ପ୍ରବନ୍ଧ

ଭାଷା ଓ ଲଜ୍ଜ୍ୟା

Nishikanta Padhi's odia prose Bhashaa O Lajjyaa

ଗୋଟିଏ ସ୍ଥାନରେ ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲବାସୀଙ୍କୁ ଚଡିଖୋଲବାସୀ କହୁଥିବା ବେଳେ ଆଉ ଗୋଟିଏ ସ୍ଥାନରେ ମାନ୍ୟବର ବାରିପଦା ବାସୀଙ୍କୁ ବାଡିପଡା ବାସୀ ବୋଲି କହୁଥିଲେ ।

ଭାଷା ଓ ଲଜ୍ଜ୍ୟା

ଓଡିଶାର ଜଣେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଭାବେ ଗୁଜୁରାଟରେ ପାଦ ଦେବା ପରେ କାହିଁକି କେଜାଣି ଛାତିଟା କୁଣ୍ଢେମୋଟ ହୋଇଗଲା । ଅହମଦାବାଦ, ଗାନ୍ଧିନଗର, ରାଜକୋଟ, ସୋମନାଥ, ଦ୍ୱାରିକା ବୁଲିବା ପରେ କଛ ଓ ଭୁଜ ଅଞ୍ଚଳକୁ ବୁଲିବାକୁ ଗଲି ହେଲେ ସବୁଠାରେ ଅନୁଭବ କଲି ଭାଷାକୁ ନ ବୁଝି ପାରିବାର ଏକ ଅସହାୟତା । ‘ଜବାନି’ ପିବାନୁ ପରି ଭାଷାରେ ମୁଁ ଅଣ୍ଡାଳି ହେଉଥିଲି ମୋର ନିର୍ବୋଧତାକୁ । ଭାବର ପରିପ୍ରକାଶ, କଥୋପକଥନ, ଦୋକାନ ବଜାର, ସରକାରୀ ଦପ୍ତର, ଥାନା ଓ ଡାକ୍ତରଖାନା ସବୁଠି ଲେଖାହୋଇଥିଲା କେବଳ ଗୁଜୁରାଟି ଭାଷା । ଏପରିକି ହିନ୍ଦୀ କି ଇଂରାଜୀରେ କଥାବାର୍ତ୍ତା ହେବା ପାଇଁ ଗୁଜୁରାଟିମାନେ ପସନ୍ଦ କରୁ ନ ଥିଲେ । କିଛି ଖବର ବୁଝିବା ପାଇଁ ହେଲେ ସେମାନେ ମୋ ଗାଡିର ଡ୍ରାଇଭର ସହିତ କଥା ହେଉଥିଲେ ସିନା ମୋତେ ଟିକେ ବି ଚାହୁଁ ନ ଥିଲେ । ଗୁଜୁରାଟ ମାଟିରେ ପାଦେ ଦେଇ ଗୁଜୁରାଟର ଭାଷା ନ ଜାଣି ମୁଁ ଯେପରି ଗୋଟିଏ ମହା ଅପରାଧୀଟିଏ ପାଲଟି ଯାଇଥିଲି । ମନେପଡୁ ଥିଲା ମୋ ରାଜ୍ୟ ଓଡିଶା ଆଉ ମୋ ଭାଷା ଓଡିଆର କଥା । କାହିଁକି କେଜାଣି ମନେ ମନେ ମୁଁ ଖୁବ୍ ଲଜ୍ଜ୍ୟା ଅନୁଭବ କରୁଥିଲି ।

x x x x x x x x x x

ସେ ଦିନ ରାଜଧାନୀର ସ୍ମାର୍ଟ ସିଟି ସହରରେ ବୁଲୁଥିଲି । ଆଖିରେ ପଡୁଥିଲା ସେହି ଅଧା ଓଡିଆ ଆଉ ଅଧା ଇଂଲିଶ ଲେଖା ବୋର୍ଡ ଗୁଡାକ । ଯଥା ବିବେକ ପବ୍ଲିକ୍ ସ୍କୁଲ, କ୍ୟାପିଟାଲ୍ ହସପିଟାଲ, ରାଜଧାନୀ ସର୍ଭିସ ଷ୍ଟେସନ, ପବନା ବେଟଲ ସପ, ଆକୁଳି ଟି ଏଣ୍ଡ କଫି, ପଣ୍ଡା ଚିକେନ୍ ଷ୍ଟଲ୍, ଓଡେଶା ଭବନ, ଗୋବିନ୍ଦା ଲଣ୍ଡ୍ରି, ଶ୍ରୀକୃଷ୍ଣ ଇଂଜିନିୟରିଂ, ରବି ନାରାୟଣ କୋଚିଂ ସେଣ୍ଟର, ଲିଙ୍ଗରାଜ ଲସି ଆଣ୍ଡ ଜୁସ୍ ଏମିତି କେତେ କଣ । ଭାବିଲି ଓଡିଆ ଭାଷାଟାକୁ କଣ ସମସ୍ତେ ଭୁଲିଗଲେଣି ନା କଣ !!! ବିସ୍ମୟରେ ଟିକେ ଭାବୁ ଭାବୁ ଆଖିରେ ପଡିଗଲା ସେହି କାନ୍ଥଟା ଯେଉଁଠାରେ ଲେଖାହୋଇଛି ଦି ପଦ ଓଡିଆ । “ମୁଁ ଶଳା ଏଠି କୁକୁର ମୁତୁଛି” । ଆଖି ଆଗରେ ଅଟୋଟାଏ ଚାଲିଗଲା ପଛରେ ଲେଖାହୋଇଛି “ମୁଁ ଫେରିଲେ ତୁମର” ଦୋକାନରୁ ପାନଖଣ୍ଡେ କିଣୁ କିଣୁ ଦେଖିଲି କେବିନର ପଟାରେ ଚୁନରେ ଲେଖାହୋଇଛି “ଆଜି ନଗଦ କାଲି ବାକି” ଏ ସବୁ କିଛି ବୁଝି ନ ପାରିଲେ ମଧ୍ୟ ଓଡିଆ ଭାଷା ଦି’ ପଦ ପଢି ଖୁବ୍ ଖୁସି ଲାଗିଲା । ହେଲେ ଆଗ ଛକର ଗୋଟିଏ ଦୋକାନରେ ଲେଖା ହୋଇଥିଲା ‘ଠିପି ଖୋଲା ଦେଶୀ ମଦ ଦୋକାନ’ । ଗୋଟିଏ ହୋଟେଲ ଭିତରକୁ ଗଲି । ପାଣି ଟ୍ୟାପ୍ ପାଖରେ ଲେଖା ହୋଇଥିଲା “ବହୁତ ପିଅ ଅଳପ ଢାଳ” । ଭାଷାର ଏପରି ବିକୃତ ଅବସ୍ଥା ଦେଖି କେମିତି କେଜାଣି ମନଟା ଖୁବ୍ ସଂକୁଚିତ ହୋଇଉଠିଲା । ମନେ ମନେ ଖୁବ୍ ଲଜ୍ଜିତ ହେଲି ।

x x x x x x x x x x

ସେ ଦିନ ଗୁଜୁରାଟି ଭାଇଙ୍କୁ ଧରି ବୁଲୁଥିଲି ରାଜଧାନୀ ପୁସ୍ତକ ମେଳା । ଅସ୍ଥାୟୀ ତମ୍ବୁଘେରା ଦୋକାନମାନଙ୍କରେ ଥାକ ଥାକ ହୋଇ ଥୁଆ ହୋଇଥିଲା ଓଡିଆ ଭାଷାର ଗ୍ରନ୍ଥସବୁ । କଥା, କବିତା ତଥା ପ୍ରବନ୍ଧ ପୁସ୍ତକଗୁଡିକୁ ନେଇ ଭରପୁର ଥିଲା ଭଣ୍ଡାର ସବୁ । ନାମି ଦାମି ସାହିତ୍ୟିକ, ସାହିତ୍ୟିକାମାନଙ୍କର ଲେଖାସବୁ ଆଗରେ ରଖାଯାଇଥିଲା । ହେଲେ ଦୋକାନ ଗୁଡାକ ସବୁ ଖାଁ ଖାଁ ଲାଗୁଥିଲା । କିଏ ବହି ମେଲାଇ ଚାଲିଯାଉ ଥିଲା ତ କିଏ ଆଖି ପକାଇ ମୁହଁ ବୁଲାଇ ଦେଉଥିଲା । ଦୁଇଶହ ଟଙ୍କାର ବହିଗୁଡିକୁ କୋଡିଏ ଟଙ୍କାରେ ପ୍ରକାଶକ ମହାଶୟ ଯାଚିଲେ ମଧ୍ୟ ଗ୍ରାହକ ବନ୍ଧୁ ମୁହଁ ଆମ୍ବିଳା କରି ଆଗକୁ ଚାଲୁଥିଲେ । କିନ୍ତୁ ଭିଡ ଜମିଥିଲା ଅଣଓଡିଆ ପୁସ୍ତକ ମହଲମାନଙ୍କରେ । କାରଣ ଜାଣିବାକୁ ବନ୍ଧୁ ମୋର ଆଗ୍ରହ ପ୍ରକାଶ କଲେ ।ଚୋର ଚଣ୍ଡାଳଙ୍କ ଭଳିଆ ନୀରବ ରହିଲି । ବନ୍ଧୁଙ୍କୁ ଟାଣି ନେଲି ପାଖରେ ଥିବା ଗୋଟିଏ ସାରସ୍ୱତ ମଞ୍ଚ ପାଖକୁ । ନିର୍ଦ୍ଧିଷ୍ଟ ଚଉକି ଦୁଇଟି ବାଛିନେଇ ବସିଲି ଏବଂ ବନ୍ଧୁଙ୍କୁ ବସାଇଲି । ମଞ୍ଚରେ ବ୍ୟାନରଟିଏ ବନ୍ଧାହେଲା । ଲେଖାଥିଲା ଇଂରାଜୀର କେତୋଟି ଶବ୍ଦ ଆଉ ତଳେ ଓଡିଆ ଧାଡିଟିଏ । “ସେଭ୍ ଓଡିଆ ଲାଙ୍ଗୁଏଜ୍ କମିଟି” କିଛି ମୁହୂର୍ତ୍ତ ପରେ କମିଟିର ସଭ୍ୟମାନେ ପାଞ୍ଚସାତଟା ପତାକା ଧରି ମଞ୍ଚ ଉପରକୁ ଆସିଲେ । ସ୍ଲୋଗାନ୍ ଶୁଭିଲା ଓଡିଆ ଲାଙ୍ଗୁଏଜ୍ ଜିନ୍ଦାବାଦ୍, ଓଡିଆ ଭାଷା ଲଙ୍ଗ ଲିଭ୍ । ଓଡିଆ, ଇଂରାଜୀ ତଥା ହିନ୍ଦୀର ଏହି ମିଶ୍ରିତ ବାକ୍ୟଗୁଡିକୁ ବନ୍ଧୁପ୍ରବର ବୁଝିପାରିଲେନି ବୋଧେ । କିଛିକ୍ଷଣ ମଧ୍ୟରେ କମିଟିର ସଭାପତି ମାଇକ୍ରୋଫନ୍ ପାଖକୁ ଆସି ଆରମ୍ଭ କଲେ ଭାଷଣ ।

“ମଞ୍ଚାସୀନ ସମ୍ମାନନୀୟ ଅତିଥି ମହୋଦୟ ତଥା ଉପସ୍ଥିତ ଜନତା । ଆଜି ଆମେ ଏହି ସ୍ଥାନରେ ଏକତ୍ରିତ ହୋଇପାରିଛେ ଏହା ରିଅଲି ଏ ମ୍ୟାଟର ଅଫ୍ ପ୍ରାଉଡ୍ । ବିଙ୍ଗ୍ ଏ ପ୍ରେସିଡେଣ୍ଟ ଅଫ୍ ସେଭ୍ ଓଡିଆ କମିଟି ଆଉ ଡ୍ର ଅଲ୍ ଆଟେନସନ୍ ଟୁ ଦି ଓଡିଆ ଲାଙ୍ଗୁଏଜ୍ ଏଣ୍ଡ ଇଟ୍‌ସ ପ୍ରୋଟେକସନ” ।

ମଞ୍ଚରେ ତାଳି ବାଜି ଉଠିଲା । ଉପସ୍ଥିତ ଲୋକମାନେ ମଧ୍ୟ କରତାଳି ଶବ୍ଦରେ କୋଳାହଳମାନ ସୃଷ୍ଟିକଲେ । ଓଡିଆ ଭାଷାକୁ ବଞ୍ଚାଇବାର ଏ ପ୍ରକାରର ହୀନ ପ୍ରୟାସକୁ ମର୍ମେ ମର୍ମେ ଅନୁଭବ କରି ବନ୍ଧୁଙ୍କୁ ଧରି ବାହାରକୁ ବାହାରି ଆସିଲି ।

x x x x x x x x x x

ପୁରୀ ଅହମଦା ଏକ୍ସପ୍ରେସ ଆସିବାକୁ ଆହୁରି ଅନେକ ସମୟ ବାକିଥିଲା । ବନ୍ଧୁଙ୍କ ସହିତ ରେଳଷ୍ଟେସନ ପ୍ଲାଟଫର୍ମର ସିମେଣ୍ଟ ଚଉତରା ଉପରେ ବସି ସମୟ କାଟିବା ଅବସରରେ ଏଣ୍ଡ୍ରଏଡ୍ ଫୋନଟା କାଢି ଦେଖୁଥିଲି ମୁଖ୍ୟମନ୍ତ୍ରୀଙ୍କ ନ୍ୟୁଜ ଚ୍ୟାନେଲଗୁଡିକୁ । ଗୋଟିଏ ସ୍ଥାନରେ ମୁଖ୍ୟମନ୍ତ୍ରୀ ଚଣ୍ଡିଖୋଲବାସୀଙ୍କୁ ଚଡିଖୋଲବାସୀ କହୁଥିବା ବେଳେ ଆଉ ଗୋଟିଏ ସ୍ଥାନରେ ମାନ୍ୟବର ବାରିପଦା ବାସୀଙ୍କୁ ବାଡିପଡା ବାସୀ ବୋଲି କହୁଥିଲେ । ଦୀର୍ଘ ଷୋହଳ ବର୍ଷ ମଧ୍ୟରେ ମନ୍ତ୍ରୀ ମହୋଦୟ ଯେ ଓଡିଆ ଭାଷା ଶିଖିପାରି ନ ଥିଲେ ତାହା ମୋର ବନ୍ଧୁ ହୁଏତ ଜାଣିପାରିନ ଥିଲେ । ବନ୍ଧୁ ପ୍ରବର ଓଡିଆ ଭାଷା ଜାଣି ନ ଥିଲେ ତାହା ମୋ ପାଇଁ ଠିକ୍ ଥିଲା । ହେଲେ ମୁଖ୍ୟମନ୍ତ୍ରୀ ଯେ ଭାଷାଟା ଜାଣି ନ ଥିଲେ …….. ଲଜ୍ୟା ଆଉ ସରମରେ ମୋଡି ମକଚି ହୋଇଯାଉଥିଲା ଏ ମନ ଓ ହୃଦୟଟା ।

ଲୋକପ୍ରିୟ ଲେଖା

To Top