ଗତ କିଛିଦିନ ତଳେ ଦିନେ ସନ୍ଧ୍ୟାରେ ମୋବାଇଲ୍ର ହ୍ୱାଟ୍ସ ଆପ୍ ଖେଳାଉ ଖେଳାଉ ଦେଖିଲି ମୋର ଜଣେ ପରିଚିତ ବନ୍ଧୁ ଅନୁପ କୁମାର ଦାଶ ମୋ ପାଖକୁ ଏକ ମେସେଜ୍ ପଠାଇଛନ୍ତି । ରାକ୍ଷୀପୂର୍ଣ୍ଣିମା ଓ ଗଣେଷ ପୂଜାକୁ ଏକ ନୂଆ ଗୀତ ୟୁଟ୍ୟୁବ୍ରେ ଲଞ୍ଚ୍ ହୋଇଛି । ଏଥିରେ ଗାୟକ ବିଷ୍ଣୁମୋହନ କବି ଓ ସଂଗୀତ ନିର୍ଦ୍ଦେଶକ ସୁରେଶ ପଣ୍ଡା । ୟୁଟ୍ୟୁବ୍ରୁ ଶୁଣିଲି ସେ ଗୀତର ପ୍ରମୋ, ଭଲ ଲାଗିଲା । ଖୋଜିଲି ସୁରେଶ ପଣ୍ଡାଙ୍କର ଆଉ କ’ଣ କ’ଣ ଗୀତ ସବୁ ଅଛି ! “ଧିକ ଜୀବନ ତ ସେଇ, ଯିଏ ପ୍ରଭୁନାମ ଧରେ ନାହିଁ (ଶ୍ରୀଚରଣ)”, “ରେ କୋଠ ଭୋଗୀ, ମୁଁ ତୋ ବଡ଼ ଦାଣ୍ଡର ଯୋଗୀ (କୁମାର ବାପି)”, “ପ୍ରଭୁ ଶିବଙ୍କର ଯେତେ କଥା ଲୋ, ଶୁଣୁଥା’ ଲବଙ୍ଗଲତା (ଇରା ମହାନ୍ତି)”, “ଆଖି ପଲକରେ ତୁ’, ସ୍ୱପ୍ନ ଝଲକରେ ତୁ’ (ଇରା ମହାନ୍ତି)”, “ହେ ସାରଥି, ତୁମ ବଡ଼ଦାଣ୍ଡେ ଠିଆ ମୋ ଜୀବନ ରଥ (ସୁରେଶ ୱାଡ଼କର)”, “ବାଟର ବନ୍ଧୁ ବାଟୋଇ, ମୋ ବନ୍ଧୁ ତୁ, ତୋ ବନ୍ଧୁ ମୁଁ (ଉଦିତ୍ ନାରାୟଣ)”, “ସକାଳୁ ସକାଳୁ ଭଲ ଲାଗେ ପଚାରି ବୁଝିବାକୁ, ହଁ ତୁମେ କେମିତି ଅଛ (ବାବୁଲ ସୁପ୍ରିୟୋ)” । ଏଇ ସବୁ ଗୀତ ଶୁଣିଲା ପରେ ମୋତେ ଲାଗିଲା ଏଇ ବ୍ୟକ୍ତିଙ୍କ ସହ ଦି’ପଦ କଥା ହେବି । ବନ୍ଧୁ ଅନୁପଙ୍କଠାରୁ ଆଣିଲି ତାଙ୍କ ଫୋନ୍ ନମ୍ୱର । କଥା ହେଲି, ବୁଝିଲି ଅନେକ କଥା । ପଣ୍ଡିକ ଗାୟକ ଚକ୍ରଧର ପଣ୍ଡା ଓ ମାଳତୀ ପଣ୍ଡାଙ୍କର ପୁତ୍ର ସେ । ଘର ଯାଜପୁର ଜିଲ୍ଲା କୁଆଖିଆ ନିକଟବର୍ତ୍ତୀ ରାଜେନ୍ଦ୍ରପୁର ଗ୍ରାମରେ । ଅର୍ଥନୀତିରେ ସ୍ନାତକ କରିଛନ୍ତି ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ । ଯେହେତୁ ଘର ତାଙ୍କର କଳା ଓ ସଂସ୍କୃତିରେ ଭରପୁର, ସେଇଠୁ ପ୍ରେରଣା ପାଇ ପ୍ରଥମେ ଗୀତ ଲେଖିକା ଓ ପରେ ସେ ଗୀତକୁ ସ୍ୱରରେ ସଜାଇଭା ପାଇଁ ୨୦୦୫ ମସିହାରେ ଆସିଥିଲେ କଟକ । ପ୍ରଥମେ ରବିନ୍ଦ୍ର ପଣ୍ଡା (ଏକ୍ସେଲ୍ ମ୍ୟୁଜିକ୍)ରେ ସୁଯୋଗ ଦେଇଥିଲେ ଗୀତ ଲେଖିବା ଓ ସ୍ୱର କରିବାକୁ । ପ୍ରଥମ ଗୀତ “ଆଲୋ ମୋ’ କଜଳପାତି (ଶକ୍ତି ମିଶ୍ର)” ଗାଇଥିଲେ । ପରେ ତାଙ୍କ ନିର୍ଦ୍ଦେଶନାରେ ଓ ଇରା ମହାନ୍ତିଙ୍କ କଣ୍ଠରେ ଏକ ଶୋଲୋ ଭଜନ “ସତ୍ୟ ଶିବ ସୁନ୍ଦର” ମୁକ୍ତି ଲାଭ କରିଥିଲା । ସଂଗୀତ ନିର୍ଦ୍ଦେଶନା ପାଇଁ ପ୍ରଥମ ପ୍ରେରଣା ଦାତା ଥିଲେ ଗୀତିକାର “ଶ୍ରୀକାନ୍ତ ଗୌତମ” । “୨୦୦୫” ରୁ “୨୦୧୭” ମସିହା ଭିତରେ ନବେରୁ ଉର୍ଦ୍ଧ୍ଵ କ୍ୟାସେଟ୍ରେ ଗୀତା ଲେଖିବା ଓ ସ୍ୱର କରିବାରେ ବିତାଇ ଦେଇଛନ୍ତି ସମୟ । ମତେ ଲାଗିଲା ସେ ସଂଗୀତର ଅନନ୍ୟ ଯାଦୁକର । ଗୀତ ଲେଖିବା ଓ ତାକୁ ସ୍ୱରରେ ସଜାଇବା ହେଉଛି ତାଙ୍କର ନିଶା ଓ ପେଷା । ଅନେକ ଘାତ ପ୍ରତିଘାତ ଭିତରେ ରହି ସୁଦ୍ଧା ସଂଗୀତ ପ୍ରତି ଅହେତୁକ ଆକର୍ଷଣ ହିଁ ଆଜି ତାଙ୍କୁ ପ୍ରତିଷ୍ଠିତ କରିପାରିଛି ଜଣେ ସଂଗୀତ ନିର୍ଦ୍ଦେଶକ ଭାବେ । ତାଙ୍କ ନିର୍ଦ୍ଦେଶନାରେ ଗାଇଛନ୍ତି ଓଡ଼ିଶାର ଓ ବମ୍ୱେର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ । ସେମାନେ ହେଲେ ସୁରେଶ ୱାଡ଼କର, ମହମଦଅଜିଦ୍, ବାବୁଲ୍ ସୁପ୍ରିୟୋ, ଉଦିତ୍ ନାରାୟଣ, ଇରା ମହାନ୍ତି, କୁମାର ବାପି, ଶ୍ରୀଚରଣ ମହାନ୍ତି, ବିଷ୍ଣୁ ମୋହନ କବି । ତାଙ୍କ ସ୍ୱରକୁ ସ୍ୱୀକୃତି ଦେଇଛନ୍ତି ଓଡ଼ିଶାର ଆଗଧାଡ଼ିର କ୍ୟାସେଟ୍ କମ୍ପାନିମାନେ । ସେମାନେ ହେଲେ ସନ୍ ମ୍ୟୁଜିକ୍, ସାର୍ଥକ ମ୍ୟୁଜିକ୍, ଏକ୍ସେଲ୍ ମ୍ୟୁଜିକ୍ ଓ ପବିତ୍ର ଏଣ୍ଟରଟେନ୍ମେଣ୍ଟ ଭଳି କମ୍ପାନୀ ।
ଏଯାବତ୍ ଏଇ ପ୍ରତିଭାଧରଙ୍କ ଉପରେ କୌଣସି ବି ଚଳଚ୍ଚିତ୍ରର ପ୍ରଯୋଜକ ବି ଦୃଷ୍ଟି ପକାଇ ନାହାନ୍ତି । ସେ କୁହନ୍ତି, ପ୍ରତିଭା ହେଉଛି ପାଉଁଶ ତଳର ନିଆଁ ଭଳି । ଉପଯୁକ୍ତ ସମୟ ଆସିବା ପର୍ଯ୍ୟନ୍ତ ଅନୁକୂଳ ପବନ ବହିବ ନାହିଁ । ଦିନେ ନା ଦିନେ ସେ ପବନ ବହିବ ଓ ପ୍ରକାଶିତ କରିବ ସେ ପାଉଁଶ ଭିତରୁ ନିଆଁକୁ ମୋତେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଦେଖାଯାଉ ସେ ସମୟ କେବେ ଆସୁଛି ।