ୍ରସ୍ତୁତିର ସହିତ । ଅତିଥି ଆସିବେ, ସେ ଯେ କେହି ହୁଅନ୍ତୁ ପଛକେ । କିନ୍ତୁ ପ୍ରସ୍ତୁତିର ପରାକାଷ୍ଠା ସହିତ ସମ୍ପର୍କିତ ଥାଏ ନିଆରାନିଆରା ଅତିଥିମାନଙ୍କର ଆଗମନ । ପ୍ରସ୍ତୁତିର ପ୍ରଗାଢ଼ତା ହିଁ, ପଥ କଢ଼େଇ ଆଣେ ରାମ, କୃଷ୍ଣ, ଯୀଶୁ, ବୁଦ୍ଧ, ମହାବୀର, ମହମ୍ମଦ, ନାନକ, କବୀରଙ୍କ ପରି ମହାମାନ୍ୟ ଅତିଥିମାନଙ୍କୁ । ସେମାନେ ମଧ୍ୟ ପାଗଳ ପ୍ରାୟ ଖୋଜୁଥାନ୍ତି, ସେହିପରି ଅସାମାନ୍ୟ ପିତାମାତାମାନଙ୍କର ପବିତ୍ର କୋଳମାନଙ୍କୁ ମଣ୍ଡନ କରିବା ପାଇଁ । ପ୍ରସ୍ତୁତିରେ ପବିତ୍ର ଆବେଗ ଥିଲେ, ଦେବତା ବି, ଅତିଥି ହେବାକୁ ଆଗ୍ରହୀ ହେବେ ଓ ଆସିବେ ମଧ୍ୟ ।

ଏଠାରେ ଆଲୋଚ୍ୟ ଭ୍ରୁଣ ଭିତରେ ହିଁ, ପିତାମାତାଙ୍କର ପ୍ରସ୍ତୁତି ଅନୁସାରେ ଅତିଥିମାନଙ୍କର ଜୀବନ୍ୟାସ ହୁଏ । କଳେବର କଅଁଳି ଉଠେ । ଏ ମହାଯଜ୍ଞର ପୁରୋଧା ହେଉଛନ୍ତି ପରମ ଆରାଧ୍ୟ ପିତାମାତା । ଅତିଥିମାନେ ହେଉଛନ୍ତି ଗର୍ଭାଶୟରେ ଭଉଁରୀ ଖେଳୁଥିବା ଭ୍ରୁଣ । ମାଟିକୁ ଛୁଇଁଲା ପରେ ସେମାନେ ଆମର ଅଗଣିତ ସନ୍ତାନସନ୍ତତି, ପୁଅ ଝିଅମାନେ ।

ଏପରି ଏକ ଭୀମକାନ୍ତ ପର୍ଯ୍ୟାୟର ଭ୍ରୁଣଟିଏ କ’ଣ ସତରେ ଏ ମଣିଷ ଦ୍ୱାରା ସୃଷ୍ଟି ? ଏହି ଅଦ୍ଭୁତ ଭ୍ରୁଣାୟନ ପ୍ରକ୍ରିୟାରେ, ଭ୍ରୁଣାତିଥିଟିଏ କ’ଣ ସତରେ କାହାର ଏକ ଖାମ୍ ଖିଆଲି କୌତୂହଳର ଭଙ୍ଗାଗଢ଼ା ଖେଳନା, ଅଥବା ଏକ ସୃଜନଶୀଳ ସୃଷ୍ଟିତତ୍ତ୍ୱର ପ୍ରକାଶିତ ରୂପମୟତା ? ଏହି ସୃଷ୍ଟିତତ୍ତ୍ୱର ରହସ୍ୟ ଉଦ୍ଘାଟନ ଏତେଟା ସହଜବୋଧ ହୁଏନା । କିଏ ବା ଉଦ୍ଘାଟନ କରିବ ? ଜ୍ଞାନୀ ବିଜ୍ଞାନୀ ମଣିଷ ତ ନିଜେ, ସେହି ତପମଗ୍ନ ତତ୍ତ୍ୱର ଜଣେ ଦାୟିତ୍ୱଶୀଳ ଆଜ୍ଞାବହ ସାଧକ । ରହସ୍ୟ ରହିଛି, ରହିଥିବ । ରହସ୍ୟର ଉଦ୍ଘାଟନ ସେହି ରହସ୍ୟ ହିଁ କରିଚାଲିଛି- କରିଚାଲିଥିବ ଏହି ପାଗଯୋଗ ପରିପୂର୍ଣ୍ଣ ମାଟିର ମଞ୍ଚରେ । ସାଗର ସାଗରର ସଙ୍ଗମ ହୁଏ । ଶାମୁକାର ଜଳବିନ୍ଦୁର ସଙ୍ଗମ ହୁଏ । ଫୁଲର ପରାଗର ସଙ୍ଗମ ହୁଏ । ଅଜଣା ମୁହୂର୍ତ୍ତଟିଏ ଥରେ ରଜଃସ୍ୱଳା ହେଲେ ସୁନ୍ଦର ସଂସାରଟିଏ ଗଢ଼ି ହୋଇଯାଏ । ମୁହୂର୍ତ୍ତ-ମୁହୂର୍ତ୍ତ ବ୍ୟବଧାନରେ ତା’ର ରୂପରାଜି ପୁଣି ବଦଳିଯାଏ ।

ଜରାୟୁର ଏ ନିରୀହ ଜୀବଟି କିଏ ? ଏ ବିପୁଳ ବୀର୍ଯ୍ୟଭଣ୍ଡାର ଓ ତାହାର ବିତରଣର ବିଚକ୍ଷଣ ବିଧି ବ୍ୟବସ୍ଥା କାହାର ? କିଏ ସେହି ନାୟକ, ନିୟାମକ । ବେଳେବେଳେ ବାଣୀ ହୁଏ, ମୁଁ ସେହି ବିସ୍ମୟାତୀତ ବିଶ୍ୱରେତା । ଏ ବିଶ୍ୱାୟନର ପରିକଳ୍ପନା ଏବଂ ବିଶ୍ୱ-ବୈଭବର ପ୍ରତିଷ୍ଠାତା ମୁଁ ।

ଏ ଅନନ୍ତ ବିଶ୍ୱବ୍ରହ୍ମାଣ୍ଡରେ ମୁଁ ଅଣୁଆତ୍ମାର ବୀଜବପନ ପ୍ରକ୍ରିୟା କର୍ଣ୍ଣଧାର । ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ଅକ୍ଷୟ ତୃତୀୟା । ମୁଠିମୁଠି ବୀଜ ବୁଣିବାର ସଦା ଶୁଭଙ୍କର ଲଗ୍ନ । ମାଟିକୁ ପୁଷ୍ଟ ରସାଳ କର । ପ୍ରସ୍ତୁତ ହୁଏ, ପବିତ୍ର ହୁଅ, ପ୍ରତିଜ୍ଞା କର, ସଂକଳ୍ପ କର, ଯେତେ ଚାହୁଁଛ ମଞ୍ଜିଧାନ ନିଅ, ମୁଠିମୁଠି ବୁଣ, ଗଜା କର, ଚାରା କର, ପାଳ, ପୋଷ, ବଡ଼ କର, ଫସଲର ସୁନାହାଟରେ ଉତ୍ସବମୁଖର ହୁଅ ।

ସେହି ବିଶ୍ୱଯୋନି ଏବଂ ବିଶ୍ୱରେତା । ପୁରୁଷ-ପ୍ରକୃତିଙ୍କର ଏକ ଅଭିନ୍ନ ଏକକର ଅଭିନବ, ଅଦ୍ୱୈତ ଅଭୀପ୍ସା । ଏକଇ ବ୍ୟତିରେକ ଅନ୍ୟଟିର ଅସ୍ତିତ୍ୱ ନାହିଁ, ସୃଷ୍ଟିର ପରିକଳ୍ପନା ବି ନାହିଁ । ମାଟିକୁ ଓହ୍ଲେଇ ଆସିଲେ, ଆରମ୍ଭ ହୋଇଯାଏ ତା’ର ମନ୍ତ୍ର-ମନ୍ଦରିତ ମାୟା । ନାରୀ ପୁରୁଷର ମାୟା ଝଲମଲ ଯୁଗଳ ମୂର୍ତ୍ତିରେ, ଉଦ୍ଭାସିତ ହୋଇଉଠେ । ସେହି ବିଶ୍ୱଯୋନି ଏବଂ ବିଶ୍ୱରେତାଙ୍କର ଅଭିଷେକ ପର୍ବ । ସେ ହିଁ, ଆମ ଏଇ ମାଟିମଣ୍ଡଳର ପିତାମାତା, ବାପାବୋଉ, ଡାଡ଼ି ମମି, ଫାଦର୍‌ମଦରଙ୍କ ପରି ଅସଂଖ୍ୟ ନାମରେ ନାମିତ ସଦା ନୂତନତାର ପବିତ୍ର ପରିଚୟ । ଏଠାରେ ପୁରୁଷ ଦାତା, ନାରୀ ଗ୍ରହୀତା, ସନ୍ତାନସନ୍ତତି ହିଁ ସୃଷ୍ଟି ।

ଏଠି ନାରୀଟିଏ କେବଳ ଜନ୍ମଦାତ୍ରୀ, ସୃଷ୍ଟିକାରିଣୀ । ଅନ୍ୟ କେହି ବି ଜନ୍ମ ଦେବାକୁ ଚାହିଁଲେ, ତାକୁ ନାରୀଟିଏ ହେବାକୁ ହେବ । ତା’ ନ ହେଲେ ସୃଷ୍ଟି ଅସମ୍ଭବ । ସେଇଥିପାଇଁ ତ, କବିତାଟିଏକୁ ଜନ୍ମ ଦେବାକୁ ହେଲେ କବିଟିକୁ ଗର୍ଭଧାନ କରିବାକୁ ହୁଏ, ଗର୍ଭବେଦନା ସହିବାକୁ ହୁଏ । ସେହି ପର୍ଯ୍ୟାୟରେ କବି ଏକ ସୃଷ୍ଟିକାରିଣୀ ନାରୀ, ମମତାମୟୀ ମାଆ । ପୁରୁଷ ଏବଂ ତା’ର ପୁରୁଷପଣ ଏଥିରେ ଅଯଥା ଅସହିଷ୍ଣୁ ହେବାର କିଛି ନାହିଁ । ପୁରୁଷ ଓ ନାରୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ଗୋଟିକର ଅନୁପସ୍ଥିତି ସାମଗ୍ରିକତାର ଏକ ଅସହ୍ୟ ଅନୁପସ୍ଥିତି ।

ସେ ଅତିଥି ତେଣୁ ସାମାନ୍ୟ ଅତିଥି ନୁହନ୍ତି । ସେ ଅଣୁଆତ୍ମା । ଏକ ଆନୁଷ୍ଠାନିକ ବିଧିବଦ୍ଧ ସାଦର ନିମନ୍ତ୍ରଣକୁ ସ୍ୱୀକାର କରିଥିବା, ମାନବୀୟ ଅତିଥି ମହାଶୟ ସେ । ମାନବୀୟ ପିତାମାତା ଖୁବ୍ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି, ମହାମାନବୀୟ ଅତିଥିଙ୍କର ଆଗମନ ପାଇଁ । ଅତିଥି ଆସିବେ କି ନାହିଁ, ଆଗରୁ ଜାଣିହୁଏ ନାହିଁ । ଥରେ ଗୋଡ଼ କାଢ଼ିଲେ ତାଙ୍କ ଆଗମନର ବାର୍ତ୍ତା ପ୍ରଚାରିତ ହୋଇଯାଏ । ସେ ଆସିବେ । ତାଙ୍କ ପାଦ ଏ ମାଟିକୁ ଛୁଇଁବ । ମଣିଷ ମୂର୍ତ୍ତରେ ମାଆ କୋଳର ଝୁଲଣା ଝୁଲିବ । ପଣତର ଆଢୁଆଳରେ ତା’ର ପହଡ଼ ପଡ଼ିବ । ପିତାମାତ ତା’ ପାଇଁ, ଏ ଦି’ଦିନିଆ ଦୁନିଆଁରେ ହେବେ ଦିଅଁଦେବତା । ସେ ହେବ ଭକ୍ତ । ଭକ୍ତ ଭଗବାନଙ୍କ ଆଗରେ ଡେଇଁବ, ପଛରେ ଧାଇଁବ, ଅଝଟ ହେବ, ଅଳି କରିବ, ଦୁଷ୍ଟ ହେବ, ଦଉଡ଼ିରେ ବନ୍ଧାହେବ, ଛାଟମାଡ଼ ବି ଖାଇବ ।

ତେବେ ଏପରି କୌଣସି ଏକ ଆଗନ୍ତୁକ ଅତିଥିର ଅପାକଳ ଭକ୍ତବତ୍ସଳ ଭ୍ରୁଣକୁ ହତ୍ୟା କରିବ କିଏ ? ପିତାମାତା ରୂପରେ ଅଭିନୟ କରୁଥିବା ସ୍ୱୟଂ ଭଗବାନ କ’ଣ ତାଙ୍କ ନିଜର ଭକ୍ତବତ୍ସଳ ସ୍ୱରୂପକୁ ହତ୍ୟା କରିବେ ? ସେ କ’ଣ ହତ୍ୟାଯୋଗ୍ୟ ? ତା’ର ହତ୍ୟା କ’ଣ ସମ୍ଭବ ? ସେ ପରା ଆତ୍ମା, ଯିଏ ଅମର । ତା’ର ଏ ନାଶଯୋଗ୍ୟ ଶରୀରଟାକୁ ବିନା ବିଚାରରେ ବିନାଶ କରିବା ପାପ ନୁହେଁ ତ ଆଉ କ’ଣ ? ଏଇ ହତଭାଗ୍ୟ ମଣିଷ ଯୁଗେ ଯୁଗେ ହତ୍ୟାକାରୀ । ହତ୍ୟା ପ୍ରବଣତା ତା’ର ପାଶବିକ ପରିଚୟ । ସେ ଏ ସୁନ୍ଦର ସୃଷ୍ଟିର ସଫଳ ରକ୍ଷକ ନୁହେଁ, ଯାହା ସେ ଦାବି କରି ଆସେ ।

ସୃଷ୍ଟି ପାଇଁ ସମ୍ଭୋଗ, ଏକ ସୃଷ୍ଟି ବିଦିତ ବ୍ୟବସ୍ଥାର ବିଧାନ । ସମ୍ଭୋଗ ପାଇଁ ସମ୍ଭୋଗ ମଣିଷର ଏକ ଉଚ୍ଛୃଙ୍ଖଳ ଯୌନଯୋଗ, ଯାହା ପଶୁପକ୍ଷୀ ଜଗତରେ ବି ପ୍ରତ୍ୟାଖ୍ୟାତ । ସୃଷ୍ଟିର ନିୟମକୁ ନଷ୍ଟଭ୍ରଷ୍ଟ କରୁଥିବାର ଜୀବନଜନ୍ତୁଙ୍କ ମଧ୍ୟରେ ମନୁଷ୍ୟର ସ୍ଥାନ ଭୟଙ୍କର ଭାବରେ ସର୍ବାଗ୍ରେ । ସୃଷ୍ଟି ପାଇଁ ସମ୍ଭୋଗରେ ଶତ ଶତ ଶୁକ୍ରାଣୁଙ୍କର ନିଦ ଭାଙ୍ଗେ । ଆଣୁଆତ୍ମାଙ୍କର ସାନ୍ନିଧ୍ୟ ଲାଭ ସକାଶେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଦୌଡ଼ ଆରମ୍ଭ ହୁଏ । ଏ ଦୌଡ଼ର ଗତି ଘଣ୍ଟାକୁ ମଧ୍ୟ ମାଇଲ୍ ମାଇଲ୍ । କେବଳ ଜଣେ ହିଁ ଜିତିବ, ଯାହାର ଆଣୁଆତ୍ମାଙ୍କ ସହିତ ଦିବ୍ୟଦର୍ଶନ ଏବଂ ଦିବ୍ୟ ମିଳନ ବି ହେବ ବେଳେବେଳେ ଯୁଗ୍ମ ବିଜେତା ମଧ୍ୟ ଥାଆନ୍ତି । ଅନନ୍ତଙ୍କର ଅନନ୍ୟ ଅସ୍ତିତ୍ୱକୁ, ଆଦରପଣରେ ଧାରଣ କରିପାରିବାର ସାମର୍ଥ୍ୟ ଥିବା ଅସାମାନ୍ୟ ଅଣ୍ଡାର ଗର୍ଭଦ୍ୱାର ମୁକୁଳିବ । ଏକ ବିସ୍ମୟାତୀତ ବିସ୍ମୟଙ୍କର ସେ ହେବ ବିଜେସ୍ଥଳୀ ।

ଏ ଦୌଡ଼ରେ ଶହ ଶହ ପ୍ରତିଯୋଗୀ ହାରିଯିବେ । ଏହି ହାରିବା ହିଁ, ସେମାନଙ୍କର ସୁକୁମାର କ୍ଷଣିକ ଜୀବନନାଟକର ଶେଷ ଅଙ୍କ, ଶେଷ ଦୃଶ୍ୟ । ତେବେ, ସୃଷ୍ଟି ପାଇଁ ସମ୍ଭୋଗରେ ଏ ତ୍ୟାଗ, ଏ ପ୍ରାଣବଳୀ ଏକ ଅଲଙ୍ଘ୍ୟ ଅବଧାରିତ ସତ୍ୟ । କିନ୍ତୁ କେବଳ ସମ୍ଭୋଗ ପାଇଁ ସମ୍ଭୋଗର ବାତୁଳତାରେ ଏ ପ୍ରକାର ନାରକୀୟ କୁରୁକ୍ଷେତ୍ର ଅକ୍ଷମଣୀୟ ଏକ ଅପରାଧ । ଏସବୁ ସୃଜନ ପ୍ରକ୍ରିୟାରେ ଭ୍ରୁଣ ପଦବାଚ୍ୟ ହେବାର ଅସଂଖ୍ୟ ଶୁକ୍ରାଣୁଙ୍କର ଅପମୃତ୍ୟୁ ହୁଏ । ସେମାନଙ୍କର ଓଜଃ ତେଜଃରେ ଦୈବୀସତ୍ତା ଦାଉ ଦାଉ ଥାଏ । ଏସବୁ ହତ୍ୟା, ଭ୍ରୁଣ ପୂର୍ବର ହତ୍ୟା ।

ତା’ପରେ

ଲୋକପ୍ରିୟ ଲେଖା

To Top