ପ୍ରବନ୍ଧ

ଭାଗବତ ଓ ଭାଗବତଟୁଙ୍ଗୀ କଥା

Biraja Routray's Odia Prose BHAAGABATA O BHAAGABATATUNGI KATHAA

ଯେଉଁ ଦୁର୍ମୂଲ୍ୟ ସାହିତ୍ୟ ସମ୍ପଦଟି ସର୍ବାଧିକ ଭାବରେ ଓଡ଼ିଆ ଜାତିର ଭାବଜଗତକୁ ଓ ତାହାର ଜୀବନଦର୍ଶନକୁ ପ୍ରଭାବିତ କରିଆସିଛି- ତାହା ହେଉଛି ଷୋଡ଼ଶ ଶତାବ୍ଦୀର ରଚିତ ଓଡ଼ିଆ “ଭାଗବତ”

ଭାଗବତ ଓ ଭାଗବତଟୁଙ୍ଗୀ କଥା

ଭାଗବତ ଓଡ଼ିଆ ଜାତିର ସର୍ବୋତ୍ତମ ଗ୍ରନ୍ଥ ଭାବେ ପରିଚିତ, ପଠିତ ଓ ପୂଜିତ । କେବଳ ଧାର୍ମିକ ପରମ୍ପରା ଦୃଷ୍ଟିରୁ ନୁହେଁ, ସମଗ୍ର ଓଡ଼ିଆ ସାହିତ୍ୟକୁ ଭାଷା ଓ ଭାବ ଦୃଷ୍ଟିରୁ ମଧ୍ୟ ଏହି ଗ୍ରନ୍ଥଟି ଦୀର୍ଘକାଳ ଧରି ଗଭୀର ଭାବରେ ପ୍ରଭାବିତ କରିଆସିଛି । ସେହି ଦୃଷ୍ଟିରୁ ଭାଗବତକୁ ଓଡ଼ିଶାର ଜାତୀୟ ମାନକ ଭାଷା ଓ ସାହିତ୍ୟର ଯଥାର୍ଥ ପ୍ରତିନିଧି ରୂପେ ବିବେଚନା କରାଯାଇଥାଏ । ସ୍ଥାନ, କାଳ, ପାତ୍ର ନିର୍ବିଶେଷରେ ସାହିତ୍ୟକୁ କିପରି ସାର୍ବଜନୀନ କରାଯାଇପାରେ ଏହି ଗ୍ରନ୍ଥଟି ତା’ର ସଫଳ ଉଦାହରଣ । ପ୍ରାଚୀନ ଓଡ଼ିଆ ଚର୍ଯ୍ୟାପଦର ସାହିତ୍ୟଠାରୁ ବିଂଶଶତାବ୍ଦୀର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏହି ଦୀର୍ଘ ହଜାରେ ବର୍ଷରୁ ଊର୍ଦ୍ଧ୍ଵ ସମୟ କାଳ ମଧ୍ୟରେ ଅସଂଖ୍ୟ ସାହିତ୍ୟ ରଚିତ ହୋଇ ଓଡ଼ିଆ ଭାଷା ସାହିତ୍ୟର ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ମାତ୍ର ଏହା ମଧ୍ୟରୁ ଯେଉଁ ଦୁର୍ମୂଲ୍ୟ ସାହିତ୍ୟ ସମ୍ପଦଟି ସର୍ବାଧିକ ଭାବରେ ଓଡ଼ିଆ ଜାତିର ଭାବଜଗତକୁ ଓ ତାହାର ଜୀବନଦର୍ଶନକୁ ପ୍ରଭାବିତ କରିଆସିଛି- ତାହା ହେଉଛି ଷୋଡ଼ଶ ଶତାବ୍ଦୀର ରଚିତ ଓଡ଼ିଆ “ଭାଗବତ” ।

ଶହ ଶହ ବର୍ଷ ଧରି ଭାଗବତର ପ୍ରତିପତ୍ତି ଓଡ଼ିଆ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ପରମ୍ପରାରେ ଅବ୍ୟାହତ ରହିଆସିଛି । ଏପରିକି ସମଗ୍ର ପୂର୍ବ ଭାରତ ଅଞ୍ଚଳରେ ଏକ ପଥିକୃତ ଅନୁବାଦ ଗ୍ରନ୍ଥ ରୂପେ ଓଡ଼ିଆ ଭାଗବତ ପଡେ଼ାଶୀ ବଙ୍ଗଳା ଓ ହିନ୍ଦୀଭାଷା ଅଞ୍ଚଳରେ ଅନୁକରଣୀୟ ହୋଇପାରିଲା । ଓଡ଼ିଆମାନଙ୍କ ପାଇଁ ଏହା କେବଳ ସଂସ୍କୃତ ଭାଗବତର ଅନୁବାଦ ଗ୍ରନ୍ଥ ନୁହେଁ । ସେମାନଙ୍କ ଅବଚେତନ ଭୂମିରେ ସୁଦ୍ଧା ଭାଗବତର ସୁଲଳିତ ନବାକ୍ଷରୀ ପଦାବଳୀ ଏପରି ନିବିଡ଼ ଭାବରେ ଅଧିଷ୍ଠିତ ଯେ ଏହି ସବୁ ପଦାବଳୀକୁ ଆବଶ୍ୟକ ସ୍ଥଳେ ଉଦ୍ଧାର କରି ସମସ୍ତ ଯୁକ୍ତି ଓ ବିତର୍କର ସିଦ୍ଧାନ୍ତ ନିକଟରେ ପହଞ୍ଚି ହୋଇଥାଏ । ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଓଡ଼ିଆମାନଙ୍କର ଉଭୟ ଆଧ୍ୟାତ୍ମିକ ଓ ସାଂସାରିକ ଜୀବନରେ ସର୍ବଦା ମାର୍ଗଦର୍ଶକ ରୂପେ ଏହା ଉଦ୍ଧୃତ ହୋଇଥାଏ । ଓଡ଼ିଶାବାସୀଙ୍କ ଲୌକିକ ଜୀବନଧାରାକୁ ଏକ ଧାର୍ମିକ ଗ୍ରନ୍ଥ ରୂପେ ସର୍ବାଧିକ ଭାବେ ନିୟନ୍ତ୍ରିତ କରିଥିବା ଏହି ଗ୍ରନ୍ଥଟି ଗାଁ ଗହଳିରେ ଭାଗବତ ଗୋସେଇଁ ନାମରେ ପରିଚିତ । ଓଡ଼ିଶାର ଜନତା ଭାଗବତକୁ ଦେବତା ଜ୍ଞାନରେ ପୂଜା କରିଥାନ୍ତି । ସେଥିପାଇଁ ଗ୍ରାମେ ଗ୍ରାମେ ଭାଗବତଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା ହୋଇଥିବାର ଦେଖିବାକୁ ମିଳିଥାଏ । ଗାଁ ମାନଙ୍କରେ ଥିବା ଭାଗବତ ଟୁଙ୍ଗୀରେ ଜାତି ଓ ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧବନିତା ବିରାଜିତ ଭାଗବତ ଗୋସେଇଁଙ୍କୁ ବିଷ୍ଣୁ ଜ୍ଞାନରେ ମୁଣ୍ଡିଆ ମାରିଥାନ୍ତି । ସଞ୍ଜ ଦିଅନ୍ତି ଓ ପ୍ରତ୍ୟେକ ସନ୍ଧ୍ୟାରେ ଭାଗବତ ଶୁଣିଥାନ୍ତି । ଅତୀତରେ ଏହି ଭାଗବତଟୁଙ୍ଗୀକୁ ଗ୍ରାମର ବିଦ୍ୟାମନ୍ଦିର ବୋଲି କୁହାଯାଉଥିଲା । ଏହିଠାରେ ଗ୍ରାମର ଚାଟଶାଳୀ ବସୁଥିଲା । ଛୋଟ ଛୋଟ ପିଲାମାନେ ଗଣିତର ଲୀଳାବତୀ ସୂତ୍ର ସହିତ ଭାଗବତ ପୋଥି ପଢ଼ିବା ପର୍ଯ୍ୟନ୍ତ ଦକ୍ଷତା ଅର୍ଜନ କରୁଥିଲେ । ସେତେବେଳେ ଭାଗବତ ପଢ଼ିବାର କ୍ଷମତାକୁ ଶିକ୍ଷାଦୀକ୍ଷାର ଏକ ଯୋଗ୍ୟତା ବୋଲି ଗ୍ରହଣ କରାଯାଉଥିଲା । ଏହି ଭାଗବତଟୁଙ୍ଗୀଗୁଡ଼ିକ ପାଲଟିଥିଲା ଗ୍ରାମ୍ୟ ସଂସ୍କୃତିର କେନ୍ଦ୍ରସ୍ଥଳୀ, ନ୍ୟାୟ ନିଶାପର ଚଉପାଢ଼ି, ଧାର୍ମିକ ସଂହତି ଓ ସଦ୍ଭାବନାର ପୁଣ୍ୟପୀଠ ।

ସମ୍ପ୍ରତି ସମୟ ସମୟରେ ଖବରକାଗଜ କିମ୍ୱା ପତ୍ରପତ୍ରିକାମାନଙ୍କରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାରକୁ ନେଇ ବିଭିନ୍ନ ଲେଖାମାନ ପ୍ରକାଶ ପାଉଥିବାର ଦେଖିବାକୁ ମିଳିଥାଏ । ଏହି ଧରଣର ରଚନା ସବୁର ମର୍ମ କଥା ପ୍ରାୟ ଏକ ପ୍ରକାରର । ସବୁଥିରେ ଭାଗବତ ଜ୍ଞାନର ମହାନତାକୁ ପ୍ରତିପାଦିତ କରାଯାଇ ଏହା କିପରି ସମକାଳୀନ ଉଦ୍ଭଟ ମଣିଷ ଜୀବନ ନିମନ୍ତେ ଏକାନ୍ତ ଅପରିହାର୍ଯ୍ୟ ସେହି ବିଷୟକୁ ସୂଚାଇ ଦିଆଯାଇଥାଏ । ସବୁଥିରେ ଗୋଟିଏ ପ୍ରସ୍ତାବକୁ ଶେଷରେ ଦୋହରା ଯାଇଥାଏ, ତାହା ହେଉଛି ଭାଗବତ ଟୁଙ୍ଗୀ ବା ଭାଗବତ ଘରର ପୁନଃ ପ୍ରଚଳନ । ଅତୀତରେ ଯେପରି ଭାଗବତ କୈନ୍ଦ୍ରିକ ଓଡ଼ିଶାର ପୁରପଲ୍ଲୀର ସାମାଜିକ ଜୀବନ ଶାନ୍ତ, ସରଳ ଧାର୍ମିକ ପରିବେଶରେ ଅତିବାହିତ ହେଉଥିଲା, ଏହା ଦ୍ୱାରା ସେହି ପରିବେଶକୁ ପୁଣି ଫେରାଇ ଅଣାଯାଇ ପାରିବ ବୋଲି ଉକ୍ତ ଲେଖାମାନଙ୍କରେ ଆସ୍ଥା ପ୍ରକଟ କରାଯାଉଛି । ଆଧୁନିକତାର ଯାବତୀୟ ଯନ୍ତ୍ରଣାରେ ପୀଡ଼ିତ ଆମ ସମାଜ ଏହା ଦ୍ୱାରା ଯଥେଷ୍ଟ ଉପକୃତ ହୋଇପାରିବ ବୋଲି ଏଥିରେ କୁହାଯାଉଛି ।

ଏହି ପ୍ରସଙ୍ଗରେ ଖ୍ୟାତନାମା ସାହିତ୍ୟିକ ଓ ସମ୍ପାଦକ ସୁରେନ୍ଦ୍ର ମହାନ୍ତିଙ୍କ “ଶେଷ ସ୍ତମ୍ଭ’ ପୁସ୍ତକର “ନଟବାବୁଙ୍କ ଭାଗବତଟୁଙ୍ଗୀ” ବିଷୟଟି ସ୍ୱତଃ ମନକୁ ଆସୁଛି । ଅବସର ନେବା ପରେ ନିଜ ଗାଁରେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ନଟବାବୁ ଅଣ୍ଟାଭିଡ଼ି ଆଗକୁ ବାହାରନ୍ତି । ସେଥିପାଇଁ ଗାଁରେ ଥିବା ଭଗ୍ନ ପ୍ରାୟ କୋଠ ଭାଗବତ ଘର ଖଣ୍ଡଟିକୁ ସଜାଡ଼ି ପୂର୍ଣ୍ଣ ପ୍ରାୟରେ ଲାଗି ପଡ଼ନ୍ତି ଏହି ମହତ୍ ଉଦ୍ଦେଶ୍ୟଟିର ଚରିତାର୍ଥ ପାଇଁ । ହେଲେ ସମୟର ପ୍ରବାହ ଥିଲା କିନ୍ତୁ ଭିନ୍ନ ପ୍ରକାରର । ଦିନ କେତେଟା ପରେ ଭାଗବତ ଟୁଙ୍ଗୀକୁ ନେଇଥିବା ତାଙ୍କର ସବୁ ଉତ୍ସାହ ଓ ଉଦ୍ଦୀପନା ଶେଷ ହୋଇଯାଏ । ପୋଲାଙ୍ଗ ତେଲର ଦୀପ ଜାଳି ସବୁଦିନ ସନ୍ଧ୍ୟାରେ ଭାଗବତ ଅଧ୍ୟାୟେ ବୋଲାଯିବାକୁ ଚାହୁଁଥିବା ନଟବାବୁଙ୍କର ବହୁ ଈପ୍ସିତ ସ୍ୱପ୍ନ କେବଳ ସ୍ୱପ୍ନ ହୋଇ ରହିଯାଏ । କୋଠ ଭାଗବତ ଘର ପରିବର୍ତ୍ତିତ ହୁଏ ଗାଁ ଟୋକାଙ୍କର କ୍ଲବରେ । ସେଠି ଚାଲେ କ୍ୟାରମ୍, ତାସ୍, ରେଡ଼ିଓରୁ ବିବିଧ ଭାରତୀ ଓ ଗେଞ୍ଜଇ ଇତ୍ୟାଦି । ଏପଟେ ମେଲା ଘରେ ଚନ୍ଦନ ଛିଟା ତଳେ ଲୁଚିଥିବା ଭାଗବତ ଗାଦିକୁ ଘୂଣପୋକ ଓ ଊଇ ଚରିବା ଆରମ୍ଭ କରନ୍ତି । ଏହା ଥିଲା ବିଂଶ ଶତାବ୍ଦୀର ଶେଷାର୍ଦ୍ଧ ସମୟର ଅବକ୍ଷୟମୁଖୀ ପାରମ୍ପରିକ ଉତ୍କଳୀୟ ଧର୍ମ ଧାରଣାର ବିବର୍ତ୍ତିତ ଚିତ୍ର । ଏକବିଂଶ ଶତାବ୍ଦୀରେ ଏହି ଚିତ୍ର ଆହୁରି ବିମର୍ଷକର । ତଥାପି ଭାଗବତ ପ୍ରଚାର ସମିତି ଓ ଭାଗବତ ଆନ୍ଦୋଳନ ନାମରେ କିଛି ସଂଗଠନ ଓ ବ୍ୟକ୍ତି ବିଶେଷ ସେମାନଙ୍କର କ୍ଷୀଣକାୟ ସ୍ୱରକୁ ମଝିରେ ମଝିରେ ଉତ୍ଥାପିତ କରୁଥିବାର ଦେଖିବାକୁ ମିଳୁଛି । ସତରେ କ’ଣ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ସମ୍ଭବ ହୋଇପାରିବ ? ନା ଏହା ସମ୍ପୂର୍ଣ୍ଣ ଅସମ୍ଭବ ? ନା ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଏକ ଦୂରୁହ ପ୍ରଶ୍ନ ପରି ଏକ ଦୂରୁହ ବ୍ୟାପାର ? ନଦୀର ସ୍ରୋତ ଯେପରି ପଛକୁ ଫେରେ ନାହିଁ, ସେହିପରି ସମୟ ମଧ୍ୟ ପଛକୁ ଫେରେ ନାହିଁ । ଭାଗବତକୁ ନେଇଥିବା ଆମର ଧାର୍ମିକ ରୁଚି ଓ ଆଗ୍ରହ ମୋଟାମୋଟି କୃଷି ପ୍ରଧାନ ସମାଜ ବ୍ୟବସ୍ଥାର ଅଂଶ ବିଶେଷ ଥିଲା । ଏବେ କୃଷି ଯଦିଓ ରହିଛି, ମାତ୍ର ବୃତ୍ତି ପ୍ରଧାନ ପାଲଟିଛି । ସେହି ଅନୁସାରେ ଆମର ଅନ୍ୟାନ୍ୟ ରୁଚିବୋଧ ପରି ଧାର୍ମିକ ରୁଚିବୋଧର ମଧ୍ୟ କାୟାନ୍ତର ଘଟିଛି ।

ଏକଥା ନିଃସର୍ତ୍ତରେ କୁହାଯାଇପାରିବ ଯେ ଏକଦା ଭାଗବତୀୟ ବୃତ୍ତରେ ଗତିଶୀଳ ଥିବା ଓଡ଼ିଆ ଜନଜୀବନର ଛନ୍ଦ ସେହି ବୃତ୍ତର ପରିଧିକୁ ଇତ୍ୟବସରରେ ଅତିକ୍ରମ କରିସାରିଛି । ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଭାକୁ ଗୋଟିଏ ରୁଜ୍ଜୁରେ ବାନ୍ଧି ପାରିଥିବା ଏହି ସଶକ୍ତ ଶବ୍ଦ ବେଦର ଫାଶ କେବେଠାରୁ ହୁଗୁଳା ହୋଇସାରିଛି । ପ୍ରକୃତ କଥା ହେଉଛି ଭାଗବତ ଟୁଙ୍ଗୀ ଅତୀତ ଓଡ଼ିଶାର ସାଂସ୍କୃତିକ ଧାର୍ମିକ ଜୀବନ ପ୍ରବାହର ଏକ ସ୍ମରକୀ ବା ଅବଶେଷ ରୂପେ ଆଜି ବିରାଜମାନ କରୁଛି । ଏହା ମଧ୍ୟରେ ଓଡ଼ିଶାର ପାରମ୍ପରିକ ସଂସ୍କୃତି ଓ ମୂଲ୍ୟବୋଧ ଦୃତଗତିରେ ରୂପ ପରିବର୍ତ୍ତନ କରି ତା’ର ପୁରୁଣା ଭୂମିଠାରୁ ଛିନ୍ନମୂଳ ହେବାକୁ ବସିଲାଣି । ଚାରିଆଡେ଼ ଉଦାରୀକରଣ ଓ ମୁକ୍ତ ବଜାର ଅଧ୍ୟୁଷିତ ନୂତନ ସଭ୍ୟତାର ପ୍ରଭାବୀ ପରିବେଶ । ଚାକଚକ୍ୟ ଭରା ବ୍ୟକ୍ତି କୈନ୍ଦ୍ରିକ ଜୀବନ ସଂସ୍କୃତି ଓ ଜୀବନଶୈଳୀ । ଏହି ପରିବେଶରେ ଜୀବନ ଅତିବାହିତ କରୁଥିବା ଆନମନା ମଣିଷମାନଙ୍କୁ ଭାଗବତର ଶାଶ୍ୱତ ପଦାବଳୀ କେବେ ବି ଆକୃଷ୍ଟ କରିପାରିବ ନାହିଁ । ବଞ୍ଚି ବା ପାଇଁ ସମସ୍ତଙ୍କ ଆଖି ଆଗରେ ଏବେ ନୂଆ ନୂଆ ଆକର୍ଷଣ ଓ ଭଳିକି ଭଳି ସମ୍ମୋହିତ ଆଦର୍ଶ । ପୁଣି ଏହି ଆଦର୍ଶର ସଂସ୍କୃତି ଅଲଗା, ଭାଷା ଅଲଗା, ରୁଚି ଓ ଅଭିରୁଚି ଅଲଗା । ତେଣୁ ଏପରି ଏକ ଯୁଗରେ କେଉଁ କାନ ଅବା ଆଗ୍ରହୀ ଦେବ ଭାଗବତରୁ ଦୁଇପଦ ଶୁଣିବା ପାଇଁ !

ମାତ୍ର ବିରୋଧାଭାସକୁ ଦେଖନ୍ତୁ, ଆଧୁନିକ ଯୁଗ ରୁଚିର ନୂଆ ଆଗ୍ରହକୁ ପରିପୂର୍ତ୍ତି କରିବା ପାଇଁ ମଣିଷର ଧାର୍ମିକ ଆସ୍ପୃହାକୁ ସୁହାଇ ଧର୍ମଗୁରୁ, ଦୀକ୍ଷାଗୁରୁ ଓ ଧର୍ମଜ୍ଞାନ ବିତରଣ କରୁଥିବା ଅନୁଷ୍ଠାନମାନଙ୍କ ସଂଖ୍ୟା ଏହି ସମୟରେ ଯଥେଷ୍ଟ ପରିମାଣରେ ବଢ଼ି ସାରିଛି । ଅନ୍ୟ ପଟେ କାଲି ପର୍ଯ୍ୟନ୍ତ ଘରେ ଘରେ ଗାଦିରେ ବିଜେ କରୁଥିବା ଭାଗବତର ସରଳ ଗହନ ତତ୍ତ୍ୱକୁ ଘରେ ଛାଡ଼ି ସେହି କଥାକୁ ଯାଇ ଲୋକେ ମଠରେ, ଆଶ୍ରମରେ ଖୋଜି ହେଉଛନ୍ତି । ଏଣେ ଦେଖିଲା ବେଳକୁ ଭାଗବତ ପୋଥି ଅଣଓଲଟା ହୋଇ ଘରେ ପଡ଼ି ଖତ ଖାଉଛି ।

ଜନାଦୃତିର ଶୀର୍ଷକୁ ନିରବଚ୍ଛିନ୍ନ ଭାବରେ ବର୍ଷ ବର୍ଷ ଧରି ଛୁଇଁ ଆସିଥିବା ଏହି ଅତି ଲୋକପ୍ରିୟ ଗ୍ରନ୍ଥକୁ ଶ୍ରଦ୍ଧାରେ ମୁଖଭାଗବତ ବୋଲି ମଧ୍ୟ କୁହାଯାଇଥାଏ । ଅର୍ଥାତ୍ ଏହାର ଅଧିକାଂଶ ପଦ୍ୟ ଜନସାଧାରଣଙ୍କ ମୁଖରେ ଥାଏ । ମାତ୍ର ସମୟକ୍ରମେ ସେହି ମୁଖଭାଗବତ ଏବେ ପୋଥି ଭାଗବତରେ ପରିଣତ ହୋଇଛି । ଆଧୁନିକ ମଣିଷ ଓ ଆଧୁନିକ ଜୀବନ ଦୁହେଁ ଏହାର ସାନ୍ନିଧ୍ୟଠାରୁ ଖୁବ୍ ଦୂରରେ । କୃଷି ସଭ୍ୟତାରୁ ଶିଳ୍ପ ସଭ୍ୟତା, ଶିଳ୍ପ ସଭ୍ୟତାରୁ ବଜାର ଭିତ୍ତିକ ସଭ୍ୟତା ମଧ୍ୟରେ ଗତିଶୀଳ ଆଧୁନିକ ଓଡ଼ିଆ ସଭ୍ୟତା । ଏହି ନୂଆ ସଭ୍ୟତାରେ ନିଜର ଅସ୍ତିତ୍ୱ ହଜାଇ ଅପାଂକ୍ତେୟ ପାଲଟି ସାରିଛି ଭାଗବତ ଟୁଙ୍ଗୀ ପରି ଏକ ବର୍ଷ ପୁରୁଣା ବଳିଷ୍ଠ ଅନୁଷ୍ଠାନ । ଯଦିଓ ବିବର୍ତ୍ତନର ସ୍ରୋତରେ ଏହି ମୂଲ୍ୟବାନ ଅନୁଷ୍ଠାନ ଆଜି ମୃତପ୍ରାୟ ତଥାପି ତାହାର ପ୍ରାସଙ୍ଗିକତାକୁ ହୃଦ୍‌ବୋଧ କରିହୁଏ । ଆମ ସାମୂହିକ ଲୋକଚରିତ୍ର, ନୈତିକତା ଓ ବିଚାରଶୀଳତାକୁ ଏକ ସ୍ଥାୟୀ ପ୍ରତିଷେଧକ ରୂପେ ସୁରକ୍ଷା ଦେଇ ଆସୁଥିବା ଏହି ଲୋକଗ୍ରନ୍ଥର ବିକଳ୍ପ ନାହିଁ ।

ଲୋକପ୍ରିୟ ଲେଖା

To Top