ପ୍ରବନ୍ଧ

ବାଳୁତର ବ୍ୟଥା

Shree Niranjana Padhi's Odia Prose BAALUTARA BYATHAA

ଭୋକର ଅଲଙ୍ଘ୍ୟ ଅମାନିଆପଣକୁ ଆଉଁଶି ଦେଇ, ଏ ବିଶ୍ୱରେ ଦେହଟିଏ ଧରି ବଞ୍ଚି ରହି, ସବୁକିଛିର ରହସ୍ୟର ରସରେ ଆପଣାକୁ ରସମଞ୍ଜୁଳ କରିବା ହିଁ, ଏକ ନିଧିନିମଗ୍ନ ନିଶା । ଏଠି ରକ୍ତର ଆକର୍ଷଣଠାରୁ ଭୋକର ଭୀମଭୈରବ ମୂର୍ତ୍ତିର ପୂଜନ ଅଧିକ ଯୁକ୍ତିସଂଗତ ।

ବାଳୁତର ବ୍ୟଥା

ମୋ ନାଆଁ ନିଧି ଭତରା । ଡାକ ନାମ ନିଧିଆ । ନାଆଁ ଅନୁସାରେ ମୁଁ ଏକ ରତ୍ନତୁଲ୍ୟ ସମ୍ପଦ । ଏପରି ଏକ କୋଟିକରୁ ଗୋଟିଏ ନାଆଁ କୌଣସି ନିର୍ଦ୍ଦିଷ୍ଟ ସାମାଜିକ ଶ୍ରେଣୀ ପାଇଁ ପ୍ରଯୁଜ୍ୟ । ହୋଇପାରେ ରାଜପୁତ୍ର, ଜମିଦାରଘରର ପିଲା ଅଥବା କୋଟିପତି, ଲକ୍ଷପତି, ଧନୀମାନୀ, ବଡ଼ବଡ଼ିଆ ବଂଶର ବଂଶଧର । ନା, ମୁଁ ସେସବୁ କିଛି ନୁହେଁ । ଏପରି ଏକ ନାମ ନିଶ୍ଚିତ ଭାବରେ ମୋ ବାପା ମାଆ ଦେଇ ନଥିବେ । ଯାହା ମୋର ଅନୁମାନ, ଆମ ଖାଉନ୍ଦ ଘରର ବାବୁଆଣୀଙ୍କର ଏସବୁ କାମ । ସଦ୍ୟଜାତ ଶିଶୁମାନଙ୍କର ବାଛି ବାଛି ନାଆଁ ଦେବାରେ ସେ ଏ ଆଖପାଖ ଅଞ୍ଚଳରେ ବେଶ୍ ଜଣାଶୁଣା । ଏଇଥିପାଇଁ ବହୁଲୋକ ତାଙ୍କ ପାଖକୁ ଧାଇଁ ଆସନ୍ତି ଏକୋଇଶା ପୂର୍ବରୁ । ଏଇ ନାମକରଣ ପରେ ପରେ, ଅନେକ ପିଲାଙ୍କର ଭାଗ୍ୟ ପୋଥି ଫିଟିଯାଏ । ତାଙ୍କ ତୁଣ୍ଡ ଲକ୍ଷ୍ମୀ ସାନ୍ତାଣୀଙ୍କର ତୁଣ୍ଡ । କିନ୍ତୁ ମୋ ଭାଗ୍ୟପୋଥିର ଡୋର, ସେ ପୋଥିଟାକୁ ଏ ଯାଏ ବି, ଜବର ଗଣ୍ଠି ପକେଇ ରଖିଛି । ତାଙ୍କ ତୁଣ୍ଡ କେବେ ସୁତୁଣ୍ଡ ହେବ କେଜାଣି ?

ଆମ ପରିବାରର କିଛି ବୋଇଲେ କିଛି ନାହିଁ । ଘର ଡିହ ନାହିଁ, ଚାଷ ଜମିରୁ ବାଡ଼ି ଗୋବେରୁ ଗୋବେ ନାହିଁ । ଥିଲା, ବହୁତ କିଛି ଥିଲା, କିନ୍ତୁ ଏ ବଂଶର କେଉଁ ପୂର୍ବଜଙ୍କର ଭାଗ୍ୟ ବିପର୍ଯ୍ୟୟ ବେଳେ, ଜଣେ ନିଷ୍ଠୁର ଜମିଦାର ସବୁକିଛି ନେଇଯାଇଥିଲେ । ଧାର ଉଧାର ଆଉ ଜମି ବନ୍ଧକର ହାତସଫେଇ ଖେଳର ଭେଳିକି ଭିତରେ, ଦି’ଚାରିଟା ଟିପଚିହ୍ନ ହିଁ, ସେତେବେଳେ ଯଥେଷ୍ଟ ଥିଲା । ଏମିତି ଏକ ଖେଳରେ ତ ପ୍ରଥିତ ଯଶା ପାଣ୍ଡବ ପରିବାର ସର୍ବସ୍ୱାନ୍ତ ହୋଇଥିଲେ । ତାଙ୍କ ତୁଳନାରେ ଆମ ଦରିଦ୍ର ପରିବାର କ’ଣ ବା କରିପାରନ୍ତା ? କିନ୍ତୁ ଆମର ତ ଏଯାଏ ଲୁହନଦୀ ସନ୍ତରଣ ସରିନି । ଆମ ପାଇଁ ଲହୁନଦୀ ସନ୍ତରଣର ଦୀର୍ଘ ଦୂରତ୍ୱ ଏବେ ଖୁବ୍ ବେଶି ।

ସେପରି ଏକ ବିପଦ ବେଳେ, ଏ ଖାଉନ୍ଦ ବଂଶ ଆମ ପରିବାରକୁ ଆଶ୍ରୟ ଦେଇଥିଲା । ରହିବାକୁ ଚାଳ-ଛପର ଘର, ଅଧମାଣେ ଜମି, ସବୁଦିନିଆ ରୋଜିରୁଟି ପାଇଁ ଚାଷବାସ ବିଲବାଡ଼ି କାମ, ମଞ୍ଜି ବିହନ ଖଞ୍ଜା ଥିଲା ଆମ ପାଇଁ । ଖାଉନ୍ଦର ଖଳା ଅମାର, ହାଟ ବଜାର, ପୁନେଇଁ ପରବ, ଘରକାମ, ଆମକୁ ବାଦ୍ ଦେଲେ କିଛି ହେବନି । ଆମେ ଘରର ଲୋକ । ଆମେ ପରିବାରର ସଦସ୍ୟ । ଆମେ ମୂଲିଆ, ଖଟିଖିଆ ହେଲେ ବି, ଚାଷବାସ ପାଇଁ କହିବାକୁ ଗଲେ ଏକ ନାମକୁ ମାତ୍ର ଚାଷୀ ପରିବାର । ଆମେ ଜଗୁଆଳି, ଆମେ ବି ଗୁମାସ୍ତା ।

ଖାଉନ୍ଦର ଝିଅ, ଆମ ନିନି ବାହାଘରେ ଆମେ କାର୍ପଟଦାର । ଘର ସଫା ଠାରୁ ବେଦୀବନ୍ଧା, ଭାରଥୋର ବୁହାଠାରୁ ରଜ ସାବିତ୍ରୀ, ମନଶୋଧ ଏକୋଇଶା ଯାଏ, ସବୁ ଠାକଠାକରେ ନିନିର ଶାଶୂଘରେ ଆମେ ସର୍ବଜନ ବିଦିତ ମାନ୍ୟଗଣ୍ୟ କୁଣିଆଁ । ଭଲ କରି ଠାଆପିଢ଼ା ଚର୍ଚ୍ଚା ବେଭାର ନ ହେଲେ, ଖାଉନ୍ଦାଣୀ ତାଙ୍କ ସମୁଦି ସମୁଦୁଣୀଙ୍କ ଉପରେ ଖୁବ୍ ଖୋଲାଖୋଲି ଭାବରେ ଗରଗର ହୁଅନ୍ତି । ଥରେ ଏମିତି କିଛି ଅବହେଳା ଅଘଟଣ ହୋଇଥିଲା ଯେ, ସାଆନ୍ତାଣୀଙ୍କର ଗୋଟାଏ ତୋଡ଼ରେ ସେ କଥା ସବୁଦିନ ପାଇଁ ସମାଧାନ ହୋଇଗଲା ।

ତଥାପି ଆମେ ଆମର ସ୍ଥାନ ଆସ୍ଥାନ ଓଜନଔକାତ୍ ଉପରେ ଖୁବ୍ ସଚେତନ । ଯେତିକିରେ ରହିବା କଥା ସେତିକିରେ ନିଜକୁ ସୀମିତ କରି ରଖିବା ଆମର ବଂଶଗତ ଅଭ୍ୟାସ । ସେଇଥିପାଇଁ ସମସ୍ତେ ଆମକୁ ଆଦର କରନ୍ତି, ସ୍ନେହ କରନ୍ତି ଭଲ ପାଆନ୍ତି । ସୁଖଦୁଃଖ କଥା ବିପଦ ଆପଦରେ ବୁଝି ଦିଅନ୍ତି । ଏଇ ଖାଉନ୍ଦ ଘରେ ମୋତେ ମିଶାଇ ଆମର ସାତପୁରୁଷ କଟି ସାରିଲାଣି । ସମସ୍ତେ ତ, ସେଇ ସାତପୁରୁଷକୁ ବନ୍ଧୁ ବାନ୍ଧିଥାଆନ୍ତି ।

ଏଠି କେହି କାହାକୁ ଦେଖି ସହି ପାରନ୍ତିନି । ଲଗାଯୋଡ଼ା କରି, ଚାକରବାକର କୋଠିଆ ଖମାରେଇକୁ, ଖାଉନ୍ଦଠାରୁ ଅଲଗା କରିବା ଲୋକଙ୍କର ବଦ୍ଗୁଣ । ସେଥିପାଇଁ ଖାଉନ୍ଦର ଘର ବିଷୟକୁ ନେଇ ବାହାରେ ଚର୍ଚ୍ଚା କରିବା ଆମ ବଂଶରେ ନ ଥାଏ । ନିମକ ଖାଇ ନିମକହାରାମ ହେବା ମହାପାପ । ବିଶ୍ୱାସରେ ବିଷ ଦେଲେ ନର୍କକୁ ଯିବାକୁ ହୁଏ । ଏହି ମନ୍ତ୍ର ଆମ ପରିବାରର ପୁଣ୍ୟ ପୂଜାମନ୍ତ୍ର । ଖୁବ୍ ମନୋଯୋଗ ଦେଇ ଖାଉନ୍ଦ ଖାଉନ୍ଦାଣୀ, ଆମ ପରିବାରର ଝିଅ ବୋହୂମାନଙ୍କର ବିଭା ପୋଖତି ଦିହଦୁଃଖ ସବୁ କଥା ବୁଝି ଦିଅନ୍ତି । ମୁଁ ଏବେ ମାଇନର ସ୍କୁଲରେ ପଞ୍ଚମ ଶ୍ରେଣୀର ଛାତ୍ର । ଅନ୍ୟ ବେଳରେ ସମସ୍ତଙ୍କ ଭଳି ଘରକାମରେ ସାହାଯ୍ୟ କଲେ । ପ୍ରତିଦିନ ସଞ୍ଜବେଳେ ଖାଉନ୍ଦାଣୀଙ୍କୁ ଭାଗବତରୁ ଅଧ୍ୟାୟେ ଲେଖାଏଁ ଶୁଣାଏ । ମୋ ଜନ୍ମ ସମୟରେ ମୋ ବୋଉ ଏ ଇହଧାମ ଛାଡ଼ିଥିଲା । ମୁଁ ତାକୁ ଆଖିରେ ଦେଖିନି, ଯାହା ଶୁଣିଛି । ଏଇ ଖାଉନ୍ଦାଣୀ ମୋ ବୋଉ । ଗତସନ ଧାନବିଲରେ ବେଉଷଣ ବେଳେ ଅଚାନକ ଏକ ଅକାଳ ବଜ୍ରପାତରେ ମୋ ବାପାର ଜୀବନଦୀପ ଲିଭିଗଲା । ମୁଁ ଏବେ ବାପାମାଆ ଛେଉଣ୍ଡ । ଏ ଖାଉନ୍ଦ ଖାଉନ୍ଦାଣୀ ମୋ ପାଇଁ ସବୁକିଛି ।

ଦିନେ ହଠାତ୍ ଦି’ପହରଟାରେ ଖାଉନ୍ଦ ଘରକୁ ବହୁ ଲୋକ ଘେରିଗଲେ । ସେଥିରେ ଅଫିସର୍, ପୁଲିସ୍, ମାଜିଷ୍ଟ୍ରେଟ୍ ଆଉ କେତେ ପିଅନ୍, ଚପରାସୀ ଓ ଚଳିଆ କର୍ମଚାରୀ । ମଚମଚ ଜୋତା ଶବ୍ଦ, ପୁଲିସ୍‌ର ନିଶ ମୋଡ଼ିମୋଡ଼ି ରୋଲବାଡ଼ି ବୁଲେଇବା ଢଙ୍ଗ, ଅଫିସ୍‌ରଙ୍କ ତୁଣ୍ଡର କଡ଼ାକଡ଼ା କଥା, ନାନା ରକମର ଡରାଣ ଧମକାଣରୁ ମୁଁ କିଛିଟା ଡେରିରେ ବୁଝିଗଲି ଯେ, ଏ ସବୁ କେବଳ ମୋରି ପାଇଁ । ଏଇ ଖାଉନ୍ଦ ଘରେ ଆମ ବଂଶାନୁକ୍ରମର ଗୋତିକାମ, ଆଉ ଏବେ ମୁଁ ମଧ୍ୟ କୁଆଡେ଼ ଏକ ଶିଶୁଗୋତି । ଏସବୁ ଆଇନ୍ ବିରୁଦ୍ଧ ।

ଗୋତିପ୍ରଥା ଉଚ୍ଛେଦ ହେଲାଣି ବହୁଦିନରୁ । ଏ ଖାଉନ୍ଦ ତଥାପି ମୋତେ ଗୋତି ଖଟଉଛି । ଏଠି କ’ଣ ସତରେ ମୁଁ ଖାଉନ୍ଦର ପିଲାଙ୍କ ପରି ରହିଛି । ଅନେକ ତଫାତ୍ ରହିଛି, ରହିବ ମଧ୍ୟ । ସ୍ନେହ ମମତା, ଆଦର, ପୋଷାକ, ଆହାର, ପାଠଶାଠର ପ୍ରସ୍ତୁତି, ଦେହପା ଏମିତି ଅନେକ କିଛିରେ ଅନେକ ରକମର ଅସମାନତା । ଏସବୁ ମୁଁ ବୁଝିନପାରୁ ଥିଲାବେଳେ ମୋ ଭିତରେ ଥିବା ଶିଶୁଟି ଖୁବ୍ ଗମ୍ଭୀର ଭାବରେ ବହୁବାର ଗୁମୁରି ଉଠିଛି । କିନ୍ତୁ ଏ ପେଟ ତାକୁ ମନେଇ ଦେଇଛି । ଏ ଭୋକ ତାକୁ ଭୁଲେଇ ଦେଇଛି । ଭୋକର ଅଲଙ୍ଘ୍ୟ ଅମାନିଆପଣକୁ ଆଉଁଶି ଦେଇ, ଏ ବିଶ୍ୱରେ ଦେହଟିଏ ଧରି ବଞ୍ଚି ରହି, ସବୁକିଛିର ରହସ୍ୟର ରସରେ ଆପଣାକୁ ରସମଞ୍ଜୁଳ କରିବା ହିଁ, ଏକ ନିଧିନିମଗ୍ନ ନିଶା । ଏଠି ରକ୍ତର ଆକର୍ଷଣଠାରୁ ଭୋକର ଭୀମଭୈରବ ମୂର୍ତ୍ତିର ପୂଜନ ଅଧିକ ଯୁକ୍ତିସଂଗତ ।

ଖାଉନ୍ଦ ଆଇନ୍‌ର ଖାଲିରେ ପଡ଼ିଛନ୍ତି । ଗୋତିପ୍ରଥା ଉଚ୍ଛେଦ ଆଇନ୍‌ର ଅବଜ୍ଞାନ କରିଛନ୍ତି । ସେ ଅଦାଲତର ଅର୍ଗଳିକୁ ଯିବେ । ଶାସନ ମୋତେ ଉଦ୍ଧାର କରିଛନ୍ତି । ଏହା ତାଙ୍କର ଖୁବ୍ ଏକ ବଡ଼ ସଫଳତା । ମୁଁ ଜିପ୍‌ର ଆଗ ସିଟ୍‌ରେ ବସିଛି । ମୋ ପଛରେ ବିରାଟ ପଟୁଆର । ଡାକବାଜି ଯନ୍ତ୍ର ପ୍ରଚାର କରିଚାଲିଛି ମୋର ସେହି ଅନାମଧ୍ୟେୟ ନାଆଁଟିକୁ । ଗୋତିପ୍ରଥାର ଅବରୁଦ୍ଧ କାରାଗାରରୁ ଆଜି ନିଧିଆ ଭତରା ମୁକ୍ତ । ସେ ଜୀବନର ସ୍ୱାଧୀନତାର ସ୍ୱାଦ ଆଜିଠାରୁ ଚାଖିବ । କିଛି ଦୂରରେ ସହର ମଝିରେ ସୁସଜ୍ଜିତ ମଞ୍ଚ । ମନ୍ତ୍ରୀ, ସାଂସଦ, ବିଧାୟକ, କଲେକ୍ଟର ମଞ୍ଚାସୀନ । ମୋ ବେକରେ ଫୁଲମାଳ । କାହିଁ କେତେ ଆଦର ସମ୍ଭାଷଣ । ମୋ ବିଷୟରେ ଉଚ୍ଛ୍ୱସିତ ଭାଷଣର ଗୁରୁଗମ୍ଭୀର ଧ୍ୱନି ପ୍ରତିଧ୍ୱନି, ଦର୍ଶକଙ୍କ ତୁହାକୁ ତୁହା କରତାଳି ମୋତେ ଅଭିଭୂତ କରିଛି । ମୋ ବୁକୁ କୁଣ୍ଢେମୋଟ । ଏସବୁ ମୋ ବଂଶ ବୁନିଆଦି ପାଇଁ ସ୍ୱପ୍ନ । ଆଜି ନିଧିଆ ଭତରା ଏ ନିଖିଳ ବିଶ୍ୱର ନିଧିସମ୍ପଦ ।

ସଭା ସରିଲା । ଗାଡ଼ିମାନଙ୍କର ଫେରନ୍ତା ବେଳର ଗର୍ଜନ ଥମିଗଲା । ମଞ୍ଚ ଶୂନ୍‌ଶାନ୍‌ । ଦର୍ଶକମଣ୍ଡଳୀ ଏବେ ଅଦୃଶ୍ୟ । ସମଗ୍ର ବାତାବରଣରେ ଏକ ଗମ୍ଭୀର ନୀରବତା । ମଞ୍ଚଭଙ୍ଗା ପର୍ଯ୍ୟାୟ ପରେ କେବଳ ଏକ ପ୍ରକାଣ୍ଡ ଘାସ ପଡ଼ିଆର ଖାଁ ଖାଁ ପଣ । ଧୀରେ ଧୀରେ ଆଲୋକର ଅବତରଣ ବେଳ । ସନ୍ଧ୍ୟା ନଇଁ ଆସିଲାଣି । ବୁଲା କୁକୁରମାନଙ୍କର ଭୋ ଭୋ ଶବ୍ଦ ସହ, ପାଖ ବିଲମାଳରେ ବିଲୁଆଙ୍କର ହୁକେ ହୋ ହୁକେ ହୋ ଶବ୍ଦମାନେ ମୋ ଭିତରେ ଭୟ ସଞ୍ଚାର କରୁଛନ୍ତି । ମୁଁ ଏକା । ଊର୍ମିଳ ଉଲ୍ଲାସଟି ଅସ୍ତ ହୋଇଗଲା ପରେ, ମୋ ଉଦର-ଆକାଶରେ ଭୋକଟିଏ ଆସ୍ତେ ଆସ୍ତେ ଉଇଁ ଆସିଲାଣି । ମୁଁ ଏବେ ଭ୍ରମିତ, ଅସହାୟ । କେମିତି କେଜାଣି ସେଇ ଅନ୍ଧାରରେ ବି, ମୋ ପାଦ ପହଞ୍ଚି ଯାଇଥିଲା ଖାଉନ୍ଦର ବାରିପଟ କବାଟ ପାଖରେ । ଲୁହମାନଙ୍କର ଋକ୍ଷ ଲହରୀମାନେ ଖାଉନ୍ଦର ଆଖିକୁ ଲାଲ୍ କରିଦେଇଛନ୍ତି । ଖାଉନ୍ଦାଣୀ ଅବାକ୍ । ମୁଁ ସେତିକିବେଳେ ମାଗୁଛି କିଛି ଖାଦ୍ୟ । ଖାଉନ୍ଦ କହୁଛନ୍ତି. . . ଯା’ ପଳେଇ ଯା’ ନିଧିଆ, ଆଉ ମୋ ହାତରେ ହାତକଡ଼ା ପକାନି । ଖାଉନ୍ଦାଣୀ କଂସାଏ ଭାତ ତୁଣ ଥୋଇ ଦେଇ କହୁଛନ୍ତି, “ଯେତେ ଶୀଘ୍ର ପାରୁଛୁ ଲୁଚି ଲୁଚି ଖାଇଦେ’. . . ତା’ପରେ ଚାଲିଯିବୁରେ ବାବୁ ।” ମୁଁ ଖାଇଛି, ଭୋକର ଦାଉ ପ୍ରଶମିତ ହୋଇଛି, ଗାଁ ମୁଣ୍ଡ ବରଗଛ ମୂଳ ବାବାଜି ଟୁଙ୍ଗି ପାଖରେ ରାତିଟା ପୁହାଇ ହେଇଛି । ପରଦିନ ସକାଳୁ ପୁଣି ମୋର ଭୋକକୁ ଭୁଲେଇବାର ଅଭିଯାନ ଆରମ୍ଭ ହୋଇଛି ।

ସେ ଗାଆଁର ଆଉ କିଛି ଦୂରରେ ଲମ୍ୱିଯାଇଛି ମାଳମାଳ ପାହାଡ଼ । ସମୁଦ୍ର ଲହରୀ ପରି ଦିଶୁଛି ତା’ ଅଙ୍କାବଙ୍କା ଊର୍ମିଳ ମଥାନ । ତା’ଦେହରେ ତରୁଲତାର ଚାରୁଚିତ୍ରିତ ପୋଷାକ । ଆଖାପାଖରେ ଗାଁ ଗାଁର ଗାଈଗୋଠର ମେଳଣ । ପାହାଡ଼ ପାଦଦେଶରେ ଡିନାମାଇଟ୍‌ର ତୁହାତୁହା ବିସ୍ଫୋରଣ । ଟଳି ପଡୁଛି ପାହାଡ଼ ଦେହରୁ ପଳପଳ ମାଂସ ପରି ପୃଥୁଳ ପଥର । ସଦ୍ୟ ଶିକାର ମାଂସକୁ ମନ ଭରି ମନ୍ଥୁଥିବା ବାଘସିଂହର କ୍ଷୁଧାମୟ ରଡ଼ି ପରି, ସେଠାରେ କଂକ୍ରିଟ୍ କ୍ରସରମାନଙ୍କର, ପଥରକୁ ପାକୁଳି କରୁଥିବାର ଭୟଙ୍କର ଶବ୍ଦ । କଂକ୍ରିଟ୍ କାରଖାନାରେ କୁଲି ମଜୁରିଆଙ୍କର କଥାଠାରୁ ବ୍ୟଥା ଆହୁରି କଷ୍ଟକର କର୍ମଯୋଗର ସେଠି କଠୋର କାହାଣୀ । ଧୂଳି ଧୂମାୟିତ ସେଠି ସାରାଦିନ । ସାରାରାତି ମାୟାର କୁହୁଡ଼ି । ସେହି ଧୂଳି ଆୟୁଃକୁ ଅଳ୍ପାୟୁଃ କରେ । ପ୍ରତିଟି ମଣିଷ ଭିତରେ ଭରିଯାଏ, ଜୀବନକୁ ଶୋଷିବାର ବିଷ ।

ଭୋକ ସେତେବେଳକୁ ମୋ ପାଦକୁ ଅବଶ କରିସାରିଲାଣି । ଆପେ ଆପେ ଖୁବ୍ ଅନାୟାସରେ ମୁଁ ଅଟକିଗଲି ସେଠି । ମୂଲିଆଙ୍କ କର୍ମବିରତି ବେଳର ଭାତ ଡାଲମାର ପଂକ୍ତିଭୋଜନକୁ ଦେଖି ମୁଁ ମୋହାବିଷ୍ଟ । ମାଆ ହାତ ପରି ଠାରୁଥିବା ହାତଟିଏର ଇସାରାରେ ମୁଁ ସେଠି ଯାଇଥିଲି ଦି’ଗୁଣ୍ଡା ଭାତ, ଦି’ସୋଡ଼କା ଡାଲ୍ମା ଆଉ କଂସାଏ ପାଣି । ଦେହଟିରେ ମୋର ଜୁ’ ଆସିଗଲା ପରେ, ମୁଁ ସେ କ୍ୟାମ୍ପରେ ଆଉ ଜଣେ ଶିଶୁ ଶ୍ରମିକର ଅଭିନୟ ଆରମ୍ଭ କରିଦେଇଥିଲି ।

ସେପଟେ ଗାଈଆଳ ପିଲାଟି ହାତରେ ଥିବା ବଂଶୀଟି, ମୋତେ ଏକ ମଧୁମଙ୍ଗଳ ବଂଶୀସ୍ୱନଟିଏ ଉପହାର ଦେଇ ମୁଗ୍ଧ କରୁଥିବା ବେଳେ, ମୁଁ ପ୍ରତିଦାନରେ ତାକୁ ଦେଉଥିଲି ମୋ ହାତରେ ଥିବା ହାତୁଡ଼ିଟିର ପଥରକୁ ପିଟୁଥିବା ପ୍ରଚଣ୍ଡ ପ୍ରହାରର କ୍ଳେଶ କର୍କଶ ଶବ୍ଦ । ମୁଁ ଆଉ ତାକୁ କ’ଣ ବା ଦେଇପାରନ୍ତି ? ମୋତେ ଖୁବ୍ ଖରାପ ଲାଗେ ଏଥିପାଇଁ । ସେଇଠି ଖଟେ, ସେଇଠି ଖାଏ, ସେଇଠି ମୁଁ ଶୁଏ । ଇଏ ଏକ ନୂଆ ପରିସର, ନୂଆ ପରିବାର, ନୂଆ କାମ ଓ ନୂଆ ଖାଉନ୍ଦ । ହାତୁଡ଼ି ପାଇଁ ବପୁବହୁଳ ମତୁଆଲା ମାଂସପେଶୀ ଦରକାର । ଆଉ ଏ ମାଂସପେଶୀ ପାଇଁ ମଧୁକ୍ଷରା ମହୁମୁହାଣଟେ ବି ଦରକାର । ଏ କଞ୍ଚାକଅଁଳ ଦେହ-ମନର ଭବିଷ୍ୟତ ପାଇଁ ସଞ୍ଚିତ ମହୁଭଣ୍ଡାରକୁ ବି, ଶୋଷି ନେଇ ଚାଟିଚୁଟି ସଫା କରିଦିଏ ଏଇ ହାତୁଡ଼ି । ଏ ହାତୁଡ଼ି ଟାଣ ପଥରକୁ ହତ୍ୟା କରେ ଆଉ ତା’ ସହିତ ମୋତେ ମଧ୍ୟ ମୁହୂର୍ତ୍ତ ମୁହୂର୍ତ୍ତ ।

ବ୍ୟଥା ଏଠି ବେଳେବେଳେ ବିବ୍ରତ ହୋଇପଡେ଼ । ବାଲ୍ୟ ଚପଳତା ଏଠି ଯୁଗବ୍ୟାପୀ ଭୋକଙ୍କର ମାନଚିତ୍ର ଆଙ୍କେ । ଏଇ ବ୍ୟଥା, ଦେହସାରା ବଥରେ ବଥକୁ ଖଞ୍ଜି ଧକଧକ ହୁଏ । ମୋତେ ସେ ଏକ ବ୍ୟବଚ୍ଛିନ୍ନ ବ୍ୟକ୍ତି ପରିଚୟଟିଏ ଦେଇ ବ୍ୟଥୀ କରିଦିଏ । ଧୂଳିଝଡ଼ ଆବରଣ ତଳେ ତଳେ ମୁଁ ଏକ ବିବେକର ବ୍ୟବଚ୍ଛେଦ, ଯେଉଁଠାରେ କ୍ଷୀଣ ଝଙ୍କୃତ ହୁଏ କିଛି କିଛି ଜୀବନର ସ୍ୱର ।

ଏଠି ଗୋପଲୀଳା, ବ୍ରଜଲୀଳା, ବାଲ୍ୟଲୀଳା ନାହିଁ । ବେଣୁ ବାଦନ ବି ନାହିଁ । ଅଛି ଏକ ବେତାଳିଆ ବିସ୍ମୟ ବୈଶାଖ । ଏଠି ବାପା ବୋଉଙ୍କର ଆଉଁଶା ନଜର ନାହିଁ । ଅଛି ତଥାକଥିତ ବିଶ୍ୱକୁଟୁମ୍ୱ ପଣର ବେନଜର ବେପରୁଆ ଭାବ । ଧୂଳିଭର୍ତ୍ତି ଆକାଶରେ ଏଠି ବେଲୁନ୍‌ର ଉଡ଼ାଣ ନାହିଁ । ଗୋଟିଏ ବି ରଙ୍ଗୀନ୍ ଗୁଡ଼ିର ମଉଚ୍ଛବ ନାହିଁ । ଅଛି କେବଳ ଝୁଡ଼ିଝୁଡ଼ି କଂକ୍ରିଟ୍ ବୋଝର ବ୍ୟଥା ବେହୋସ ବେଳ ହଂସ ଉଡ଼ାପଣ । ଏଠି ବୋହୂଚୋରି ଖେଳ ଅଭା ଅଛିଣ୍ଡା ଅଝଟ ପଣର ଆଦ୍ୟ ଅନୁଜ୍ଞା ନାହିଁ । ଅଛି ବୁଜୁଳା ବୁଜୁଳା ଭିତରେ ବୋଧାତୀତ ବୋଲକରା ବିଧିଲିପିର ବାର୍ତ୍ତା । ଏଠି ଝୁଲେଇ ଝୁଲେଇ ଥାପୁଡ଼ି ଥାପୁଡ଼ି ନିଦକୁ ଆଉଁଶି ଦେବାକୁ, ହାଡ଼ମାଂସରେ ତିଆରି ପ୍ରେମମୟୀ ପାପୁଲିଟେ ନାହିଁ । ଅଛି ଗୁଳି ବାଟୁଳି ପରି ବ୍ୟଙ୍ଗୋକ୍ତିର ବିଲୁଣ୍ଠନ ବ୍ୟାଧି । ଏମିତିକା ବେଢ଼ଙ୍ଗ ପରିବେଶରେ ବିଦ୍ରୋହର ବ୍ୟଥାଗ୍ନି କ୍ଷଣେ କ୍ଷଣେ ଜଳିଲେ ବି, ନିର୍ବାପିତ ହୁଏ । ଭୟଙ୍କର ଭୋକର ଭୂଗୋଳ ମୋତେ ବଶୀଭୂତ କରେ ।

କୋଟି କୋଟି ଛଞ୍ଚାଣର ଆଖିଠାରୁ ଆହୁରି ତୀବ୍ର ପ୍ରଖର ସେହି, ଶୋଇ ଶୋଇ ଚେଇଁଥିବା ଶାନର ଦୂର ଦୃଶ୍ୟପଣ ତଥା ଛାପାମରା ଗୁଣ । ଭୋକ ଦ୍ୱାରା ଶୋଷିତ ଏହି ସାମାନ୍ୟ ବାଳକର ବହପ ବା କେତେ ?

ସେମିତି ଏକ ଅମଙ୍ଗଳିଆ ଅପରାହ୍ଣରେ ସେହି କଂକ୍ରିଟ୍ କ୍ରସର ଭର୍ତ୍ତି ମେଳଣ ପଡ଼ିଆଟିକୁ ସରକାରୀ ଶାଗୁଣାଦଳ ଚତୁର୍ଦ୍ଦିଗରୁ ଘେରି ଯାଇଥିଲେ । ମୁଁ ଆଉ ଯାଆନ୍ତି ବା କୁଆଡେ଼ ? ମୁଁ ଏଠି ବାଳଶ୍ରମିକ । ମୋର ଏଇ ଖାଉନ୍ଦ ଶିଶୁଶ୍ରମିକ ଆଇନ୍‌ର ଉଲଙ୍ଘନକାରୀ । ଏପରି ଏକ ପ୍ରଜାମଙ୍ଗଳ ରାଷ୍ଟ୍ରରେ ଶିଶୁଟିଏ ପ୍ରତି, ଏ ଯେ ଘୋର ଅନ୍ୟାୟ । ଶିଶୁ ହିଁ ସମାଜର ଭବିଷ୍ୟତ । ତାରି ହାତରେ ଗଢ଼ା ହେବ ଆମର ଦେଶ । ଏଭଳି ଏକ ଉଜ୍ଜ୍ୱଳ ସମ୍ଭାବନା କ’ଣ ଏ ବୟସରେ ନିଜ ଜୀବନକୁ ନ ଗଢ଼ି ହାତରେ ହାତୁଡ଼ି ଧରିବ । ନା, ଅସମ୍ଭବ । ଏହା ଦେଶ ପାଇଁ ମଧ୍ୟ ମାନସମ୍ମାନର ପ୍ରଶ୍ନ ।

ମୋର ଗୋତି ଶ୍ରମିକରୁ ଉଦ୍ଧାର ବେଳର ଦୃଶ୍ୟଠାରୁ, ଏହି ଶିଶୁଶ୍ରମିକ ଉଦ୍ଧାର ମଞ୍ଚ ଆହୁରି ଜାକଜମକ ଓ ଚମକପ୍ରଦ ଥିଲା । ଶାସନର ବଡ଼ପଣ୍ଡାମାନେ ବେଶ୍ କିଛି ବାହାଦୂରୀ ନେଲେ । ଖବରକାଗଜ ପୃଷ୍ଠାରେ ମୋ ରଙ୍ଗିନ୍ ଫଟୋ, ଖୁବ୍ ଆଖି ପୁରିଲା ଭଳି ପ୍ରସାରିତ ହେଲା ପ୍ରଥମ ପୃଷ୍ଠାମାନଙ୍କରେ । ମନ ମୋର ଜଙ୍ଗଲର ବହୁ ପୁରୁଣା ଶାଳଗଛ ପରି କୁଣ୍ଢେମୋଟ ହୋଇଯାଉଥିବା ବେଳେ, ଏ ପେଟ ହାୱା ନ ଥିବା ଫୁଟବଲ୍‌ଟିଏ ପରି ଶୁଖିଶୁଖି ସେମଟା ପଡ଼ିଯାଉଥିଲା । ସରକାରୀ ବାବୁମାନେ ମୁହାଁଇଲେ ସେମାନଙ୍କର ପାଖ ଦୂର ବଙ୍ଗଳା ଆଡ଼କୁ । କ୍ରସର ମାଲିକଙ୍କର ଅବାରିତ ଧାଁଦଉଡ଼ ଆରମ୍ଭ ହେଲା ଥାନାରୁ ଶ୍ରମକାର୍ଯ୍ୟାଳୟ, ପୁଣି ସେଠାରୁ ଶ୍ରମ ଅଦାଲତ । ତାଙ୍କ ଯାତ୍ରା, ଯନ୍ତାରୁ ଯନ୍ତାକୁ । ମୋ ଯାତ୍ରା କେତେବେଳେ ଆଶାରୁ ଆଶାକୁ ତ, ଆଉ କେତେବେଳେ ଭୋକରୁ ଭୋକକୁ ।

ମୁଁ ଏବେ ଏକ ଭୋକ-ରାଜ୍ୟକୁ ସମ୍ଭାଳୁଥିବା ସିଂହାସନରୁ କ୍ଷମତାଚ୍ୟୁତ । ମୋତେ ଆଉ କେହି ପାଖ ମଡେ଼ଇ ଦେଉ ନାହାନ୍ତି । ମୁଁ ଯେଉଁ ଡାଳ ଧରେ ସେ ଡାଳ ଭାଙ୍ଗେ । ମୋ ଖାଉନ୍ଦ ମୋ ପାଇଁ କ୍ଷମତାର ଖୁନ୍ଦା ଖାଏ । ମୋ ମାଲିକ ମୋ ସକାଶେ, କାନ ମୋଡ଼ି ମାଟିକୁ ମାଡ଼ିମକଚୁଥାଏ । ମୋ ପାଇଁ ଏ ଦେଶର ଯଶରେ ଅପଖ୍ୟାତି ଆସେ । ମୁଁ ଏକ ଅମଙ୍ଗଳିଆ ବାଳକ । ଏପରି ବାଳୁତପଣ ବେଜନ୍ମା । ମୁଁ ବିଲକ୍ଷଣରେ ବେଜନ୍ମା । କିନ୍ତୁ ମୁଁ କୃତଜ୍ଞ ଯେ, ଏ ମାଟି ଉପରେ ଲମ୍ୱିଥିବା ବାଟ ସବୁ ମୋତେ ଚାଲିବାକୁ ମନା କରନ୍ତିନି । ଅବଶ ପାଦ ଦୁଇଟି ବି ଅସହଯୋଗ କରିନି । ରାସ୍ତାକଡ଼ର ଗଛଛାଇ, ନାଳ ନଳର ଜଳାମୃତ, ସୂର୍ଯ୍ୟ ଚନ୍ଦ୍ର ପବନ, ପଥକ୍ଳାନ୍ତ ପଥିକଙ୍କ ପରିବାର ମୋତେ ଘୃଣାରେ ଦୂର୍ଦୂର୍ କରି ନାହାନ୍ତି ।

ଏ ଅଞ୍ଚଳରେ ଅନ୍ୟ ଏକ ଛୋଟ ସହର ଭିତରେ, ମୋ ଜୀବନ-ଜାହାଜ ଏବେ ଲଙ୍ଗର ପକେଇଛି । ପ୍ରତିଟି ଗଳି ଉପଗଳିର ମାନଚିତ୍ର ସହିତ ମୁଁ ଏବେ ଖୁବ୍ ପରିଚିତ । ମୋର ଏବେ ଏକାଧିକ ଭାତହାଣ୍ଡି । ସେମାନେ ହେଲେ ମନ୍ଦିର ସାମ୍ନାରେ ଭିକାରୀଙ୍କର ଶୃଙ୍ଖଳିତ ଲମ୍ୱାଲମ୍ୱା ଧାଡ଼ି । ବସ୍‌ଷ୍ଟାଣ୍ଡ, ରେଳ ପ୍ଲାଟ୍‌ଫର୍ମ, ଗରାଖରେ ପରିପୂର୍ଣ୍ଣ ଗହଳ ବଜାର ଭିତରେ ବି, ଭିକାରୀଙ୍କର ବଜାର । ହାତ ଦେଖେଇ ଦେଲେ କେହି କିଛି ପକେଇ ଦିଅନ୍ତି ତ, କେହି କେହି ଖିଙ୍କାରି ହୁଅନ୍ତି । ସବୁ କିନ୍ତୁ ମୋ ପାଇଁ ସମାନ ।

ମୋ ରକ୍ତରେ ଏବେ ଆଉ ଉତ୍ତେଜନା ନାହିଁ । ମୋ ସ୍ନାୟୁ ଧମନୀ ଭିତରେ ଆଉ ସେତେ ବେଶି ଉଷ୍ମତା ନାହିଁ । ଦେହରେ ମନରେ ଏବେ ଶିଥିଳ ଶିଥିଳ ଭାବ । ଦାଉ ଦାଉ ନିଆଁ ଉହ୍ମେଇ ଭିତରେ ମୋର ସବୁକିଛି ସାଇଜ୍ ହୋଇଯାଇଥିବା ଏକ ନୂଆ ପରିଚୟ । ମୁଁ ଜଣେ ଅଭିଜ୍ଞ ଗୋତି, ଅବିଜ୍ଞ ଶିଶୁ ଶ୍ରମିକ, ଏବେ ପୁଣି ଏକ ଅଭିଜ୍ଞ ଭିକାରୀ । ଏ ଚାଖଣ୍ଡିଆ ପେଟରେ, ଆଉ ଏବେ ଏତେ ବେଶି ଭୋକର ନିର୍ଦ୍ଦୟତା ନାହିଁ ।

କିନ୍ତୁ ଆଜି ଏ କି ବିଡ଼ମ୍ୱନା ସତେ । ଅଦିନରେ ବଜ୍ରପାତ ଭଳି ସହରରେ ଡାକବାଜି ଡାକିଡାକି ଯାଏ, ଶିଶୁ ପାଇଁ ଭିକ୍ଷାବୃତ୍ତି ମନା । ଡାକବାଜି ଜାଣିନି ଯେ, ଆଜିର ଏକ ଭିକମଗା, ମୋ ପାଇଁ ଶେଷତମ ଆଶାର ଆଲୋକ । ବଞ୍ଚି ରହିବା ପାଇଁ ସର୍ବଶେଷ ଅବଲମ୍ୱନ । ଡାକବାଜି ଜାଣିନି ଯେ, ମୋର ଏ ଭିକାରିର ଅଭିନୟ ସବୁଦିନ ପାଇଁ ନୁହେଁ, କେଭେଁ ନୁହେଁ । ଆଉ କେତେଟା ବର୍ଷ ହିଁ, କେବଳ ମୁଁ ଏହି ଅଭିନୟକୁ ବେଞ୍ଚଇ ରଖିବାକୁ ଚାହେଁ । ସେତେବେଳକୁ ମୋ ହାଡ଼ ଜବର ହୋଇ ଆସିଥିବ । ବାହୁରେ ବହପ ଥିବ । ମନରେ ସାହସ ଥିବ । ମୁଁ ଖଟିବି, ଖାଇବି । ଛୋଟ ବସାଟିଏ ବାନ୍ଧିବି, ଘର ସଂସାର କରିବି ।

ଏ ଦୁନିଆଁରେ ବଞ୍ଚି ରହିବା ପାଇଁ ବହୁତ କିଛି ପାଇଛି । କିଛି ତ ପୁଣି ମୁଁ ଏ ଦୁନିଆକୁ ଦେବି । ଗୁଣ୍ଡୁଚି ମୂଷାର ମନଟିଏ ନେଇ ବଞ୍ଚିଛି । ମୋ ଭିତରେ ଅସଂଖ୍ୟ ସ୍ୱପ୍ନ ବସା ବାନ୍ଧି ସାରିଲାଣି । ସବୁକୁ ମୁଁ ସାକାର କରିବା ପାଇଁ ଅଳ୍ପ କିଛି ସୁଯୋଗ ମାଗୁଛି । ଆଉ ମାତ୍ର ପାଞ୍ଚ ଛଅଟା ବର୍ଷ । ତା’ପରେ ମୁଁ ଦେହ ଦୃଷ୍ଟିରୁ ହେବି ସବଳ ଶ୍ରମିକ, ସମାଜ ଦୃଷ୍ଟିରେ ହେବି ସଫଳ ଶ୍ରମିକ ଏବଂ ଶାସନ ଦୃଷ୍ଟିରେ ହେବି ସମର୍ଥ ଶ୍ରମିକ । ମୋତେ ଦୟାକର, ମୋତେ ବଞ୍ଚିବାକୁ ଦିଅ, ମୋତେ କିଛି ସମୟ ଦିଅ ।

ହେ ! ସର୍ବଶକ୍ତିମାନ୍ ଆଇନ୍‌କାନୁନ୍, ହେ ! ମହାମାନ୍ୟ ଶାସନର ସିଂହାସନ, ତୁମେ କ’ଣ ଏ ବାଳୁତର ବାଲ୍ୟବ୍ୟଥାକୁ ବୁଝିବାକୁ ଏ ଯାଏ ବି ଅସମର୍ଥ । ମୁଁ ତୁମ ସହିତ ଏକ ମନ ଏକ ପ୍ରାଣରେ ଏକମତ । ମୁଁ ଗୋତି ହୋଇ ରହିବାକୁ ଚାହେଁନା । ଶିଶୁ ଶ୍ରମିକ ହୋଇ ରହିବାକୁ ଚାହେଁନା । ଭିକ୍ଷାବୃତ୍ତିକୁ ସାରା ଜୀବନ ଆଦରି ନେବାକୁ ବି ଚାହେଁନା ।

ନିଃଶ୍ୱାସ ମାରିବାକୁ ମୋର କେବଳ କିଛି ସମୟର ଆବଶ୍ୟକତା ଅଛି । ଖାଉନ୍ଦ ଘରେ ଶାସ୍ତ୍ର ପୁରାଣ ଆଲୋଚନା ବେଳେ ମୁଁ ଶୁଣିଛି ଯେ, ବୁଦ୍ଧଦେବ ବି ରାଜଗାଦି ଛାଡ଼ି ବେଳେବେଳେ ପେଟ ପାଇଁ ଭିକ୍ଷା କରୁଥିଲେ । ତାଙ୍କ ଲକ୍ଷ୍ୟଟି ଭିକ୍ଷା ନଥିଲା । ଲକ୍ଷ୍ୟଟିକୁ ପାଇବା ପାଇଁ ତାହା କେବଳ ଥିଲା ଏକ ଅନିବାର୍ଯ୍ୟ ସ୍ୱଳ୍ପକାଳୀନ ଅବଲମ୍ୱନ । ମୁଁ ଆଉ କ’ଣ ମାଗୁଛି ଯେ ! ମୁଁ ଜାଣେ, ମୋତେ ଆସନ୍ତା ପାଞ୍ଚଛଅ ବର୍ଷ ବଞ୍ଚେଇ ରଖିବା ପାଇଁ ତୁମ ଶାସନର ସାମର୍ଥ୍ୟ ଥିଲେ ବି, ବିଧିବଦ୍ଧ ବ୍ୟବସ୍ଥା ନାହିଁ । ଅବିଚଳିତ ମାନବିକ ମାନସିକତା ନାହିଁ । ତେଣୁ ମୋତେ କିଛି ସମୟ ପାଇଁ କିଛିଟା ସ୍ୱାଧୀନତା ଦିଅ । ସେଥିପାଇଁ ତୁମ ଆଇନ୍‌ର ଶାସନ କ’ଣ ଯେ କହୁଛି, ତାହା ମୋତେ ବେଶି କିଛି ଜଣା ନାହିଁ । ତେଣୁ ତୁମେ ସଦୟ ହୁଅ ।

ତୁମେ ତୁମ ନିଜର ବିବଶତା ବିଷୟରେ ସଚେତନ ଥିଲାବେଳେ, ମୁଁ ମଧ୍ୟ ମୋ ବିବଶତାର ବଳୟରେ ବାଇବିଛ ହେଉଛି, ଅସ୍ଥିର ହୋଇ ଉଠୁଛି । ମୋ ବିବଶତାରେ ବ୍ୟଥା ଅଛି । ତୁମ ବିବଶତାରେ ବାସ୍ତବତା ପ୍ରତି ବିଦ୍ରୁପ ଅଛି, ବିଭିନ୍ନତା ଅଛି, ବିଫଳତା ଅଛି, ଫାଇଲ୍‌ର ପ୍ରତିଟି ପୃଷ୍ଠାଫଳକ ଭିତରେ ଛଳନାର ମାୟାଜାଲ ଅଛି । ଏହି ଦୁଇଟି ବିବଶତା ଭିତରେ, ଏକ କଳ୍ପନାତୀତ ଦୂରତ୍ୱ ।

ହେ ! ଅନନ୍ୟ ଆଇନ୍‌ର ଶାସନ, ମୁଁ ତୁମରି ହିଁ ଅଗ୍ରଧ୍ୱଜାଧାରୀ । ନ ବୁଝିପାରିବାଟା ହିଁ, ତୁମର ବିବଶତା । ବେଦନାର ନଭଶ୍ଚମ୍ୱୀ ପର୍ବତର ବୋଝକୁ ମଥାରେ ମୁଣ୍ଡେଇ ଥିଲେ ବି, ମୁଁ ବିଶ୍ୱପତିଙ୍କ ପାଖରେ ଆଜିଯାଏ ବିଳାପ କରିନି । ମୁଁ ଜାଣେ, ତା’ ସାମ୍ନାରେ ନୈବେଦ୍ୟ ହୁଏ ଷାଠିଏ ପଉଟି ଖାଦ୍ୟ । ରାଜା ସମ୍ରାଟର ଉଆସରେ ଭଳିଭଳି ସୁସ୍ୱାଦ ରାନ୍ଧଣା । ମୁଁ ସନ୍ଦୀହାନ, ତାଙ୍କର ଭୋକର ଏ ଭୟଙ୍କର ତାଡ଼ନା ଥିବ କି ନାହିଁ ? ତଥାପି ସେ ମୋତେ ଦେଇଥିବା ଏକ ଭୋକ-ଭଉଁରୀ ପ୍ରତି ମୋର ପ୍ରଗାଢ଼ ଶ୍ରଦ୍ଧା ସମ୍ମାନ ଅଛି । ସେଇଥିପାଇଁ ତ, ମୁଁ ଭୋକର ଏକ ସମ୍ମାନଜନକ ସମାଧାନରେ ବିଶ୍ୱାସ କରେ । ମୁଁ ଜାଣେ, ଶ୍ରମଝାଳ ହିଁ ଧୋଇ ଦେଇପାରିବ ସେହି ଭୋକର ଜ୍ୱାଳା । ମୁଁ ଖଟିବି । ଭୋକ ସହିତ ଲଢ଼ିବ । ମୋତେ କେବଳ କିଛି ସମୟ ଦରକାର ।

ହେ ଶାସନ ! ହେ ଆଇନ୍ ! ମୋର ତୁମକୁ ଶତଶତ ଅନୁରୋଧ, ତୁମେ ଏ ଭୋକକୁ ଏତେ ହାଲ୍କା ଭାବରେ ନିଅନି । ଏହା ଏକ ବିପଜ୍ଜନକ ବଳୟ । ସେହି ବିକଟାଳ ବଳୟରେ ଭଉଁରୀରେ କାଳ ମଧ୍ୟ ପେଷି ହୋଇ ହଜମ ହୁଏ । ମୁଁ ଯଥାର୍ଥରେ ଜାଣିପାରୁଛି, ତୁମେ ନିଜେ ହିଁ ଏକ କଞ୍ଚାକଅଁଳ ଶିଶୁ । ତୁମେ ଭୋକକୁ ବୁଝିବାକୁ ଚେଷ୍ଟାକର, ଗବେଷଣା କରି, ଅଭିଜ୍ଞତା ଅର୍ଜନ କର । ବିଛାମନ୍ତ୍ର ନ ଜାଣି ଭୟଙ୍କର ବିଷଧର ସାପଗାତରେ ହାତ ରଖିବାକୁ ଆଉ ଦୁଃସାହସ କରନି । ଅବଶ୍ୟ ଅନେକ ପ୍ରକାରର ଭୋକ ଅଛି । କିନ୍ତୁ ଏଇ ପେଟର ଭୋକ, କାଳକାଳ ମହାବଳୀ ଶାସକଙ୍କର ଶାସନକୁ ଟଳମଳ କରି ମାଟିରେ ମିଶେଇ ଦେଇଛି । ଏଇଆ ହିଁ କହି କହି ଇତିହାସର ପୃଷ୍ଠାମାନେ, ଖାଲି ଖିଲିଖିଲି ହୋଇ ହସିଉଠନ୍ତି । ତୁମେ ତେଣୁ ଭୋକ-ବ୍ରତକର । ଭୋକର ଲାବୋରୋଟରୀରେ ବର୍ଷବର୍ଷ ଗବେଷଣା କର । ହେ ଶାସନ ! ହେ ଆଇନ୍ ! ହେ ଶାସକ ! ତୁମେ ତ ଯୁଗଯୁଗରୁ ନିଜେ ହିଁ ଅନ୍ଧ ବଧିର । ଏଭଳି ଏକ ଅସମ୍ଭବ ଭୋକର ଗବେଷଣା କିପରି ବା କରିପାରିବ କେଜାଣି ?

ଲୋକପ୍ରିୟ ଲେଖା

To Top