ପ୍ରବନ୍ଧ

ଭାରତୀୟ ସାମ୍ୱାଦିକତା ଓ ଗାନ୍ଧିଜୀ

Biraja Routray's odia Prose Bhaaratiya Saambaadikataa O Gandhijjee

ଖବରକାଗଜର ଗୋଟିଏ ଲକ୍ଷ୍ୟ ହେଉଛି ଜନମାନସକୁ ବୁଝିବା ଏବଂ ତାକୁ ଭାଷାକ୍ଷମ କରାଇବା । ଦ୍ୱିତୀୟଟି ହେଉଛି ମଣିଷମାନଙ୍କ ମଧ୍ୟରେ ବାଞ୍ଛନୀୟ ଚେତନାକୁ ଜାଗ୍ରତ କରାଇବା ଏବଂ ତୃତୀୟଟି ନିର୍ଭୀକତାର ସହିତ ସାଧାରଣ ତ୍ରୁଟିକୁ ପ୍ରକାଶ କରିବା ।

ଭାରତୀୟ ସାମ୍ୱାଦିକତା ଓ ଗାନ୍ଧିଜୀ

ମହାତ୍ମାଗାନ୍ଧୀଙ୍କ ବହୁଧା ଦକ୍ଷତା ସମ୍ପନ୍ନ ବ୍ୟକ୍ତିତ୍ୱ କେବଳ ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ନେତୃତ୍ୱ ପ୍ରଦାନ କରିନଥିଲା ବରଂ ଏହା ଦେଶର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ପରି ସର୍ବମୂଳ କ୍ଷେତ୍ରଗୁଡ଼ିକୁ ଏହି ସଂଗ୍ରାମ ସହ ଯୁକ୍ତ କରି ଏକ ପୂର୍ଣ୍ଣାଙ୍ଗ ମୁକ୍ତିର ସୂର୍ଯ୍ୟୋଦୟକୁ ଭାରତର ଆକାଶରେ ଦେଖିବାକୁ ଚାହିଁଥିଲା । ସେଥିପାଇଁ ତାଙ୍କୁ କେବଳ କର୍ମଯୋଗୀର ଭୂମିକା ଭିତରେ ଆବଦ୍ଧ ହୋଇ ରହିବାକୁ ପଡ଼ିନାହିଁ । ଏକ ସୁଦୂର ଦୃଷ୍ଟି ସମ୍ପନ୍ନ ଭାବଯୋଗୀ ଭାବରେ ସେ ନିଜକୁ ସଫଳ ଭାବରେ ମଧ୍ୟ ଅବତୀର୍ଣ୍ଣ କରାଇଛନ୍ତି । ଭାରତୀୟ ସମ୍ୱାଦପତ୍ରର ବିକାଶ ପର୍ବରେ ଗାନ୍ଧିଜୀଙ୍କ ପ୍ରତ୍ୟକ୍ଷ ଯୋଗଦାନ ଏକ ଉଲ୍ଲେଖନୀୟ ଘଟଣା ।

ବ୍ରିଟିଶ୍ ଶାସନର ଅନ୍ୟାୟ ଓ ଉତ୍ପୀଡ଼ନ ମଧ୍ୟରେ ଭାରତୀୟ ଖବରକାଗଜର ଜନ୍ମ ଓ ବିକାଶ ପ୍ରକ୍ରିୟା ଆରମ୍ଭ ହୁଏ । ଯେଉଁ ସମୟରେ ଖବର ସଂଗ୍ରହ ଓ ଏହାର ପ୍ରକାଶନକୁ ନେଇ ଇଂରେଜ ସରକାରଙ୍କ ଦ୍ୱାରା ଅନେକଗୁଡ଼ିଏ କଡ଼ା ଆଇନ୍ ପ୍ରଣିତ ହୋଇଥିଲା । କଠୋର ଦଣ୍ଡ ବିଧାନ ଦ୍ୱାରା ମୁକ୍ତ ମତ ପ୍ରକାଶ କରିବାର ସବୁ ପ୍ରକାର ଉଦ୍ୟମକୁ ନିଷ୍ଠୁରତାର ସହିତ ପ୍ରତିହତ କରାଯାଉଥିଲା । ଏପରିକି ଜଣେ ମାଜିଷ୍ଟ୍ରେଟ୍ କିମ୍ୱା ପୋଲିସ୍ ଅଧିକାରୀ ଚାହିଁଲେ ଆପତ୍ତିଜନକ ସମ୍ୱାଦ ପରିବେଷଣ ଆଳରେ ଅର୍ଥ ଦଣ୍ଡ, ଜେଲ୍ ଦଣ୍ଡ କିମ୍ୱା କୌଣସି ଛାପାଖାନାକୁ ବାଜ୍ୟାପ୍ତି କରିପାରୁଥିଲେ । ଭର୍ଣ୍ଣାକୁଲାର ବା ସ୍ୱଦେଶୀୟ ପ୍ରେସ୍ ଆଇନ୍, ସରକାରୀ ଗୁପ୍ତ ଆଇନ୍-୧୮୮୯, ପ୍ରେସ୍ ଓ ପୁସ୍ତକ ପଞ୍ଜୀକରଣ ଆଇନ୍ ଓ ପ୍ରେସ୍ର ସ୍ୱାଧୀନତାକୁ ବ୍ୟାହତ କଲାପରି ଭାରତୀୟ ପେନାଲ୍ କୋଡ୍‌ରେ ସ୍ୱତନ୍ତ୍ର ଭାବେ କେତେକ ଅନୁଚ୍ଛେଦକୁ ସଂଯୁକ୍ତ କରାଯାଇଥିଲା । ଏହାଛଡ଼ା ସମୟ ସମୟରେ ବିଭିନ୍ନ ଅଧ୍ୟାଦେଶ ପ୍ରଣୟନ କରାଯାଇ ସମ୍ୱାଦପତ୍ରର ଅଭ୍ୟୁଦୟ ପ୍ରକ୍ରିୟାକୁ ଗତିରୋଧ କରାଯାଉଥିଲା । ଏପରି ଏକ ସଙ୍କଟ କାଳରେ ଗାନ୍ଧିଜୀ ଭାରତୀୟ ଜାତୀୟ ସଂଗ୍ରାମର ନେତୃତ୍ୱ ନେବା ସହିତ ଜଣେ ସୁଦକ୍ଷ ସାମ୍ୱାଦିକର ଦାୟିତ୍ୱ ମଧ୍ୟ ସମ୍ପାଦନ କରିଥିଲେ । ସେ ସମୟରେ ବାଲ୍ ଗଙ୍ଗାଧର ତିଲକ, ଆବୁଲ କାଲାମ୍ ଆଜାଦ୍, ଅରବିନ୍ଦ ଘୋଷ, ଗୋପାଳକୃଷ୍ଣ ଗୋଖଲେ, ଲାଲା ଲଜ୍‌ପତ୍ ରାୟଙ୍କ ପରି ପ୍ରମୁଖ ସଂଗ୍ରାମୀମାନେ ମଧ୍ୟ ଭାରତୀୟ ସମ୍ୱାଦପତ୍ରର ଏହି ଆପଦକାଳୀନ ସମୟକୁ ଦୃଢ଼ତାର ସହିତ ମୁକାବିଲା କରିଥିଲେ ।

ଭାରତର ଜାତୀୟ ଆନ୍ଦୋଳନ ସହିତ ଭାରତୀୟ ସମ୍ୱାଦପତ୍ରର ଏକ ପରିପୂରକ ଅଭିନ୍ନ ସମ୍ପର୍କ ରହିଥିବାର ଦେଖାଯାଏ । ଗୋଟିଏ ପଟେ ଆନ୍ଦୋଳନକୁ ବ୍ୟାପକ ଓ ବହୁପ୍ରସାରୀ କରାଇବାରେ ପ୍ରେସ୍ର ଭୂମିକା ଥିଲା ଅତୁଳନୀୟ । ଅନ୍ୟପଟେ ଜାତୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ସମୟରେ ଅନେକ ଗୁଡ଼ିଏ ପତ୍ରପତ୍ରିକା ଆତ୍ମପ୍ରକାଶ କରି ସମ୍ୱାଦପତ୍ରର ଏହି ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଇଥିଲା । ଇଂରେଜ୍ ସରକାରଙ୍କ ଦମନମୂଳକ ମନୋବୃତ୍ତି ସତ୍ତ୍ୱେ ଏହି ଗଣମାଧ୍ୟମଟି ଅକୁଣ୍ଠ ଗଣସମର୍ଥନ ପାଇ ସବୁଦିନ ପାଇଁ ନିର୍ବାପିତ ହେବା ବଦଳରେ ଅଗ୍ରଗତି କରିଚାଲିଥିଲା । ଏକ ଉଲ୍ଲେଖନୀୟ ସଂଯୋଗ ହେଉଛି ସେ ସମୟର ଅଧିକାଂଶ ବିଶିଷ୍ଟ ସାମ୍ୱାଦିକମାନେ ମଧ୍ୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଗଣ୍ୟ ନେତୃବୃନ୍ଦ ରହିଥିଲେ । ଜାତୀୟ ବିଚାର, ଦେଶାତ୍ମବୋଧଭାବର ପ୍ରସାର ଓ ଇଂରେଜ ସରକାରଙ୍କ ଦ୍ୱାରା ନିର୍ଯ୍ୟାତିତ ଭାରତୀୟ ସାମାଜିକ ଓ ରାଜନୈତିକ ସ୍ଥିତିର ନଗ୍ନ ରୂପକୁ ଲୋକ ଲୋଚନକୁ ଆଣିବା ନିମନ୍ତେ ଏହି ସମ୍ୱାଦପତ୍ରକୁ ଏକ ଆୟୁଧ ରୂପେ ବ୍ୟବହାର କରୁଥିଲେ ।

୧୯୨୫ ରୁ ୧୯୪୬ ଏହି ଦୁଇ ଦଶନ୍ଧିର ଭାରତୀୟ ଖବରକାଗଜ ସମ୍ପୂର୍ଣ୍ଣ ଭାବେ ଗାନ୍ଧୀ ଓ ଗାନ୍ଧୀ ବିଚାର ଦ୍ୱାରା ପ୍ରଭାବିତ । ତାଙ୍କ ପ୍ରଭାବରେ ସେ ସମୟରେ ପ୍ରକାଶିତ ଖବରକାଗଜ ଅନେକାଂଶରେ ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଚାର ଓ ପ୍ରସାରର ସହାୟକ ରୂପେ କାର୍ଯ୍ୟ କରିଛନ୍ତି ଗାନ୍ଧିଜୀ । ନିଜର ରାଜନୈତିକ, ସାମାଜିକ ଓ ଆଧ୍ୟାତ୍ମିକ ଦୃଷ୍ଟି ଓ ବିଚାରକୁ ବୈକ୍ତିକ ସ୍ତରରୁ ଅବୈକ୍ତିକ ସ୍ତର ପର୍ଯ୍ୟନ୍ତ ଜଣରୁ ଗଣ ପର୍ଯ୍ୟନ୍ତ ପହଞ୍ଚାଇବାର ସଫଳ ମାଧ୍ୟମ ରୂପେ ସମ୍ୱାଦପତ୍ରକୁ ହିଁ ଅବଲମ୍ୱନ କରିଛନ୍ତି । ତାଙ୍କ ମତରେ ଜନଗଣର ଅନ୍ତର୍ଗତ ଜୀବନରେ ପରିବର୍ତ୍ତନ ଆଣିପାରୁଥିବା ଆନ୍ଦୋଳନକୁ ହିଁ ଯଥାର୍ଥ ଆନ୍ଦୋଳନ ବୋଲି କୁହାଯାଏ । ଏହି ବିଚାର ତାଙ୍କ ଲିଖିତ ସମ୍ପାଦକୀୟ ସ୍ତମ୍ଭମାନଙ୍କରେ ପ୍ରତିଫଳିତ ହୋଇଥିବାର ଦେଖାଯାଏ । ସେ ସ୍ୱଷ୍ଟ ଭାବରେ କହିଥିଲେ ମୁଁ ସମ୍ୱାଦପତ୍ର ପାଇଁ ସାମ୍ୱାଦିକତା କରିନାହିଁ । ବରଂ ମୁଁ ମୋର ଜୀବନର ବ୍ରତଭାବେ ଯାହା ପୋଷଣ କରିଛି, ତା’ର ଏକ ମାତ୍ର ଉପଯୋଗୀ ଭାବରେ । (ୟଙ୍ଗଇଣ୍ଡିଆ ୨ ଜୁଲାଇ – ୧୯୨୫)

ସେ ନିଜ ରଚନାରେ ସ୍ୱଷ୍ଟ ବାଦିତା ଓ ସତ୍ୟଶୀଳତା ସହିତ ସାମାଜିକ ଅଙ୍ଗୀକାରକୁ ଯଥେଷ୍ଟ ଗୁରୁତ୍ୱ ଆରୋପ କରିଛନ୍ତି । ସ୍ୱାଧୀନ ମତବ୍ୟକ୍ତ କରିବାର ଅସୀମ ସାହସ ଓ ବଳିଷ୍ଠ ପଦକ୍ଷେପ ତାଙ୍କ ଲେଖାରେ ସ୍ପଷ୍ଟ ରୂପେ ପ୍ରକାଶିତ ହୋଇଛି । ଯାହା ସେହି ସମୟରେ ଓ ପରବର୍ତ୍ତୀ ସମ୍ୱାଦପତ୍ର ଓ ସାମ୍ୱାଦିକମାନଙ୍କୁ ପଥପ୍ରଦର୍ଶନ କରେ ଦକ୍ଷିଣ ଅଫ୍ରିକାରେ ଅବସ୍ଥାନ କାଳରେ ତାଙ୍କ ସମ୍ପାଦନାରେ ପ୍ରକାଶିତ ୟଙ୍ଗଇଣ୍ଡିଆ ପରବର୍ତ୍ତୀ ସମୟରେ ଭାରତରୁ ପ୍ରକାଶିତ ନବଜୀବନ ଓ ହରିଜନ ସମ୍ୱାଦପତ୍ର ସ୍ୱାଧୀନ ଓ ବଳିଷ୍ଠ ମତବ୍ୟକ୍ତର ଗୋଟିଏ ଗୋଟିଏ ନମୁନା । ସତ୍ୟକୁ ତା’ର ସବୁ ରୂପରେ ସ୍ଥାନ ଦେବାର ଜିଦ୍ଖୋର୍ ମନୋବୃତ୍ତି ଓ ଯଥେଷ୍ଟ ସ୍ୱାଧୀନଭାବେ ପରିବେଷଣ କରିବାର ସଂକଳ୍ପ ତାଙ୍କ ସଫଳ ସାମ୍ୱାଦିକତାର ମାପକାଠି । ଜୀବନଧାରଣ ପାଇଁ ଯେପରି ମୁକ୍ତବାୟୁ, ଖୋଲା ପରିବେଶ ଲୋଡ଼ା ଖବରକାଗଜ ସେପରି ଅନୁକୂଳ ପରିବେଶରେ ଗଢ଼ି ଉଠିବା ଉଚିତ୍ ବୋଲି ସେ ବିଚାର କରୁଥିଲେ ତାଙ୍କ ମତରେ- କୌଣସି ଶ୍ୱାସରୁଦ୍ଧ ପରିବେଶରେ ଖବରକାଗଜ ପ୍ରକାଶ କରିବା ଅପେକ୍ଷା ଆଦୌ ପ୍ରକାଶ ନ କରିବା ଶ୍ରେୟସ୍କର । ଏହି ଦୃଷ୍ଟିରୁ ଦେଖିଲେ ସେ ଥିଲେ ଜଣେ ବାସ୍ତବବାଦୀମାନଙ୍କ ଭିତରେ ବାସ୍ତବବାଦୀ (ଆଲଡ଼ସ୍ ହକ୍ସଲେ) ।

ସେ ସମୟରେ ଇଂରେଜ ସ୍ୱତ୍ୱାଧିକାରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଖବରକାଗଜରେ ଇଂରେଜ୍ ଶାସକ ଓ ବଣିକ ଗୋଷ୍ଠୀର ସ୍ୱାର୍ଥର ଆନୁକୁଲ୍ୟ କରୁଥିବାବେଳେ ଭାରତୀୟ ଖବରକାଗଜଗୁଡ଼ିକରେ ସାଧାରଣ ଜନତାର ଆପତ୍ତି ଅଭିଯୋଗ ଏବଂ ଦୁଃଖ ଦୁର୍ଦ୍ଦଶା ବିଶେଷ ଭାବେ ସ୍ଥାନ ପାଉଥିଲା । ବ୍ରିଟିଶ୍ ସରକାରଙ୍କ ଏକାଧିକ କଟକଣା ସତ୍ତ୍ୱେ ସ୍ୱାଧୀନତା ପ୍ରେମୀ ଭାରତୀୟ ଖବରକାଗଜ ଗୁଡ଼ିକ ନିଜ ସ୍ୱଦେଶୀ ଆଦର୍ଶରେ ଅଟକ ରହିଥିଲେ । ଖବରକାଗଜର ଏହି ଆଦର୍ଶମୁଖୀ ପ୍ରତିବଦ୍ଧତାର ଉତ୍ସ ଥିଲେ ଗାନ୍ଧିଜୀ ।

ଖବରକାଗଜର ଲକ୍ଷ୍ୟ ଓ ଆଭିମୁଖ୍ୟ ନିର୍ଦ୍ଧାରଣରେ ଗାନ୍ଧିଜୀଙ୍କ ପ୍ରଭାବ ମଧ୍ୟ ସ୍ୱୀକାର୍ଯ୍ୟ । ଜନସାଧାରଣଙ୍କ ନିକଟବର୍ତ୍ତୀ ହେବା ଓ ଜନମତର ପ୍ରତିନିଧିତ୍ୱ କରିବା ସମ୍ୱାଦ ଓ ସାମ୍ୱାଦିକତାର ବ୍ରତ ହେବା ଉଚିତ୍ ବୋଲି ସେ ବିବେଚନା କରୁଥିଲେ । ଏ ପ୍ରସଙ୍ଗରେ ସେ ଏକଦା କହିଛନ୍ତି- ଖବରକାଗଜର ଗୋଟିଏ ଲକ୍ଷ୍ୟ ହେଉଛି ଜନମାନସକୁ ବୁଝିବା ଏବଂ ତାକୁ ଭାଷାକ୍ଷମ କରାଇବା । ଦ୍ୱିତୀୟଟି ହେଉଛି ମଣିଷମାନଙ୍କ ମଧ୍ୟରେ ବାଞ୍ଛନୀୟ ଚେତନାକୁ ଜାଗ୍ରତ କରାଇବା ଏବଂ ତୃତୀୟଟି ନିର୍ଭୀକତାର ସହିତ ସାଧାରଣ ତ୍ରୁଟିକୁ ପ୍ରକାଶ କରିବା ।

ସରଳଭାଷା ଓ ବଳିଷ୍ଠ ଯୁକ୍ତିପୂର୍ଣ୍ଣ ଉପସ୍ଥାପନା ଦ୍ୱାରା ବ୍ରିଟିଶ୍ ସରକାରର ଦମନଲୀଳା, ସାମାଜିକ କୁସଂସ୍କାରର ଚିତ୍ରଣ ଓ ଅବହେଳିତ ନିମ୍ନ ଶ୍ରେଣୀର ଜନତାର ଉନ୍ନତି କଳ୍ପେ ତାଙ୍କ ଅଜସ୍ର ରଚନା ସେ ସମୟରେ ସମ୍ୱାଦପତ୍ର ବହନ କରିଛି । ଜଣେ ଲୋକପ୍ରିୟ ସାମ୍ୱାଦିକ ଭାବେ ତାଙ୍କ ପରିଚୟର ଏକ ଦୃଷ୍ଟାନ୍ତ ଉଲ୍ଲେଖ କରାଯାଇପାରେ ଯେତେବେଳେ ସେ ନବଜୀବନ ନାମକ ଦୈନିକ ଗୁଜୁରାଟୀ ପତ୍ରିକାର ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ ଏହି ପତ୍ରିକାର ଗ୍ରାହକ ସଂଖ୍ୟା ନଅ ହଜାରରୁ ପହଞ୍ଚିଲା କୋଡ଼ିଏ ହଜାରରେ । ଜଣେ ସାମ୍ୱାଦିକ ଭାବେ ଗାନ୍ଧିଜୀଙ୍କ ଦକ୍ଷତା ଓ ଆଦୃତି ଏଥିରୁ କଳନା କରାଯାଇପାରେ ।

ଯେତେବେଳେ ସମ୍ୱାଦପତ୍ର ଏକ ଶିଳ୍ପ ନଥିଲା କିମ୍ୱା ସାମ୍ୱାଦିକତାକୁ ବୃତ୍ତି ରୂପେ ଗ୍ରହଣ କରାଯାଇ ନଥିଲା । ଯେତେବେଳେ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ବିକଶିତ ନ ଥିଲା, ବିଜ୍ଞାପନ ଆଦୌ ନ ଥିଲା କହିଲେ ଚଳେ । ସର୍ବୋପରି ସମ୍ୱାଦପତ୍ରକୁ ପଢ଼ିପାରୁଥିବା ଶିକ୍ଷିତ ପାଠକମାନଙ୍କ ସଂଖ୍ୟା ଆଶାତୀତ ନ ଥିଲା । ସେତେବେଳେ ଗାନ୍ଧିଜୀଙ୍କ ପରି କତିପୟ ବ୍ୟକ୍ତିବିଶେଷ ପ୍ରବୃତ୍ତିଗତ ଭାବେ ଭାରତୀୟ ସମ୍ୱାଦପତ୍ରର ଭାଗ୍ୟ ସହ ଯୋଡ଼ି ହୋଇଯାଇ ଏହାର ସମୁଜ୍ଜଳ ଭବିଷ୍ୟତର ମାର୍ଗକୁ ପ୍ରଶସ୍ତ କରିଥିଲେ । ଭାରତୀୟ ସମ୍ୱାଦପତ୍ରର ଇତିହାସରେ ମହାତ୍ମାଗାନ୍ଧୀଙ୍କ ସ୍ଥିତି ହେଉଛି ଏକ ଅବିଭାଜ୍ୟ ଅନୁକରଣୀୟ ଅଧ୍ୟାୟ । ତାଙ୍କର ଲେଖନୀ ସମ୍ୱାଦପତ୍ରର ଜଗତକୁ ଦେଇଥିଲା ଏକ ନୂତନ ପ୍ରସ୍ଥ । ଏକ ନୂତନ ଆଲେଖ ଯାହା ସମ୍ପୂର୍ଣ୍ଣ ରୂପେ ସତ୍ୟଶୀଳତା, ବିବେକବୋଧ ଓ ମାନବିକ ମୂଲ୍ୟବୋଧ ଉପରେ ପର୍ଯ୍ୟବେସିତ ଥିଲା ।

ଲୋକପ୍ରିୟ ଲେଖା

To Top