ପ୍ରବନ୍ଧ

ଭାରତରେ କ୍ରିକେଟ୍ ପ୍ରୀତି

Dr Chhayakanta Sarangi's odia prose Bhaaratare Kriket Preeti

ଜାପାନୀମାନଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନ କରିବା ପାଇଁ ଭାରତରେ ସେହିଭଳି ପୂଜାର୍ଚ୍ଚନା କୁଆଡ଼େ ଅନୁଷ୍ଠିତ ହୋଇ ନଥିଲା । ଅଥଚ ଆମେ ଗର୍ବର ସହ କହୁ ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ! ଏହା କ’ଣ ବିଡ଼ମ୍ୱନା ନୁହେଁ ?

ଭାରତରେ କ୍ରିକେଟ୍ ପ୍ରୀତି

ଦେଶ ଦେଶ ମଧ୍ୟରେ ବନ୍ଧୁତା ଓ ସୌହାର୍ଦ୍ଦ୍ୟ ସୃଷ୍ଟି କରିବା ପାଇଁ ଫୁଟବଲ୍, କ୍ରିକେଟ୍ ଆଦି ଖେଳର ଆୟୋଜନ କରାଯାଉଛି । ଏହି ଖେଳରେ ପ୍ରତିଯୋଗିତା ଅଛି, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ରହିବା କଥା ନୁହେଁ । ମାତ୍ର ଯେତେବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତିଯୋଗିତା ହୁଏ, ଉଭୟ ଭାରତୀୟ ଓ ପାକିସ୍ତାନୀମାନେ ତାକୁ ପ୍ରତିଦ୍ୱନ୍ଦ୍ୱିତା ଭାବରେ ଗ୍ରହଣ କରନ୍ତି । ପ୍ରତିଦ୍ୱନ୍ଦ୍ୱିତାର ଲକ୍ଷ୍ୟ ଦ୍ୱୟ ବା ପରାଜୟ । ପ୍ରତ୍ୟେକ ପ୍ରତିଦ୍ୱନ୍ଦ୍ୱୀ ବିଜୟ ଚାହେଁ । ପୁନଶ୍ଚ ଗୋଟିଏ ଦଳର ଜୟ ବା ପରାଜୟ ଉପରେ ଗୋଟିଏ ଦେଶର ସମ୍ମାନ ସମ୍ପୃକ୍ତ ଥାଏ ବୋଲି ବିଚାର କରାଯାଏ । ଫଳରେ ଗୋଟିଏ ଦଳର ଖେଳାଳି ଅନ୍ୟ ଦଳକୁ ଶତ୍ରୁ ମଣି ଖେଳନ୍ତି । ଗତ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲ୍‌ର ମ୍ୟାଚ୍ ଦିନ ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନର ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଲା । ଯେମିତି ହେଲେ ମ୍ୟାଚ୍ ଜିଣିବାକୁ ହେବ ବୋଲି ସମସ୍ତ ସମର୍ଥକ ଚାହିଁଲେ । ଶେଷରେ କ୍ରିକେଟ୍ ସହ ଧର୍ମ ଯୋଡ଼ି ହୋଇଗଲା । ଜିତିବା ପାଇଁ ମହୀଶୂରର ଅଞ୍ଜେଲ୍ ସ୍ୱାମୀ ମନ୍ଦିରରେ ଅହୋରାତ୍ର ପୂଜା କରାଗଲା । କୋଲକାତା କାଳୀଘାଟରେ ପୂଜାର୍ଚ୍ଚନା କରାଗଲା । ସବୁଠାରୁ ବିଡ଼ମ୍ୱନାର କଥା ଯେ ଜବଲପୁରରେ ଜଣେ ଚିତ୍ରକର ସଚିନ୍ ତେନ୍ଦୁଲକରଙ୍କୁ ଭଗବାନ୍ କୃଷ୍ଣ ଓ ବୀରେନ୍ଦ୍ର ସେୱାଗ୍‌ଙ୍କୁ ଅର୍ଜୁନ ରୂପରେ ଚିତ୍ରିତ କଲେ । ତାଙ୍କର ମତ ହେଲା, ଏହି ଦୁଇ ଚରିତ୍ରଙ୍କ ବୀରତ୍ୱ ଯୋଗୁଁ ପାଣ୍ଡବମାନେ କୌରବମାନଙ୍କୁ ମହାଭାରତ ଯୁଦ୍ଧରେ ପରାସ୍ତ କଲେ । ଠିକ୍ ସେହିପରି ତେନ୍ଦୁଲକର ଓ ସେୱାଗ୍ ପାକିସ୍ତାନକୁ ପରାସ୍ତ କରିବେ । ମଥୁରାରେ ଗୋଟିଏ ସଂଗଠନ ପକ୍ଷରୁ ଯମୁନା ନଦୀକୂଳରେ ୫୧ କିଲୋମିଟର କ୍ଷୀର, ବିଭିନ୍ନ ପ୍ରକାର ଚନ୍ଦନ, କୁଙ୍କୁମ, ଗଦା ଗଦା ଫୁଲହାର ସହ ପୂଜାର୍ଚ୍ଚନା କରାଗଲା । ଓଡ଼ିଶାର ପୁରୀଠାରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ସବୁଆଡ଼େ ଭାରତୀୟ ଦଳର ବିଜୟ ପାଇଁ ପୂଜାର୍ଚ୍ଚନା, ପ୍ରାର୍ଥନା କରାଗଲା । ସେହି ସମୟରେ ଦୁର୍ଭିକ୍ଷ ଓ ସୁନାମୀ ପ୍ରପୀଡ଼ିତ ଜାପାନୀମାନେ ସର୍ବହରା ହୋଇ ଜୀବନ ସହ ସଂଗ୍ରାମ କରୁଥିଲେ । ଅଥଚ କେତୋଟି ଦେଶ ବିଶ୍ୱକପ୍ କ୍ରିକେଟ୍ ଖେଳରେ ମସଗୁଲ୍ ଥିଲେ । ଜାପାନୀମାନଙ୍କ ଦୁଃଖ ଦୁର୍ଦ୍ଦଶା ମୋଚନ କରିବା ପାଇଁ ଭାରତରେ ସେହିଭଳି ପୂଜାର୍ଚ୍ଚନା କୁଆଡ଼େ ଅନୁଷ୍ଠିତ ହୋଇ ନଥିଲା । ଅଥଚ ଆମେ ଗର୍ବର ସହ କହୁ ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ ! ଏହା କ’ଣ ବିଡ଼ମ୍ୱନା ନୁହେଁ ?

ଯେଉଁ ଆନ୍ତର୍ଜାତିକ ଖେଳ ଦେଶ ଦେଶ ଭିତରେ ଏକ ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା, ଭାରତର ଗଣମାଧ୍ୟମ ତାକୁ ତିକ୍ତତାରେ ପରିଣତ କରିବା ଭଳି ଶବ୍ଦ ବ୍ୟବହାର କରି ଖବର ଛାପିଲା । ଏହା ମଧ୍ୟ ଲେଖାଗଲା ଯେ ବିଶ୍ୱକପ୍ ବିଶ୍ୱଯୁଦ୍ଧରେ ଭାରତ ଆଜି ପାକିସ୍ତାନ ଦଖଲ କରିଛି । ପାକ୍ ଦଖଲ ପରେ ଭାରତୀୟ ସେନା ଏବେ ଶ୍ରୀଲଙ୍କା ଦହନ ଅଭିମୁଖେ ଅଗ୍ରସର । ବିଶ୍ୱଯୁଦ୍ଧର ଶେଷ ଦୁର୍ଗ ଦଖଲ କରିବ ମୁମ୍ୱାଇର ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ରେ । ସିଂହଳୀ ସେନା ସହ ଟକ୍କର ହେବ ଭାରତୀୟ ବାଘଙ୍କର । ବୁଧବାର ଭାରତୀୟ ଦଳ ପାକିସ୍ତାନକୁ ହରାଇବା ପରେ ଶନିବାର ଦିନ ଶ୍ରୀଲଙ୍କା ସହ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଏହା ଥିଲା ଏକ ସମ୍ୱାଦପତ୍ର ବର୍ଣ୍ଣନା । ସାମାନ୍ୟ ମନୋରଞ୍ଜନ ଖେଳର ପ୍ରତିଯୋଗିତାକୁ ଏକ ଯୁଦ୍ଧକ୍ଷେତ୍ର ବୋଲି ବର୍ଣ୍ଣନା କରିବା କେତେଦୂର ଯୁକ୍ତିଯୁକ୍ତ ! ପାକ୍ ଦଖଲ, ଶ୍ରୀଲଙ୍କା ଦହନ ଭଳି ଉତ୍ତେଜକ ଶବ୍ଦ ବ୍ୟବହାର କରିବା ଗଣମାଧ୍ୟମ ପାଇଁ କେତେଦୂର ଠିକ୍ ? ଆଉ ଏକ ସମ୍ୱାଦପତ୍ର ଲେଖିଲା, ଫାଇନାଲ୍‌ରେ ଧୂଳି ଚଟାଇଛି ଭାରତୀୟ ଦଳ । ଏଇଭଳି ବର୍ଣ୍ଣନା ଦେଶ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟ ସୃଷ୍ଟି କରିବ କି ? କେବଳ ଏତିକିରେ କଥା ସରିଲା ନାହିଁ । ମୋବାଇଲ୍‌ରେ ଅତି ଜଘନ୍ୟ ଏସ୍ଏମ୍ଏସ୍ ଆସିବାକୁ ଆରମ୍ଭ କଲା । ଗୋଟିଏ ମୋବାଇଲ୍ ବାର୍ତ୍ତାରେ ଲେଖା ଥିଲା, “ପ୍ରଥମେ ଗୋରାଙ୍କୁ (ଅଷ୍ଟ୍ରେଲିଆ) ହରାଇଲେ, ଦ୍ୱିତୀୟରେ ହାରାମଖୋରକୁ (ପାକିସ୍ଥାନ) ହରାଇଲେ ଓ ଶେଷରେ ସୀତାଚୋରକୁ (ଶ୍ରୀଲଙ୍କା) ହରାଇଲେ ।” ଏହି ପ୍ରକାର ଶବ୍ଦ ବ୍ୟବହାର କରିବା ଦ୍ୱାରା ଭାରତର ସମ୍ମାନହାନି ହେଉ ନାହିଁ କି ? କେବଳ ସେତିକି ନୁହେଁ, ଏହାଦ୍ୱାରା ଦେଶ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି ହେବାର ସମ୍ଭାବନା ଅଛି ।

କ୍ରିକେଟ୍ ଖେଳ ପ୍ରତି ଆସକ୍ତ ହେବା, ଭାରତୀୟ କ୍ରିକେଟ୍‌କୁ ଭଲ ପାଇବା ଓ କ୍ରିକେଟ୍ ଖେଳରେ ସର୍ବଦା ଭାରତର ବିଜୟ ଚାହିଁବା ଦେଶପ୍ରେମ ବା ଜାତୀୟତାର ନିଦର୍ଶନ ବୋଲି ବିଚାର କରାଯାଉଛି । କ୍ରିକେଟ୍ ଭାରତର ଏକ ଜାତୀୟ ଖେଳ ନୁହେଁ । ଏକଥା ସମସ୍ତେ ଭୁଲି ଯାଉଛନ୍ତି । ଭାରତର ଜାତୀୟ ଖେଳ ହେଉଛି ହକି । ଏହି ପ୍ରସଙ୍ଗରେ ଏକ ଲୋକପ୍ରିୟ ସାପ୍ତାହିକୀ ସୁବାର୍ତ୍ତାର ସମ୍ପାଦକ ଲେଖିଛନ୍ତି, “ଭାରତବର୍ଷରେ ଡାବୁପୁଆ ଖେଳର ନବ୍ୟ ସଂସ୍କରଣ କ୍ରିକେଟ୍ର ଜନ୍ମ ଏକ ଭୟଙ୍କର ଷଡ଼ଯନ୍ତ୍ର ଆଧାରରେ ।” ଏଠି ମନେପକାଇ ଦେବାକୁ ଉଚିତ୍ ମନେକରୁ ଯେ, ୧୯୨୮ ମସିହାରେ ବ୍ରିଟିଶ୍ ଶାସନାଧୀନ ଭାରତ ବିଶ୍ୱ କ୍ରୀଡ଼ା ଜଗତରେ ହକିକୁ ପଣ୍ୟଦ୍ରବ୍ୟ କରି ହୋଇଥିଲା ଏକ ସ୍ୱତନ୍ତ୍ର ସ୍ଥାନାଧିକାରୀ । ୧୯୩୨ ମସିହା ଅଲମ୍ପିକର ହକି ଇତିହାସରୁ ବ୍ରିଟିଶ ଉପନିବେଶବାଦୀ ଷଡ଼ଯନ୍ତ୍ରର ବୀଜବପନ ହେଲା । ୧୯୩୨ ଜୁନ୍ ୨୫ ତାରିଖରେ ବମ୍ୱେ କ୍ରିକେଟ୍ ଆସୋସିଏସନ୍‌କୁ ଆନ୍ତର୍ଜାତିକ ସ୍ୱୀକୃତି ଦିଆଯାଇ ଏହାକୁ ଭାରତ କ୍ରିକେଟ୍ ଆସୋସିଏସନ୍ କରାଇ ଦିଆଗଲା । କ୍ରମେ ହକି ଉପେକ୍ଷିତ ହେଲା । ପୁନଶ୍ଚ, ଗଣମାଧ୍ୟମରେ ପ୍ରକାଶ ପାଇଛି ଜଗତ ଜିତିଲୁ, ଭାରତ ପାଦତଳେ ବିଶ୍ୱ ! ଭାରତୀୟମାନେ ମନେରଖିବା ଦରକାର ଅତିବେଶିରେ ୧୨ରୁ ୧୪ଟି ଦେଶରେ କ୍ରିକେଟ୍ ଏକ ଲୋକପ୍ରିୟ ଖେଳ । ମାତ୍ର ୧୪ଟି ଦେଶକୁ ବିଶ୍ୱ ଭାବରେ ପରିକଳ୍ପନା କରି ଭାରତ ପାଦତଳେ ବିଶ୍ୱ କହିବା ହାସ୍ୟାସ୍ପଦ । କ୍ରିକେଟ୍ ଖେଳକୁ ବିରୋଧ କରିବା ଲେଖକର ଉଦ୍ଦେଶ୍ୟ ନୁହେଁ । କ୍ରିକେଟ୍ ଖେଳ ସହ ଜାତୀୟବାଦକୁ ଯୋଡ଼ିବା ଆଦୌ ଗ୍ରହଣୀୟ ନୁହେଁ, କାରଣ ଜାତୀୟତାବାଦ ବେଳେବେଳେ ଉଗ୍ରରୂପ ଧାରଣ କରିବା ସମ୍ଭାବନା ରହିଛି । ଯଦି ଏହା ଉଗ୍ରରୂପ ଧାରଣ କରେ, ତା’ର ଫଳ ଅତ୍ୟନ୍ତ ଭୟାବହ !

ଖେଳ ପ୍ରତିଯୋଗିତା ହେଉଛି ଆନନ୍ଦ ଓ ଉତ୍ସାହର ମୁହୂର୍ତ୍ତ । ମାତ୍ର ସମ୍ପ୍ରତି ଯେଉଁ ଭଳି ଭୟପୂର୍ଣ୍ଣ ବାତାବରଣ ମଧ୍ୟରେ ଖେଳ ଅନୁଷ୍ଠିତ ହେଉଛି, ଖେଳର ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ । ଯେଉଁଦିନ ଭାରତ ଓ ପାକିସ୍ତାନ ମ୍ୟାଚ୍ ଅନୁଷ୍ଠିତ ହେଲା, ସୁରକ୍ଷା ବଳୟରେ ରହିଥିଲା ମୋହାଲି ଷ୍ଟାଡ଼ିୟମ୍ । ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ନଜର ରଖି ପୋଲିସ୍, ଅର୍ଦ୍ଧସାମରିକବାହିନୀ, ସେନାବାହିନୀ ଯବାନ୍‌ମାନଙ୍କୁ ମୁତୟନ କରାଯାଉଥିଲା । ଏହା ସହିତ ବିମାନବିଧ୍ୱଂସୀ କ୍ଷେପଣାସ୍ତ୍ର, କୁଇକ୍ ରିଆକ୍ସନ୍ ଟିମ୍, ସ୍ନିଫରଡ଼ଗ୍ ସ୍ପାଡ୍ ଓ ବୋମା ନିଷ୍କ୍ରିୟକାରୀ ୟୁନିଟ୍‌କୁ ସଜାଗ ରଖାଯାଇଥିଲା । ଖେଳ ଭିତରେ ଏକ ଯୁଦ୍ଧର ବାତାବରଣ ମଧ୍ୟ ସୃଷ୍ଟି କରାଯାଇଥିଲା । ଏହାଦ୍ୱାରା ଆନ୍ତର୍ଜାତିକ ସ୍ତରରେ ଖେଳର ପ୍ରକୃତ ଉଦ୍ଦେଶ୍ୟ ପ୍ରତିହତ ହେଉଥିଲା । ପୁନଶ୍ଚ କୌଣସି ବିକଶିତ ରାଷ୍ଟ୍ର ଯଥା ଆମେରିକା, ରୁଷ, ଚୀନ୍, ଜାପାନ୍, ଫ୍ରାନ୍ସ, ଜର୍ମାନ୍ ଆଦି ରାଷ୍ଟ୍ରରେ ଏହି ଖେଳ ନାହିଁ । ମାତ୍ର ଦରିଦ୍ର ରାଷ୍ଟ୍ର ଭାରତରେ ଏହି ଖେଳର ଆୟୋଜନ କରି କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ରାଜନେତାମାନେ ମଧ୍ୟ ଏହି କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ଆସୁଛନ୍ତି । ସରକାରୀ ବେସରକାରୀ କର୍ମଚାରୀ ସମସ୍ତେ ନିଜ ନିଜ କାର୍ଯ୍ୟକୁ ଅବହେଳା କରି ଖେଳ ଦେଖୁଛନ୍ତି । ବାଙ୍ଗାଲୋର୍ରେ ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରେମୀ ୬୦ ପ୍ରତିଶତ କର୍ମଚାରୀ ଅଫିସ୍ ଆସି ନ ଥିଲେ । କ୍ରିକେଟ୍ ଖେଳର ଫାଇନାଲ୍ ମ୍ୟାଚ୍ ଦିନ ବିଧାନସଭା ଛୁଟି ହେବା କଥା ବୋଲି କିଛି ବିଧାୟକ ମଧ୍ୟ ମତ ପ୍ରକାଶ କରିଥିଲେ । କ୍ରିକେଟ୍ ଖେଳ ପାଇଁ ଆଜି ଅସଂଖ୍ୟ ଶ୍ରମଦିବସ ନଷ୍ଟ ହେଉଛି । ବିଜ୍ଞାପନ ମାଧ୍ୟମରେ କେତୋଟି କମ୍ପାନୀରୁ କୋଟି କୋଟି ଟଙ୍କା ଆୟ ହେଉଛି । ଅପରପକ୍ଷରେ କୋଟି କୋଟି ଲୋକ ଭାରତରେ ଦି’ଓଳି ଖାଇବାକୁ ପାଉ ନାହାନ୍ତି ।

ତଥାକଥିତ ବିଶ୍ୱକପ୍ ଜିଣିବା ପରେ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ବିସିସିଆଇ ଏକ କୋଟି ଲେଖାଏଁ ଟଙ୍କା ପୁରସ୍କାର ଘୋଷଣା କରିଛି । ସେହିଭଳି ଘୋଷଣା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ କଲେଣି । କ୍ରିକେଟ୍ ଖେଳାଳିମାନଙ୍କୁ ଜାତୀୟ ସ୍ୱାଭିମାନର ରକ୍ଷକ ଭାବରେ ପରିଗଣିତ କରାଯାଉଛି । ଅପରପକ୍ଷରେ କୋଟି କୋଟି ଭାରତୀୟ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଛନ୍ତି । ଏହି ପରିଚୟରେ ଭାରତୀୟ ସ୍ୱାଭିମାନର କେଉଁ ଦିଗ ପ୍ରତିଫଳିତ ହେଉଛି ବୁଝାପଡୁନାହିଁ । ଶେଷରେ ମନରେ ଗୋଟିଏ ପ୍ରଶ୍ନ ଉଠେ, ଖେଳରେ ଯଦି କୋଟି କୋଟି ଟଙ୍କାର ପୁରସ୍କାର ନ ଥାନ୍ତା ଏହି ଖେଳାଳିମାନେ ଆନ୍ତର୍ଜାତୀୟ ଖେଳରେ ଅଂଶଗ୍ରହଣ କରନ୍ତେ କି ! ମାତ୍ର ଏକଥା ସତ ଯେ ପ୍ରତିଯୋଗିତାର ସୁବର୍ଣ୍ଣ ଯୁଗରେ ଆଜି ଭଳି ଆର୍ଥିକ ପୁରସ୍କାରର ବ୍ୟବସ୍ଥା ନ ଥିଲା । ପ୍ରଥମ କାଳର ଅଲମ୍ପିକ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଖେଳାଳିମାନଙ୍କୁ ଦିଆଯାଉଥିଲା ଗୋଟିଏ ଲେଖାଏଁ ଓଲିଭ ପତ୍ର । ସେତକ ଗ୍ରହଣ କରି ସେମାନେ ହେଉଥିଲେ ଆନନ୍ଦିତ ଓ ଉତ୍ସାହିତ । ସେତେବେଳେ ଖେଳକୁ ବ୍ୟବସାୟୀକରଣ କରାଯାଇ ନ ଥିଲା । ମାତ୍ର ଆଜି ସେ ସମୟ ନାହିଁ । ବିନା ଆର୍ଥିକ ପୁରସ୍କାରରେ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେଉ ନାହିଁ ।

ଲୋକପ୍ରିୟ ଲେଖା

To Top