ପ୍ରବନ୍ଧ

ଅତିଥିର ହତ୍ୟା

Shri Niranjana Padhi's Odia Prose ATITHIRA HATYAA

ଭ୍ରୁଣ ହତ୍ୟା ପାପ ପାଇଁ କ୍ଷମା ଅଛି କି ନାହିଁ, କିଏ କହିବ ? ଅତିଥିର ହତ୍ୟା ପାଇଁ କେଉଁ ପ୍ରାୟଶ୍ଚିତ୍ତ କେତେ ଦୂର ସକ୍ଷମ, କିଏ କହିବ ? ଏ ପାପର କଳଙ୍କ ସତରେ ସମସ୍ତ କଳ୍ପନାର ଊର୍ଦ୍ଧ୍ଵରେ ।

ଅତିଥିର ହତ୍ୟା

-: ପୁର୍ବରୁ :-

କିନ୍ତୁ ଭ୍ରୁଣ ହତ୍ୟା ଏକ ଦୃଶ୍ୟମାନ ହତ୍ୟା । ଜାଣିବୁଝି ବିନାଶ କରିବାର ଏକ ଜଘନ୍ୟ ଯୋଜନା । ଏହା ଜୀବନର ହତ୍ୟା, ସପନର ହତ୍ୟା, ବିବେକର ହତ୍ୟା, ବିଶ୍ୱାସର ହତ୍ୟା, ବିଶ୍ୱର ଉଦ୍ଧାର ପାଇଁ ଆସୁଥିବା ବିସ୍ମୟର ହତ୍ୟା, ସାଧୁସନ୍ଥର ହତ୍ୟା, ରାଷ୍ଟ୍ରନାୟକର ହତ୍ୟା, ଜ୍ଞାନୀବିଜ୍ଞାନୀର ହତ୍ୟା ଗୁଣ ଗରିମାର ହତ୍ୟା, କବି ଲେଖକର ହତ୍ୟା, ଶିଳ୍ପ ସ୍ଥାପତିର ହତ୍ୟା. . . ଏମିତି ଅସଂଖ୍ୟ ଶ୍ରମଜୀବୀ ବୁଦ୍ଧିଜୀବୀ, ଏପରିକି ସ୍ୱୟଂ ଈଶ୍ୱରଙ୍କର ହତ୍ୟା ।

ଆଧ୍ୟାତ୍ମିକ ସ୍ତରରେ ମଧ୍ୟ ଏହା ଆତ୍ମାକୁ ଆଘାତ ଦେଇ ବଧ କରିବାର ଏକ ଅପପ୍ରୟାସର ଆସ୍ପର୍ଦ୍ଧା । ଏହାର ଖଳନାୟକ ଏହି ମଣିଷ । ଏହି ଅବିବେକୀ ଅହଂବାଦୀ ମଣିଷ, ଦୁଃସାହସ କରେ ସଂଘଟିତ କରିବାକୁ ହିରଣ୍ୟର ହତ୍ୟା, ହିରଣ୍ୟଗର୍ଭର ହତ୍ୟା, ହିରଣ୍ମୟର ହତ୍ୟା, ହିରଣ୍ମୟ କୋଷର ହତ୍ୟା । ଏ ଚରମ ଦୁଃସାହସ ପାଶବିକ ପ୍ରକୃତିର ପରିଚାୟକ । ଏହି ପ୍ରବୃତ୍ତି ପଦଦଳିତ ଯୋଗ୍ୟ । ଏ ଉଦ୍ଭ୍ରାନ୍ତ ମାନବ, କାଉ କୋଇଲି ପାଖରେ ବି କାଠଗଡ଼ା ଠିଆ ହେବା ଯୋଗ୍ୟ ।

ଏହି ଦୃଷ୍ଟିରୁ ମଣିଷ ଘାତକ ପଦବାଚ୍ୟ । ବାଘ ହତ୍ୟା କରେ ତା’ ନିଜ ପେଟର ଭୋକ ପାଇଁ । ମଣିଷ ହତ୍ୟା କରେ ତା’ କାମନାର ଭୋକ ପାଇଁ, ତୁଷ୍ଟିକରଣ ପାଇଁ, ମନୋରଞ୍ଜନ ପାଇଁ । ଏ ସୌଖୀନ୍ ଶିକାର, ଏ ହୀନ ହନନ କେତେବେଳେ ପୁରୁଷର ହତୋଦ୍ଧସ୍ମି ତ, କେତେବେଳେ ନାରୀର ହତାସ୍ମି । ହତ୍ୟାକାରୀ ଏବଂ ହତ୍ୟାକାରିଣୀ ପରିଚୟରେ ସେମାନେ ନିଜ ନିଜର ଆଧ୍ୟାତ୍ମିକ ଆତ୍ମପ୍ରତ୍ୟୟ ହରେଇ ବସନ୍ତି ।

ସମାଜର ବୈବାହିକ ସ୍ୱୀକୃତି ପୂର୍ବରୁ, ମାତୃତ୍ୱ ଏବଂ ପିତୃତ୍ୱ ଲାଭର ବହୁଳତା ଏବେ । ବୁଦାମୂଳ, କିଆବଣ, ନାଳନର୍ଦ୍ଦମା ଏବେ ମାତୃତ୍ୱର କୋଳ । ବାଟଘାଟ, ଯୋର ଗହୀର, ବୁଦିବୁଦି ବନସ୍ତର ପତ୍ରପଲ୍ଲବର ଗହଳିମା ଏବେ ମାଆର ପଣତ । ହେଟା ବାଘ, ବିଲୁଆ, କୁକୁରମାନଙ୍କୁ ସଦ୍ୟ ଛନଛନ ଶିଶୁମାଂସକୁ ଅର୍ପଣ କରି ଆତତାୟୀ ପିତାମାତା, ଆପଣାର ସନ୍ତାନମାନଙ୍କୁ କରିଥାନ୍ତି ପଶୁଯୋଗ୍ୟ ଖାଦ୍ୟ । ନିଜ ଜନନୀର ଛାତିର ଅମୃତ ବଦଳରେ, ବେଳେବେଳେ ମାନବ ଶିଶୁକୁ ମିଳେ କେଉଁ ଏକ କରୁଣାମୟୀ ପଶୁ-ମାଆର ଥଲଥଲ ଥନରୁ ନିର୍ଝର ଆଦିମ ଆହାର ।

ସହୃଦୟ ବାଟ ଚଲା ପଥିକର ଅମୃତମଖା ଆଖିରେ କେବେକେବେ ସେ ଶିଶୁଟି ପାଲଟିଯାଏ ଏକ ଦୟାନିବଦ୍ଧ ଅମୃତର ବିନ୍ଦୁ । ମୃତ୍ୟୁ-ଫାଶରୁ ନେଇ, ଜୀବନ ଡୋରିରେ ବାନ୍ଧିବା ପର୍ଯ୍ୟନ୍ତ, ତାକୁ ତୋଳି ନେଉଥିବା କେଉଁ ଏକ ବାଟୋଇର ଦୟାଦ୍‌ର ବିବେକ ତା’ ପାଇଁ ନିର୍କୋଦ୍ଧାର ପର୍ବ । ଅନାଥାଶ୍ରମ ତା’ ପାଇଁ ଗୋପପୁର । ଧାଈମା’ ତା’ର ଯଶୋଦା । ଆଶ୍ରାମର ଆଶ୍ରାଦାତା ତା’ର ନନ୍ଦ ରଜା । ସେ କେବେ ବି ଜାଣେନି ଦେବକୀ କିଏ ? ବସୁଦେବ କିଏ ? ସେପରି ଦୁଇଟି ପ୍ରିୟ ପବିତ୍ର ନାମ ତା’ର ପରବର୍ତ୍ତୀ ଜୀବନକୁ ଯେତିକି କଷ୍ଟ ଦିଏ ତତୋଦ୍ଧଧିକ କୃତଜ୍ଞ କରେ ।

ନିଜର ପିତାମାତାଙ୍କୁ ଜାଣି ନପାରିଲେ ବି, ମନେ ମନେ ପ୍ରଣାମ କରେ । ତା’ର ଆନ୍ଦୋଳିତ ଆତ୍ମା ଅଥୟ ହୁଏ । ଥାଉ, ସେମାନଙ୍କୁ ନ ଜାଣିଲେ ବି ଭଲ । ନ ଜାଣିଲେ ଯାଏ ଆସେ କେତେ ? ଏପରି ଏକ ପର୍ଯ୍ୟାୟର କେଉଁ ଅଜଣା ଦମ୍ପତ୍ତିଙ୍କର ନିଜ ପାଇଁ ଅନାବଶ୍ୟକ ଏକ ନିରୀହ କଅଁଳ ଶିଶୁର ହତ୍ୟା ପ୍ରୟାସ ତାକୁ ହତଚକିତ କରେ । ସେ ଥିଲା ଏକ ଅନାବଶ୍ୟକ ଭ୍ରୁଣ, ଏକ ଅନାବଶ୍ୟକ ଶିଶୁ । ତା’ର ଦୁଃଖ ଯେ, ସେ ନିଜ ପିତାମାତାଙ୍କର ଏକ ଆବଶ୍ୟକ ସମ୍ଭୋଗର ଏକ ଅନାବଶ୍ୟକ ସୃଷ୍ଟି । ଭ୍ରୁଣହତ୍ୟା ହେଉ ଅଥବା ଏକ ସଦ୍ୟଜାତ ଶିଶୁହତ୍ୟାର ପ୍ରୟାସ ହେଉ- ଏ ଉଭୟ ହତ୍ୟାର ଦୂରତ୍ୱ ବେଶି କିଛି ନୁହେଁ ।

ଏହି ଭ୍ରୁଣହତ୍ୟା, ଶିଶୁହତ୍ୟା ଯଜ୍ଞରେ ବି ମଣିଷର ହତ୍ୟା-ପ୍ରବଣତା ଜାରି ରହେ । ଯେକୌଣସି ସ୍ତରରେ ଏହା ଉଙ୍କିମାରେ । ରାଗରେ ହେଉ, ହିଂସାଦ୍ୱେଷରେ ହେଉ, ଦୈହିକ ପ୍ରେମ ସମ୍ଭୋଗରେ ହେଉ, ରାଜ୍ୟଲୋଭ, ଧନସମ୍ପଦ ଲୋଭରେ ହେଉ, ଏ ମଣିଷ ଯାହାକୁ ଯେକୌଣସି ବୟସକୁ ବି ହତ୍ୟା କରି ଆସୁଛି । ଛଳନା ଛଦ୍ରମରେ ଭୁଲେଇ ଛଳେଇ ବି ସେ ହତ୍ୟା କରେ । ସେପରି ଏକ ଲୋମହର୍ଷଣ ହତ୍ୟା ସଂଘଟିତ ହୋଇଥିଲା ମ୍ୟାକ୍‌ବେଥ୍‌ଙ୍କ ଧାରୁଆ ଛୁରୀରେ । ଆତିଥ୍ୟ ଦେଉଥିବା ସେନାନାୟକଙ୍କ ଦ୍ୱାରା, ଆତିଥ୍ୟ ଗ୍ରହଣ କରିଥିବା ନିଦ୍ରାଗତ ରାଷ୍ଟ୍ରନାୟକ ରାଜାଙ୍କର ଏହି ହତ୍ୟା । ସତରେ, ଏହା ଏକ ବିଶ୍ୱ-ବିଶାଳ ହତ୍ୟା, ନିଯୁକ୍ତିଦାତାର ହତ୍ୟା, ଅନ୍ନଦାତାର ହତ୍ୟା, ସିଂହାସନର ହତ୍ୟା, ବିଶ୍ୱାସର ହତ୍ୟା, ନିଦ୍ରାର ହତ୍ୟା, ଅତିଥିର ହତ୍ୟା, ଆତିଥ୍ୟର ହତ୍ୟା । ଏ ପ୍ରକାରର ବିଶ୍ୱବିରଳ ହତ୍ୟାରେ, ନିଜେ ହତ୍ୟା ହିଁ ହତବାକ୍ ହୋଇ ବୋଧହୁଏ ଥରିଉଠିଥିବ ! ପ୍ରତିଟି ରକ୍ତ ବିନ୍ଦୁରେ ଥରି ଉଠିଥିବ ରକ୍ତର ଉତ୍ସ ଏବଂ ରକ୍ତର ଲହରୀମାଳା । ସେ ରକ୍ତର ଉତ୍ସ ଚିତ୍କାର କରି କହିଥିବ, “ନା, ମୁଁ ଆଉ ଏ ପ୍ରତାରଣାପୂର୍ଣ୍ଣ ପୃଥିବୀକୁ ଟୋପାଏ ବି ରକ୍ତ ଦେବି ନାହିଁ । ସେହି ପୃଥିବୀର ପ୍ରତିଶ୍ରୁତିବଦ୍ଧତା ନାହିଁ । ସେଠାକାର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷକୁ ଆଉ ଭରସା ନାହିଁ । ସେ ଏହି ରକ୍ତରେ ହୋରି ଖେଳିପାରେ । ରକ୍ତନଦୀରେ ବି ସନ୍ତରଣ କରିପାରେ ! ସେ ମଣିଷ ବିଶ୍ୱାସକୁ ହତ୍ୟା କରିପାରେ । ଅତିଥିକୁ ବି ହତ୍ୟା କରିପାରେ !”

ତୁମେ ଖୁବ୍ ବିଚଳିତ, ବିଭ୍ରାନ୍ତ ହୋଇପଡୁଛ ମଣିଷ । ଯୌଥ କୁଟୁମ୍ୱ ପ୍ରଥାକୁ ତୁମେ ପଦାଘାତ କରିଛ । ଆବଶ୍ୟକତା ହେତୁ ବହୁକୁଟୁମ୍ୱ ଜଞ୍ଜାଳର କୁପ୍ରଭାବରୁ ଦେଶକୁ ସମାଜକୁ ପରିବାରକୁ ସାହାଯ୍ୟ କରିଛ । ଏବେ ଏକଲାଏକଲା ହୋଇ ହତାଶ ହୋଇପଡୁଛ । ତୁମର ପାର୍ଥିବ ଆବଶ୍ୟକତା ଆଶାତୀତ ଭାବରେ ବୃଦ୍ଧି ପାଉଛି । ଚାକଚକ୍ୟ ଜୀବନଯାପନ ପାଇଁ ତୁମେ ବ୍ୟାକୁଳ । ଗ୍ରହଗ୍ରହାନ୍ତରରେ ବସବାସ କରିବାକୁ ତୁମର ଜମି ଆବାଦ କରିବାର ଅଛି । ଦୂର ନୀଳ ଆକାଶରେ ଶହ ଶହ ଘଣ୍ଟାର ଶୂନ୍ୟ ଉଡ଼ାଣ ଭିତରେ, ବ୍ୟୋମଯାନରେ ବିଭାଘର-ହନିମୁନ୍ ସମାରୋହ ସାରିବାର ଅଛି । ଅଜସ୍ର ମୁଦ୍ରା ତୁମର ଆବଶ୍ୟକ । ପ୍ରତିବଦଳରେ ତୁମେ ସ୍ନେହ, ଶ୍ରଦ୍ଧା, ଦୟା, ବିବେକ, ଆବେଗ, ମାନବିକତା ଭଳି ଅମୂଲ୍ୟ ସମ୍ପଦକୁ ମଧ୍ୟ ବନ୍ଧକ ଅଥବା ବିକ୍ରି କରିଦେଇପାର । ସେମାନଙ୍କୁ ତିଳତିଳ କରି ହତ୍ୟା କରିପାର । ପାରିବାରିକ ସଂସାରକୁ ସେଥିପାଇଁ ସୀମିତ ରଖିବା ଦରକାର । ତା’ ସହିତ ଅବାଧ ଅବାରିତ ସମ୍ଭୋଗ ବି ଦରକାର । ଗୋଟିଏ ମାତ୍ର ସନ୍ତାନ ତୁମ ପାଇଁ ଲୋଡ଼ାହୁଏ, ତମାମ ଜୀବନରେ ସମ୍ଭୋଗର ପ୍ରତିବଦଳରେ । ତା’ କେମିତି ସମ୍ଭବ ? ସେ ପୁଣି ପୁତ୍ରସନ୍ତାନ ହେବା ଉଚିତ୍ । ଝିଅ ସନ୍ତାନରେ ବିଭାଘର ଜନିତ ଖର୍ଚ୍ଚ ବେଶି । ପୁଅ ପାଇଁ ଯୌତୁକ ଆଣି ହେବ । ଝିଅ ପାଇଁ ପର୍ଯ୍ୟାପ୍ତ ଯୌତୁକ, ଉପଢୌକନ ଦେବାକୁ ପଡ଼ିବ ।

ଆଧୁନିକ ସ୍ୱାସ୍ଥ୍ୟବିଜ୍ଞାନ ଖୁବ୍ ସହଜରେ କହିଦେଇପାରିବ, ଏ ଭ୍ରୁଣଟି ପୁତ୍ରର ନା କନ୍ୟାର । ତହିଁରୁ ଗୋଟିକୁ ଗ୍ରହଣ କରିପାର, ନତୁବା ଦୁଇଟିକୁ ପ୍ରତ୍ୟାଖ୍ୟାନ କରିପାର । ଏ ପରିସ୍ଥିତିରେ ଭ୍ରୁଣ ନିପାତ ତୁମ ପାଇଁ ପ୍ରୟୋଜନୀୟ । ନିଷ୍ପତ୍ତି ତୁମର । ତୁମ ନିଷ୍ପତ୍ତି ଉପରେ ଭ୍ରୁଣଙ୍କର ଭାଗ୍ୟ ନିର୍ଭରଶୀଳ । ସେମାନେ ବିଚରା ମୂକ ନିରୀହ ନିଃସହାୟ, ବିବେକର ସିଂହାସନ ନିକଟରେ ସମର୍ପିତ । ସେମାନେ ତୁମକୁ ଏ ମର୍ତ୍ତ୍ୟରେ ନିଜର ସୃଷ୍ଟିକର୍ତ୍ତା, ପିତାମାତା ଭାବରେ ବିଶ୍ୱାସ କରନ୍ତି । ହେ ମଣିଷ ! ତୁମେ କ’ଣ ଜାଣ ନାହିଁ ଯେ, ତୁମେ ତୁମ ନିଜ ସନ୍ତାନର ଘୃଣ୍ୟ-ଘମଣ୍ଡ ଘାତକ ?

ସେ ପବିତ୍ର ଗର୍ଭ-ଗଣ୍ଡୂକୀ ଭିତରେ, ଭ୍ରୁଣମାନଙ୍କର ନିରୀହପଣକୁ ତୁମେ କେବେ ଅନୁଭବ କରିପାରୁଛ ମଣିଷ ? ସେ ନିର୍ବିକାର ନିର୍ମୋହପଣରେ ପରମେଶ୍ୱରଙ୍କର ଆସ୍ଥାନକୁ କେବେ ଚିହ୍ନିବାର ପ୍ରୟାସ କରିଛ ? ସେ ଭ୍ରୁଣ ଭୟଶୂନ୍ୟ । ପୁତ୍ର ଭ୍ରୁଣଟିଏ ହୋଇଥିଲେ, ଏ ମହିମଣ୍ଡଳରେ ଆଗାମୀ ଦିନରେ ସେ ପିତାଟିଏ ହେବ, ପ୍ରେମିକ ହେବ, ପାଳକ ହେବ, ପରିଚାଳକ ହେବ । କନ୍ୟା ଭ୍ରୁଣଟିଏ ହୋଇଥିଲେ, ଠିକ୍ ସେହିପରି ମାତା ହେବ, ପ୍ରେମିକା ହେବ, ପାଳିକା ହେବ, ପରିଚାଳିକା ହେବ ।

ତୁମେ କେଉଁ ପର୍ଯ୍ୟାୟର ଅତିଥି-ଭ୍ରୁଣକୁ ହତ୍ୟା କରିବ ମଣିଷ ? ପୁତ୍ରଭ୍ରୁଣକୁ ଅଥବା କନ୍ୟା ଭ୍ରୁଣକୁ ? ଉଭୟଟିରେ ବିପର୍ଯ୍ୟୟ ନିହିତ । ଏ ପୃଥିବୀ ସୃଜନଶୀଳତା ହରେଇବ । ସନ୍ତୁଳନ ହରେଇବ । ଭାରସାମ୍ୟ ହରେଇବ । ଅତିଥିର ହତ୍ୟା ବିଶ୍ୱାସରେ ବିପର୍ଯ୍ୟୟ ସୃଷ୍ଟି କରିବ ।

ପାପ ପ୍ରଖ୍ୟାଳନ ପାଇଁ ପ୍ରାୟଶ୍ଚିତ୍ତ ଆବଶ୍ୟକ ଥାଏ । ହୁଏ ତ କ୍ଷମା ମିଳିଯାଇପାରେ । ଭ୍ରୁଣ ହତ୍ୟା ପାପ ପାଇଁ କ୍ଷମା ଅଛି କି ନାହିଁ, କିଏ କହିବ ? ଅତିଥିର ହତ୍ୟା ପାଇଁ କେଉଁ ପ୍ରାୟଶ୍ଚିତ୍ତ କେତେ ଦୂର ସକ୍ଷମ, କିଏ କହିବ ? ଏ ପାପର କଳଙ୍କ ସତରେ ସମସ୍ତ କଳ୍ପନାର ଊର୍ଦ୍ଧ୍ଵରେ । ଏ ପାଗଳାମୀର ଭୟାବହ ପରିଣତି ଯେକୌଣସି ପ୍ରାୟଶ୍ଚିତ୍ତର ପରିସରର ବାହାରେ ।

ଶ୍ରଦ୍ଧା ଥିଲେ ଶ୍ରାଦ୍ଧ ଦିଆଯାଏ । ନିଜ ଘର ହେଉ, ବାଇଶି ପାହାଚ ହେଉ, ଗୟା ବାରଣାସୀ ହେଉ, ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ଶ୍ରଦ୍ଧା ନିବେଦନ କରିବା ପାଇଁ ଏ ମଣିଷ ବ୍ୟଗ୍ର ବ୍ୟାକୁଳ ହୁଏ । ପିତୃଋଣରୁ ମୁକ୍ତି ପାଇଁ ସେ ଅନୁନୟ ବିନୟ ହୁଏ । ପିତୃପୁରୁଷ ମଧ୍ୟ ସଦୟ ହୁଅନ୍ତି । ତାଙ୍କର ଅମର ଆତ୍ମା ଆଶୀର୍ବାଦ କରନ୍ତି । କିନ୍ତୁ ହତ୍ୟା ହୋଇଥିବା ଜୀବଟିଏ ପାଇଁ କ’ଣ ହତ୍ୟାକାରୀ ପିଣ୍ଡ ଦେଇପାରେ ? ସେ କ’ଣ ସତରେ ଶ୍ରାଦ୍ଧ ପିଣ୍ଡ ବାଢ଼ିପାରେ ? ଶ୍ରାଦ୍ଧ ଦେଲାବେଳେ ତା’ ବାମ ଆଣ୍ଠୁ ତ ଥରି ଉଠିବ ! ଅଙ୍ଗୁଳିରୁ କୁଶବଟୁ ତ ଖସିପଡ଼ିବ ! ଆଖିପତା ତ ଆପେ ଆପେ ମୁଦି ହୋଇଯିବ ! ସେତେବେଳେ ପୁରୋଧାପଣ ପ୍ରକମ୍ପିତ ହୋଇ ପରାହତ ହେବ । ହୋଇପାରେ, ସେ ଏକ ଅନୁତାପରେ ଆନ୍ଦୋଳିତ ଆତତାୟୀର ଅମାର୍ଜନୀୟ ଅପଚେଷ୍ଟା ଅଥବା ତା’ ଦୁକୁଦୁକିର ଦୁଃସହ ଦହନ !

ଶ୍ରାଦ୍ଧକର୍ମ ସମୟରେ ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧପିଣ୍ଡ ପରେ ପରେ, ଅନ୍ୟମାନଙ୍କ ପାଇଁ ଶ୍ରାଦ୍ଧ ହୁଏ, ପୂଜାର୍ଚ୍ଚନା ହୁଏ, ତିଳତର୍ପଣ ହୁଏ, ଗୁହାଳରେ ମରିଥିବା ପୋଷା ଗୋରୁଗାଈ, ଛେଳି ମେଣ୍ଢାଙ୍କର ମୃତ୍ୟୁ, ପୋଷା ବିଲେଇ କୁକୁରଙ୍କର ମୃତ୍ୟୁ, ଗର୍ଭ ନେଉଟେଇଥିବା ଯୋଗୁଁ ପଶୁ ଭ୍ରୁଣମାନଙ୍କର ମୃତ୍ୟୁ, ଘରଚାଳ କୋରଡ଼ ରହେ ପାରା, ଘରଚଟିଆ ପ୍ରଭୃତି ଛୋଟ ଛୋଟ ପକ୍ଷୀମାନଙ୍କର ଭ୍ରୁଣ, ଶାବକ, ଅଣ୍ଡା ପ୍ରଭୃତିର ଅକାଳ ମୃତ୍ୟୁ, ଜନ୍ଦା ପିମ୍ପୁଡ଼ି ଝିଟିପିଟି ଅସରପା ପ୍ରଭୃତି ନାନା ଜାତି ଦୃଶ୍ୟ ଅଦୃଶ୍ୟ ପୋକ ଜୋକ, ଜୀବଜନ୍ତୁଙ୍କର ମୃତ୍ୟୁ ପାଇଁ ମଧ୍ୟ ଶ୍ରଦ୍ଧା ନିବେଦନ ସହ ଶ୍ରାଦ୍ଧ ଦିଆଯାଏ । ଦୋଷତ୍ରୁଟି ପାଇଁ କ୍ଷମାପ୍ରାର୍ଥନା କରିବାକୁ ହୁଏ । ପ୍ରାୟଶ୍ଚିତ୍ତ କରିବାକୁ ପଡେ଼ । ସେମାନଙ୍କର ଆତ୍ମାର ସଦ୍‌ଗତି ପାଇଁ ପରମେଶ୍ୱରଙ୍କ ପାଖରେ ପ୍ରାର୍ଥନା କରାଯାଏ । ଫଳାଫଳ ଯାହା ହେଉନା କାହିଁକି, ସଦାସର୍ବଦା ଏ ମଣିଷ ସେହି ଦିବ୍ୟ ଆତ୍ମସତ୍ତା ନିକଟରେ ଦୋଷ ମାନୁଥିବା ଭକ୍ତଟିଏ ପରି ଦଣ୍ଡାୟମାନ ହୋଇଥିବା ଦୟାର ଭିକାରି ।

ହେ ଭ୍ରୁଣଘ୍ନ ! ତୁମେ ଏକ ଭୟଙ୍କର କାଳ ସମ୍ମୁଖରେ ଦଣ୍ଡ ପାଇବା ପାଇଁ ବିଚାରର ସମ୍ମୁଖୀନ ହେବା ଧ୍ରୁବବ ନିଶ୍ଚିତ । ଗର୍ଭସ୍ଥ ଭ୍ରୁଣ-ଶିଶୁର ପ୍ରାଣଚ୍ଛେଦନ ଦୋଷରେ ତୁମେ ଅଭିଯୁକ୍ତ । ତୁମେ ଅତିଥିର, ଆତିଥ୍ୟର ଆତତାୟୀ । ଭ୍ରୁଣହତ୍ୟା, ଗର୍ଭପାତ ଭଳି ମହାପାତକ ପାଇଁ ତୁମେ ମହାପାପୀ । ବିବେକ ଓ ବିଶ୍ୱାସର ହତ୍ୟା ଭଳି ଏକ ଜଘନ୍ୟ ଅପରାଧର ତୁମେ ମହାଅପରାଧୀ । ସେଥିପାଇଁ ମାଟିରୁ ମହାକାଶ ଯାଏ ତୁମର ଏ ବିଚାରର ବ୍ୟାପ୍ତି ।

ଲୋକପ୍ରିୟ ଲେଖା

To Top