ପ୍ରବନ୍ଧ

ବିଶ୍ୱମଙ୍ଗଳ ଗୌ ଗ୍ରାମ ଯାତ୍ରା କାହିଁକି

ତା’ର ଗୋବରରେ ଜୈବିକ ସାର ପ୍ରସ୍ତୁତ ହୁଏ । ସେ ତା’ର ଜୀବନ ପର୍ଯ୍ୟନ୍ତ ମନୁଷ୍ୟର କଲ୍ୟାଣ ପାଇଁ କାର୍ଯ୍ୟ କରିଥାଏ । ସେଥିଲାଗି ଗାଈଙ୍କୁ ମାତାର ଆଖ୍ୟା ପ୍ରଦାନ କରା ଯାଇଛି ।

ବିଶ୍ୱମଙ୍ଗଳ ଗୌ ଗ୍ରାମ ଯାତ୍ରା କାହିଁକି

ମନୁଷ୍ୟ ପଶୁ-ପକ୍ଷୀ ଏ ଧରା ପୃଷ୍ଟରେ ହଜାର-ହଜାର ବର୍ଷ ଧରି ରହି ଆସିଛନ୍ତି । ମନୁଷ୍ୟ ପଶୁପକ୍ଷୀ ଏବଂ ପ୍ରକୃତି ସହିତ ତାଦତ୍ମ୍ୟ ସମନ୍ୱୟ ରକ୍ଷାକରି ରହିଆସିଥିବାରୁ ଏଠାରେ ସମସ୍ତେ ଭଲଭାବରେ ତଥା ମଙ୍ଗଳମୟ ଜୀବନ ଯାପନ କରି ଆସୁଥିଲେ । କିନ୍ତୁ ଦେଖା ଯାଇଛି ଯେ ଗତ ଶହେ ବର୍ଷ ମଧ୍ୟରେ ବିକାଶ ନାଁ ରେ ପରିବେଶରେ ଯେତେ ଅବକ୍ଷୟ କରାଯାଇଛି, ସେତିକି ହଜାର-ହଜାର ବର୍ଷ ମଧ୍ୟରେ କରାଯାଇ ନାହିଁ । ଏହା ଆମେ ଆଜି ସ୍ପଷ୍ଟ ଅନୁଭବ କରୁଛୁ ।

ପାଶ୍ଚାତ୍ୟ ଦେଶ ମାନଙ୍କରେ ବିଜ୍ଞାନର ଯେତେବେଳେ ବିକାଶ ହେଲା ସେମାନେ ନିଜର ଭୋଗ ବିଳାସକୁ ବଢ଼ାଇବା ପାଇଁ ଏହାର ବ୍ୟବହାର ଆରମ୍ଭ କଲେ । ନିଜର ଭୋଗ ବିଳାସ ସ୍ତରକୁ ବଢ଼ାଇବା ପାଶ୍ଚାତ୍ୟ ଜଗତ ପ୍ରକୃତିର ବିନାଶ କରିବା ଆରମ୍ଭ କଲା । ପାଶ୍ଚାତ୍ୟ ଜଗତରେ କୁହାଗଲା ପ୍ରକୃତି ହେଉଛି ମନୁଷ୍ୟର ଦାସୀ । ତେଣୁ ପ୍ରକୃତିର ଭରପୁର ଶୋଷଣ କରାଯାଇ ମାନବ ମାନଙ୍କର ସୁଖ ସୁବିଧାର ସ୍ତର ବଢ଼ାଇବା ଉଚିତ । ଏହି ଆଧାରରେ ଆରମ୍ଭ ହେଲା ପାଶ୍ଚାତ୍ୟ ବିଜ୍ଞାନର ବିକାଶ । ପାଶ୍ଚାତ୍ୟ ବିଜ୍ଞାନର ଅନୁସନ୍ଧାନର ଦିଗ ସ୍ଥିର ହୋଇଗଲା । ଏହା ହେଲା ପ୍ରକୃତିକୁ ଶୋଷଣ କରି ଲୋକଙ୍କୁ ସୁଖ ସୁବିଧା ଉପଲବ୍ଧ କରାଇବା । ଏହି ଆଧାରରେ ଅନୁସନ୍ଧାନ ଆରମ୍ଭ ହେଲା । ପ୍ରକୃତିର ପ୍ରବଳ ଶୋଷଣର ଫଳାଫଳ ମଧ୍ୟ ସାମ୍ନାକୁ ଆସିଲାଣି । ପରିବେଶର ସ୍ଥିତିକୁ ନେଇ ବର୍ତ୍ତମାନ ଚିନ୍ତା ପ୍ରକାଶ କରାଯାଉଛି । ବିକାଶର ଏହି ଅନ୍ଧ ଦୌଡ଼ ସମ୍ପୂର୍ଣ୍ଣ ବିଶ୍ୱକୁ ଏକ ଏପରି ସ୍ଥାନରେ ପହଞ୍ଚାଇଛି ଯେଉଁଠାରୁ ଭବିଷ୍ୟତ ଅନ୍ଧକାର ଦିଶୁଛି । ଆଲୋକର ସମ୍ଭାବନା ମଧ୍ୟ ଦେଖାଯାଉ ନାହିଁ ।

ଅପର ପକ୍ଷରେ ଦୁର୍ଭାଗ୍ୟର ବିଷୟ ଭାରତ ଯେତେବେଳେ ସ୍ୱାଧୀନ ହେଲା ସେତେବେଳେ ଭାରତର ବିକାଶର ଦିଗ କିପରି ହେବ ସେ ନେଇ କୌଣସି ବିଷୟ ଆଲୋଚନା କରାଯାଇ ନ ଥିଲା । ମହାତ୍ମା ଗାନ୍ଧୀ “ହିନ୍ଦ ସ୍ୱରାଜ” ନାମକ ଏକ ପୁସ୍ତକ ଲେଖିଥିଲେ ଏବଂ ଗ୍ରାମକୁ ଏକକ ଭାବରେ ଗ୍ରହଣ କରି ବିକାଶର ପଥରେ ଅଗ୍ରସର ହେବା ଆବଶ୍ୟକ ବୋଲି କହିଥିଲେ । ହେଲେ ଦେଶର ପ୍ରଧାନ ମନ୍ତ୍ରୀ ଜବାହରଲାଲ୍ ନେହେରୁ ମହାତ୍ମା ଗାନ୍ଧୀଙ୍କ ଏହି ପ୍ରସ୍ତାବକୁ ଖାରଜ କରିଦେଇଥିଲେ । କେବଳ ସେତିକି ନୁହେଁ ସେ କହିଥିଲେ ପାଶ୍ଚାତ୍ୟ ଦେଶ ମାନଙ୍କ ଭଳି ବଡ଼ ବଡ଼ ଶିଳ୍ପ ସ୍ଥାପନ କରି ହିଁ ଦେଶକୁ ପ୍ରଗତି ପଥରେ ଅଗ୍ରସର କରାଯାଇ ପାରିବ । ଗ୍ରାମ ସ୍ୱରାଜର ପରିକଳ୍ପନାକୁ ସେ ସ୍ପଷ୍ଟ ଭାବରେ ଅସ୍ୱୀକାର କରିଥିଲେ । ଏହାର ୬୦ ବର୍ଷ ପରେ ଆମେ ଏହାର ଦୁଷ୍ପରିଣାମ ଦେଖୁଛୁ । ବିଭିନ୍ନ ସମସ୍ୟା ବଢ଼ିଛି । ସହର ମାନଙ୍କରେ ଥିବା ବସ୍ତି ଗୁଡ଼ିକର ସଂଖ୍ୟା ବଢ଼ିବାରେ ଲାଗିଛି । ଲୋକଙ୍କୁ ମୌଳିକ ସୁବିଧା ଦିଆଯାଇ ନାହିଁ । ଇଂରେଜ ମାନେ ଆମ ଦେଶ ଆସିବା ପୂର୍ବରୁ ଆମ ଦେଶର ଗାଁ ଗୁଡ଼ିକ ସ୍ୱାବଲମ୍ୱୀ ଥିଲା । ସମସ୍ତଙ୍କ ଲାଗି କାମ ଥିଲା । ଖୁବ ସମୃଦ୍ଧ ଥିଲା ଗାଁ । ପ୍ରସିଦ୍ଧ ଗାନ୍ଧୀବାଦୀ ଧର୍ମପାଲ ଇଂରେଜ ମାନଙ୍କ ଅଭିଲେଖାଗାରରୁ ଇଂରେଜ ମାନଙ୍କ ଆସିବା ପୂର୍ବରୁ ଭାରତୀୟ ଗାଁ ମାନଙ୍କର ସ୍ଥିତି ଉପରେ ଅନୁସନ୍ଧାନ କରିଛନ୍ତି । ଏବଂ ସେ ତତ୍କାଳୀନ ଇଂରେଜ ମାନଙ୍କର ଡକ୍ୟୁମେଣ୍ଟ୍ ଆଧାରରେ ପ୍ରମାଣ କରିଛନ୍ତି ଯେ ଭାରତୀୟ ଗାଁ ଅତ୍ୟନ୍ତ ସମୃଦ୍ଧଶାଳୀ ଥିଲା । ଭାରତର ଗାଁ ମାନଙ୍କରେ ଶିକ୍ଷାଦାନର ସ୍ତର ଅତି ଉଚ୍ଚକୋଟି ଥିଲା । ଏହାକୁ ଅଧ୍ୟୟନ କରିବା ପାଇଁ ଧର୍ମପାଲଙ୍କ ଦ୍ୱାରା ଲିଖିତ “ଦି ବ୍ୟୁଟିଫୁଲ୍ ଟ୍ରୀ’ ପଢ଼ାଯାଇପାରେ ।

ବର୍ତ୍ତମାନ ଶାନ୍ତି ବନାମ ଆନନ୍ଦ, ପ୍ରାକୃତିକ ବନାମ ଯାନ୍ତ୍ରିକ, ସହ ଅନୁଭୂତି ବନାମ ସ୍ୱାର୍ଥ, ଦୂରଦୃଷ୍ଟି ବନାମ ଅଦୂର ଦୃଷ୍ଟିତା, ସର୍ବାଙ୍ଗୀନ ଲାଭ ବନାମ ଆର୍ଥିକ ଲାଭ, କୃଷି ବନାମ ବୃହତ ଶିଳ୍ପ ଓ ଗୋ ଆଧାରିତ କୃଷି ବନାମ ଯାନ୍ତ୍ରିକ କୃଷି, ଗୁଣବତ୍ତା ବନାମ ସଂଖ୍ୟା, ସ୍ୱାସ୍ଥ୍ୟକାରୀ ଭୋଜନ ବନାମ ଜଙ୍କ୍ ଫୁଡ଼୍ ଆଦିର ସଂଘର୍ଷ ଚାଲିଛି ।

ଭାରତୀୟ କୃଷକମାନଙ୍କ ମନରେ ଭରିଦେବା ପାଇଁ ଚେଷ୍ଟା ଚାଲିଛି ଯେ ଦେଶୀ ବିହନ, ଗାଈ ଏବଂ ଜୈବିକ ସାର ବେକାର ଅଟେ । ତାକୁ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କଠାରୁ ଶଙ୍କର ବିହନ, କୀଟନାଶକ ଓ ରାସାୟନୀକ ସାର ନେବାପାଇଁ କୁହାଯାଏ । କଛିବର୍ଷ ପର୍ଯ୍ୟନ୍ତ ସେଠାରୁ ମିଳିଥିବା ଲାଭ ଓ ଉତ୍ପାଦନକୁ ଦେଖି ସେ ତାକୁ ସମୃଦ୍ଧି ବୋଲି ମନେକରେ । କିନ୍ତୁ ଧୀରେ ଧୀରେ ଏହାର ଖରାପ ଫଳାଫଳ ଦେଖାଯାଏ । ଜମିର ଉର୍ବରତା କମେ । ସେପଟେ ବହୁରାଷ୍ଟ୍ରୀୟ କମ୍ପାନୀର ସାର, କୀଟନାଶକ ଓ ଶଙ୍କର ବିହନ ଆଦି ଲାଗି ଋଣ ଜାଲରେ ପଶେ ଏବଂ ଧୀରେ ଧୀରେ ତା’ର ସ୍ଥିତି ଏତେ ଖରାପ ହୁଏ ଯେ ସେ ଆତ୍ମହତ୍ୟା କରେ । ଯେତେବେଳେ ଗାଁ ଗୁଡ଼ିକ ଏକ ଏକକ ଥିଲା ସେତେବେଳେ ଏପରି ପରିସ୍ଥିତି ନ ଥିଲା । ଧୀରେ ଧୀରେ ଗ୍ରାମ୍ୟ ସଂସ୍କୃତି ଶେଷ ହେବାରେ ଲାଗିଛି ।

ତେଣୁ ଯଦି ଆମେ ଉପରୋକ୍ତ ସମସ୍ୟାର ସମାଧାନ ଖୋଜିବା ତେବେ ପାଇବା ଯେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇ ଗ୍ରାମ ଗୁଡ଼ିକୁ ଏକ ଏକକ ଭାବରେ ଗ୍ରହଣ କରିବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ଗ୍ରାମର ଉତ୍ଥାନ ନ ହୋଇଛି ସେ ପର୍ଯ୍ୟନ୍ତ ଦେଶର କଲ୍ୟାଣ ହୋଇ ପାରିବ ନାହିଁ । ସ୍ୱରାଜର ଅର୍ଥ କେବଳ କ୍ଷମତାର ହସ୍ତାନ୍ତରଣ ନୁହେଁ, ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ୱରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ ବିଭିନ୍ନ ପାଶ୍ଚାତ୍ୟ ଅର୍ଥନୀତିଜ୍ଞ ଏବଂ ବିଦ୍ୱାନମାନେ ମଧ୍ୟ ଏବେ ସ୍ୱୀକାର କଲେଣି ଯେ ମାନବ ମାତ୍ରର କଲ୍ୟାଣ ପାଇଁ ପ୍ରକୃତି ଏବଂ ଗ୍ରାମ ଆଡ଼କୁ ଫେରିବାକୁ ପଡ଼ିବ ।

ଗାଈର ଭାରତୀୟ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଗାଈ ଭାରତୀୟ ସଂସ୍କୃତିର ମୂଳ ଆଧାର । ଗାଈ ପ୍ରାଚୀନ ଭାରତୀୟ ଗ୍ରାମ୍ୟ ଅର୍ଥନୀତିର ମୁଖ୍ୟ ସ୍ତମ୍ୱ ଅଟେ । ଗାଈ କେବଳ ତୃଣ ଖାଇ ମନୁଷ୍ୟକୁ ଦୁଗ୍ଧ ପାନ କରାଇ ନ ଥାଏ ବରଂ ତା’ର ଗୋବର, ଗୋ-ମୁତ୍ରକୁ ମଧ୍ୟ ପବିତ୍ର ମନେ କରାଯାଏ । ତା’ର ଗୋବରରେ ଜୈବିକ ସାର ପ୍ରସ୍ତୁତ ହୁଏ । ସେ ତା’ର ଜୀବନ ପର୍ଯ୍ୟନ୍ତ ମନୁଷ୍ୟର କଲ୍ୟାଣ ପାଇଁ କାର୍ଯ୍ୟ କରିଥାଏ । ସେଥିଲାଗି ଗାଈଙ୍କୁ ମାତାର ଆଖ୍ୟା ପ୍ରଦାନ କରା ଯାଇଛି ।

କେବଳ ଭାରତରେ କାହିଁକି ସମ୍ପୁର୍ଣ୍ଣ ବିଶ୍ୱର ମଙ୍ଗଳ ଗାଁରୁ ଏବଂ ଗୋ ଆଧାରିତ ଆର୍ଥିକ ବ୍ୟବସ୍ଥା ମାଧ୍ୟମରେ ହିଁ ହୋଇପାରିବ । ଏହି ବାର୍ତ୍ତାକୁ ନେଇ ଆରମ୍ଭ କରାଯାଉଛି ବିଶ୍ୱ ମଙ୍ଗଳ ଗୌ ଗ୍ରାମ ଯାତ୍ରା । ଯାତ୍ରା ଆରମ୍ଭ ହେବ ଆଗାମୀ ବିଜୟାଦଶମୀ ଦିନ ଠାରୁ । ମହାଭାରତ ଯୁଦ୍ଧ ଲଢ଼ାଯାଇଥିବା କୁରୁକ୍ଷେତଠାରୁ ଏହି ଯାତ୍ରା ଆରମ୍ଭ ହେବ । ଏହିଯାତ୍ରା ୧୦୮ ଦିନ ଧରି ଚାଲିବ ଏବଂ ନାଗପୁର ଠାରେ ଶେଷ ହେବ । ଏହା ହେଉଛି ପୂଜ୍ୟ ଶଙ୍କରାଚାର୍ଯ୍ୟ ଶ୍ରୀ ରାଘବେଶ୍ୱର ଭାରତୀଙ୍କ ଦିବ୍ୟ ସଂକଳ୍ପ । ଗାଈ ସମ୍ପୂର୍ଣ୍ଣ ସଂସାରର ମାତା, ଏହା ହେଉଛି ଏହି ଯାତ୍ରାର ବିଷୟବସ୍ତୁ । ଏହି ଯାତ୍ରାର ସଂକଳ୍ପ ବାକ୍ୟ ହେଲା ଗାଈର ରକ୍ଷା ହେଉଛି ମୋର ପବିତ୍ର କର୍ତ୍ତବ୍ୟ । ଯିଏ ଗାଈର ରକ୍ଷା କରିବ, ଗାଈ ତା’ର ରକ୍ଷା କରିବ ହେଉଛି ଏହି ଯାତ୍ରାର ସ୍ଲୋଗାନ୍ । ଯାତ୍ରାର ଲକ୍ଷ ହେଲା ଗୋ ଭକ୍ତିରେ ଗ୍ରାମ ପ୍ରଗତି କରିବ, ଗ୍ରାମ ପ୍ରଗତି କଲେ ରାଷ୍ଟ୍ରର ପ୍ରଗତି ହେବ ଏବଂ ରାଷ୍ଟ୍ରର ପ୍ରଗତି ହେଲେ ସମ୍ପୂର୍ଣ୍ଣ ବିଶ୍ୱର ପ୍ରଗତି ହେବ । ଏହି ଯାତ୍ରାର ବାର୍ତ୍ତା ହେଲା ଆମେ ଗାଁ କୁ ଫେରିବା, ଗୋ ମାତାଙ୍କ ପାଖକୁ ଫେରିବା ଓ ଆମେ ପ୍ରକୃତି ଆଡକୁ ଫେରିବା ।

ଏହି ଯାତ୍ରାକୁ ଯୋଗଗୁରୁ ପୂଜ୍ୟ ବାବା ରାମଦେବ, ଆର୍ଟ ଅଫ ଲିଭିଙ୍ଗ୍ର ଶ୍ରୀ ଶ୍ରୀ ରବିଶଙ୍କର, ମାତା ଅମୃତାନନ୍ଦମୟୀ, ଗାୟତ୍ରୀ ପରିବାରର ପ୍ରମୁଖ ପ୍ରବଣ ପାଣ୍ଡ୍ୟା, ପୂଜ୍ୟ ମୋରାରୀ ବାପୁ, ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ପରି ମହାନ ଆଧ୍ୟାତ୍ମିକ ଗୁରୁମାନଙ୍କର ଶୁଭ ଆଶିର୍ବାଦ ରହିଛି । ଗୋ ମାତାର ମହାତ୍ମ୍ୟ ଏବଂ ଏହାର ଆର୍ଥିକ ଓ ଅନ୍ୟାନ୍ୟ ଦିଗକୁ ନେଇ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଯାତ୍ରାର ଉଦ୍ଦେଶ୍ୟ । ବର୍ତ୍ତମାନ ସୁଦ୍ଧା ବଞ୍ଚିଥିବା ୩୩ଟି ଭାରତୀୟ ପ୍ରଜାତିର ଗାଈମାନଙ୍କର ସଂରକ୍ଷଣ ଏବଂ ସମ୍ୱର୍ଦ୍ଧନ ପାଇଁ ତୁରନ୍ତ କାର୍ଯାନୁଷ୍ଠାନ, ଚାରଣ ଜମି ଉପରେ କବ୍ଜା କରିବାର ପ୍ରୟାସକୁ ରୋକିବାପାଇଁ ପଦକ୍ଷେପ ନେବା ପାଇଁ ଦାବି, ଜୈବିକ କୃଷି ବିଷୟରେ ଜନ ସଚେତନତା ସୃଷ୍ଟି କରିବା, କୃଷକର ଆତ୍ମହତ୍ୟାକୁ ରୋକିବା ପାଇଁ ପ୍ରୟାସ, କୃଷି ଆଧାରିତ ହସ୍ତଶିଳ୍ପର ବିକାଶ, ଗାଈଠାରୁ ମିଳୁଥିବା ଉତ୍ପାଦର ବିକାଶ କରାଇବା, ଗୋବର ଏବଂ ଗୋ-ମୂତ୍ରର ଚାହିଦା ବଢ଼ାଇବା ଦିଗରେ ପ୍ରୟାସ କରିବା ହେଉଛି ଏହି ଯାତ୍ରାର ଦୀର୍ଘଗାମୀ ଉଦ୍ଦେଶ୍ୟ ।

ଲୋକପ୍ରିୟ ଲେଖା

To Top