ପ୍ରବନ୍ଧ

ଭକ୍ତ ତପସ୍ୱୀ କଣ୍ୱ

Dr Gauranga Samantaray's odia prose Bhakta Tapaswi Kanwa

ହଁ ପ୍ରସାଦ ପାଇଲି ପୂରା ପରିତୃପ୍ତ ହୋଇଗଲି । ଅନନ୍ତ କାଳ ପାଇଁ ପୂରା ଆଶୀର୍ବାଦ ପାଇଲି । ଏମିତି ପାଗଳଙ୍କ ଭଳି ପ୍ରେମାନନ୍ଦରେ କ’ଣ ଆଡୁ ସାଡୁ କହି କଣ୍ୱ ଚାଲି ଯାଉଥିଲେ ।

ଭକ୍ତ ତପସ୍ୱୀ କଣ୍ୱ

ଏକଦା କଣ୍ୱ ନାମକ ତତ୍ତ୍ୱଜ୍ଞ ବ୍ରାହ୍ମଣ ନନ୍ଦ ଯଶୋଦାଙ୍କ ଭବନକୁ ପଦାର୍ପଣ କଲେ । ଏହାପୂର୍ବରୁ ସେ ଯେବେ ତାଙ୍କ ଘରକୁ ଆସିଥିଲେ, ସେତେବେଳେ ସେ ଅପୁତ୍ରିକ ଥିଲେ । ଆଜି କାହିଁକି ହଠାତ୍ ବନରୁ ଫୁଲ ଫଳ ତୋଳୁ ତୋଳୁ ନନ୍ଦଭବନ ଆଡ଼କୁ ଅଜାଣତରେ ଆକର୍ଷିତ ହୋଇଗଲେ । ତାଙ୍କ ଅଗଣାରେ ଅପୂର୍ବ ସୁନ୍ଦର ପିଲାଟିଏ ଧୂଳି ଧୂସରିତ ହୋଇ ଖେଳୁଥିବାର ଦେଖି ଅଟକିଗଲେ । କିଏ ଏ ଅପରୂପ ପିଲାଟି ? ନନ୍ଦଙ୍କର ତ ପିଲା ନ ଥିଲା । ମସ୍ତକରେ ତା’ର ମୟୂର ପୁଚ୍ଛ, କର୍ଣ୍ଣରେ କୁଣ୍ଡଳ, ବେକରେ ବୈଜୟନ୍ତୀମାଳା, ପାଦରେ ନୁପୂର, କଟିରେ ମେଖଳା ।

ସୃଷ୍ଟିର ସମସ୍ତ ସୌନ୍ଦର୍ଯ୍ୟ ମିଶାଇ ବିଧାତା ଏପରି ପିଲାଟିଏ ଗଢ଼ିପାରିବେ କି ନାହିଁ ସନ୍ଦେହ । ଅପରୂପ ରୂପଲାବଣ୍ୟ ! ଅପଲକ ନେତ୍ରରେ ଚାହିଁ ରହିଛନ୍ତି କଣ୍ୱ ଶ୍ୟାମ ବର୍ଣ୍ଣର ସେ ସୁନ୍ଦର ପିଲାଟି ଆଡେ଼ । ହଠାତ୍ ନନ୍ଦ ଦମ୍ପତ୍ତି ନିଜର ପ୍ରିୟ ବ୍ରାହ୍ମଣ ଦେବତାଙ୍କୁ ବହୁତ ଦିନ ପରେ ଦେଖି ଆନନ୍ଦିତ ହେଲେ । ତାଙ୍କର ଚରଣ ପ୍ରକ୍ଷାଳନ କରି ରତ୍ନ ସିଂହାସନ ଉପରେ ବସାଇ ଅର୍ଘ୍ୟ ପ୍ରଦାନ କଲେ । ଧୂଳି ଧୂସରିତ କହ୍ନେଇଆକୁ ଧରି ପଣତ କାନିରେ ଧୂଳି ପୋଛି ବ୍ରାହ୍ମଣଙ୍କ ଚରଣରେ ସାଷ୍ଟାଙ୍ଗ ପ୍ରଣିପାତ କରାଇଲେ । କଣ୍ୱ ଏ କିଏ ବୋଲି ପଚାରନ୍ତେ ଯଶୋଦା କହିଲେ ଗୋସେଇ ଦେବତା । ଏ ମୋ ପୁଅ କହ୍ନେଇଆ, ନୀଳମଣି, ଚିନ୍ତାମଣି, ଶ୍ୟାମ ସୁନ୍ଦର, ମୋହନ । କଣ୍ୱଙ୍କର ଆଖି ଲାଖି ରହିଥିଲା ନନ୍ଦନନ୍ଦନ ମୋହନଠାରେ । ପିଲାଟି ଶ୍ୟାମ କିନ୍ତୁ ଏତେ ସୁନ୍ଦର । ନାମ ଓ ରୂପରେ ମୁଗ୍ଧ ହୋଇ ଯାଇଥିଲେ କଣ୍ୱ । ଯଶୋଦା କହିଲେ “ଆପଣଙ୍କ କୃପା ଓ ଆଶୀର୍ବାଦରୁ ମୋର ଏହି ପୁଅଟିଏ ହୋଇଛି । ଆଜି ଆମ ଘରେ ଆପଣ ପ୍ରସାଦ କରିବେ ଓ ମୋ ପୁଅକୁ ଆଶୀର୍ବାଦ ଦେଇ ଯିବେ । ପିଲାଟି ଦିନରୁ ଏହା ଉପରେ ବିପତ୍ତି ପଡ଼ି ଚାଲିଛି । ବିଧାତା ତା ଭାଗ୍ୟରେ କ’ଣ ଲେଖିଛି କେଜାଣି !” କଣ୍ୱ କିନ୍ତୁ ଏକ ଅପୂର୍ବ ଆନନ୍ଦ ଓ ଶିହରଣ ଅନୁଭବ କରୁଥିଲେ ।

ତା’ପରେ ଯଶୋଦା ସ୍ୱର୍ଣ୍ଣ କଳସୀରେ ଯମୁନା ଜଳ, ନୂଆ ପବିତ୍ର ପାତ୍ରରେ ପଦ୍ମଗନ୍ଧିନୀ ଗାଈର କ୍ଷୀର, ଅକ୍ଷତ, ମିଶ୍ର, ଘୃତ, ସୁଗନ୍ଧିତ କାଷ୍ଠ ଇତ୍ୟାଦି ବନ୍ଦୋବସ୍ତ କରି କଣ୍ୱଙ୍କୁ ପ୍ରସାଦ ତିଆରି କରିବା ପାଇଁ ଡାକିଲେ । ବ୍ରାହ୍ମଣ ଭଗବାନଙ୍କୁ ସ୍ମରଣ କରି ପ୍ରେମପୂର୍ବକ ପ୍ରସାଦ ପ୍ରସ୍ତୁତ କଲେ । ସ୍ୱର୍ଣ୍ଣ ଥାଳୀରେ ପ୍ରସାଦ ଢାଳି ଆଖି ମୁଦ୍ରିତ କରି ଇଷ୍ଟ ଦେବତାଙ୍କୁ ଧ୍ୟାନ କରି କହିଲେ- “ହେ ପ୍ରଭୁ ! ଏ ପ୍ରସାଦକୁ ସ୍ୱୀକାର କର ।” ଆଖି ଖୋଲି ଦେଖିଲାବେଳକୁ ଶ୍ୟାମସୁନ୍ଦର ଆଗରେ ବସି ସୁନ୍ଦରଭାବରେ ପ୍ରସାଦ ଖାଇବାରେ ଲାଗିଛି । ବ୍ରାହ୍ମଣ ଡାକ ଛାଡ଼ିଲେ, “ଯଶୋଦା ! ଦେଖ, ତୋ ପୁଅ କେମିତି ପ୍ରସାଦକୁ ଅଇଁଠା କରି ନଷ୍ଟ କରିଦେଲା । ଆଜି ଇଷ୍ଟଦେବ ମୋ ଉପରେ ଅତ୍ୟନ୍ତ ଅସନ୍ତୁଷ୍ଟ ହେବେ ।” ପୁଣି ଥରେ ପ୍ରସାଦ ତିଆରି କରିବାକୁ କହନ୍ତେ, ବ୍ରାହ୍ମଣ ପୁନଶ୍ଚ ପ୍ରସାଦ ଥାଳୀରେ ଭରି ଆଖି ବନ୍ଦ କରି ଇଷ୍ଟଦେବଙ୍କୁ ନିବେଦନ କଲେ । କିନ୍ତୁ ଏ କ’ଣ ? ଆଖି ଖୋଲିଲାବେଳକୁ ସମ୍ମୁଖରେ କହ୍ନେଇଆ ଥାଳୀରୁ ପ୍ରସାଦ ଖାଇ ସରେଇ ଦେବା ଉପରେ । ଆଶ୍ଚର୍ଯ୍ୟ ହେଲେ ବ୍ରାହ୍ମଣ । କେମିତି ଜାଣୁଛି ଏ ପିଲା । ଭଗବାନଙ୍କୁ ପ୍ରସାଦ ନିବେଦନ କଲାବେଳକୁ ଠିକ୍ ସମୟରେ ଆସି ହାଜର । ବ୍ରାହ୍ମଣ କ୍ରୋଧାନ୍ୱିତ ହୋଇ କହିଲେ, “ଯଶୋଦା ! ତୋ ପୁଅ ଭାରି ଦୁଷ୍ଟ । ଠିକ୍ ଇଷ୍ଟଦେବଙ୍କ ନିବେଦନ ବେଳକୁ ପ୍ରସାଦ ସେତକ ଖାଇ ଦେଉଛି । ଏସବୁ ସତ୍ତ୍ୱେ ମୁଁ ତା’ ଉପରେ କାହିଁକି ରାଗି ପାରୁନି ? ଯାହା ହେଉ ମୁଁ ଯାଉଛି । ଆଜି ଦ୍ୱାଦଶୀ ତିଥିରେ ମୁଁ କନ୍ଦମୂଳ ଛାଡ଼ି ଖାଉ କିଛି ଖାଏ ନାହିଁ ବୋଲି ବୋଧହୁଏ ଭଗବାନ କହ୍ନେଇଆ ମାଧ୍ୟମରେ ଖୋଇ ଦେଉ ନାହାନ୍ତି ।”

ଯଶୋଦା କିନ୍ତୁ ନଛୋଡ଼ ବନ୍ଧା । ଗୋଡ଼ ତଳେ ପଡ଼ି ଆଉ ଥରକ ପାଇଁ ପ୍ରସାଦ ପ୍ରସ୍ତୁତ କରିବାକୁ କହିଲେ । ଏଥରକ କିନ୍ତୁ କଡ଼ା ପ୍ରହରା ମଧ୍ୟରେ କଣ୍ୱ ପ୍ରସାଦ ତିଆରି କରିବାରେ ଲାଗିଲେ । ବ୍ରାହ୍ମଣ ତିଆରି କରୁଥିବା ଘରର ପ୍ରଥମ ଦ୍ୱାରଦେଶରେ ନିଜେ ନନ୍ଦ ଜଗିଲେ । ତା’ ଆଗକୁ ଦ୍ୱିତୀୟ ଦ୍ୱାର ଦେଶରେ ଜଣେ ବଳଶାଳୀ ଉପନନ୍ଦ ଜଗିଲେ । କହ୍ନେଇଆକୁ ନେଇ ମା’ ଯଶୋଦା ଦୂରସ୍ଥ ଏକ ଉପନନ୍ଦ ଘରକୁ ଚାଲିଗଲେ ଓ ଘରର ଭିତର ପଟୁ ତାଲା ଦେଇ କହ୍ଲେଇଆକୁ ଜାବୁଡ଼ି ଧରିଲେ । ତେଣେ ବ୍ରାହ୍ମଣ ପ୍ରସାଦ ତିଆରି ସାରି ଥାଳୀରେ ଭରି ଇଷ୍ଟଦେବଙ୍କୁ ସ୍ମରଣ କରିବାକୁ ଲାଗିଲେ । ହଠାତ୍ କାହ୍ନା ଯଶୋଦାଙ୍କ କବଳରୁ ନିଜକୁ ମୁକ୍ତ କଲା ଓ ଭିତର କବାଟ ଛାଏ ଛାଏ ଖୋଲିଗଲା । କହ୍ନେଇଆ ଦୌଡ଼ିବାରେ ଲାଗିଲା, ଦ୍ୱିତୀୟ ଦ୍ୱାରରେ ଉପନନ୍ଦଙ୍କୁ ଠେଲି ଆଗେଇ ଦୌଡୁଥିଲା । ପଛରେ ଅଣ ନିଃଶ୍ୱାସୀ ହୋଇ ଧାଇଁଥିଲେ ଯଶୋଦା ଧର, ଧର, ପୁଣି ସବୁ ସାରିଦେଲା ଶବ୍ଦ କରି ଯଶୋଦା ପ୍ରାଣମୂର୍ଚ୍ଛା ଦୌଡୁଥିଲେ ।

ତେଣେ କାହ୍ନା ପ୍ରସାଦ ଖାଇ ଚାଲିଥିଲା । କଣ୍ୱ ଆଖି ଖୋଲିଲାବେଳକୁ ଯଶୋଦାର ଗେହ୍ଲାପୁଅ ନୀଳମଣି କହ୍ନେଇ ପୂର୍ବପରି ଆନନ୍ଦ ମନରେ ଖାଇ ଚାଲିଛି । ଏଥର ତ ଯଶୋଦା ତାକୁ ନେଇ କୁଆଡେ଼ ଯାଇଥିଲେ । ପ୍ରଥମ ଦ୍ୱାରରେ ନନ୍ଦ, ଦ୍ୱିତୀୟ ଦ୍ୱାରରେ ଉପନନ୍ଦ, ତୃତୀୟରେ ଅନ୍ୟ ଜଣେ ଉପନନ୍ଦଙ୍କ ଘରେ ଯଶୋଦା ନିଜେ ଜଗି ରହିଥିଲେ । ପୁଣି କେମିତି ଆସିଲା ଏ ପିଲା ? ଏତିକିବେଳେ କାହ୍ନା କହିଲା, “ହେ କଣ୍ୱ ! ତୁ ମୋତେ ବାରମ୍ୱାର ପ୍ରସାଦ ପାଇବାକୁ ନିବେଦନ କରୁଛୁ, ପୁଣି ଗ୍ରହଣ କଲେ, କହୁଛୁ ଖାଇଗଲା । ତୋ ତପସ୍ୟା ଓ ପୂଜାରେ ମୁଁ ଅତି ସନ୍ତୁଷ୍ଟ ।” ଏହା କହି ନିଜର ଚତୁର୍ଭୂଜ ରୂପ ଦର୍ଶନ କରାଇଲେ । କଣ୍ୱ ଦେଖିଲେ ନିଜର ଇଷ୍ଟଦେବ ଆଉ କେହି ନୁହନ୍ତି, ନୀଳମଣି, ଚିନ୍ତାମଣି, ମୋହନ କହ୍ନେଇଆ । ଚରଣରେ ଲୋଟିଗଲେ କଣ୍ୱ । ଚକ୍ଷୁରୁ ଧାର ଧାର ପ୍ରେମାଶ୍ରୁ ଧୋଇ ଦେଉଥିଲା, କହ୍ନେଇଆର ପାଦଯୁଗଳ । ତା’ପରେ ଅନ୍ତର୍ହିତ ହୋଇ ଯାଇଥିଲେ ନିଜର ଇଷ୍ଟଦେବ । ଯାହାର ଦର୍ଶନ ପାଇଁ ବ୍ରହ୍ମା ସଦାସର୍ବଦା ବ୍ୟଗ୍ର, ଦେବ ଦେବ ମହାଦେବ ସଦା ଇଚ୍ଛୁକ, ଭକ୍ତଗଣ ତପସ୍ୟାରତ, ସେ ପରମବ୍ରହ୍ମଙ୍କ ଦର୍ଶନ ଲାଭ କରି କଣ୍ୱ କୃତାରଥ ହୋଇଗଲେ । ତା’ପରେ ସେ ଶ୍ରୀକୃଷ୍ଣଙ୍କର ଅଧରାମୃତସିକ୍ତ ବଳିଥିବା ପ୍ରସାଦକୁ ନିଜର ଶିରରେ ଲଗାଇଲେ, ମୁହଁରେ ଓ ସାରା ଦେହରେ ବୋଳି ଦେଲେ । ଆଉ ଯାହା କିଛି ବଳିଲା, ତାକୁ ଗାମୁଛାରେ ବାନ୍ଧି ଦ୍ୱାର ଖୋଲି ପ୍ରେମ ଗଦ୍ ଗଦ୍ ହୋଇ ବାହାରକୁ ଆସିଲାବେଳକୁ ଦେଖିଲେ ନନ୍ଦବାବା ପୁତ୍ର କହ୍ନେଇଆକୁ ଜୋର୍‌ରେ ମାଡ଼ି ବସି ଧରିଛନ୍ତି, ଯଶୋଦା ମଧ୍ୟ ଜାବୁଡ଼ି ଧରିଛନ୍ତି । ଯଶୋଦା କହିଲେ, “ଗୋସେଇଁ ଆଉ ଟିକେ ଯାଇଥିଲେ, ସେ ପୁଣି ଆପଣଙ୍କ ପ୍ରସାଦ ଖାଇ ଦେଇଥାନ୍ତା, କେବଳ ନନ୍ଦବାବାଙ୍କ ଯୋଗୁଁ ଆଜି ଯାଇପାରିଲାନି ।” କଣ୍ୱ କିନ୍ତୁ ଆଉ ଶୁଣିବା ଅବସ୍ଥାରେ ନଥିଲେ । ତାଙ୍କର ଅଣୁ ପରମାଣୁରେ ଆନନ୍ଦର ଝର ବୋହୁଛି । ଗଣ ଗଣ ହୋଇ ପାଗଳଙ୍କ ଭଳି ହାତ ଗୋଡ଼ ହଲେଇ କ’ଣ ସବୁ ଗପି ଚାଲିଛନ୍ତି । ଯଶୋଦା କହିଲେ “ଗୋସେଇଁ, ଆଜି ଠିକ୍ ପ୍ରସାଦ ପାଇଲେ ନା, ପୁଅକୁ ତ ଆମେ ଧରି ରଖିବାରେ ସକ୍ଷମ ହେଲୁ । ହଉ ମୋ ପୁଅକୁ ଟିକେ ଆଶୀର୍ବାଦ ଦେଇ ଯାଆନ୍ତୁ ।” ହଁ ପ୍ରସାଦ ପାଇଲି ପୂରା ପରିତୃପ୍ତ ହୋଇଗଲି । ଅନନ୍ତ କାଳ ପାଇଁ ପୂରା ଆଶୀର୍ବାଦ ପାଇଲି । ଏମିତି ପାଗଳଙ୍କ ଭଳି ପ୍ରେମାନନ୍ଦରେ କ’ଣ ଆଡୁ ସାଡୁ କହି କଣ୍ୱ ଚାଲି ଯାଉଥିଲେ ।

ବ୍ରଜରାଜ ବ୍ରଜରାଣୀ କିଛି ବୁଝିପାରୁ ନ ଥିଲେ ହେ ଏତିକି ବୁଝିଲେ ଯେ ଏଥରକ କାହ୍ନା ଆଉ ତାଙ୍କ ପ୍ରସାଦ ଖାଇପାରିନାହିଁ ଓ ସେଥିପାଇଁ ବ୍ରାହ୍ମଣ ଦେବତା ସମ୍ପୂର୍ଣ୍ଣ ତୃପ୍ତ ଯାହା ତାଙ୍କ ଅଙ୍ଗଭଙ୍ଗୀ, ଚାଲିଚଳନ ଓ ଗୁଣୁଗୁଣୁ ଶବ୍ଦରୁ ବାରି ହୋଇ ପଡୁଥିଲା । କହ୍ନେଇଆକୁ ଆଶୀର୍ବାଦ ନ କଲେ ନାହିଁ ।

ଲୋକପ୍ରିୟ ଲେଖା

To Top