ପ୍ରବନ୍ଧ

ବାଡ ଖାଉଛି ଫସଲ

Nishikanta Padhi's odia prose Baada Khauchhi Phasala

ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ

ବାଡ ଖାଉଛି ଫସଲ

ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ବାଡ ବୁଜେ । କିଆରୀ ମଝିରେ ଛଣପଟର ଆକୃତିଟିଏ ଛିଡା କରାଇ ଚୁନରେ ଆଖିପାଟି ଓ ନାକ ଚିତ୍ରିତ ମାଟିର ହାଣ୍ଡିଟିଏ ଥୋଇ ଦେଇଥାଏ । ସାରା ଶରୀରଟାକୁ କଳା ପୋଷାକ ଦ୍ୱାରା ଆବୃତ କରାଇଥାଏ । ଯାହାକି ଫସଲ କିଆରୀକୁ କୌଣସି ଜଗୁଆଳି ଜଗିଥିବାର ଭ୍ରମ ସୃଷ୍ଟିକରିଥାଏ । ଫଳରେ ପଶୁ ପକ୍ଷୀମାନେ ଭୟରେ ଫସଲ କିଆରୀକୁ ପ୍ରବେଶ କରି ଫସଲ ଖାଇବାର ସାହସ କରିପାରି ନ ଥାନ୍ତି । ହେଲେ ଯେତେବେଳେ ବାଡ ଆଉ ନକଲି ମଣିଷ ନିଜ ନିଜ ଭିତରେ ଉପାୟ ପାଞ୍ଚି ଫସଲ ଖାଇବା ଆରମ୍ଭ କରନ୍ତି ସେତେବେଳେ ଚାଷୀ ବା କଣ କରିପାରିବ । କେବଳ ମଥାପିଟି ଭାଗ୍ୟକୁ ନିନ୍ଦାକରିବ ସିନା କିଛି କରିପାରିବ ନାହିଁ । ସାଂପ୍ରତିକ ସମାଜର ସ୍ଥିତି ଆଜି ସେହି ଅବସ୍ଥାରେ ପହଞ୍ଚିଯାଇଛି । ଯେଉଁମାନଙ୍କ ଉପରେ ସମାଜକୁ ସଜାଡିବାର ଗୁରୁଦାୟିତ୍ୱ ନ୍ୟସ୍ତ ହୋଇଛି ସେହିମାନେ ହିଁ ଆଜି ସମାଜର ସର୍ବନାଶ କରିଚାଲିଛନ୍ତି ।

ପ୍ରଥମେ ଆସନ୍ତୁ ଶିକ୍ଷାସ୍ତରକୁ । ସରକାର ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଛନ୍ତି ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷାଦେଇ ଭଲମଣିଷ କରି ଗଢିତୋଳିବା ପାଇଁ । ଛାତ୍ରଛାତ୍ରୀମାନେ ଦେଶ ଓ ସମାଜର ସୁନେଲି ଭବିଷ୍ୟତ । ଦେଶର ପ୍ରଗତି ଓ ସମୃଦ୍ଧି ଛାତ୍ରଛାତ୍ରୀମାନଙ୍କ ଉପରେ ନିର୍ଭର କରେ । ଆଦର୍ଶ ଛାତ୍ରଛାତ୍ରୀମାନେ ଦେଶକୁ ବିଶ୍ୱସ୍ତରରେ ସମ୍ମାନିତ କରିଥାନ୍ତି । ହେଲେ ଆଜିର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜର ସ୍ୱାର୍ଥ ପାଇଁ ବ୍ୟସ୍ତ । ଦରମା, ଅନୁଦାନ, ପ୍ରମୋସନ୍ ତଥା ସରକାରୀ ସୁବିଧାକୁ ହାତ କରିବା ପାଇଁ ସେମାନେ ଷ୍ଟ୍ରାଇକ୍, ହରତାଳ, ଗଣଧାରଣାରେ ବ୍ୟସ୍ତ ରହୁଛନ୍ତି । ଫଳରେ ମାସ ମାସ ଧରି ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି । ଯାହାଦ୍ୱାରା ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଛାତ୍ରଛାତ୍ରୀମାନଙ୍କର କ୍ୟାରିଅର ତଥା ଭବିଷ୍ୟତ ଅନ୍ଧକାରାଛନ୍ନ ହୋଇପଡୁଛି । ତେବେ ଏ ଦିଗରେ ନା ସରକାର ଚିନ୍ତାକରୁଛନ୍ତି ନା ଶିକ୍ଷକ ଶିକ୍ଷୟିତ୍ରୀମାନେ ଚିନ୍ତାକରୁଛନ୍ତି । ଆପେ ବଞ୍ଚିଲେ ବାପର ନାଁ ଏହା ଯେପରି ଆଜି ସମସ୍ତଙ୍କର ଲକ୍ଷ୍ୟ ଓ ଆଦର୍ଶ ହୋଇପଡିଛି । ଏହାର ପରବର୍ତ୍ତୀ କଥା ହେଲା – ଆଜିକାଲି ବିଦ୍ୟାଳ୍ୟମାନଙ୍କରେ ଉପଯୁକ୍ତ ଶିକ୍ଷାଦାନ ହେଉନାହଁ । ଘରୋଇ ଟିଉସନ୍, କପି ଯୋଗାଣ ତଥା ଉତ୍କୋଚ ଓ ଲାଞ୍ଚ ଭିତରେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ମାନ ନିର୍ଦ୍ଧାରଣ କରାଯାଉଛି । ଏହା ଦ୍ୱାରା ଆମ ଦେଶ ଓ ସମାଜର ପ୍ରଗତୀ କେତେଦୂର ବାଧାପ୍ରାପ୍ତ ହେଉଛି ତାହା ଚିନ୍ତା କରାଯାଇପାରେ ।

ସେହିପରି ଆଜି ଦେଶରେ ଆଇନକାନୁନ ସବୁ ନିଷ୍କ୍ରିୟ ହୋଇପଡିଛି । ଯୌନ କେଳେଙ୍କାରୀ, ଧର୍ଷଣ ତଥା ହତ୍ୟା ଅପରାଧରେ ସାମିଲ୍ ଥିବା ଅପରାଧିମାନେ ଧରାପଡିଲେ ମଧ୍ୟ ଅର୍ଥବଳରେ ସତକୁ ମିଛ ଓ ମିଛକୁ ସତକରି ସେମମାନଙ୍କୁ ଦୋଷମୁକ୍ତ କରିଦିଆଯାଉଛି । ଆତଙ୍କ ସୃଷ୍ଟିକରୁଥିବା ତଥା ସମାଜକୁ କଳୁଷିତ କରାଉଥିବା ମହା ଅପରାଧିମାନେ ଆଜି ଜାମିନରେ ଖଲାସ ହୋଇଯାଉଛନ୍ତି । ନିକଟରେ ଆଇନ ତିଆରି ହୋଇଛି ଗାଡି ଚାଳକର ମୁଣ୍ଡରେ ହେଲମେଟ୍ ନ ଥିଲେ ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ମିଳିବ ନାହିଁ । କିନ୍ତୁ ଦେଖାଯାଉଛି ଯେ ପେଟ୍ରୋଲ ପମ୍ପବାଲା ଗାଡିଚାଳକଙ୍କ ମୁଣ୍ଡରେ ହେଲମେଟ୍ ପିନ୍ଧାଇ ପେଟ୍ରୋଲ ବିକ୍ରି କରୁଛନ୍ତି । ତେଣୁ ଗାଡିଚାଳକମାନେ ନିୟମ ଓ କାନୁନକୁ ଭାଙ୍ଗି ଚାଲିଥିଲେ ମଧ୍ୟ ଏହାକୁ ବିରୋଧ କରିବା ପାଇଁ ଆଜି କେହି ନାହାଁନ୍ତି । ପୋଲିସମାନଙ୍କ ଉପରେ ଜନସାଧାରଣଙ୍କର ଧନଜୀବନର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିଲେ ମଧ୍ୟ ନିଜେ ପୋଲିସମାନେ ଆଜି ଅପରାଧରେ ସଂପୃକ୍ତ ରହୁଛନ୍ତି । ଅନେକ ଅପରାଧିଙ୍କର ଅପରାଧର ମହାସାମ୍ରାଜ୍ୟ କେତେକ ପୋଲିସ୍, ରାଜନେତା ତଥା ପୁଞ୍ଜିପତିଙ୍କର ନିୟନ୍ତ୍ରଣରେ ହିଁ ରହିଛି । ଅର୍ଥବଳରେ ଆଇନକାନୁନକୁ ବଦଳାଇ ସେମାନେ ଅପରାଧ ଘଟାଇବା ପାଇଁ ଅପରାଧିମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି । ସେହିପରି ନାମିଦାମୀ କଳାକାର ଯେଉଁମାନେ ଆଦର୍ଶ କଳା ସୃଷ୍ଟିକରି ସମାଜରେ ସଂସ୍କାର ଆଣିବାର ବାର୍ତ୍ତା ସୃଷ୍ଟିକରିଥାନ୍ତି । ଯେଉଁମାନଙ୍କୁ ଆଜିର ଯୁବସମାଜ ଅନୁସରଣ କରିଥାଏ । ସ୍ୱାର୍ଥ ପାଇଁ ସେମାନେ ମଧ୍ୟ ନିଜର ଆଦର୍ଶକୁ ବଳିଦେଇ ଅସତ ପଥରେ ପାଦ ଦେଉଛନ୍ତି । ଗଣମାଧ୍ୟମ ତଥା ସାମ୍ବାଦିକମାନେ ମଧ୍ୟ ଆଜି ନିଜ ନିଜର କର୍ତ୍ତବ୍ୟ ପଥରୁ ଓହରିଯାଇ ସ୍ୱାର୍ଥ ପଛରେ ଧାଉଁଛନ୍ତି । ଯିଏ ଟଙ୍କା ଖର୍ଚ୍ଚ କରୁଛି ତାର ନିୟନ୍ତ୍ରଣରେ ସାମ୍ବାଦିକର କଲମ ମୁନ ଚାଲୁଛି । ତାର ନିୟନ୍ତ୍ରଣରେ ଖବର ମାନ ପ୍ରକାଶ ପାଉଛି । ସାମ୍ବାଦିକ ତଥା ଗଣମାଧ୍ୟମ ହେଉଛି ଏ ଦେଶ ଓ ସମାଜର ଜାଗ୍ରତ ପ୍ରହରୀ । ସେମାନେ ଯଦି ନିଜେ ପଥହରା ହୋଇଯିବେ ତେବେ ଏ ଅନ୍ଧକାରାଛନ୍ନ ଦେଶ ଓ ସମାଜକୁ ଆଲୋକ ଦେଖାଇବ ବା କିଏ ? କିଏ ସୃଷ୍ଟି କରିବ ସଚେତନତା କିଏ ଦେଖାଇବ ପଥହରା ମଣିଷମାନଙ୍କୁ ସତ୍ୟ ଓ ଆଦର୍ଶର ଅନୁସନ୍ଧାନର ପଥ । ସେହିପରି ଡାକ୍ତର, ଇଞ୍ଜିନିୟର, ସରପଞ୍ଚ, ଏମଏଲଏ, ମନ୍ତ୍ରୀ ଆଦି ସରକାରୀ କର୍ମଚାରୀଙ୍କୁ ଜନସାଧାରଣଙ୍କର ସେବା ପାଇଁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ସେମାନେ ଆଜି ପ୍ରତି ମୂହୁର୍ତ୍ତରେ ନିଜ ଘରକଥା ଚିନ୍ତାକରୁଛନ୍ତି । ସେମାନଙ୍କର କଳକାରନାମା ପ୍ରତିଦିନର ଖବର କାଗଜରେ କଳଙ୍କିତ ଅଧ୍ୟାୟ ରୂପେ ପ୍ରକାଶ ପାଉଛି ।

ସଂପ୍ରତି ରାଜ୍ୟରେ ଅପରାଧର ମାତ୍ରା ବଢିବାରେ ଲାଗିଥିଲେ ମଧ୍ୟ ଦେଶର ଆଇନ ଓ କାନୁନ୍ ତାହାକୁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିପାରୁନାହିଁ । ଏହାର ମୁଖ୍ୟ କାରଣ ହେଉଛି ଯେଉଁମାନେ ଆଇନର ରକ୍ଷକ ସେହିମାନେ ହିଁ ଆଇନକୁ ଭାଙ୍ଗି ଚାଲିଛନ୍ତି । ରେସନ୍ କାର୍ଡ ଦୁର୍ନିତୀରେ ସବୁ ଥିଲା ବାଲା ବଡଲୋକିଆଙ୍କର ସଂପୃକ୍ତି ରହିଛି । ଜଗନ୍ନାଥ ତଥା ଲିଙ୍ଗରାଜଙ୍କର ସେବାରେ ଆଜି ବିଭ୍ରାଟ କେବଳ ସେବାୟତମାନଙ୍କର ଆପୋଷ ବୁଝାମଣାର ଅଭାବରୁ ହିଁ ଘଟୁଛି । ଅତୀତରେ ବ୍ରହ୍ମ ସ୍ଥାନାନ୍ତର ଘଟଣା କିଭଳି ସବୁ ନିୟମ ଓ ପରମ୍ପରାକୁ ଭାଙ୍ଗିରୁଜି ଚୁର୍‌ମାର୍ କରି ପକାଇଲା ତାହା ଓଡିଶାବାସୀ ଅବଗତ ଥିବେ । ନେତା ଓ ମନ୍ତ୍ରୀମାନଙ୍କର ପରଦା ପଛର କାହାଣୀ କିପରି ଅସତ୍ୟ, ଅସ୍ପଷ୍ଟ ତଥା ଅପରାଧ ଉପରେ ପର୍ଯବେସିତ ତାହା ସମସ୍ତେ ଜାଣନ୍ତି । ତଥାପି ସେମାନଙ୍କର ଅର୍ଥବଳ ଓ ବାହୁବଳକୁ ଆଶ୍ରାକରି ସେମାନଙ୍କୁ ପଦପଦବୀ ଦିଆଯାଇ ଜନପ୍ରତିନିଧି ଭାବେ ବଛାଯାଇଛି । ତେବେ ଏଇଠି ମନେପଡେ ମଧୁସୂଦନଙ୍କର କବିତାର ପଦ – “ଶାଗୁଣା ବିଲୁଆ ଚିକିତ୍ସକ ହେଲେ ଶବ କି ପାଇବ ପ୍ରାଣ” । ଯଦି ଗୁଣ୍ଡା ଅପରାଧିମାନେ ଦେଶର ଶାସନ ଭାର ଗ୍ରହଣ କରିବେ ତେବେ ଦେଶର ଶାସନ ବ୍ୟବସ୍ଥା କଣ ହେବ ତାହା ଚିନ୍ତାକରାଯାଇ ପାରେ ।

ଆଜି ବି ମଧ୍ୟ ଆମ ସମାଜରେ ଯୌତୁକ ବିରୋଧି ଆଇନ, ଶିଶୁ ଶ୍ରମିକ ଉଛେଦ ଆଇନ, ଜଙ୍ଗଲ ସୁରକ୍ଷା ତଥା ବନ୍ୟପ୍ରାଣୀ ସୁରକ୍ଷା ଆଇନ, ନିଶା ସେବନ ବିରୋଧ ଆଇନ, ମାନବାଧିକାର ଆଇନ, ଖଣି, ନଦୀ, ନାଳ ତଥା ସମୁଦ୍ରତଟ ସୁରକ୍ଷା ଆଇନ ମାନ ସକ୍ରିୟ ରହିଛି । ହେଲେ ଏ ମଣିଷ ପ୍ରତିମୁହୂର୍ତ୍ତରେ ଭାଙ୍ଗି ଚାଲିଛି ଏ ଆଇନ ସବୁକୁ । ଦେଶ ଓ ସମାଜକୁ ସୁରକ୍ଷା ଯୋଗାଇ ଦେବାକୁ ଆଇନସବୁ ଗଢା ଯାଇଥିଲେ ମଧ୍ୟ ଆଇନ ଆଖିରେ ଅନ୍ଧପୁଟୁଳି ବାନ୍ଧି ଏ ମଣିଷ ନିଜ ଦେଶ ଓ ସମାଜକୁ ଧ୍ୱଂସ କରିଚାଲିଛି । ତେବେ ସମୟ ଆସିଛି ଏହି ବାଡକୁ ହିଁ ଜଗିବାକୁ ହେବ ଆଉ ଆଇନକୁ ପୂର୍ଣ୍ଣ ସକ୍ରିୟକରି ଏ ଦେଶ ଆଉ ସମାଜକୁ ବଞ୍ଚାଇବାକୁ ହେବ ।

ଲୋକପ୍ରିୟ ଲେଖା

To Top