ପ୍ରବନ୍ଧ

ଭାଗବତ୍ ଗୀତାରେ ଭକ୍ତିର ସ୍ୱରୂପ

Dr Chhayakanta Sarangi's odia prose Bhagbat Gitare Bhaktira Swaroopa

ସଗୁଣ ଉପାସକକୁ ସର୍ବଶ୍ରେଷ୍ଠ ଓ ନିର୍ଗୁଣ ଉପାସକକୁ ସେ ପ୍ରାପ୍ତ ହୁଅନ୍ତି କହି ଶ୍ରୀକୃଷ୍ଣ ତାଙ୍କ ଉତ୍ତରକୁ ଜଟିଳ କରିଦେଇଥିବା ମନେହୁଏ ।

ଭାଗବତ୍ ଗୀତାରେ ଭକ୍ତିର ସ୍ୱରୂପ

ଆଧ୍ୟାତ୍ମ ଶାସ୍ତ୍ରରେ ସଂସାର ସାଗରକୁ ପାରି ହେବା ପାଇଁ ଯେଉଁ ତିନିଗୋଟି ଯୋଗ ସାଧନା ଉପରେ ଗୁରୁତ୍ୱ ଦିଆଯାଇଛି ସେଗୁଡ଼ିକ ହେଲା କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ । ଶରୀରକୁ ଆଧାର କରି କର୍ମଯୋଗ ଶରୀରୀକୁ ଆଧାର କରି ଜ୍ଞାନଯୋଗର ସାଧନା କରାଯାଏ । ମାତ୍ର ଉଭୟ ଶରୀର ଓ ଶରୀରୀର ସ୍ୱାମୀ ଭଗବାନ୍‌ଙ୍କୁ ଆଧାର କରି ଭକ୍ତିଯୋଗର ସାଧନା କରାଯାଏ । ଭଗବତ୍ ଗୀତାରେ ତୟୋଽସ୍ତୁ କର୍ମ ସନ୍ନ୍ୟାସ୍ୟାତ୍ କର୍ମଯୋଗୋ ବିଶିଷ୍ୟତେ (୫/୬)କୁ ଉଦ୍ଧାର କରି ଅନେକ ସମାଲୋଚକ ଗୀତା ଜ୍ଞାନଯୋଗ ଅପେକ୍ଷା କର୍ମଯୋଗକୁ ଶ୍ରେଷ୍ଠ ସ୍ଥାନ ଦେଇଛି ବୋଲି ମତବ୍ୟକ୍ତ କରନ୍ତି । କାରଣ ଜନକ ଆଦି ମହାପୁରୁଷମାନେ କର୍ମଯୋଗ ଦ୍ୱାରା ପରମସିଦ୍ଧି ପ୍ରାପ୍ତ ହୋଇଛନ୍ତି । (କର୍ମଣୈବ ହି ସଂସିଦ୍ଧି ମାସ୍ଥିତାଜନକାଦୟଃ) (୩/୨୦) । ମାତ୍ର ଗୀତାର ଷଷ୍ଠ ଅଧ୍ୟାୟରେ ଭକ୍ତିଯୋଗକୁ ଶ୍ରେଷ୍ଠ ସ୍ଥାନ ଦେଇ ଭଗବାନ୍‌ ଶ୍ରୀକୃଷ୍ଣ କହିଛନ୍ତି :-

“ଯୋଗିନାମପି ସର୍ବୋଷାଂ ମଦ୍‌ଗତେନାନ୍ତରାତ୍ମନା ।
ଶ୍ରଦ୍ଧାବାନ୍ ଭଜତେ ଯୋ ମାଂ ସମେ ଯୁକ୍ତ ତମୋ ମତଃ ।।” (୪/୪୭)

ଅର୍ଥାତ୍ ସମସ୍ତ ଯୋଗୀଙ୍କ ମଧ୍ୟରେ ଯେଉଁ ଶ୍ରଦ୍ଧାବାନ୍ ଭକ୍ତ ମଦଗତ୍‌ମନା ହୋଇ ମୋର ଭଜନ କରେ ମୋ ମତରେ ସେ ହିଁ ସର୍ବଶ୍ରେଷ୍ଠ ଯୋଗୀ । ଶ୍ରୀକୃଷ୍ଣଙ୍କ ଏହି ସ୍ପଷ୍ଟୋକ୍ତି ସତ୍ତ୍ୱେ ଅର୍ଜୁନ ପୁଣି ସଂଶୟାଚ୍ଛନ୍ନ ହେବାରୁ ଦ୍ୱାଦଶ ଅଧ୍ୟାୟର ପ୍ରାରମ୍ଭରେ ସେ କୃଷ୍ଣଙ୍କୁ ପଚାରିଲେ, “ଯେଉଁ ଭକ୍ତମାନେ ଆପଣଙ୍କ ସଗୁଣ ସାକାର ରୂପର ଉପାସନା କରନ୍ତି ଓ ଯେଉଁମାନେ ଅବିନାଶୀ ନିର୍ଗୁଣ ନିରାକାରଙ୍କ ଉପାସନା କରନ୍ତି, ସେମାନଙ୍କ ମଧ୍ୟରେ କେଉଁମାନେ ଯୋଗବେତ୍ତା ?” ଶ୍ରୀକୃଷ୍ଣ ଉତ୍ତର ଦେଲେ, “ମୋ ଠାରେ ମନୋନିବେଶପୂର୍ବକ ନିତ୍ୟ ନିରନ୍ତର ମୋ ସହ ସଂଲଗ୍ନ ହୋଇ ଯେଉଁ ଭକ୍ତମାନେ ଶ୍ରଦ୍ଧାସହ ମୋର ଉପାସନା କରନ୍ତି, ମୋ ମତରେ ସେମାନେ ସର୍ବଶ୍ରେଷ୍ଠ ଯୋଗୀ (୧୨/୨) ଏବଂ ଯେଉଁମାନେ ନିଜର ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରି ଅଚିନ୍ତ୍ୟ, ସର୍ବତ୍ର ପରିପୂର୍ଣ୍ଣ, ଅଦୃଶ୍ୟ, ନିର୍ବିକାର, ଅଚଳ, ଧ୍ରୁବ, ଅକ୍ଷର ଓ ଅବ୍ୟକ୍ତର ଉପାସନା କରି ପ୍ରାଣୀମାନଙ୍କର ହିତରେ ରତ ଥାନ୍ତି ଓ ସମବୁଦ୍ଧି ସମ୍ପନ୍ନ ଥାନ୍ତି ସେମାନେ ମୋତେ ହିଁ ପ୍ରାପ୍ତ ହୁଅନ୍ତି (୧୨/୩/୪) । ସଗୁଣ ଉପାସକକୁ ସର୍ବଶ୍ରେଷ୍ଠ ଓ ନିର୍ଗୁଣ ଉପାସକକୁ ସେ ପ୍ରାପ୍ତ ହୁଅନ୍ତି” କହି ଶ୍ରୀକୃଷ୍ଣ ତାଙ୍କ ଉତ୍ତରକୁ ଜଟିଳ କରିଦେଇଥିବା ମନେହୁଏ । ମାତ୍ର ସନ୍ଥ ବିନୋବା ଏହାକୁ ବୁଝାଇବାକୁ ଯାଇ ଏକ ସୁନ୍ଦର ଉଦାହରଣର ଅବତାରଣା କରିଛନ୍ତି ।

ଗୋଟିଏ ମା’ର ଦୁଇଟି ପୁଅ, ଜଣକୁ ଷୋହଳ ବର୍ଷ ଓ ଅନ୍ୟ ଜଣକୁ ପାଞ୍ଚ ବର୍ଷ । ମା’କୁ ଯଦି ପ୍ରଶ୍ନ କରାଯାଏ ଏହି ଦୁଇପୁଅଙ୍କ ମଧ୍ୟରେ କିଏ ତାଙ୍କର ବେଶି ପ୍ରିୟ, ମା’ ନିଶ୍ଚୟ କହିବ ଯେ ସାନପୁଅ ତାଙ୍କର ବେଶି ପ୍ରିୟ । ଏହାର ଅର୍ଥ ନୁହେଁ ଯେ ବଡ଼ପୁଅ ମା’ର ପ୍ରିୟ ନୁହେଁ । ଏହିପରି ଉତ୍ତର ଦେବାର କାରଣ ହେଲା ଛୋଟ ପୁଅକୁ ମା’ ମୁହୂର୍ତ୍ତଟିଏ ନ ଦେଖିଲେ ରହିପାରେ ନାହିଁ କି ଛୋଟ ପୁଅଟି ମା’କୁ ଛାଡି ମୁହୂର୍ତ୍ତଟିଏ ରହିପାରେ ନାହିଁ । ଛୋଟ ପୁଅ ଜୀବନ ସମ୍ପର୍କରେ କିଛି ବୁଝି ନ ଥାଏ । ଏଣୁ ସେ ତା’ ମା’ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ । ମାତ୍ର ଷୋହଳ ବର୍ଷର ବଡ଼ପୁଅ କଥା ଭିନ୍ନ । ତା’ର ବୁଝିବା ବୟସ ହେଲାଣି । ସେ ମା’କୁ ଛାଡ଼ି ରହିପାରୁଛି ଓ ମା’ ମଧ୍ୟ ତାକୁ ଛାଡ଼ି ରହିପାରୁଛି । ବଡ଼ପୁଅ ବିଷୟରେ ମା’ର ଚିନ୍ତା ନାହିଁ, କିନ୍ତୁ ସାନପୁଅ ବିଷୟରେ ତା’ର ଚିନ୍ତା ଅଛି । ଏଣୁ ସେ ସାନପୁଅକୁ ପାଖରେ ରଖି ତା’ର ବେଶି ଯତ୍ନ ନେବ । ସେହି ଦୃଷ୍ଟିରୁ ସାନପୁଅ ମା’ର ବେଶି ପ୍ରିୟ । ଠିକ୍ ଏହି ନ୍ୟାୟରେ ସଗୁଣ ଭକ୍ତ ଭଗବାନ୍‌ଙ୍କର ସାନପୁଅ ଓ ନିର୍ଗୁଣ ଭକ୍ତ ଭଗବାନ୍‌ଙ୍କର ବଡ଼ପୁଅ । ତୁଳସୀ ଦାସଙ୍କ ରାମଚରିତ ମାନସରେ ଭଗବାନ୍‌ ଠିକ୍ ଏହି କଥା କହିଛନ୍ତି ।

“ମୋର ପ୍ରୌଢ଼ ତନୟ ସମଗ୍ୟାନୀ
ବାଲକ ସୁତ ସମଦାସ ଅମାନୀ ।” (୩/୪୩/୪)

ସାନପୁଅ ମା’ ଉପରେ ସମ୍ପୂର୍ଣ୍ଣ ନିର୍ଭର କଲା ପରି ସଗୁଣ ଭକ୍ତ ନିଜକୁ ସମ୍ପୂର୍ଣ୍ଣ ରୂପେ ଭଗବାନ୍‌ଙ୍କ ନିକଟରେ ଅର୍ପଣ କରିଦିଏ । ଏଣୁ ମା’ ଶିଶୁକୁ ରକ୍ଷା କଲା ପରି ଭଗବାନ୍‌ ତାଙ୍କର ସଗୁଣ ଭକ୍ତକୁ ସର୍ବଦା ରକ୍ଷା କରିଥାନ୍ତି । ରାମଚରିତମାନସରେ ରାମଚନ୍ଦ୍ର ନାରଦଙ୍କୁ ଏହି କଥା ହିଁ କହିଛନ୍ତି ।

“ସୁନୁ ମୁନି ତୋହି କହଉ ସହରୋସା
ଭଜ ହିଁ ଜେମୋହି ତଜି ସକଲ ଭରୋସା
କରଉଁ ସଦା ତିନ କୈ ରଖବାରୀ,
ଜିମି ବାଲକ ରାଖଇ ମହତାରୀ ।” (୩/୪୩/୨/୩)

ଠିକ୍ ସେହିପରି ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି, “ହେ ପାର୍ଥ ! ମୋ ଠାରେ ଚିତ୍ତନିବେଶ କରିଥିବା ଭକ୍ତମାନଙ୍କୁ ମୁଁ ମୃତ୍ୟୁରୂପ ସଂସାର ସାଗରରୁ ଶୀଘ୍ର ଉଦ୍ଧାର କରେ (୧୨/୭) ।” ସଗୁଣ ଉପାସକ ନିମନ୍ତେ ଇନ୍ଦ୍ରିୟଗୁଡ଼ିକ ସାଧନ । ଆଖିରେ ହରି ରୂପ ଦେଖିବା, କାନରେ ହରିକଥା ଶୁଣିବା, ଜିଭରେ ହରିନାମ ଉଚ୍ଚାରଣ କରିବା, ପାଦରେ ତୀର୍ଥଯାତ୍ରା କରିବା, ହାତରେ ସେବା କାର୍ଯ୍ୟ କରିବା ଏହିଭଳି ସମସ୍ତ ଇନ୍ଦ୍ରିୟକୁ ସଗୁଣ ଉପାସକ ଭଗବାନ୍‌ଙ୍କୁ ଅର୍ପଣ କରିଦିଏ । ମାତ୍ର ନିର୍ଗୁଣ ଉପାସକ ପାଇଁ ଇନ୍ଦ୍ରିୟ ବିଘ୍ନ ସ୍ୱରୂପ ଜଣାପଡ଼େ । ତେଣୁ ସେ ସେଗୁଡ଼ିକୁ ଦମନ କରେ । ମାତ୍ର ସଗୁଣ ଉପାସକକୁ ଇନ୍ଦ୍ରିୟ ଦମନ କରିବାକୁ ପଡ଼େ ନାହିଁ । କାରଣ ସେ ସମସ୍ତ ଇନ୍ଦ୍ରିୟକୁ ହରି ସେବାରେ ନିୟୋଜିତ କରେ । ଏଣୁ ଏହା ଦୁଇ ପ୍ରକାର ଇନ୍ଦ୍ରିୟ ସଂଯମ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଉଭୟ କ୍ରିୟାର ଲକ୍ଷ୍ୟ ଏକ । କିନ୍ତୁ ସଗୁଣ ଉପାସନାର ବିଧି ସହଜ ଥିବା ବେଳେ ନିର୍ଗୁଣ ଉପାସନା ବିଧି କଠିନ । ରାମାୟଣ ଅଧ୍ୟୟନ କଲେ ଉପଲବ୍ଧି କରି ହୁଏ ଯେ ଲକ୍ଷ୍ମଣ ଥିଲେ ଜଣେ ସଗୁଣ ଉପାସକ, ମାତ୍ର ଭରତ ଥିଲେ ଜଣେ ନିର୍ଗୁଣର ସାଧକ । ଯେତେବେଳେ ରାମଚନ୍ଦ୍ର ବନବାସ ଗଲେ, ଲକ୍ଷ୍ମଣ ରାଜପୁରରେ ରହିପାରିଲେ ନାହିଁ । ସେ ରାମଚନ୍ଦ୍ରଙ୍କ ସଙ୍ଗରେ ଚଉଦବର୍ଷ ବନବାସ କାଟିଲେ । ରାମଚନ୍ଦ୍ରଙ୍କୁ ଛାଡ଼ି ସେ ମୁହୂର୍ତ୍ତେ ବି ରହିପାରି ନ ଥାନ୍ତେ । ଅପରପକ୍ଷରେ ଭରତ ରାମଚନ୍ଦ୍ରଙ୍କ ପାଖରେ ରହିଲେ ନାହିଁ । ଦୂରରେ ରହି ନନ୍ଦୀଗ୍ରାମରେ ଏକ ତପସ୍ୱୀ ଭାବରେ ରାମଚନ୍ଦ୍ରଙ୍କର ରାଜକାର୍ଯ୍ୟ ଚଳାଇଲେ । ତଥାପି ଭରତ ସମ୍ପୂର୍ଣ୍ଣ ନିର୍ଗୁଣର ସାଧନା କରିପାରିଲେ ନାହିଁ, କାରଣ ସେ ରାମଚନ୍ଦ୍ରଙ୍କ ପାଦୁକା ସ୍ଥାପନ କରି ରାଜକାର୍ଯ୍ୟ ଚଳାଇଲେ । ତାଙ୍କ ପାଇଁ ଏହି ପାଦୁକା ଥିଲା ସ୍ୱୟଂ ରାମଚନ୍ଦ୍ରଙ୍କ ପ୍ରତିନିଧି । ସେ ରାମଚନ୍ଦ୍ରଙ୍କଠାରୁ ଦୂରରେ ଥିଲେ ମଧ୍ୟ ରାମଚନ୍ଦ୍ର ସର୍ବଦା ତାଙ୍କ ମନ ଭିତରେ ଥିଲେ । ଠିକ୍ ତଦ୍ରୁପ ଅବସ୍ଥା ହୋଇଥିଲା ଉଦ୍ଧବଙ୍କ କ୍ଷେତ୍ରରେ । ସେ ମୁହୂର୍ତ୍ତେ ମଧ୍ୟ ଶ୍ରୀକୃଷ୍ଣଙ୍କ ବିଚ୍ଛେଦ ସହିପାରୁ ନଥିଲେ । କୃଷ୍ଣ ବିନା ଜଗତ ତାଙ୍କୁ ଅସାର ମନେ ହେଉଥିଲା । ସେ ଥିଲେ ଜଣେ ସଗୁଣର ଉପାସକ । ମାତ୍ର ଶ୍ରୀକୃଷ୍ଣ ଦେହତ୍ୟାଗ କରିବା ପୂର୍ବରୁ ଉଦ୍ଧବକୁ କହିଲେ, “ହେ ଉଦ୍ଧବ ! ଏବେ ତୁମେ ବଦ୍ରିକାଶ୍ରମକୁ ଯାଅ । ସେଠି ଗଙ୍ଗାସ୍ନାନ କରି ନିର୍ଗୁଣର ଉପାସନା କର ।” ଉଦ୍ଧବ ସଗୁଣ ଉପାସନାରୁ ଦୂରେଇଗଲେ । ମାତ୍ର କୃଷ୍ଣ ବିଚ୍ଛେଦରେ ତାଙ୍କ ହୃଦୟ ଅସ୍ଥିର ହେଲା । କୃଷ୍ଣଙ୍କ ଆଦେଶ ପାଳନ କରି ସେ ନିର୍ଗୁଣର ସାଧନା କଲେ ଓ ଶ୍ରେଷ୍ଠ ଭକ୍ତ ଭାବରେ ପରିଚିତ ହେଲେ । ଜଗନ୍ନାଥ ଦାସଙ୍କ ଭାଷାରେ :-

ବିକଳେ ହୃଦୟ ଅସ୍ଥିର     ।     ମିଳିଲା ବଦ୍ରିକା ତୀର୍ଥର    ।।
ତପ ଆରାଧି ବନବାସେ     ।     ଯେମନ୍ତେ କୃଷ୍ଣ ଉପଦେଶେ    ।।
ହରିଙ୍କି ହୃଦୟ କମଳେ     ।     ଆରାଧି ଜ୍ଞାନଯୋଗ ବଳେ    ।।
ଭକତ ମଧ୍ୟେ ଶ୍ରେଷ୍ଠ ହୋଇ     ।    ଅନ୍ତେ ପରମ ଗତି ପାଇ    ।।

ମାତ୍ର ଉଦ୍ଧବଙ୍କ ନିର୍ଗୁଣ ସାଧନା ମଧ୍ୟ ସଗୁଣ ଉପାସନାର ବିଧି ଦ୍ୱାରା ଆଦ୍ର୍ର ହୋଇଥିଲା, କାରଣ ଉଦ୍ଧବ ଶ୍ରୀକୃଷ୍ଣଙ୍କଠାରୁ ବିଦାୟ ନେବାବେଳେ ଭଗବାନ୍‌ଙ୍କ କଠଉ ଧରି ଯାଇଥିଲେ । ତାଙ୍କର ନିର୍ଗୁଣ ଉପାସନା ସଗୁଣ ବିଧିରୁ ମୁକ୍ତ ନ ଥିଲା । ନିର୍ଗୁଣ ଓ ସଗୁଣ ଉପାସନା ପରସ୍ପର ପରିପୂରକ ହୋଇଥିବାରୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ “ସଗୁଣ ଭକ୍ତ ଶ୍ରେଷ୍ଠ ଯୋଗୀ, ମାତ୍ର ନିର୍ଗୁଣର ଉପାସକ ମଧ୍ୟ ମୋତେ ପ୍ରାପ୍ତ ହୁଏ । ଏପରି କହିବା ଦ୍ୱାରା ସେ ସଗୁଣ ଓ ନିର୍ଗୁଣ ଭକ୍ତି ମଧ୍ୟରେ କୌଣସି ପାର୍ଥକ୍ୟ ଦର୍ଶାଉନଥିଲେ । ଏହା ସାଧନାର ଦୁଇଟି ପଥ ।” ଏଣୁ ଦ୍ୱାଦଶ ଅଧ୍ୟାୟର ଶେଷ ପର୍ଯ୍ୟାୟରେ ଶ୍ରୀକୃଷ୍ଣ ସଗୁଣ ଉପାସନା ଓ ନିର୍ଗୁଣ ଉପାସନାର ପାର୍ଥକ୍ୟ ଉପରେ ଗୁରୁତ୍ୱ ନ ଦେଇ ଭକ୍ତର କେତେକ ସାଧାରଣ ଗୁଣ ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଭକ୍ତ ସଗୁଣ ଉପାସକ ହେଉ ବା ନିର୍ଗୁଣର ଉପାସକ ହେଉ ସେହି ଲକ୍ଷଣଗୁଡ଼ିକ ନ ଥିଲେ କେହି ଭଗବାନ୍‌ଙ୍କର ପ୍ରିୟ ଭକ୍ତ ହୋଇପାରେ ନାହିଁ । ଯିଏ ଦ୍ୱେଷଶୂନ୍ୟ, ମିତ୍ରଭାବାପନ୍ନ, ଦୟାଳୁ, ମମତାରହିତ, ଅହଙ୍କାରରହିତ, ସୁଖଦୁଃଖରେ ସମଭାବାପନ୍ନ, କ୍ଷମାଶୀଳ, ସଂଯମୀ, ଦୃଢ଼ ନିଶ୍ଚୟ, ଭଗବତ୍ ଅର୍ପିତ ମନୋବୃଦ୍ଧି, ଉଦ୍‌ବେଗଶୂନ୍ୟ, ପବିତ୍ର, ଉଦାସୀନ, ଶତ୍ରୁ ମିତ୍ର, ମାନଅପମାନ ଇତ୍ୟାଦିରେ ସମଭାବାପନ୍ନ, ସେ ହିଁ ଭଗବାନ୍‌ଙ୍କର ପ୍ରିୟ ଭକ୍ତ । ଦ୍ୱାଦଶ ଅଧ୍ୟାୟର ୧୩ରୁ ୨୦ ଶ୍ଳୋକ ମଧ୍ୟରେ ଭଗବାନ୍‌ ତାଙ୍କର ପ୍ରିୟ ଭକ୍ତର ଏହି ସବୁ ଲକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି । ପୁନଶ୍ଚ ସେ କହିଛନ୍ତି “ଭକ୍ତ ସମସ୍ତ କର୍ମର ଫଳେଚ୍ଛା ତ୍ୟାଗ କଲେ ପରମ ଶାନ୍ତିକୁ ପ୍ରାପ୍ତ ହୁଏ ।” ଏଣୁ ସେ ଅର୍ଜୁନଙ୍କୁ କହିଛନ୍ତି “ସର୍ବକର୍ମ ଫଳତ୍ୟାଗଂ ତତଃ କୁରୁ ଯତାତ୍ମବାନ୍ (୧୨/୧୧) ।” ସପ୍ତ ଅଦ୍ୟାରେ ଭଗବାନ୍‌ ଶ୍ରୀକୃଷ୍ଣ କହିଛନ୍ତି, “ତାଙ୍କର ଚାରିପ୍ରକାର ଭକ୍ତ ଅଛନ୍ତି, ଯଥା- ଆର୍ତ୍ତ, ଜିଜ୍ଞାସୁ, ଅର୍ଥାଥୀ ଓ ଜ୍ଞାନୀ । ମାତ୍ର ଏମାନଙ୍କ ମଧ୍ୟରୁ ଜ୍ଞାନୀ ଭକ୍ତ ହିଁ ଶ୍ରେଷ୍ଠ (ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକଭକ୍ତି ବିଶିଷ୍ୟତେ) । ଯେଉଁମାନେ ନିଷ୍କାମ ହୋଇ ଭଗବାନ୍‌ଙ୍କ ଅର୍ଥରେ ହିଁ କର୍ମ କରନ୍ତି ସେମାନେ ହିଁ ଜ୍ଞାନୀଭକ୍ତ ।” ଜଗନ୍ନାଥ ଦାସ କହିଛନ୍ତି :-

ନିଷ୍କାମ ଜନ୍ମେ ଯା ଶରୀରେ । ଆତ୍ମାକୁ ଆପଣେ ଉଦ୍ଧରେ ।।

କର୍ମଫଳ ତ୍ୟାଗ ନ କଲେ କର୍ମଫଳ ଭୋଗ କରିବା ପାଇଁ ବାରମ୍ୱାର ଜନ୍ମଗ୍ରହଣ କରିବାକୁ ହୁଏ । ଏହି ଫଳାସକ୍ତି ହିଁ ସଂସାର ବନ୍ଧନର ପ୍ରଧାନ କାରଣ (ଫଳେସକ୍ତୋ ନିବଧ୍ୟତେ, ୫/୧୨) । ଏଣୁ ଶ୍ରୀମଦ୍ଭାଗବତ୍ ଗ୍ରନ୍ଥରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି :-

ମୋହରି ଅର୍ଥେ କର୍ମ କର    ।    ସର୍ବ ଆରମ୍ଭ ଛାଡ଼ି ସ୍ମର    ।।
ନିର୍ମଳ କରି ବୁଦ୍ଧିମାନ        ।    ମୋର ଚରଣ କର ଧ୍ୟାନ     ।।
ପୀରତି କର ଶୁଦ୍ଧ ଚିତ୍ତେ    ।    କର୍ ତୁ କର ମୋର ଅର୍ଥେ     ।।
ସକଳ କର୍ମଫଳ ତେଜ    ।    ସର୍ବ ସମ୍ପୂର୍ଣ୍ଣେ ମୋତେ ଭଜ     ।।

ନାରଦ ତାଙ୍କ ଭକ୍ତିସୂତ୍ରମ୍ ଗ୍ରନ୍ଥରେ ଶ୍ରେଷ୍ଠ ଭକ୍ତିର ଉଦାହରଣ ଦେବାକୁ ଯାଇ କହିଛନ୍ତି, “ଯଥା ବ୍ରଜଗୋପିକାନାମ୍ ! ବ୍ରଜଗୋପୀମାନେ ନିଷ୍କାମ ହୋଇ ନିଜକୁ ଶ୍ରୀକୃଷ୍ଣଙ୍କ ନିକଟରେ ସମର୍ପିତ କରିଥିଲେ ବୋଲି ସେମାନେ ଜନ୍ମ ମୃତ୍ୟୁଚକ୍ରରୁ ନିସ୍ତାର ପାଇଥିଲେ ।” ଏଣୁ ଶ୍ରୀକୃଷ୍ଣ କହିଛନ୍ତି :-

ଦେଖ ଏ ଯେତେ ନଦନଦୀ    ।    ପ୍ରବାହେ ମିଳନ୍ତି ଜଳଧି    ।।
ଲବଣ ଜଳେ ଯେ ମିଶନ୍ତି    ।    ସ୍ୱନାମ ରୂପ ପାସୋରନ୍ତି    ।।
ଗୋପ କାମିନୀ ଏହି ମତେ    ।    ମନ ବଚନ ଦେଇ ମୋତେ    ।।
ଦେହ ସଂସାର ପାସୋରିଲେ    ।    ଜନ୍ମ ମରଣୁ ନିସ୍ତରିଲେ    ।।

ଠିକ୍ ସେହିପରି ଭଗବତ୍ ଗୀତାରେ ଭଗବାନ୍‌ ଭକ୍ତିରେ ଏହି ନିଷ୍କାମ ଓ ସମ୍ପୂର୍ଣ୍ଣ ସମର୍ପଣ ଭାବ ଉପରେ ଗୁରୁତ୍ୱ ଦେଇ ଅର୍ଜୁନଙ୍କୁ କହିଛନ୍ତି- “ହେ କୁନ୍ତୀପୁତ୍ର ଅର୍ଜୁନ ! ତୁମେ ଯାହା କିଛି କର୍ମ କରୁଛ ଯାହା ସବୁ ଭକ୍ଷଣ କରୁଛ, ଯେଉଁ ସବୁ ଯଜ୍ଞ କରୁଛ, ଯାହା କିଛି ଦାନପୁଣ୍ୟ କରୁଛ ଏବଂ ଯେଉଁ ଯେଉଁ ତପସ୍ୟା କରୁଛ ସେସବୁକୁ ମୋତେ ଅର୍ପଣ କରିଦିଅ ।”

“ଯତ୍ କରୋଷି ଯଦଶ୍ନାସି ଯଜ୍ଜୁହୋଷି ଦଦାସି ଯତ୍
ଯତ୍ତପସ୍ୟସି କୌନ୍ତେୟ ତତ୍‌କୁରୁଷ୍ୱ ମଦର୍ପଣମ୍ ।” (୯/୨୭)

ଲୋକପ୍ରିୟ ଲେଖା

To Top