ପ୍ରବନ୍ଧ

ବିତର୍କରେ ଜଗନ୍ନାଥ ଦାସ

Dr Chhayakanta Sarangi's odia prose Bitarkare Jagannatha Das

ଯେଉଁମାନେ କହୁଛନ୍ତି ଜଗନ୍ନାଥ ଦାସଙ୍କୁ ରାଧାସ୍ୱରୂପା ବୋଲି ଚିନ୍ତା କରି ଶ୍ରୀଚୈତନ୍ୟ ତାଙ୍କୁ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ଅତିବଡ଼ୀ ଉପାଧି ଦେଇଥିଲେ, ସେମାନେ ଠିକ୍ କହୁଛନ୍ତି ତ ।

ବିତର୍କରେ ଜଗନ୍ନାଥ ଦାସ

ଓଡ଼ିଆ ସାହିତ୍ୟର ସାରଳା ପରବର୍ତ୍ତୀ ସ୍ୱନାମଧନ୍ୟ କବି ହେଉଛନ୍ତି ଭକ୍ତକବି ଜଗନ୍ନାଥ ଦାସ । ଏବେ ଜଗନ୍ନାଥ ଦାସଙ୍କର ଅତିବଡ଼ୀ ଉପାଧିକୁ ନେଇ ଓ ମହାଭାରତ ରଚନାକୁ ନେଇ ବିତର୍କ ମୁଣ୍ଡ ଟେକିଛି । ନିକଟରେ ଜଣେ ସମାଲୋଚକ କହିଛନ୍ତି ଯେ ଜଗନ୍ନାଥ ଦାସ ଶ୍ରୀକୃଷ୍ଣଙ୍କ ଗୋପ-ବୃନ୍ଦାବନ ଲୀଳାକୁ ପ୍ରାଞ୍ଜଳ ଭାବରେ ବୁଝାଇପାରୁଥିବାରୁ ଶ୍ରୀଚୈତନ୍ୟ ମୁଗ୍ଧ ହୋଇଥିଲେ ଓ ତାଙ୍କୁ ଶ୍ରୀକୃଷ୍ଣଙ୍କ ଶ୍ରେଷ୍ଠ ପ୍ରେମିକା (ରାଧା) ମନେକରି ସ୍ତ୍ରୀଲିଙ୍ଗବାଚକ ବିଶେଷଣ ଅତିବଡ଼ୀ ଉପାଧିରେ ଭୂଷିତ କରିଥିଲେ । ତାଙ୍କର ସ୍ତ୍ରୀଲିଙ୍ଗବାଚକ ଉପାଧି ଭକ୍ତମାନଙ୍କ ମଧ୍ୟରେ ପ୍ରଚାରିତ ହୋଇଗଲା । ତା’ ସାଙ୍ଗକୁ ଜଗନ୍ନାଥ ଦାସ ରାଧାସ୍ୱରୂପା ଅଟନ୍ତି ଓ ଜଗନ୍ନାଥ ରାତିରେ କୃଷ୍ଣ ରୂପରେ ତାଙ୍କ ନିକଟକୁ ଆସନ୍ତି ବୋଲି ଏକ ଧାରଣା ମଧ୍ୟ ସୃଷ୍ଟି ହେଲା । ଦାର୍ଢ୍ୟତା ଭକ୍ତି ଗ୍ରନ୍ଥରେ ମଧ୍ୟ ଜଗନ୍ନାଥ ଦାସଙ୍କ ନାରୀରୂପ ସମ୍ପର୍କରେ ବର୍ଣ୍ଣନା ରହିଛି । ସେ ଏପରି ସୁଲଳିତ କଣ୍ଠରେ ଭାଗବତ ଗାନ କରୁଥିଲେ ଯେ ବହୁ ନାରୀ ମୁଗ୍ଧ ହୋଇ ତାଙ୍କ ପାଖେ ଭାଗବତ ଶୁଣିବା ପାଇଁ ରୁଣ୍ଡ ହେଉଥିଲେ । କିଛି ଖଳଲୋକ ଏ ସମ୍ପର୍କରେ ରାଜାଙ୍କୁ ଜଣାଇବାରୁ ରାଜା ତାଙ୍କୁ ବନ୍ଦୀ କଲେ । ଜଗନ୍ନାଥ ଦାସ ବନ୍ଦୀ ଘରେ ନିଜର ଇଷ୍ଟଦେବଙ୍କୁ ଧ୍ୟାନ କରି ନାରୀରୂପ ଧାରଣ କରିଥିଲେ ଓ ରାଜାଙ୍କୁ ବିସ୍ମିତ କରିଦେଇଥିଲେ । ସମାଲୋଚକ ମହାଶୟ କହିଛନ୍ତି ଯେ, “ଯଦି ଶ୍ରୀଚୈତନ୍ୟ ତାଙ୍କୁ ଅତିବଡ଼ ଉପାଧି ଦେଇଥାନ୍ତେ, ତେବେ ତାହା ଓଡ଼ିଆ ଜାତି ପକ୍ଷରେ ଗୌରବର ବିଷୟ ହୋଇଥାନ୍ତା । ତାଙ୍କୁ ନାରୀ କଳ୍ପନା କରି ସ୍ତ୍ରୀଲିଙ୍ଗବାଚକ ଅତିବଡ଼ୀ କହିବାଦ୍ୱାରା ଏହା ଓଡ଼ିଆ ଜାତି ପକ୍ଷରେ ଲଜ୍ଜାର ବିଷୟ ହୋଇଛି । ପ୍ରକୃତରେ ଜଗନ୍ନାଥ ଦାସଙ୍କ ଜୀବନୀ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ପ୍ରାମାଣିକ ଗ୍ରନ୍ଥ ରଚନା ହୋଇ ନାହିଁ । ତେବେ କବିଙ୍କ ଜୀବନୀ ସମ୍ୱନ୍ଧରେ ଯେଉଁ ଉପାଦାନ ମିଳେ, ତାହା ହେଉଛି ସପ୍ତଦଶ ଶତାବ୍ଦୀର ଭକ୍ତକବି ଦିବାକର ଦାସଙ୍କ ଜଗନ୍ନାଥ ଚରିତାମୃତ ଗ୍ରନ୍ଥରୁ ।” ସେହି ଗ୍ରନ୍ଥରେ କବି ଦିବାକର ଦାସ କହିଛନ୍ତି, “ଅତୀବଡ଼ ବୋଲି ଡାକନ୍ତେ । ବୈଷ୍ଣବେ ଦୁଃଖ କଲେ ଚିତ୍ତେ ।” ପୁନଶ୍ଚ ଜଗନ୍ନାଥ ଦାସଙ୍କ ସ୍ୱରଚିତ ବୋଲି କୁହାଯାଉଥିବା ପରିଚୟ ବୋଧିନୀ ନାମକ ଗ୍ରନ୍ଥରେ ମଧ୍ୟ ଅତିବଡ଼ୀ ଶବ୍ଦ ବ୍ୟବହୃତ ନ ହୋଇ ଅତିବଡ଼ ଶବ୍ଦ ବ୍ୟବହୃତ ହୋଇଛି । କବିଙ୍କ ଭାଷାରେ-

“ସନ୍ନ୍ୟାସୀ ଯୋଗରେ ଜାଣିଲେ । ସିଦ୍ଧାଙ୍ଗ ପରିଚୟ ଦେଲେ ।।
ମୋହର କନ୍ଧେ ଦେଇ କର । ଆଘ୍ରାଣ କଲେ ମୋର ଶିର ।।
ମୁଣ୍ଡରୁ ବସନ ଉତ୍ତାରି । ମୋହରେ ଚଢ଼ାଇଲେ ଶିରୀ ।।
କହିଲେ ଅତିବଡ଼ ଭାବ । ସେ ନାମେ କଲି ତୋର ଠାବ ।।”

ଏହି ଦୁଇଟି ଗ୍ରନ୍ଥରେ ଉପାଧିଟିକୁ ଅତିବଡ଼ ବୋଲି କୁହାଯାଇଥିବାବେଳେ ବର୍ତ୍ତମାନ ପ୍ରଶ୍ନ ଉଠେ ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ଅତିବଡ଼ୀ ଉପାଧି ଦେଇଥିଲେ ନାମ ଅତିବଡ଼ ଉପାଧି ଦେଇଥିଲେ । ଯଦି ତାଙ୍କୁ ଅତିବଡ଼ୀ ଉପାଧି ମିଳିଥିଲା । ସେ ନିଜେ କାହିଁକି ଅତିବଡ଼ ବୋଲି ଲେଖିଛନ୍ତି ଓ ଦିବାକର ଦାସ ମଧ୍ୟ ସେହି ଶବ୍ଦ ବ୍ୟବହାର କରିଛନ୍ତି ।

କପିଳେଶ୍ୱରପୁର, ପୁରୀର ଶ୍ରୀ ଭଗବାନ୍ ଦାସ ବଡ଼ ଓଡ଼ିଆ ମଠର ମହନ୍ତ ମହାରାଜ ଶ୍ରୀ ବଂଶୀଧର ଦାଶଙ୍କଠାରୁ ଜଗନ୍ନାଥ ଦାସ ରଚିତ ଏକ ମହାଭାରତ ପୋଥି ସଂଗ୍ରହ କରି ୨୦୦୩ ମସିହାରେ ପୁରୀର ଅଭିଜିତ ପ୍ରକାଶନ ଦ୍ୱାରା ପ୍ରକାଶ କରାଇ ଆଉ ଏକ ବିତର୍କର ସୂତ୍ରପାତ କରିଛନ୍ତି । ଏହି ମହାଭାରତ ନବାକ୍ଷରୀ ବୃତ୍ତରେ ଲିଖିତ । ସଂଗ୍ରାହକ ଭଗବାନ୍ ଦାସ ପୁସ୍ତକଟିର ନିଜ କଥାରେ ଲେଖିଛନ୍ତି, ସ୍ୱକୀୟ ପ୍ରତିଭା ବଳରେ ସେ ଉଷାହରଣ, ମୃଗୁଣୀ ସ୍ତୁତି, ଧ୍ରୁବଚରିତ ଇତ୍ୟାଦି କାବ୍ୟ ରଚନା କରିବା ସହିତ ନବାକ୍ଷରୀ ବୃତ୍ତରେ ରାମାୟଣ ଓ ମହାଭାରତ ରଚନା କରିଥିଲେ । ଜଗନ୍ନାଥ ଦାସଙ୍କର ମହାଭାରତ ରଚନା କଥା ଦିବାକର ଦାସ ବିରଚିତ ଜଗନ୍ନାଥ ଚରିତାମୃତ ପୁସ୍ତକରୁ ପ୍ରମାଣ ମିଳେ । ଦିବାକର ଦାସ ଲେଖିଛନ୍ତି-

“ସକଳ ଶାସ୍ତ୍ର ପୂର୍ଣ୍ଣ ହେଲେ । ଭାରତ ସମଗ୍ର ରଚିଲେ ।।
ଶ୍ରୀ ରାମାୟଣ ଗ୍ରନ୍ଥ ସାଧି । ଶ୍ରୀ ଭାଗବତେ ଦେଲେ ବୁଦ୍ଧି ।।”

ମାତ୍ର ଡଃ. ବଂଶୀଧର ମହାନ୍ତିଙ୍କ ଦ୍ୱାରା ଲିଖିତ ଭକ୍ତକବି ଜଗନ୍ନାଥ ଦାସ ପୁସ୍ତକରେ ଜଗନ୍ନାଥ ଚରିତାମୃତ ଗ୍ରନ୍ଥର ଉପର୍ଯ୍ୟୁକ୍ତ ଉଦ୍ଧୃତାଂଶରେ ଏକ ଭିନ୍ନତା ଦୃଷ୍ଟିଗୋଚର ହୁଏ । ଭାରତ ସମଗ୍ର ରଚିଲେ ସ୍ଥାନରେ ସେଥିରେ ଭାରତ ସମଗ୍ର ପଢ଼ିଲେ ରହିଥିବାରୁ ଜଗନ୍ନାଥ ଦାସ ମହାଭାରତ ରଚନା କରିଛନ୍ତି ନା ନାହିଁ, ତାହା ଏକ ବିତର୍କର ବିଷୟ । ଯଦି ପଢ଼ିଲେ ଶବ୍ଦଟି ଠିକ୍ ଥାଏ ଏହି ମହାଭାରତ ଜଗନ୍ନାଥ ଦାସ ରଚନା କରିଥିଲେ ବୋଲି ଦୃଢ଼ସ୍ୱରରେ କହିହେବ ନାହିଁ, କାରଣ “ପଢ଼ିଲେ”ର ଅର୍ଥ ରଚିଲେ ନୁହେଁ । ଅବଶ୍ୟ ଗ୍ରନ୍ଥର ଶେଷରେ ଲେଖାଅଛି, ସମ୍ପୂର୍ଣ୍ଣ ଏକ ମହାଭାରତ । କହିଲା “ବିପ୍ର ଜଗନ୍ନାଥ !” କିନ୍ତୁ ଜଗନ୍ନାଥ ନାମରେ ଆଉ କେହି କବି ଏହି ଗ୍ରନ୍ଥ ଲେଖିଥିବାର ସମ୍ଭାବନାକୁ ମଧ୍ୟ ଏଡ଼େଇ ଦିଆଯାଇ ନ ପାରେ । ଏଣୁ ଏହି ମହାଭାରତ ଗ୍ରନ୍ଥ ଭାଗବତକାର ଜଗନ୍ନାଥ ଦାସଙ୍କ ବିରଚିତ ନା ନୁହେଁ, ଏହା ଆହୁରି ଗବେଷଣାର ଅପେକ୍ଷା ରଖେ ।

ଅନ୍ଧକାରାଚ୍ଛନ୍ନ ବିଷୟକୁ ଆଲୋକକୁ ଆଣିବା ପାଇଁ ଗବେଷଣା କରାଯାଏ । ସତ୍ୟ ଉଦ୍ଘାଟନ କରିବା ନାମରେ କିଛି ନୂଆ କଥା କହି କିଛି ସମାଲୋଚକ ପାଠକଙ୍କୁ ଚମକାଇ ଦିଅନ୍ତି । ମନେପଡ଼େ ପ୍ରଖ୍ୟାତ କଥାକାର ମନୋଜ ଦାସଙ୍କର ଏକ ଅନୁଭୂତିର କଥା । ଥରେ ସେ ଏଡ଼ିନ୍‌ବରାରେ ଥିବାବେଳେ ସେକ୍ସପିଅର୍‌ଙ୍କ ଅଥେଲୋ ନାଟକ ମଞ୍ଚସ୍ଥ ହେବାକୁ ଯାଉଥିଲା । ଜଣେ ନବ୍ୟବାଦୀ ନିର୍ଦ୍ଦେଶକ କହିଲେ, “ସେକ୍ସପିୟର୍ ତାଙ୍କର ନାଟକର ଅନ୍ତିମ ଦୃଶ୍ୟରେ ଡେସ୍‌ଡୋମେନାଙ୍କୁ ଉଲଗ୍ନ ରୂପରେ ଦେଖାଇବାର ଇଙ୍ଗିତ ଦେଇଛନ୍ତି ଓ ସେ ତାଙ୍କ ପ୍ରଯୋଜନାରେ ତାହା ହିଁ କରିବେ ।” ଅନ୍ୟମାନେ ଏହାର ବିରୋଧ କଲେ । ଫଳରେ ବାଦାନୁବାଦ ଚାଲିଲା । କିନ୍ତୁ ନବ୍ୟବାଦୀ ନିର୍ଦ୍ଦେଶକ ଗୋଟିଏ ଛୋଟ କଥା ଭୁଲିଯାଇଥିଲେ । ତାହା ହେଲା ସେକ୍ସପିୟର୍‌ଙ୍କ ସମୟରେ ପୁରୁଷମାନେ ନାରୀ ଭୂମିକାରେ ଅଭିନୟ କରୁଥିଲେ । ଏଣୁ ଡେସ୍‌ଡୋମେନାଙ୍କୁ ଉଲଗ୍ନ ରୂପେ ଦେଖାଇଥିଲେ ସେକ୍ସପିୟର୍‌ଙ୍କର କୌଣସି ଉଦ୍ଦେଶ୍ୟ ସାଧିତ ହୋଇ ନ ଥାନ୍ତା ବରଂ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କୌଣସି ପୁରୁଷକୁ ଉଲଗ୍ନ ରୂପେ ପରିବେଷଣ କରିଥିଲେ, ତାହା ହାସ୍ୟାସ୍ପଦ ହୋଇଥାନ୍ତା । ଠିକ୍ ସେପରି ଯେଉଁମାନେ କହୁଛନ୍ତି ଜଗନ୍ନାଥ ଦାସଙ୍କୁ ରାଧାସ୍ୱରୂପା ବୋଲି ଚିନ୍ତା କରି ଶ୍ରୀଚୈତନ୍ୟ ତାଙ୍କୁ ସ୍ତ୍ରୀଲିଙ୍ଗବାଚକ ଶବ୍ଦ ଅତିବଡ଼ୀ ଉପାଧି ଦେଇଥିଲେ, ସେମାନେ ଠିକ୍ କହୁଛନ୍ତି ତ । ଏହା ଉଚ୍ଚତର ଗବେଷଣା ଆବଶ୍ୟକ କରେ ।

ଲୋକପ୍ରିୟ ଲେଖା

To Top