ପ୍ରବନ୍ଧ

ଭକ୍ତ ସୁଦାମା

Dr Gauranga Samantaray's odia prose Bhakta Sudaamaa

ଗୋଟିଏ ମୁଠାରେ ମୋ କୃପାରୁ ଇହଲୋକ ଓ ପରଲୋକର ସବୁ ସମ୍ପତ୍ତି ବନ୍ଧୁଙ୍କୁ ମିଳିସାରିଛି ।

ଭକ୍ତ ସୁଦାମା

ସୁଦାମା ନାମକ ଜଣେ ଅତି ଗରିବ ବ୍ରାହ୍ମଣ ଥିଲା । ଘରେ ସ୍ତ୍ରୀ ସୁଶୀଳା । ଘର ବୋଲି ଭଙ୍ଗା ଝୁମ୍ପୁଡ଼ିଟିଏ । ଦୁଇ ଚାରୋଟି ଫଟା ବାସନ କୁସନ, କିଛି ମଇଳା ଲୁଗାପଟା । ପ୍ରତିଦିନ ସେ ପାେଞ୍ଚାଟି ଘରକୁ ଭିକ୍ଷା ପାଇଁ ଯାଏ । ଯେଉଁଦିନ ଯାହା କିଛି ମିଳିଲା, ଭଗବାନଙ୍କୁ ଅର୍ପଣ ପୂର୍ବକ ଜୀବନ ନିର୍ବାହ କରୁଥିଲା ।

ଭଗବାନ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ସେ ଅନନ୍ୟ ଭକ୍ତ ଥିଲା । ଅବନ୍ତୀରେ ଗୁରୁ ସନ୍ଦୀପନିଙ୍କ ଆଶ୍ରମରେ ଶିକ୍ଷା ଗ୍ରହଣ କରୁଥିବା ସମୟରେ କୃଷ୍ଣଚନ୍ଦ୍ରଙ୍କ ସହ ତା’ର ସାକ୍ଷାତ ହୋଇଥିଲା । ସୁଦାମାର ସରଳ, ନିଷ୍କପଟ, ସ୍ନେହ, ଶ୍ରଦ୍ଧା ଓ ବ୍ୟବହାରରେ ବାନ୍ଧି ହୋଇ ଯାଇଥିଲେ ଦୀନବନ୍ଧୁ । ସେମାନେ କିଛି ଦିନ ପାଇଁ ଏକତ୍ର ପଢ଼ାପଢ଼ି କରିଥିଲେ । ଏହି ସମୟ ମଧ୍ୟରେ ସୁଦାମା ଅନୁଭବ କରୁଥିଲା କୃଷ୍ଣ କେହି ସାଧାରଣ ମନୁଷ୍ୟ ନୁହଁନ୍ତି, ସେ ସ୍ୱୟଂ ଭଗବାନ ଦୀନବନ୍ଧୁ, କୃପାସିନ୍ଧୁ- ପରମାନନ୍ଦ, ସଚ୍ଚିଦାନନ୍ଦ ! ତେଣୁ ସେହି ଦିନଠାରୁ ସେ ବାନ୍ଧି ହୋଇ ଯାଇଥିଲେ ଭକ୍ତିର ଡୋରିରେ ।

ଇତି ମଧ୍ୟରେ ଅନେକ ବର୍ଷ ବିତିଯାଇଛି । ଗୋଟିଏ ପଟେ ମିତ୍ର ଶ୍ରୀକୃଷ୍ଣ- ଦ୍ୱାରକାଧିପତି, ଅନ୍ୟପଟେ ଆଉ ଜଣେ ମିତ୍ର ସୁଦାମା ଭିକାରୀ ବ୍ରାହ୍ମଣ । ଦିନେ ପତିପରାୟଣା, ସାଧ୍ୱୀ, ସ୍ତ୍ରୀ ସୁଶୀଳା ଦୁର୍ବଳ, କ୍ଷୀଣକାୟ, ଧର୍ମାତ୍ମା ପତିଦେବଙ୍କୁ କହିଲା, “ସ୍ୱାମୀ, କେତେଦିନ ଆଉ ଏମିତି ଭୋକ ଉପାସରେ ଦାରିଦ୍ର୍ୟ କ୍ଳେଶ ପାଉଥିବ । ତୁମେ ତୁମର ମିତ୍ର ଲକ୍ଷ୍ମୀପତି ଦ୍ୱାରିକାପତି, ଶରଣାଗତବତ୍ସଳ, କୃପାସିନ୍ଧୁ, ଦୀନବନ୍ଧୁଙ୍କ ପାଖକୁ ଯାଇ କିଛି ସାହାଯ୍ୟ ମାଗ । ଅନ୍ତତଃ କିଛିଦିନ ଚଳିଯିବ ।”

ମିତ୍ରଠାରୁ କିଛି ମାଗିବା ଅନ୍ୟାୟ, ଲୋଭ କରି କିଛି ଆଶା କରିବା ମଧ୍ୟ ଅନ୍ୟାୟ କହିଲା ସୁଦାମା । ତଥାପି ଦ୍ୱାରିକା ଗଲେ ପ୍ରଭୁଙ୍କର ଦର୍ଶନ ହେବ । ଦର୍ଶନ ଲାଭ ଆଶା ମନରେ ଅପୂର୍ବ ଆନନ୍ଦ ଭରି ଦେଲା । ଯିବା ପାଇଁ ପ୍ରସ୍ତୁତ ହେଲା । କିନ୍ତୁ ଲୁଗା ତ ନାହିଁ । ସାତ ଚିରା ଲୁଗା ସିଲେଇ କରି ପିନ୍ଧିଲା । ବନ୍ଧୁଙ୍କ ଘରକୁ ଖାଲି ହାତରେ ଯାଇ ହେବ ନାହିଁ । ପତ୍ନୀ ଯାଇ ପଡ଼ୋଶୀଙ୍କ ଘରୁ ଚାରି ମୁଠା ଖୁଦଭଜା ମାଗି ଆଣିଲେ । କାନିରେ ବାନ୍ଧି ବାଡ଼ିଟିଏ ଧରି ସୁଦାମା ଚାଲିଲା ଦ୍ୱାରିକା ଅଭିମୁଖେ । ଆଜି ପ୍ରଭୁଙ୍କ ଡୋରି ଲାଗିଛି । ବହୁତ ବର୍ଷ ହେବ ପ୍ରଭୁଙ୍କୁ ତା’ର ଦେଖିନାହିଁ । ମନ ପୂରାଇ ଦେଖିବ । କରୁଣାମୟଙ୍କର ଅମୃତମୟ ବଚନ ଟିକେ ଶୁଣିବ । ଏମିତି ପ୍ରେମମୟଙ୍କ କଥା ଭାବୁ ଭାବୁ ମନ ଆନନ୍ଦମୟ ହୋଇ ଯାଉଥାଏ ।

ଦ୍ୱାରିକାରେ ପହଞ୍ଚିଲା ସୁଦାମା । ଦ୍ୱାରିକାର ନଭଶ୍ଚୁମ୍ୱୀ ଅଟ୍ଟାଳିକା, ରତ୍ନ ଖଚିତ ପ୍ରାଚୀର, ପ୍ରତି ଭବନରେ ସ୍ୱର୍ଣ୍ଣ କଳସ ଦେଖି ସୁଦାମା ହତ ଚକିତ ହୋଇଗଲା । ଐଶ୍ୱର୍ଯ୍ୟମୟୀ ଦ୍ୱାରକା । ସ୍ୱର୍ଗ ଏପରି ହୋଇଥିବ କି ନା ସନ୍ଦେହ ! ପହଞ୍ଚିଲା ଯାଇ ଦ୍ୱାରକାନାଥଙ୍କ ରାଜଭବନର ଦ୍ୱାରପାଳ ପାଖରେ । ନିଜକୁ ଦ୍ୱାରକାଧିଶଙ୍କର ମିତ୍ର ବୋଲି ସନ୍ଦେଶ ଦେଲା । ଜଣେ ମଳିନ ଚିରା ବସ୍ତ୍ର ପରିହିତ, ଜୀର୍ଣ୍ଣ ଶୀର୍ଣ୍ଣ ବ୍ରାହ୍ମଣ ଭଗବାନଙ୍କର ମିତ୍ର ବୋଲି କହୁଛି ଭାବି ଦ୍ୱାରପାଳ ଚକିତ ହେଲା । ଦେବରାଜ ଇନ୍ଦ୍ର ଯାହାଙ୍କର ଦାସ କହିବାକୁ ସଙ୍କୋଚ କରନ୍ତି, ସୃଷ୍ଟିକର୍ତ୍ତା ବ୍ରହ୍ମ ଓ ଦେବଦେବ ମହାଦେବ ଯାହାଙ୍କୁ ପ୍ରଭୁ ବୋଲି ସମ୍ୱୋଧନ କରନ୍ତି, ଅନ୍ୟ ଦେବଗଣ ଯାହାଙ୍କର ଦାସାନୁଦାସ ହେବା ପାଇଁ ଲାଳାୟିତ, ତାଙ୍କୁ ଜଣେ ସାତସିଆଁ ଚିରା ଲୁଗା ପିନ୍ଧିଥିବା ଜୀର୍ଣ୍ଣଶୀର୍ଣ୍ଣ ଖୋଲା ଶରୀର ବ୍ରାହ୍ମଣ ମିତ୍ର କହିବାକୁ ସାହାସ କରୁଛି । ତଥାପି ଦ୍ୱାରପାଳ ଭାବିଲା, କିଏ ଜାଣେ, ଶରଣବତ୍ସଳ କୃପାସାଗରଙ୍କ କେଉଁଠି, କି ପ୍ରକାର ମିତ୍ର ଥାଆନ୍ତି !

ଦ୍ୱାରପାଳ ପ୍ରଭୁଙ୍କ ଅନ୍ତଃପୁରରେ ପହଞ୍ଚିଲେ । ପ୍ରଭୁ, ତ୍ରିଭୁବନପତି, ଶଯ୍ୟା ଉପରେ ବସିଥିଲେ । ଋକ୍ମିଣୀ ତାଙ୍କର ସେବା କରୁଥିଲେ । ଦ୍ୱାରପାଳ ପ୍ରଣାମ ପୂର୍ବକ କହିଲା, “ପ୍ରଭୋ ! ଜଣେ କିଏ ଅତି ଦୁର୍ବଳ ବ୍ରାହ୍ମଣ, ସାତଚିରା ମଇଳା ଲୁଗା ପିନ୍ଧିଛି, ମୁଣ୍ଡରେ ଟୋପି ନାହିଁ, ଖାଲି ପାଦ, ଖୋଲା ଦେହରେ ଦ୍ୱାର ଦେଶରେ ଠିଆ ହୋଇଛି । ସେ କିଏ, କେଉଁଠୁ ଆସିଛି, କିଛି କହୁନି, ଖାଲି ଏ ଆଡ଼କୁ ସେ ଆଡ଼କୁ ଅନଉଛି । ନିଜକୁ ପ୍ରଭୁଙ୍କର ମିତ୍ର ବୋଲି କହୁଛି । ନାମ କହୁଛି ସୁଦାମା ।”

“ସୁଦାମା” ଏ ଶବ୍ଦ ଯେତେବେଳେ ପ୍ରଭୁ ଶୁଣିଲେ, ପ୍ରେମ ବିହ୍ୱଳ ହୋଇଗଲେ, ଭୁଲିଗଲେ ନିଜର ସ୍ଥିତି । ଦୌଡ଼ି ଚାଲିଲେ ଦ୍ୱାର ନିକଟକୁ ନିଜ ପ୍ରିୟ ବାଲ୍ୟସଖା ସୁଦାମାକୁ ଦର୍ଶନ କରିବାକୁ । ଉତ୍ତରୀୟ ତଳେ ପଡ଼ିଗଲାଣି, ବିନା ପାଦୁକା ବିନା ମୁକୁଟରେ ଆସି ଦ୍ୱାର ଦେଶରେ । ଦୁଇହସ୍ତରେ ସୁଦାମାକୁ ଧରି ଏମିତି ହୃଦୟରେ ଜାବୁଡ଼ି ଧରିଲେ ସତେ ଯେପରି ବହୁଦିନରୁ ହଜି ଯାଇଥିବା ନିଧି ଫେରି ପାଇଛନ୍ତି । ଦୁହିଁଙ୍କ ଚକ୍ଷୁରେ ଲୋତକର ବନ୍ୟାଧାର ଛୁଟୁଛି । ନିସ୍ତବ୍ଦ ! ରାଣୀ, ପ୍ରଜା, ସେବକ ସମସ୍ତେ ହତଚକିତ ଏ ଅପୂର୍ବ ଦୃଶ୍ୟରେ, ଏ ଅପୂର୍ବ ମିଳନରେ । ଅପୂର୍ବ ସୌଭାଗ୍ୟ ସୁଦାମାର । ଯାହା ପାଇଁ ତ୍ରିଭୁବନପତିଙ୍କ ଚକ୍ଷୁରେ ଲୋତକର ବନ୍ୟା ।

ହାତ ଧରି ନେଇଗଲେ ପ୍ରାସାଦକୁ । ରତ୍ନ ସିଂହାସନ ଉପରେ ବସାଇ ନିଜ ପୀତାମ୍ୱରରେ ପାଦଧୂଳି ପୋଛି ଦେଲେ । ସୁବର୍ଣ୍ଣ ଥାଳୀ ଉପରେ ପାଦ ଦୁଇଟି ରଖି ପୂର୍ଣ୍ଣାନନ୍ଦ ତା’ ଉପରେ ପୁଣି ଅଶ୍ରୁ ବର୍ଷଣ କଲେ । ନେତ୍ରର ଜଳଧାରାରେ ମିତ୍ରଙ୍କର ଚରଣ ଧୋଇଦେଲେ । ଭଗବାନଙ୍କର ଭାବବିହ୍ୱଳ ଦଶା ଦେଖି ମହାଲକ୍ଷ୍ମୀ ଋକ୍ମିଣୀ ନିଜ ହାତରେ ବନ୍ଧୁଙ୍କର ଚରଣ ଧୋଇ ଦେଲେ । ଯେଉଁ ମହାଲକ୍ଷ୍ମୀଙ୍କର କୃପାଲାଭ ପାଇଁ ଲୋକେ ତାଙ୍କର ପାଦପଦ୍ମ ପୂଜା କରନ୍ତି, ଆଜି ସେ ନିଜେ ଆଦରପୂର୍ବକ କାଙ୍ଗାଳ ବ୍ରାହ୍ମଣଙ୍କର ପାଦ ପ୍ରକ୍ଷାଳନ କଲେ । ତାଙ୍କର ଚରଣୋଦକ ଦ୍ୱାରକାଧିଶ ନିଜ ମସ୍ତକ ଉପରେ ସିଞ୍ଚିଲେ, ପ୍ରସାଦଭଳି ପାଇଲେ ଓ ସେ ପବିତ୍ର ପାଣିକୁ ରାଜ ପ୍ରସାଦ ଚାରିଆଡ଼େ ସିଞ୍ଚି ଦେବା ପାଇଁ ରାଣୀମାନଙ୍କୁ କହିଲେ ।

ଭଗବାନଙ୍କୁ ଦେଖି ଭକ୍ତଜନ ଆନନ୍ଦରେ ବିଭୋର ହୁଅନ୍ତି । ଆଜି କିନ୍ତୁ ଭକ୍ତଙ୍କୁ ଦେଖି ଜଗଦୀଶଙ୍କ ହୃଦୟରେ ଆନନ୍ଦର ଲହରୀ । ମିତ୍ରଙ୍କ ସ୍ନାନ ପାଇଁ ମହାରାଣୀ ଋକ୍ମିଣୀଙ୍କୁ ଏକ କଳସ ପାଣି ଆଣିବା ପାଇଁ କହିଲେ । କିନ୍ତୁ ଏକା ମହାରାଣୀ କାହିଁକି ପାଣି ଆଣିବେ, ଆମ୍ଭେ ମଧ୍ୟ ବନ୍ଧୁ ସ୍ନାନ କରିବା ପାଇଁ ପାଣି ଆଣିବୁ, ଅନ୍ୟ ରାଣୀମାନଙ୍କର ଅଭିମାନ । ଷୋଳ ସହସ୍ର ଏକ ଶହ ଆଠରାଣୀ ଷୋଳ ସହସ୍ର ଏକ ଶହ ଆଠ ମାଠିଆ ପାଣି ଆଣି ଆସିଲେ । ସୁଦାମା ଆଶ୍ଚର୍ଯ୍ୟ । ମିତ୍ର ଆଜି କ’ଣ କି ଉତ୍ସବ ଅଛି ନା କ’ଣ ? ନାହିଁ ମିତ୍ର । ରାଣୀମାନେ ତୁମ ସ୍ନାନ ପାଇଁ ପାଣି ଆଣି ଆସିଛନ୍ତି । ଋକ୍ମିଣୀଙ୍କୁ କହିଲେ ସବୁ ମାଠିଆରୁ ଟିକେ ଟିକେ ପାଣିଆଣି ବନ୍ଧୁଙ୍କୁ ସ୍ନାନରେ ସାହାଯ୍ୟ କରିବାକୁ । କି ସୌଭାଗ୍ୟ ସୁଦାମାର ! ଯାହା ପାଇଁ ଜଗଦୀଶଙ୍କର ସମସ୍ତ ରାଣୀ ବ୍ୟସ୍ତ । ସ୍ନାନାନ୍ତେ ଜଗଦୀଶ ପାଟ ପୀତାମ୍ୱର ବନ୍ଧୁଙ୍କୁ ଦେଲେ । ଦିବ୍ୟଗନ୍ଧ ଯୁକ୍ତ ଚନ୍ଦନ, ଧୂପ, ଦୀପ, ଦୂବ, ପୁଷ୍ପ, ମାଳା ଇତ୍ୟାଦିରେ ସୁଦାମାର ପୂଜାର୍ଚ୍ଚନା କଲେ । ସୁଦାମାକୁ ଛପନ ଭୋଗ ଭୋଜନ କରିବାକୁ ଦେଲେ । ଭଗବାନଙ୍କ ପାଟରାଣୀମାନେ ସୁଦାମାକୁ ପଙ୍ଖା କଲେ । ଏଥିରୁ ଟିକେ ଖାଅ, ଆଉ ଟିକେ ଖାଅ, ସେଥିରୁ ଟିକେ ଖାଅ । କହି ଭଗବାନ ତାକୁ ତୃପ୍ତ କଲେ ।

ହସି ହସି ଶ୍ରୀକୃଷ୍ଣଚନ୍ଦ୍ର ପଚାରିଲେ, “ମିତ୍ର ଆମ ପାଇଁ ଭାଉଜ କ’ଣ ଭେଟି ପଠାଇଛନ୍ତି ?” ପ୍ରେମୀଭକ୍ତ ଯାହା କିଛି ଦିଏ ମୋତେ ଭଲ ଲାଗେ । ଏପରିକି ପତ୍ର, ପୁଷ୍ପ, ଫଳ, ଜଳ ମଧ୍ୟ ମୋତେ ପ୍ରିୟ ଲାଗେ କିନ୍ତୁ ଯେ ଅଭକ୍ତ, ତା’ର ବିପୁଳ ଉପହାର ମଧ୍ୟ ମୋତେ ଭଲ ଲାଗେ ନାହିଁ । ମୋତେ ପ୍ରକୃତରେ ଭୋକ ହୁଏ ନାହିଁ । ଭକ୍ତର ଜିନିଷ ଖାଇବାକୁ ଭୋକ ହୁଏ । ଶୀଘ୍ର ଦିଅ କ’ଣ ଆଣିଛ ? ଏହା କହି କାନି ଫିଟଉ ଫିଟଉ ଖୁଦଭଜା ସବୁ ବୁଣି ହୋଇଗଲା । ଭଗବାନ ଗୋଟିଏ ମୁଠା ଖାଇ ଆଉ ମୁଠା ଖାଇବାକୁ ଯାଉଥିଲେ ଋକ୍ମିଣୀ ଅଟକାଇ ଦେଲେ । ପ୍ରଭୁ ! ଗୋଟିଏ ମୁଠାରେ ମୋ କୃପାରୁ ଇହଲୋକ ଓ ପରଲୋକର ସବୁ ସମ୍ପତ୍ତି ବନ୍ଧୁଙ୍କୁ ମିଳିସାରିଛି ।

କିଛିଦିନ ପରେ ସୁଦାମା ଘରକୁ ଫେରିଛି । ଭଗବାନ, ଭଗବତୀ ଓ ଅନ୍ୟ ରାଣୀମାନେ ତାହାର ବହୁତ ସେବା କଲେ । ବାଟରେ ସୁଦାମା ଭାବୁଛି, ଦ୍ୱାରିକାଧୀଶ ମୋ ପରି ନିର୍ଦ୍ଧନ, କାଙ୍ଗାଳ ବ୍ରାହ୍ମଣକୁ ଇଷ୍ଟଦେବଙ୍କ ଭଳି ଯେଉଁ ପୂଜା, ସେବା, ସ୍ନେହ ଦେଲେ, ତାହା ମୁଁ ଜନ୍ମ ଜନ୍ମାନ୍ତରରେ ଶୁଝି ପାରିବିନି ।

ନିଜ ଗ୍ରାମରେ ପହଞ୍ଚି ସୁଦାମା ନିଜ ଘର ଜାଣିପାରିଲା ନାହିଁ । ତା’ ବଦଳରେ ତା’ ଗାଆଁ ଦ୍ୱାରକାପୁରୀ ହୋଇଛି- ସେହି ନିଭଶ୍ଚୁମ୍ଭୀ ଅଟ୍ଟାଳିକା, ସେହି ସ୍ୱର୍ଣ୍ଣ କଳସ, ସେହି ରତ୍ନମୟ ପ୍ରାଚୀର । ତା’ ଗାଆଁ-ସୁଦାମାପୁରୀ !

ଏହି ସମୟରେ ସୁଶୀଳା ଦାସୀ ଗହଣରେ ଆସି ତାକୁ ପାଛୋଟି ନେଲେ । ଅତି ସୁନ୍ଦରୀ ଯୁବତୀ ପରି ଦିଶୁଛି ସୁଶୀଳା ।

ସୁଦାମା ଜାଣିଲେ, ପ୍ରଭୁ ତା’ର ବାଞ୍ଛା କଳ୍ପତରୁ, ଅନ୍ତର୍ଯ୍ୟାମୀ । ତା’ ସ୍ତ୍ରୀ ମନ ନେଇ ଫଳ ଦେଇଛନ୍ତି । ବିଶ୍ୱକର୍ମାକୁ ପଠାଇ ଦ୍ୱାରକାପୁରୀ ସମକକ୍ଷ ଦେବ ଦୁର୍ଲ୍ଲଭ ଐଶ୍ୱର୍ଯ୍ୟମୟୀ ସୁଦାମାପୁରୀ ଗଢ଼ି ଦେଇଛନ୍ତି । ହେଲେ ଏତେ ଐଶ୍ୱର୍ଯ୍ୟ ସତ୍ତ୍ୱେ ଅନାସକ୍ତ ହୋଇ ପ୍ରଭୁ ଭଜନ କୀର୍ତ୍ତନରେ ଲାଗି ରହିଥିଲା ସୁଦାମା । ପ୍ରଭୁଙ୍କ ସୁଖ ତାରି ସୁଖ !

ଲୋକପ୍ରିୟ ଲେଖା

To Top