ପ୍ରବନ୍ଧ

ବୈଜ୍ଞାନିକ ଦୃଷ୍ଟିକୋଣର ଆବଶ୍ୟକତା

Shri Balmiki Nayak's Odia Prose Baigyanika Drushtikonara Aabashyakataa

ଏଇଠି ପ୍ରଶ୍ନ ଉଠୁଛି- ଯଦି ଠିକ୍ ଥିଲା, ସେହି ଯୁଗମାନଙ୍କରେ ଘଟିଥିବା ଯୁଦ୍ଧ, ହିଂସା, ଅନ୍ୟାୟ, ଅତ୍ୟାଚାର, ଶୋଷଣ, ନାରୀ ନିର୍ଯ୍ୟାତନା ବିଷୟରେ ଆମର ଧର୍ମଶାସ୍ତ୍ରମାନଙ୍କରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି କାହିଁକି ?

ବୈଜ୍ଞାନିକ ଦୃଷ୍ଟିକୋଣର ଆବଶ୍ୟକତା

ଆଜିର ଯୁଗକୁ ଆଧୁନିକ ଯୁବ ବଦଳରେ ବୈଜ୍ଞାନିକ ଯୁଗ କୁହାଗଲାଣି । କାରଣ ଗତ କିଛି ବର୍ଷହେଲା ବିଭିନ୍ନ କ୍ଷେତ୍ରରେ ବିଜ୍ଞାନ ତୀବ୍ର ଗତିରେ ପ୍ରଗତି କରୁଥିବାରୁ ପ୍ରଯୁକ୍ତିବିଦ୍ୟାର ବିକାଶ ତୀବ୍ରତର ହୋଇପାରିଛି । ମଣିଷର ପ୍ରତ୍ୟେକ ଛୋଟ ଓ ବଡ଼ ଆବଶ୍ୟକତାକୁ ପୂରଣ କରିବା ପାଇଁ ଉପଯୁକ୍ତ ଉପକରଣ ନିର୍ମାଣ ହୋଇପାରୁଛି । ଖାଦ୍ୟ, ବସ୍ତ୍ର, ବାସସ୍ଥାନ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ପାଇଁ ନିତି ନୂଆ ନୂଆ ସାଧନ ଉଦ୍ଭାବନ ହେଉଛି । ସମସ୍ତ ସାଧନ ବା ଉପକରଣ ସବୁ ମଣିଷଙ୍କ ପାଖରେ ପହଞ୍ଚି ପାରୁନି ସତ କିନ୍ତୁ ଆଜି ଗରିବ ତଥା ଲୋକାଳୟରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ କିଛି ନା କିଛି ଆଧୁନିକ ଉପକରଣ ବ୍ୟବହାର କରିପାରୁଛନ୍ତି । ଏହା ସମ୍ଭବ ହୋଇ ପାରୁଛି, କେବଳ ବିଜ୍ଞାନର ପ୍ରଗତି ଯୋଗୁଁ । ବୈଜ୍ଞାନିକ ଦୃଷ୍ଟିକୋଣ ରଖି କିଛି ବୈଜ୍ଞାନିକ ପ୍ରକୃତିର ରହସ୍ୟକୁ ନିରୀକ୍ଷଣ, ପରୀକ୍ଷଣ ଓ ଗବେଷଣା କରି ତଥ୍ୟକୁ ବୁଝିବାକୁ ଚେଷ୍ଟାକରି ସଫଳ ହେଉଛନ୍ତି ।

ଏହାର ବିପରୀତ ଆମ ଦେଶରେ ଆଜି ବି ବହୁ ସଂଖ୍ୟାରେ ଅବୋଧ ଲୋକମାନେ କଳିଯୁଗ ମାନସିକତାରୁ ମୁକ୍ତ ହୋଇପାରୁନାହାନ୍ତି । ସେହିମାନେ ବିଜ୍ଞାନ ଦ୍ୱାରା ଉତ୍ପାଦିତ ସମସ୍ତ ବସ୍ତୁ ନିଜର ସମୟ, ଶକ୍ତି ଓ ଶ୍ରମ ବେଞ୍ଚଇବା ପାଇଁ ବ୍ୟବହାର କରୁଥିଲେ ବି ମୁହଁରେ ତଥାକଥିତ କଳିଯୁଗର ରାଗ ଆଳାପ କରୁଛନ୍ତି । ସେମାନେ କୁହନ୍ତି- ସତ୍ୟଯୁଗ, ଦ୍ୱାପର ଓ ତ୍ରେତୟା ଯୁଗ ବହୁତ ଭଲ ଥିଲା । (ସତେ ଯେମିତି ସେମାନେ ସେହି ଯୁଗରେ ରହି ସବୁ ଦେଖିଛନ୍ତି ।) ସେହି ଯୁଗମାନଙ୍କରେ ସବୁ ଠିକ୍ ଥିଲା, କଳିଯୁଗ ଆସିବାରୁ ସବୁ ବିଗିଡ଼ିଗଲା । ଏଇଠି ପ୍ରଶ୍ନ ଉଠୁଛି- ଯଦି ଠିକ୍ ଥିଲା, ସେହି ଯୁଗମାନଙ୍କରେ ଘଟିଥିବା ଯୁଦ୍ଧ, ହିଂସା, ଅନ୍ୟାୟ, ଅତ୍ୟାଚାର, ଶୋଷଣ, ନାରୀ ନିର୍ଯ୍ୟାତନା ବିଷୟରେ ଆମର ଧର୍ମଶାସ୍ତ୍ରମାନଙ୍କରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି କାହିଁକି ? ସେସବୁ ପଢ଼ି, ବୁଝି ଅବୁଝା ହେବାର କାରଣ କ’ଣ ? ଏହି ପ୍ରଶ୍ନର ଉତ୍ତର କେହି ଦେଉନାହାନ୍ତି । ଧର୍ମଗୁରୁ ଓ ଶାସ୍ତ୍ର ପଣ୍ଡିତମାନେ ପ୍ରଶ୍ନକୁ ଏଡ଼ାଇ ଦେଉଛନ୍ତି ।

ଏହାର ମୁଖ୍ୟ କାରଣ ହେଉଛି- ଲୋକମାନଙ୍କର ବୈଜ୍ଞାନିକ ଦୃଷ୍ଟିକୋଣ ବିକାଶ ଲାଭ କରୁନାହିଁ । ଆଦିମ କାଳରେ ମଣିଷମାନଙ୍କ ପାଇଁ ପ୍ରକୃତି ଥିଲା ସମ୍ପୂର୍ଣ୍ଣ ରହସ୍ୟମୟ । ସେ ଆଦୌ ବୁଝିପାରୁନଥିଲା- ଖରା, ବର୍ଷା ଓ ଶୀତର ରହସ୍ୟ । ଧିରେ ଧିରେ ମଣିଷ ମସ୍ତିଷ୍କର ବିକାଶ ଘଟିବା ପରେ କିଛି ଲୋକମାନଙ୍କର ବୈଜ୍ଞାନିକ ଚିନ୍ତନ ଜାଗ୍ରତ ହେଲା । ସେମାନେ ପ୍ରକୃତିକୁ ବୌଦ୍ଧିକ ସ୍ତରରେ ଅଧ୍ୟୟନ କରି କିଛି ରହସ୍ୟର କାରଣ ଜାଣି ପାରିଲେ । ସେହି କ୍ରମ ଜାରି ରହିବାରୁ ଆଜିର ବୈଜ୍ଞାନିକ ଯୁଗରେ ଆମେ ପହଞ୍ଚି ପାରିଛୁ । ଯେଉଁଠି ଆମର ଜୀବନ ଶୈଳୀ ଖୁବ୍ ସହଜ, ସୁଖକର ହୋଇପାରିଛି । ଯେ କୌଣସି ସମସ୍ୟାର ସମାଧାନ ଏହି ଦୁନିଆଁରେ ହିଁ ମିଳିପାରୁଛି । ଆମକୁ ତଥାକଥିତ ଦୈବୀଶକ୍ତି ଉପରେ ସମାଧାନ ପାଇଁ ନିର୍ଭର କରିବାକୁ ପଡୁନାହିଁ ।

ବିଜ୍ଞାନ ହିଁ ହେଉଛି ମାନବଜାତିର ବିକାଶ ପାଇଁ ଏକ ମାତ୍ର ବିକଳ୍ପ । ବିଜ୍ଞାନର ବିକାଶ ହୋଇ ନଥିଲେ, ମାନବ ଜାତି ଆଜି ବି ସେହି ବଣ ଜଙ୍ଗଲରେ ବାସ କରୁଥାନ୍ତା । ଜଙ୍ଗଲର ଫଳ, ମୂଳ, ପଶୁ ଓ ପକ୍ଷୀଙ୍କ କଞ୍ଚାମାଂସ ଖାଇ ବଞ୍ଚି ରହିଥାନ୍ତା । ଚିକିତ୍ସା ବିଜ୍ଞାନର ବିକାଶ ହୋଇଥିବାରୁ ମଣିଷମାନଙ୍କର ଅକାଳ ମୃତ୍ୟୁ ସଂଖ୍ୟା କମିଯାଇଛି । ସେଇଥି ପାଇଁ ପୃଥିବୀରେ ଜନସଂଖ୍ୟା ବୃଦ୍ଧି ପାଇଛି । ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକୁ ପ୍ରତିହତ କରାଯାଇ ପାରୁନଥିଲେ ବି ବିପର୍ଯ୍ୟୟ ପୂର୍ବରୁ ସୂଚନା ପାଇ ସତର୍କ ଅବଲମ୍ୱନ କରିବା ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ସମୟର କ୍ଷୟ, କ୍ଷତିର ଭରଣା କରିବା କେବଳ ବିଜ୍ଞାନ ପଦ୍ଧତି ଦ୍ୱାରା ସମ୍ଭବ ହୋଇପାରୁଛି । ଅନେକ କଷ୍ଟ ସାଧ୍ୟ ରୋଗ ଆଧୁନିକ ଚିକିତ୍ସା ପଦ୍ଧତି ଦ୍ୱାରା ଚିକିତ୍ସା ହୋଇପାରୁଛି । ପୁରୁଣା କାଳରେ ଯେଉଁ ରୋଗ ଗୁଡ଼ିକ ଦୈବୀ କୋପ ବା ପୂର୍ବଜନ୍ମର ପାପଫଳ ଭାବି ମଣିଷ ନିରୁପାୟ ହୋଇ ହାତ ଯୋଡ଼ି ବସି ରହୁଥିଲା, ଆଜି ସେହି ସବୁ ରୋଗ ଡାକ୍ତରମାନେ ଅତି ସହଜରେ ଚିକିତ୍ସା କରି ଦୂର କରି ଦେଇପାରୁଛନ୍ତି । କାହାରିକୁ ବିଷଧର ସର୍ପ ଦଂଶନ କଲେ ବୈଜ୍ଞାନିକ ଦୃଷ୍ଟିକୋଣ ନ ଥିବା ଲୋକମାନେ ରୋଗୀକୁ କୌଣସି ଶିବାଳୟ କିମ୍ୱା ତାନ୍ତ୍ରିକ ପାଖକୁ ନେଇ ଯାଆନ୍ତି କିନ୍ତୁ ତାକୁ ବେଞ୍ଚଇ ପାରନ୍ତି ନାହିଁ । ଯେଉଁମାନେ ଚିକିତ୍ସା ବିଜ୍ଞାନ ଉପରେ ଭରସା କରନ୍ତି, ସେମାନେ ତୁରନ୍ତ କୌଣସି ଡାକ୍ତର ପାଖକୁ ରୋଗୀକୁ ନେଇଗଲେ ବଞ୍ଚିବାର ସମ୍ଭାବନା ବୃଦ୍ଧି ପାଇଥାଏ ।

କାଠ ବା ପଥରରେ ତିଆରି ଗଣେଶ ମୂର୍ତ୍ତୀ କ୍ଷୀର ପିଇବା ସମ୍ଭବ କି ? ସିମେଣ୍ଟର ତିଆରି ଗାଈ ମୂର୍ତ୍ତିରୁ କ୍ଷୀର ବାହାରିବା ସମ୍ଭବ କି ? ମହୁମାଛି ତିଆରି କରୁଥିବା ମହୁ, କୌଣସି ବ୍ୟକ୍ତି ବିଶେଷର ପାଦରୁ ଝରିବା ସମ୍ଭବ କି ? ଶୂନ୍ୟରେ ହାତ ହଲେଇ ବିଭୂତି, ସୁନାମୁଦି, ଲକେଟ୍ ଆଦି ପ୍ରକଟ କରିବା ସମ୍ଭବ କି ? ଏମିତି ଅସଂଖ୍ୟ ପ୍ରଶ୍ନ ରହିଛି । ଯେଉଁ ଗୁଡ଼ିକୁ ଆମେ ବୈଜ୍ଞାନିକ ଦୃଷ୍ଟିକୋଣରୁ ତର୍କ ସଙ୍ଗତ ଭାବେ ବିଚାର କଲେ ଉତ୍ତର ପାଇବା “କେବେ ସମ୍ଭବ ନୁହେଁ । ଏ ଗୁଡ଼ିକ କେବଳ ଆଖିର ଧୋକ୍କା ।”

ଲୋକପ୍ରିୟ ଲେଖା

To Top