ପ୍ରବନ୍ଧ

ବହି ବିକଳ୍ପ ନାହିଁ

Biraja Routray's Odia Prose BAHI BIKALPA NAHIN

ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଦ୍ରୁତ ବିକାଶ ମୁଦ୍ରିତ ପୁସ୍ତକର ଭବିଷ୍ୟତ ପ୍ରତି ଆତଙ୍କ ବିଜ୍ଞାନ ମଣିଷକୁ ଭେଟି ଦେଇଛି କମ୍ପୁ୍ୟଟର, ଇଣ୍ଟରନେଟ୍ ଓ ୱେବ୍‌ସାଇଟ୍ ପ୍ରଭୃତି ।

ବହି ବିକଳ୍ପ ନାହିଁ

ମାନବ ସଭ୍ୟତା ବିକାଶଧାରାର ଏକ ଉଲ୍ଲେଖନୀୟ ଲକ୍ଷଣ ହେଉଛି ଏହାର ଗୋଟିଏ ପାହାଚ ତା’ର ପୂର୍ବ ପାହାଚ ଠାରୁ ଅଧିକ ବିକଶିତ । ଅଧିକ ସଂସ୍କରିତ । ଅଧିକ ପରିବର୍ଦ୍ଧିତ । ସଭ୍ୟତା କୌଣସି ଏକ ବିନ୍ଦୁ ନିକଟରେ ଅଟକି ଯାଇନଥାଏ । ଏହା ପୁଣି କୌଣସି ବଳୟ ମଧ୍ୟରେ ଆବଦ୍ଧ ହୋଇ ରହିଯିବାର ସାମଗ୍ରୀ ମଧ୍ୟ ନୁହେଁ । ଇତିହାସ କହେ ଯେଉଁ ସଭ୍ୟତା ନିଜର ଗତିଶୀଳତା ହରାଇ ସ୍ଥିର ସ୍ଥବିର ପାଲଟି ଥାଏ, ସେହି ସଭ୍ୟତା ଅଚିରେ କାଳର ପୃଷ୍ଠରୁ ବିଦାୟ ନେଇଥାଏ । ତେଣୁ ସଭ୍ୟତାର ଇତିହାସରୁ ଏହି ନିଷ୍କର୍ଷ ବାହାରି ଥାଏ ଯେ ସଭ୍ୟତା ହେଉଛି ବିକାଶର ଏକ ନିରନ୍ତର ଆରୋହଣ । ଏହା ନିରବଧି ଗତିଶୀଳ । ବିଶ୍ୱ ବିଖ୍ୟାତ ଐତିହାସିକ ଅର୍ନୋଲଡ୍ ଟୋନିବିଙ୍କ ଭାଷାରେ- “Civilization is a movement and not a condition, a voyage and not a harbor.”

ପୃଥିବୀ ଇତିହାସରେ ଚତୁର୍ଦ୍ଦଶ ଶତାବ୍ଦୀକୁ ନବଜାଗରଣର ଯୁବ ବୋଲି କୁହାଯାଇଥାଏ । ଏହି ମୋଡ଼ ନିର୍ଣ୍ଣୟକାରୀ ଯୁଗରୁ ହିଁ ଯଥାର୍ଥରେ ଆଧୁନିକ ସଭ୍ୟତାର ଜୟଯାତ୍ରା ଆରମ୍ଭ ହୋଇଥିଲା । ଏହି ସମୟର ଏକ ଉଲ୍ଲେଖନୀୟ ଉଦ୍ଭାବନ ଥିଲା ମୁଦ୍ରଣ ଯନ୍ତ୍ର ବା ଛପାକଳ । ଗୁଟେ୍‌ନବର୍ଗଙ୍କ ଦ୍ୱାରା ଏହି ଯନ୍ତ୍ରର ଆବିଷ୍କାର ପୂର୍ବରୁ ସୀମିତ ସଂଖ୍ୟାରେ ହାତରେ ଲେଖାଯାଇ ସଂରକ୍ଷିତ ଥିବା ପାଣ୍ଡୁଲିପି ବା ଗ୍ରନ୍ଥଗୁଡ଼ିକ କେବଳ ରାଜପ୍ରାସାଦ ଓ ସମ୍ଭାନ୍ତ ବର୍ଗଙ୍କ ଦୁର୍ଗର ଚାରିକାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହିଥିଲା । ସେତେବେଳେ ସାଧାରଣ ମଣିଷର ଜ୍ଞାନର ପରିସର ଥିଲା ଅତିଶୟ ସୀମିତ । ମୁଦ୍ରଣ ଯନ୍ତ୍ରର ପ୍ରଚଳନ ପରେ ସଭ୍ୟତାର ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଲା । ଏକ ସମୟରେ ବହୁ ସଂଖ୍ୟାରେ ପୁସ୍ତକ ପ୍ରକାଶନ ସମ୍ଭବ ହେବାରୁ ଅଗଣିତ ମଣିଷ ଏହି ମୁଦ୍ରିତ ପୁସ୍ତକମାନଙ୍କ ସଂସ୍ପର୍ଶରେ ଆସି ଜ୍ଞାନାଲୋକ ପ୍ରାପ୍ତ ହେଲେ । ଯାହାଫଳରେ ଜ୍ଞାନରାଜ୍ୟରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ସଂଗଠିତ ହେଲା । ସଭ୍ୟତାର ପରବର୍ତ୍ତୀ ଦ୍ରୁତ ବିକାଶପଥରେ ଏହି ପୁସ୍ତକ ହିଁ ଏକ ମୂଲ୍ୟବାନ ଆୟୁଧ ରୂପେ ବିବେଚିତ ହେଲା ।

ଶହ ଶହ ବର୍ଷ ଧରି ମଣିଷ ସମାଜକୁ ଜ୍ଞାନ ବିଜ୍ଞାନର ଆଲୋକ ଦ୍ୱାରା ଚକ୍ଷୁଷ୍ମାନ କରି ଆସୁଥିବା ଏହି ପୁସ୍ତକ ବା ସାଧାରଣ ଭାଷାରେ ବହିର ଅବଶ୍ୟମ୍ଭାବୀ କ୍ରମବିଲୟକୁ ନେଇ ଏବେ ଆଶଙ୍କାମାନ ପ୍ରକାଶ ପାଇବାରେ ଲାଗିଛି । ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମର ଦ୍ରୁତ ବିକାଶ ମୁଦ୍ରିତ ପୁସ୍ତକର ଭବିଷ୍ୟତ ପ୍ରତି ଆତଙ୍କ ବିଜ୍ଞାନ ମଣିଷକୁ ଭେଟି ଦେଇଛି କମ୍ପୁ୍ୟଟର, ଇଣ୍ଟରନେଟ୍ ଓ ୱେବ୍‌ସାଇଟ୍ ପ୍ରଭୃତି । ଏହିସବୁ ମାଧ୍ୟମଗୁଡ଼ିକ ଧିରେ ଧିରେ ନୂତନ ପିଢ଼ିମାନଙ୍କ ମଧ୍ୟରେ ବହୁଳ ଭାବେ ଆଦୃତ ହେବାରେ ଲାଗିଛନ୍ତି । ଯାହାଫଳରେ ମୁଦ୍ରିତ ଜଗତ(Printed World)ର ସ୍ଥିତି ପ୍ରତି ଦେଖା ଦେଇଛି ଆସନ୍ନ ବିପଦ । ଏହାର ସହସ୍ର ବର୍ଷର ସୁଦୃଢ଼ ଇତିହାସ ଉପରେ ଶୁଭିଛି ବିଲୟର ପଦପାତ ।

ଏହି ବିବର୍ତ୍ତିତ ସାମ୍ପ୍ରତିକ ପୃଷ୍ଠଭୂମିରେ ଇଲେକ୍ଟ୍ରୋନିକ୍ସ ମାଧ୍ୟମଗୁଡ଼ିକ ନିଜର ଉନ୍ନତତର ଉପଯୋଗିତା ବଳରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଆଜିର ସମୟରେ ସାଧାରଣ ଜୀବନଧାରାରେ କ୍ରମଶଃ ଏମାନଙ୍କର ପ୍ରବେଶ ଓ ପ୍ରଭାବ ଏପରି ଅପରିହାର୍ଯ୍ୟ ଓ ସୁଦୂରପ୍ରସାରୀ ହୋଇପଡ଼ିଲାଣି ଯେ ଏହାର ସମ୍ମୁଖରେ ପ୍ରଚଳିତ ସମସ୍ତ ମୁଦ୍ରିତ ମାଧ୍ୟମଗୁଡ଼ିକ ରଙ୍ଗଛଡ଼ା ହେବାକୁ ବସିଲାଣି । ଆଗକୁ କିଏ ? ଇଲେକ୍ଟ୍ରୋନିକ୍ସ ମାଧ୍ୟମ ନା ମୁଦ୍ରିତ ମାଧ୍ୟମ ? ଏହିପରି ଦ୍ୱନ୍ଦାତ୍ମକ ପ୍ରଶ୍ନ ସବୁ ଆମ୍ଭମାନଙ୍କର ମଗଜକୁ ଆକ୍ରାନ୍ତ କରିବା ଆରମ୍ଭ କରିଦେଲାଣି । ଆଉ କିଛି ପାଦ ଆଗେଇ ଯାଇ ଭବିଷ୍ୟ-ଟୋକ୍ନୋ-ପ୍ରବକ୍ତାମାନେ ଆଗକୁ ଏକ Paperless World ବା କାଗଜ ବିହୀନ ପୃଥିବୀ ଉପନୀତ ହେଉଛି ବୋଲି ସୂଚନା ପ୍ରଦାନ ମଧ୍ୟ କରିସାରିଲେଣି ।

ପୁସ୍ତକର ଆୟୁଷକୁ ନେଇ ସଂଶୟ ସୃଷ୍ଟି ହୋଇଛି ସତ ମାତ୍ର ପୁସ୍ତକର ପ୍ରଚଳନ ଓ ବ୍ୟବହାର ତଥାପି ପୂର୍ବପରି ଅପ୍ରତିହତ ରହିଛି । ୨୦୦୪ ମସିହାର ପରିସଂଖ୍ୟନ ଅନୁଯାୟୀ କେବଳ ଆମ ଦେଶରେ ୧୬,୦୦୦ ପୁସ୍ତକ ପ୍ରକାଶନ ସଂସ୍ଥା ରହିଛନ୍ତି । ଯେଉଁମାନେ କି ବର୍ଷକୁ ପାଖାପାଖି ୭୦,୦୦୦ ପର୍ଯ୍ୟନ୍ତ ପୁସ୍ତକ ପ୍ରକାଶନ କରିଥାନ୍ତି । ଉପରୋକ୍ତ ପରିସଂଖ୍ୟାନକୁ ଯଦି ଉଦାହରଣ ଭାବେ ନିଆଯାଏ ତା’ହେଲେ ଆଗକୁ ବହିର ଭବିଷ୍ୟତ କେବେ ବି ଅନ୍ଧକାରାଚ୍ଛନ୍ନ ନୁହେଁ ବୋଲି ହୃଦ୍‌ବୋଧ ହେବ । ଯଦିଓ ଭାରତର ଲୋକସଂଖ୍ୟାତୁଳନାରେ ବହିର ବାର୍ଷିକ ହାରାହାରି ପ୍ରକାଶନ ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ । ପୃଥିବୀର ସମୁଦାୟ ଲୋକସଂଖ୍ୟାର ପାଖାପାଖି ଷୋହଳ ଭାଗ ଲୋକ ଭାରତରେ ବାସ କରୁଥିବା ବେଳେ ପୃଥିବୀରେ ପ୍ରତିବର୍ଷ ଯେତିକି ସଂଖ୍ୟକ ବହି ଛପାଯାଉଛି, ତା’ର ମାତ୍ର ତିନିଭାଗ ବହି ଆମ ଦେଶରୁ ପ୍ରକାଶିତ ହେଉଛି । ଏଥିପାଇଁ ଆମ ଦେଶରେ ଥିବା ନିରକ୍ଷରତା ଓ ଦାରିଦ୍ର୍ୟ ପରି ମୌଳିକ ସମସ୍ୟାମାନଙ୍କୁ ଉତ୍ଥାପନ କରାଯାଇପାରେ । ପୁନଶ୍ଚ ବହିର ଉଚ୍ଚା ମୂଲ୍ୟ ଓ ବିତରଣ ବ୍ୟବସ୍ଥାରେ ଥିବା ପ୍ରତିବନ୍ଧକମାନଙ୍କୁ ଅନେକାଂଶରେ ମଧ୍ୟ ଦାୟୀ କରାଯାଇପାରେ ।

ଗତ ଶତାବ୍ଦୀର ଶେଷ ଦଶନ୍ଧି ଆଡ଼କୁ ଯେଉଁ ଇଲେକ୍ଟ୍ରୋନିକ୍ସ ବିପ୍ଳବର ସୂତ୍ରପାତ ଘଟିଥିଲା, ଯାହାର ପରିଣାମ ସ୍ୱରୂପ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ପ୍ରଭୃତିର ବ୍ୟବହାର ଓ ଲୋକପ୍ରିୟତା ବୃଦ୍ଧି ପାଇଥିଲା । ଇଣ୍ଟରନେଟ୍‌ର ସୌଭାଗ୍ୟରୁ କମ୍ପ୍ୟୁଟରର ପରଦା ଉପରେ ପଢ଼ି ହେଲା ଜ୍ଞାନ ବିଜ୍ଞାନ ଓ ମନୋରଞ୍ଜନର ଅସରନ୍ତି ସାଇତା ସମ୍ପଦ । ଯେଉଁ ତଥ୍ୟଗୁଡ଼ିକ ଏପର୍ଯ୍ୟନ୍ତ କେବଳ ବହି ଆଲମାରୀର ବନ୍ଦୀଶାଳା ଭିତରେ ଅଣନିଃଶ୍ୱାସୀ ଭାବେ ଆବଦ୍ଧ ହୋଇ ରହିଥିଲା । କାଗଜ ଓ କମ୍ପ୍ୟୁଟରର ଏହି ଅଦୃଶ୍ୟ ଉପନୀତ ଯୁଦ୍ଧରେ ଆଗକୁ କାଗଜ ଅଧିକ କ୍ଷତିଗ୍ରସ୍ତ ହେବ ଓ କମ୍ପ୍ୟୁଟର କାଗଜର ପ୍ରତିଷ୍ଠିତ ବ୍ୟାପକ ସାମ୍ରାଜ୍ୟକୁ ଗୋଟିକ ପରେ ଗୋଟିଏ ସହଜରେ ଦଖଲ କରିଯିବ ବୋଲି କୁହାଯାଉଛି । ଏହାର କାରଣ ସ୍ୱରୂପ କାଗଜ ଓ କମ୍ପ୍ୟୁଟର ମଧ୍ୟରେ ତୁଳନାତ୍ମକ ସୁବିଧା ଓ ଅସୁବିଧାର ଦିଗଗୁଡ଼ିକୁ ଉପସ୍ଥାପିତ କରାଯାଉଛି । ଏହି ଦୃଷ୍ଟିକୋଣରୁ ଦେଖିଲେ କାଗଜ ଅପେକ୍ଷା କମ୍ପ୍ୟୁଟରର ସୁବିଧାଜନକ ସ୍ଥିତିଟି ଭାରୀ ବୋଲି ଜଣାପଡ଼ିଥାଏ । ବିଶେଷ କରି ସଂରକ୍ଷଣ ଦୃଷ୍ଟିରୁ କାଗଜରେ ତିଆରି ବହି ରୂପକ ସାମଗ୍ରୀଟି କିଛିବର୍ଷ ପରେ କୀଟମାନଙ୍କର ଖାଦ୍ୟ ସାମଗ୍ରୀ, ଭାବରେ ହେଉ ଅବା କାଗଜର ଅଳ୍ପ ଆୟୁଷ ଦୃଷ୍ଟିରୁ ହେଉ ନଷ୍ଟ ହୋଇଯାଇଥାନ୍ତି । ପୁନଶ୍ଚ ଏକକାଳୀନ ଭାବେ ଏକାଧିକ ବହିକୁ ସଂଗ୍ରହ କରି ରଖିବା ସ୍ଥାନ ଦୃଷ୍ଟିରୁ ସମ୍ଭବପର ନୁହେଁ । ବହିମାନଙ୍କରେ ବ୍ୟବହୃତ ହେଉଥିବା କାଗଜ ଏକ କ୍ଷୟଶୀଳ ବସ୍ତୁ ହୋଇଥିବାରୁ ସମୟ ସମୟରେ ଏଗୁଡ଼ିକ ଉପଯୁକ୍ତ ରକ୍ଷଣାବେକ୍ଷଣର ଆବଶ୍ୟକତା କରିଥାନ୍ତି । ସେହି ତୁଳନାରେ କମ୍ପ୍ୟୁଟରର ବିନିଯୋଗ ଦ୍ୱାରା ଏକ ବା ଏକାଧିକ ଅସଂଖ୍ୟ ବହିକୁ ସଂରକ୍ଷିତ କରି ରଖାଯିବା ସହିତ ଯେକୌଣସି ସମୟରେ ଆବଶ୍ୟକ ଯେକୌଣସି ପୁସ୍ତକକୁ ଉପଲବ୍ଧ କରାଯାଇପାରିବ । ଏପରିକି ଗୋଟିଏ ଲାଇବ୍ରେରୀ ମଧ୍ୟରେ ଥିବା ସମସ୍ତ ପୁସ୍ତକଗୁଡ଼ିକୁ ମଧ୍ୟ ଗୋଟିଏ ଛୋଟିଆ କମ୍ପ୍ୟୁଟରରେ ସାଇତି ରଖାଯାଇପାରିବ । ଏହି କ୍ରମରେ ଏବେ ଇ-ବୁକ୍ ଓ ଇ-ଲାଇବ୍ରେରୀର ପ୍ରାସଙ୍ଗିକତାକୁ ଉତ୍ଥାପନ କରାଗଲାଣି । ସତସତିକା କାଗଜ ବହିର ପ୍ରତିସ୍ପର୍ଦ୍ଧୀ ରୂପେ କମ୍ପ୍ୟୁଟର ଏବେ ଦ୍ରୁତଗତିରେ ଆଧୁନିକ ସମୟରେ ଗୃହୀତ ହେବାରେ ଲାଗିଛି ।

ମାତ୍ର ଆସ୍ତିସୂଚକ ଅର୍ଥରେ ଦେଖିବାକୁ ଗଲେ ଏହି ନୂତନ ମାଧ୍ୟମର ପ୍ରଭାବରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଉଲ୍ଲେଖନୀୟ ଆଙ୍ଗିକ ଓ ବୈଷୟିକ ପରିବର୍ତ୍ତନ ସମ୍ଭବ ହେଲା । ଲେଖକମାନେ ନୂତନ ପରିବର୍ତ୍ତିତ ସମୟକୁ ଆଧାର କରି ସମୟୋପଯୋଗୀ ଲେଖାମାନ ପ୍ରକାଶିତ କଲେ । ଏହାଦ୍ୱାରା ପରୋକ୍ଷରେ ପୁସ୍ତକ ଜଗତ ଏକ ଅଲିଖିତ ପ୍ରତିଯୋଗିତାର ସାମ୍ନା କରି ନିଜକୁ ଅଧିକ ଯୋଗ୍ୟ ରୂପେ ଉପସ୍ଥାପିତ କରିପାରିଲା । ପୁସ୍ତକ ପ୍ରକାଶନ ଓ ଲିଖନର ଏହି ନୂତନ ପରିବର୍ତ୍ତିତ ଧାରାକୁ ଅବଲୋକନ କରି ଭି.ଏସ୍. ନେଇପୌଲ୍‌ଙ୍କ ପରି ନୋବେଲ୍ ପୁରସ୍କାର ପ୍ରାପ୍ତ ପ୍ରଖ୍ୟାତ ସାହିତି୍ୟକ ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି ତାହା ଏଠାରେ ଉଲ୍ଲେଖଯୋଗ୍ୟ । ତାଙ୍କ ମତରେ- “The Nature of book production changes the nature of writing.”

କ୍ରମେ ଦେଖାଗଲା ଯେ ବହି ପରି ଅନ୍ୟାନ୍ୟ ସମସ୍ତ ମୁଦ୍ରିତ ମାଧ୍ୟମଗୁଡ଼ିକ ଏଇ ନାବଗତ ଇଲେକ୍ଟ୍ରୋନିକ୍ସ ମାଧ୍ୟମର ପ୍ରତ୍ୟକ୍ଷ ସହଯୋଗ ଦ୍ୱାରା ଅଧିକ ଆକର୍ଷକ ଓ ରୁଦ୍ଧିମନ୍ତ ହୋଇ ପାଠକର ମନକୁ ହରଣ କରିବାରେ ସକ୍ଷମ ହୋଇପାରୁଛି । ଅତଏବ ଏକ ବିଶ୍ୱାସଟିଏ ଧିରେ ଧିରେ ମଜଭୁତ୍ ହେବାକୁ ଲାଗିଲା ଯେ ବହିର ବିକଳ୍ପ ନାହିଁ । କାରଣ ମଣିଷ କେବଳ ଏକ ମସ୍ତିଷ୍କ ନୁହେଁ । ଯିଏ କେବଳ ଯନ୍ତ୍ର ପରି ଆଉ ଏକ ଯନ୍ତ୍ରର ଭାଷାକୁ ଖାଲି ଗ୍ରହଣ କରୁଥିବ । ଏହାର ଦୁଇ ହାତ ଅଛି, ଯିଏ ଅନୁଭବ କରିପାରେ । ଏହାର ଏକ ଶରୀର ଅଛି, ଯିଏ ରୋମାଞ୍ଚିତ ହୋଇପାରେ । ହର୍ଷ କିମ୍ୱା ବିଷାଦରେ ନିଜର ପ୍ରତିକ୍ରିୟା ପ୍ରକାଶ କରିପାରେ । ଏହି ବିରଳ ଅନୁଭୂତିଟି କେବଳ ପୁସ୍ତକ ପଠନରୁ ହିଁ ମିଳିଥାଏ । ଯାହା କେବେ କମ୍ପ୍ୟୁଟରର କାଚ ପରଦାରୁ ମିଳିନଥାଏ ।

ଆମ ପଢ଼ାଘରର ଝରକାକୁ ଲାଗି ରହିଥିବା ଟେବୁଲ୍ ଉପରେ ହେଉ, ବିଛଣାରେ ଶୋଇ ରହିଥିବା ଆମ ଶରୀରର ଦୁଇ ଧ୍ୟାନସ୍ଥ ଆଖି ଆଗରେ ହେଉ, ବସ୍ କିମ୍ୱା ଟ୍ରେନ୍ର ଲମ୍ୱା ଯାତ୍ରାରେ ହେଉ, ନିଜ କ୍ଷୁଦ୍ର, ସହଜ ଆକାର ହେତୁ ଯେକୌଣସି ସ୍ଥାନ, ସମୟ ଓ ପରିବେଶରେ ବହି ହିଁ ପ୍ରକୃତ ସାଥୀଟିଏ ହୋଇପାରିଥାଏ । ସେଥିପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବୈପ୍ଳବିକ ପ୍ରସାର ଭିତରେ ଆଜି ମଧ୍ୟ ଏହା ନିଜର ସତ୍ତାକୁ ଉଜ୍ଜୀବିତ ରଖିପାରିଛି । ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ କମଲେଶ୍ୱରଙ୍କ ଭାଷାରେ- “ବିଜ୍ଞାନର ନୂଆ ନୂଆ ଆବିଷ୍କାର ସବୁକୁ ଏକ ସନ୍ଦେହାତ୍ମକ ଦୃଷ୍ଟିରେ ଦେଖିବା ଆମର ଏକ ପୁରୁଣା ଅଭ୍ୟାସ ।”

ଯେ ପର୍ଯ୍ୟନ୍ତ ବହିଟିଏ ଅଛି, ସେ ପର୍ଯ୍ୟନ୍ତ ତା’ର ପାଠକଟିଏ ଅଛି ଓ ପ୍ରକାଶକଟିଏ ମଧ୍ୟ ରହିଛି । ଯେ ପର୍ଯ୍ୟନ୍ତ ବହିର ପୃଷ୍ଠା ଭିତରେ ମଣିଷ ନିଜର ଆତ୍ମବିସ୍ତୃତ କରି ରଖିଛି, ସେ ପର୍ଯ୍ୟନ୍ତ ବହିର ଆଦର ରହିଥିବ ହିଁ ରହିଥିବ । ପୃଥିବୀର ଆକାଶରୁ ଅଜ୍ଞାନତାର ଅନ୍ଧକାର ଦୂର କରିଚାଲିଥିବା ଜ୍ଞାନର ଏହି ମହାନ୍ ବାହକଟିର ମୃତୁ୍ୟ ନାହିଁ ।

ଲୋକପ୍ରିୟ ଲେଖା

To Top