ପ୍ରବନ୍ଧ

ବୃତ୍ତିରୁ ବ୍ୟବସାୟ

Shri Niranjan Padhee's Odia Prose BRUTTI RU BYABASAAYA

ଯେ ପର୍ଯ୍ୟନ୍ତ କର୍ମଟିକୁ ଆପଣା ଘରର ପବିତ୍ର ପୂଜାପାର୍ବଣ ବୋଲି ମନେକରି ତାକୁ ଉତ୍ସବମୁଖର କରାନଯାଏ, ପାରମାର୍ଥିକ କରାନଯାଏ, ସେ ପର୍ଯ୍ୟନ୍ତ ତାହା ପୂଜା ପଦବାଚ୍ୟ ହୋଇପାରେ ନାହିଁ ।

ବୃତ୍ତିରୁ ବ୍ୟବସାୟ

-: ପୁର୍ବରୁ :-

କଥାରେ କଥାରେ କୁହାଯାଏ, କର୍ମ ହେଉଠି ପରମପିତାଙ୍କ ପ୍ରୀତ୍ୟାର୍ଥେ ଏକ ପବିତ୍ର ପୂଜନ ପ୍ରକ୍ରିୟା । ଏହା କ’ଣ ସବୁବେଳେ, ସର୍ବଥା ସତ୍ୟ ? ସବୁ କର୍ମ କ’ଣ ପୂଜା ? କହିବାକୁ ଗଲେ, ପୂଜା କରିବାକୁ ନିଜର ବୃତ୍ତି ଏକ ବୃହତ୍ତର ପରିସର ପାତିଦିଏ । କର୍ମ, ପୂଜା ପାଇଁ ଏକ ସୁସଙ୍ଗତ ସୁଯୋଗ ଦିଏ । ସୁଯୋଗ ବିଜୁଳି ପରି ଆସେ, ଚାଲିଯାଏ । ଇନ୍ଦ୍ରଧନୁ ପରି ଏହାର ସୁନ୍ଦର ଦିଶେ ଅବଲୋକନ କରି ଆମୋଦିତ ହେବାରେ ଅବହେଳା କଲେ ଅପସରି ଯାଏ । ଯେ ପର୍ଯ୍ୟନ୍ତ କର୍ମଟିକୁ ଆପଣା ଘରର ପବିତ୍ର ପୂଜାପାର୍ବଣ ବୋଲି ମନେକରି ତାକୁ ଉତ୍ସବମୁଖର କରାନଯାଏ, ପାରମାର୍ଥିକ କରାନଯାଏ, ସେ ପର୍ଯ୍ୟନ୍ତ ତାହା ପୂଜା ପଦବାଚ୍ୟ ହୋଇପାରେ ନାହିଁ । ଆମ ଚଉହଦୀରେ ଏପରି ମତବାଦର ମନୁଷ୍ୟ ଥିଲେ, ଅଛନ୍ତି ମଧ୍ୟ । ଦେବାଳୟକୁ ଯାଇ ନ ପାରିଲେ ବି ସେମାନଙ୍କର ଚଳିଯାଏ । ପାପ ଭୟ ସେମାନଙ୍କ ପାଇଁ ପ୍ରହେଳିକା ସୃଷ୍ଟି କରିବାରେ ଅସମର୍ଥ ହୋଇପଡ଼େ । ବରଂ ଦେବତାମାନେ ବିଭିନ୍ନ ବେଶରେ ଧାଇଁ ଆସନ୍ତି ସେମାନଙ୍କୁ ସ୍ୱଚକ୍ଷୁରେ ଦେଖିବା ପାଇଁ ।

ଗଙ୍ଗାନଦୀ ଘାଟର ଏମିତି ଏକ ବୃତ୍ତିନିଷ୍ଠ କର୍ମଯୋଗୀ କୈବର୍ତ୍ତ ନିକଟକୁ ଆସିଥିଲେ ରାମଚନ୍ଦ୍ର । ଯୁକ୍ତିସମ୍ୱଳିତ ତା’ର ଅନାବିଳ ନିରହଙ୍କାର ନିଷ୍ପତ୍ତିକୁ, ସମ୍ମାନର ସହ ମଧ୍ୟ ମାନି ନେଇଥିଲେ । କୁଟୁମ୍ୱ ପୋଷିବା ପାଇଁ ଥିଲା କୈବର୍ତ୍ତର ସେ ବୃତ୍ତି । ତଥାପି ରାମଚନ୍ଦ୍ର ଓ ସେ ଏକା ଜାତିର ହୋଇଥିବାରୁ, ତାଙ୍କ ଦୁହିଁଙ୍କର ସଂକଳ୍ପରେ ସମାନତା ଥିବାରୁ, ଜଣେ ରାଜାଙ୍କର ମୂଲ୍ୟବାନ୍ ମୁଦିଟିକୁ ମଧ୍ୟ ବୃତ୍ତି ବ୍ୟବସ୍ଥିତ କୈବର୍ତ୍ତ ଗ୍ରହଣ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲା । କୈବର୍ତ୍ତ ଯାତ୍ରୀମାନଙ୍କୁ ଗଙ୍ଗାନଦୀ ପାର କରାଏ । କାଳ-କୈବର୍ତ୍ତ ରାମଚନ୍ଦ୍ର ବି ଯାତ୍ରୀମାନଙ୍କୁ ଭବସାଗରରୁ ପାର କରାନ୍ତି । ଉଭୟଙ୍କର ବୃତ୍ତି ଏକା, ପେସା ଏକା, ସଂକଳ୍ପ ଏକା, ଉତ୍ସବମୁଖରତା ବି ଏକା । ଏଠି ହୀନମନ୍ୟତାର ସ୍ଥାନ ନାହିଁ । ବୃତ୍ତିକୁ ପୂଜାରେ ପରିଣତ କରିପାରିଲେ, ହୀନମନ୍ୟତାର ଅବକାଶ ବା ଆଉ କାହିଁ ?

କି ସୁନ୍ଦର ସଫା ତୋଫା ଆକାଶକୁ ବେଳେବେଳେ କଳା ବାଦଲ ଆଚ୍ଛନ୍ନ କରେ । ପରମ ତେଜୋମୟ ସୂର୍ଯ୍ୟଙ୍କୁ ମଧ୍ୟ ପରାଗ ତା’ର ପ୍ରହେଳିକାର ପ୍ରତୀତି ଦେଖାଇବାକୁ ଦୁଃସାହସ କରେ । ବିଘ୍ନ ସବୁକାଳେ ସବୁବେଳେ ବାଟୋଇକୁ ବାଟବାଉଳା କରେ । ବେଳେବେଳେ ବୃତ୍ତିରେ ବିଘଟଣ ଆସେ । ସେ ଗ୍ରହଣଖଣ୍ଡିଆ ହୁଏ । ବିଚ୍ୟୁତିର ବ୍ୟଥାରେ ବିଭ୍ରମ ହୁଏ ।

ବୃତ୍ତିକୁ ବ୍ୟବସାୟ ପ୍ରବଣତା ଅବ୍ୟବସ୍ଥିତ କରେ । କୁଟୁମ୍ୱର ଅଭାବ ବୃତ୍ତିକୁ ବିଚଳିତ କରେ । ସଂସାରରେ ଅସମାହିତ ଆଶାର ଅତୃପ୍ତ ତୃଷା ମଧ୍ୟ, ବୃତ୍ତିକୁ କବଳିତ କରେ । ଲୋଭଙ୍କର ଜିଭ ଲହଲହ ହୁଏ । ଥରେ ବୃତ୍ତିରେ ବ୍ୟବସାୟର ବୀଜ ବପନ ହୋଇଗଲା ପରେ ତା’ର ଅଭିବୃଦ୍ଧି ହୁଏ । ସେ ବୃଦ୍ଧିର ବ୍ୟାପ୍ତି ପାତାଳଠାରୁ ଗଭୀର, ଆକାଶଠାରୁ ବି ଉଚ୍ଚ । ଏଇଠି ବୃତ୍ତିର ବଳୟରେ ବିଚ୍ୟୁତି ହିଁ ରାଜତ୍ୱ କରେ । ବୃତ୍ତି ଏବଂ ବ୍ୟବସାୟ ମଧ୍ୟରେ ଥିବା ସୂକ୍ଷ୍ମ ପ୍ରଭେଦଟିକୁ ମଣିଷ ଆପଣାକୁ ସୁହାଉଥିବା ଢଙ୍ଗରେ ବ୍ୟାଖ୍ୟା କରେ । ଆମ ଦେଶରେ ଏ ମଣିଷ ଜାତି ଏସବୁର ଆଳ ଖୋଜି ବ୍ୟାଖ୍ୟା କରିବାରେ ଖୁବ୍ ବିଚକ୍ଷଣ । ପର୍ଯ୍ୟାପ୍ତ ଭାବରେ ପାରଙ୍ଗମ ।

ବୃତ୍ତି ଓ ବ୍ୟବସାୟର ବିଧି ବ୍ୟବସ୍ଥାକୁ ଥରେ ଫେଣ୍ଟାଫେଣ୍ଟି କରିଦେଲେ ଫାଇଦା ନେବାକୁ ସୁବିଧା । ଗୋଳିଆ ପାଣିରେ ମାଛଙ୍କ ଆଖିରେ ପତଳା ପଙ୍କର ପରଳ ଦେଇ, ସେମାନଙ୍କ ବଂଶ ନିପାତ କରିବା ସହଜ । ପାଣିରେ କ୍ଷୀର ମିଶାଇଦେଇ, କ୍ଷୀର ଦାମ୍‌ରେ ବିକିଲେ ଚଳିବ । ଚାଉଳରେ ଗୋଡ଼ି, ଚିନିରେ କାଚଗୁଣ୍ଡ ମିଶେଇ ଦେଲେ ଚଳିବ । ଆମ ଦେଶରେ ଏସବୁର ତାଲିକାଭୁକ୍ତ ଦ୍ରବ୍ୟଗୁଡ଼ିକର ଅଜସ୍ର ଉଦାହରଣର ଅବତାରଣା କରାଯାଇପାରେ ।

ସରକାରୀ ଅର୍ଦ୍ଧ ସରକାରୀ ଅଥବା ବେସରକାରୀ ସଂସ୍ଥା ହେଉ, ପ୍ରତି କ୍ଷେତ୍ରରେ ପ୍ରତି ପଲକରେ ବି ବୃତ୍ତିର ବିପର୍ଯ୍ୟୟ । ଯେକୌଣସି ସଂସ୍ଥା ଅବା ଯେକୌଣସି ଲୋକ ହେଉ, ବୃତ୍ତି ବିଲକ୍ଷଣ ସତେ ଯେମିତି ଆଜି ଏକ ଅନ୍ତର୍ନିହିତ ବ୍ୟବସ୍ଥା । ଏହା ଏକ ସାମାଜିକ ଗ୍ରହଣର ଗ୍ରାସ । ପଙ୍ଗପାଳ ଦଳଦଳ ହୋଇ ଫସଲକୁ ଗ୍ରାସିଯିବା ପରି, ବୃତ୍ତିର ଅବକ୍ଷୟ ଏକ ସଂକ୍ରାମକ ବ୍ୟାଧି ପ୍ରପୀଡ଼ିତ ସମାଜର ପତନୋନ୍ମୁଖୀ ଲକ୍ଷଣ ।

ଗୁରୁଶ୍ରେଷ୍ଠ ଆସନରେ ଆସୀନ ଶିକ୍ଷକଙ୍କର ଶିକ୍ଷାବୃତ୍ତି ଆଜି ସଙ୍କଟମୟ । ଛାତ୍ର ଆଜି ଛତ୍ରଭଙ୍ଗ । ମାଆଙ୍କର ସର୍ବଶେଷ ଗଣ୍ଠିଧନ ମଙ୍ଗଳସୂତ୍ରକୁ ମଧ୍ୟ ବିକ୍ରି କରି ପାଠ ପଢ଼ିବା ପାଇଁ କୋଚିଂ କ୍ଲାସ୍‌କୁ ଯିବାକୁ ସେ ଏକରକମ ବାଧ୍ୟ । ନିଜ ଝିଅଠୁଁ ବଳି ସ୍ନେହଶ୍ରଦ୍ଧାର ପାତ୍ରୀ ଛାତ୍ରୀଟିଏ ଆଜି ପିତୃତୁଲ୍ୟ ଶିକ୍ଷକଙ୍କ ଦ୍ୱାରା ବଳାତ୍କାରର ଶିକାର । ଅର୍ଥ କାମର ଲାଳସାରେ ଆଜି ଏକ ପବିତ୍ର ବୃତ୍ତି ନର୍କ ପଥର ଯାତ୍ରୀ । ଏହି ଅର୍ଥ, କାମ, ରାଗ, ଦ୍ୱେଷ ଜର୍ଜରିତ ଗୁରୁଙ୍କର ଶିକ୍ଷାବୃତ୍ତି ଯୋଗୁଁ ନିପାରୁଆ ଛାତ୍ରଛାତ୍ରୀମାନଙ୍କର ଆତ୍ମହତ୍ୟା କରିବାର ଦୁଃଖଦ ପରିଣତିର ଉଦାହରଣ ମଧ୍ୟ ଦେଖିବାକୁ ମିଳେ । ଅବଶ୍ୟ ଅନେକଙ୍କ ଦ୍ୱାରା ଆଦର୍ଶର ସୁସଂସ୍ଥାପନ ପାଇଁ ତ, ଏଭଳି ଏକ ମହତ ବୃତ୍ତି ବଞ୍ଚି ରହିଛି ।

ଚିକିତ୍ସା କ୍ଷେତ୍ରରେ ଡାକ୍ତରଙ୍କର ସେବାବୃତ୍ତି ମଧ୍ୟ ସଂଶୟର ଘେରରେ । ଥାନା ପରି ଡାକ୍ତରଖାନା ମଧ୍ୟ ଶ୍ମଶାନର ଶୋକକୁ ବହୁଗୁଣିତ କରେ । ଅସହଯୋଗ ଅବହେଳା ଏବଂ ଅମାନୁଷିକତା ରୋଗୀକୁ ଇଙ୍ଗିତ ଦିଏ ଚିକିତ୍ସକଙ୍କ ଦ୍ୱାରା ପରିଚାଳିତ ବେସରକାରୀ କ୍ଲିନିକ୍‌କୁ ଯିବାପାଇଁ । ରୋଗୀ ଜମି ବିକେ କଂସାଥାଳି ବି ବିକେ । ଦେହର ଦାରୁଣ ଯନ୍ତ୍ରଣାଠାରୁ ସେ ଟିକିଏ ମୁକ୍ତି ପାଇବାକୁ ଆକୁଳ ବ୍ୟାକୁଳ ହୁଏ । ଡାକ୍ତରୀ ବୃତ୍ତିରେ ଏକ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ ଧସେଇ ପଶିଆସେ । ଲାଭକ୍ଷତିର ହିସାବ ସେବାବୃତ୍ତିକୁ ସଙ୍କୁଚିତ କରେ ।

ରାଜସ୍ୱ ନିରୀକ୍ଷକଙ୍କଠାରୁ ଶାସନରେ ସର୍ବୋଚ୍ଚ ସିଂହାସନ ପର୍ଯ୍ୟନ୍ତ ବୃତ୍ତି ବିଭ୍ରାଟ ପରିଲକ୍ଷିତ । ସରକାରୀ କଳରେ ମଣିଷର ଯୁକ୍ତି ମଧ୍ୟ ସେହିପରି ଉଦ୍ଭଟ । ତା’ର ଦୃଷ୍ଟିଭଙ୍ଗୀ ମଧ୍ୟ ଆରମ୍ଭରୁ ବୃତ୍ତି-ପବିତ୍ରତାର ବିରୋଧୀ । ନିଜ ପରିବାରର ଦାନ ପ୍ରତିଦାନରେ ସେ କୁଆଡ଼େ ପ୍ରଶିକ୍ଷିତ । ନିଜର ବିଭୁଦତ୍ତ ପ୍ରତିଭାରେ ସେ ପୁଣି ପ୍ରତିଭାବନ୍ତ । ନିଜ ବୁଦ୍ଧି ବିନିଯୋଗ କରି ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେଲା ପରେ ସେ ଏକ ବୃତ୍ତି ପ୍ରାପ୍ତ । ତେଣୁ ଏ ବୃତ୍ତି ତା’ର ଜମିଦାରୀ । ରଜା ଜମିଦାରୀ ପ୍ରଥା ଉଚ୍ଛେଦ ହେଲାପରେ ବି, ସେ ସେମାନଙ୍କ ବଂଶର ଦାୟାଦ । ଗଣତାନ୍ତ୍ରିକ ଖେଳରେ ତା’ର ଏହି ଅସଲ ପରିଚୟ ଲୁକ୍କାୟିତ । ତା’ର ରକ୍ତରେ ଶାସକର ରକ୍ତ ପ୍ରବାହିତ । ସେ ଶାସନ କରିବ ହିଁ କରିବ । ଲୋଭ ତା’ର ଅସ୍ତ୍ର । ଛଳନା ତା’ର ଆୟୁଧ । ଶୋଷଣ ତା’ର ଲକ୍ଷ୍ୟ । ଭୟଭୀତ କରିବା ତା’ର ଘଟାଟୋପ । ଧୋକା ଦେବା ତା’ର ଧର୍ମ । ରକ୍ତ ଶୋଷିବା ତା’ର ପ୍ରବୃତ୍ତି । ଧୂର୍ତ୍ତକୁ ସାବାସ୍ ଦେବା ତା’ର ସ୍ୱର୍ଗଦ୍ୱାର । ନିରୀହକୁ ନିର୍ଯାତିତ କରିବା ତା’ର ପୌରୁଷର ନମ୍ରପଣ । ଅହଂ ତା’ର ସିଂହାସନ । ଚାବୁକ୍ ତା’ର ଦଣ୍ଡ । ଚୁଗୁଲି ଶୁଣିବା ତା’ର ଗୋପନୀୟ ତଥ୍ୟ ସଂଗ୍ରହ ସଂସ୍ଥା । ଅଫିସ୍ ତା’ର ନିଜର ସିରସ୍ତା, ହସ୍ତ ମୁଦି ମାହାଲ । କଲମ ତା’ର ଆଜ୍ଞା । ଫାଇଲ୍ ତା’ର ଆଜ୍ଞାବହ । ହୁକୁମ୍ ଦେବା ତା’ର ଜନ୍ମଗତ ଅଧିକାର । ହୁକୁମ ତା’ର ଶିରୋଧାର୍ଯ୍ୟ ବେଦ । ହୁକୁମ୍ ପାଳନ କରିବା ଶାସିତର ଶୃଙ୍ଖଳା ।

ଆଦ୍ୟ ଭାଗରେ ଏହା ଏକ ଶାସନଗତ ବୃତ୍ତି । କ୍ରମେ କ୍ରମେ ଏହା ଏକ ଶାସନଗତ ବ୍ୟବସାୟ । ଚତୁରତାକୁ ଚିତ୍ରମଞ୍ଜୁଳ କରିବା ଶାସନର ଚାତୁର୍ଯ୍ୟ । ଏଠି ବୃତ୍ତିଗତ ମାସିକ ଦରମା-ଭତ୍ତାରୁ ଆୟ ପକେଟ୍ ଖର୍ଚ୍ଚକୁ ନିଅଣ୍ଟ । ବ୍ୟବସାୟଗତ ଆୟ ନାତି ଅଣନାତିମାନଙ୍କ ସାମାଜିକ ସୁରକ୍ଷା ପାଇଁ ଉଦ୍ଦିଷ୍ଟ । କଥା ନ କରିବା ତୁଣ୍ଡ ନ ଖୋଲିବା ଏକ ରାଜକୀୟ ନିଷ୍ପତ୍ତି, ନ ମାନିବା ନାଟକୀୟ ନୀତି ଏବଂ ନ ହସିବା ଏକ ଶାସକୀୟ ସଂହତି । ଦୂରଦୃଷ୍ଟି ସହ କେବଳ ଦୂରକତା ହିଁ ସୃଷ୍ଟି କରିବା, ତା’ ପାଇଁ ଏକ ସଦା ମଙ୍ଗଳକାରୀ ରକ୍ଷାକବଚ । ସର୍ବଭାରତୀୟ ସେବା ବୃତ୍ତିରେ ଥିବା ଶାସନ-ଶିଳ୍ପୀମାନଙ୍କର କଥା ନିତାନ୍ତ ନିଆରା । ସେମାନେ ସର୍ବଗୁଣ ସମ୍ପନ୍ନ ସବାଖିଆ । ସେମାନେ ସବୁଠି ପତ୍ର ପକେଇ ପାରିବେ । ସବୁ ପତ୍ରରେ ବି ଥୁ’ ଥୁ’ ଛେପ ପକେଇ ପାରିବେ । ସେମାନେ ସବୁକ୍ଷେତ୍ରରେ ବିଜ୍ଞ । ସେମାନଙ୍କର ବିଭିନ୍ନ ବୃତ୍ତିଗତ ଟିପ୍ପଣୀ ତଥା ପ୍ରଜ୍ଞାତତ୍ତ୍ୱକୁ ରଙ୍ଗପୁଟ ଦେଇ ଆଲୋଚନା କରିବାକୁ ପ୍ରକାଶକ ସୌଭାଗ୍ୟ ବୋଲି ଭାବେ । ଷ୍ଟିଲ୍‌ଫ୍ରେମ୍‌ ବଦଳରେ ପାଳଧୁଆ କାଠ ଫ୍ରେମ୍ ଭିତରେ ବି ସେମାନେ ସସମ୍ମାନେ ସୁରକ୍ଷିତ । ଯେକୌଣସି ଦପ୍ତରରେ ସେମାନେ ଦାଉ ଦାଉ ଦିଶୁଥିବା ଦ୍ୟୁତି ।

ସେ ଜାଣେ, ସେ ଜଣେ ବିଗତ ଦିନର ଛାତ୍ର । ଗାନ୍ଧୀ, ଗୋପବନ୍ଧୁ ଥିଲେ ତା’ର ଆଦର୍ଶ । ଜନତାର, ସମାଜର ସେବା କରିବା ଥିଲା ତା’ର ସ୍ୱପ୍ନ । ସେ ବି ଜାଣେ ତା’ର ସବୁତକ ସ୍ୱପ୍ନ, ବୃତ୍ତି ଏବଂ ବ୍ୟବସସାୟର ତର୍କବିତର୍କର ବିଭ୍ରାନ୍ତି ଭିତରେ ବିଲୟ ଲଭିଛି । ସେ ଏବେ ସ୍ୱଳ୍ପଭାଷୀ । ସମସ୍ତେ ଭାବନ୍ତି, ଏହା ଏକ ଆଧୁନିକ ପ୍ରଶାସକର ଅତ୍ୟାଧୁନିକ ଆଳଙ୍କାରିକ ଭୂଷଣ ।

ନା, ଏକ ନିର୍ଭୀକ ଶାସକର ଏହା କେବେହେଲେ ଭୂଷଣ ନୁହେଁ । ଶାସନ ଆବଶ୍ୟକ କରେ ନିରୀହ ଦୁଃଖୀ ମଣିଷଙ୍କ ପାଇଁ ଦି’ପଦ ସହୋଦର-ସମ୍ପର୍କୀୟର କଥା । ସେଇଥିରେ ହିଁ ତା’ର କିଛି ବ୍ୟଥା ଥମିଯାଏ । ନିରବତା ତାକୁ ଭୀଷଣ କଷ୍ଟ ଦିଏ, ବରଂ ତା’ ଭାଗ୍ୟକୁ ଉପହାସ କରେ । ଏ ଶାସକ, ପାପ ଅନୁତାପର ପାହାଡ଼ ଉପରେ ନିଃସଙ୍ଗତାକୁ ସାଥୀ କରି ଗାଦିନାସୀନ । ସେ ମୂକ ହେବାକୁ ବାଧ୍ୟ । ଅନ୍ତତଃ ଖୁବ୍ ସ୍ୱଳ୍ପଭାଷୀ ହେବାକୁ ବାଧ୍ୟ । ସେ ନାଚାର । ଏକ ସମ୍ୱେଦନଶୀଳ ଶାସନ-ସଂସ୍କୃତି ସୃଷ୍ଟି କରି ସାହସର ସହିତ ସତ୍ୟର ଅସହ୍ୟପଣକୁ ସଙ୍ଖୋଳି ନେବା ପାଇଁ ତା’ର ଧୈର୍ଯ୍ୟ ନାହିଁ, ସାହସ ନାହିଁ, ମାନସିକତା ନାହିଁ, ପବିତ୍ରତା ନାହିଁ । ମେରୁଦଣ୍ଡହୀନ ଲୋଚାକୋଚାପଣରେ ଲୁଚିଯିବା ହିଁ, ତା’ର ଏକ ନିର୍ଭୟ ଅବଲମ୍ୱନ ।

ଲୁଗା ବୁଣୁଥିବା ଭକ୍ତ କବୀରଙ୍କର ପ୍ରତିଟି ଲୁଗାର ପ୍ରତିଟି ସୂତା-ସିତାରରେ ଭଜନର ସମାରୋହ, ନାମାବଳିର ଗୁପ୍ତ ଗୁଞ୍ଜରଣ । କୈବର୍ତ୍ତର କାଠଡ଼ଙ୍ଗାର କୋଳରେ ପାପୀ ପତିତଙ୍କଠାରୁ ପତିତପାବନଙ୍କ ପର୍ଯ୍ୟନ୍ତ ଆଶ୍ରୟପ୍ରାର୍ଥୀ । ଶାଗୁଣାର ସଫେଇ ବୃତ୍ତି ଏକ ନିଷ୍ଠାପର କର୍ମଶାଳାର ଦର୍ଶନ । ନିଆଁହୁଳାର ସମ୍ଭାବ୍ୟ ଅଦୌତି ଥାଇ ବି, ଅମୃତର ମଧୁଚକ୍ରଟେ ଡାଳରେ ଝୁଲେଇ ଦେବା ମହୁମାଛିର ନିଶା । ସଂସାରର ଭୋଗ-ଭଉଁରିର ଭବ୍ୟ ଭଙ୍ଗିମା ଭିତରେ ଭଳିଯାଏ ନାହିଁ ଯୋଗୀ । ଆପଣାକୁ ଭଙ୍ଗପ୍ରବଣ ନ କରି, ତ୍ୟାଗ ଯୋଗ ଚିତ୍ତବୃତ୍ତି ମାଧ୍ୟମରେ ଭବାର୍ଣ୍ଣବକୁ ପାର ହେବାର ଉପାୟମାନ ବତେଇ ଚାଲନ୍ତି ସେ, ମଡ଼ାଅମଡ଼ା ବାଟର ପଥିକମାନଙ୍କୁ । ମାଟିତଳେ ମନ୍ଦା କରି ଆଶ୍ରୟ ନେଇଥିବା ଜିଆ-ପରିବାର ଲଙ୍ଗଳ କୋଦାଳ ମୁନରେ ବାରମ୍ୱାର ହାଣ ଖାଇ ବି, ତା’ର ବଂଶବୃତ୍ତିକୁ ଭୁଲିଯାଏ ନାହିଁ । ଜମିର ମାଲିକ ଜାଣୁ କି ନ ଜାଣୁ, କୃତଜ୍ଞତା ଛଳରେ ସେ ମାଟିକୁ ବଳଶାଳୀ ରସାଳ କରି ଆତ୍ମତୃପ୍ତି ପାଏ । ସତେ ଯେମିତି ପଶୁପକ୍ଷୀ କୀଟ ପତଙ୍ଗଠାରୁ ତରୁଲତା, ମାଟି ପାଣି ପବନ, ଆଲୋକ ଆକାଶ ପର୍ଯ୍ୟନ୍ତ ସମସ୍ତେ ଯେଝା ଯେଝା ନିର୍ଦ୍ଦେଶିତ ବିଧି-ବଳୟ ଭିତରେ ବୃତ୍ତି ସଚେତନ । ବରଂ ଏଇ ମଣିଷ ଏକ ଖାଣ୍ଟି ନିରୋଳା ବିଶୁଦ୍ଧ ବୃତ୍ତିକୁ ନେଇ ବ୍ୟବସାୟ କରେ ।

ବୃତ୍ତି, ମଣିଷ ହାତରେ ନିରାପଦରେ ନ ରହିପାରିବା ଭଳି ମନେ ହୁଏ । ମଣିଷ ଭାବେ, ସତେ ଯେମିତି କୌଣସି ଏକ ବୃତ୍ତିର ନିଯୁକ୍ତି ପତ୍ରଟିଏ ତା’ ପାଇଁ ଏକ ମଜଭୁତ ମୂଳଧନ, ଯାହା ବ୍ୟବସାୟ ବୃଦ୍ଧିରେ ସହାୟକ ହେବ । କ୍ଷମତାର କେନ୍ଦ୍ରବିନ୍ଦୁଟି ତା’ର ବ୍ୟବସାୟଭିତ୍ତିକ ବେଙ୍ଗଳାର ମେରି ସଦୃଶ । ମେରିରାୟର ରୁବାବ୍ ସେଠି ସମସ୍ତଙ୍କୁ ଘିର୍ଘିର୍ ଘୂରାଏ । ଦେଶ ମାତୃକାର ବହୁମୂଲ୍ୟ ବୈଜ୍ଞାନିକ ଉଦ୍ଭାବନ ଅନ୍ୟ ଦେଶକୁ ଉଭାନ୍ ହୋଇଯାଏ । ଗୁପ୍ତତମ ସାମରିକ ତଥ୍ୟ ଶତ୍ରୁର ଦେଶକୁ ବି ସ୍ଥାନାନ୍ତର ହୁଏ । ଏ ମଣିଷ ବିଶ୍ୱାସର ବି ବ୍ୟବସାୟ କରିପାରେ । ଭିକ୍ଷାବୃତ୍ତି ପରି ଏକ ଅସହାୟ ମଣିଷର ବୃତ୍ତି ମଧ୍ୟ, କେବେକେବେ ବ୍ୟବସାୟର ମୋଡ଼ ନେଇଯାଏ ।

ଏମିତି ଏକ ଅବିଶ୍ୱସନୀୟ ଏବଂ ପ୍ରତିଶ୍ରୁତିବିହୀନ ବୃତ୍ତିକୁ ଭୟ ଆନ୍ଦୋଳିତ କରିବା ସ୍ୱାଭାବିକ୍ । ବିବେକ ବିହୀନ ବ୍ୟବସାୟରେ ବି ବୃତ୍ତି ପରାୟଣତାର ଶୂନ୍ୟତା, ଭୟ ସୃଷ୍ଟି କରିବା ସ୍ୱାଭାବିକ୍ । ବୃତ୍ତିରେ ବ୍ୟବସାୟୀକରଣ ଯେତିକି ପାପ, ବ୍ୟବସାୟରେ ବିବେକାନୁମୋଦିତ ବୃତ୍ତି-ବିଚାର ସେତିକି ମହତ । ଆମ ଏଇ ସାଂସାରିକ ଜୀବନର ପ୍ରତିଟି କର୍ମସଂସ୍ଥାନ, ପ୍ରତିଟି କର୍ମସ୍ଥଳୀ, ପ୍ରତିଟି କର୍ମକେନ୍ଦ୍ର ମନେହୁଏ ସତେ ଯେପରି ଗୋଟିଏ ଗୋଟିଏ ଜୀବନ-ଜାଗୃତିର କେନ୍ଦ୍ର ଏବଂ ମହିମାମଣ୍ଡିତ ମିଶନ୍ । ସେଠି ଯେକୌଣସି ଆର୍ତ୍ତ ଜୀବନଟେ ପାଇଁ ଏକ ଛାୟାମଣ୍ଡପର ଛାଞ୍ଚ ଅଛି । ଡିମ୍ୱରୁ ଶାବକ ଏବଂ ଶାସକରୁ ସାମର୍ଥ୍ୟ ସୃଷ୍ଟି କରିବା ପାଇଁ ଏ ମିଶନ୍‌ର ସାଧନ ଅଛି, ଢାଞ୍ଚା ଅଛି, ଛାଞ୍ଚ ମଧ୍ୟ ଅଛି । ସବୁକିଛି ଥାଇ ମଧ୍ୟ କର୍ମକ୍ଷେତ୍ର ଆଜି ଅଭାବବୋଧର ଆତ୍ମପୀଡ଼ନରେ ଜର୍ଜରିତ । ମିଶନ୍ ଅଛି, କିନ୍ତୁ ଅନାବିଳ ଆଗ୍ରହ ଏବଂ ଉଦ୍ଦେଶ୍ୟବିହୀନ ଉତ୍ସାହର ଅଭାବ । କର୍ମୀ ଅଛନ୍ତି, କିନ୍ତୁ କର୍ମପ୍ରବଣତାର ଅଭାବ । ହାଉଯାଉ ହେଉଥିବା ମଣିଷ ଅଛନ୍ତି, କିନ୍ତୁ ମାନବିକତାର ଅଭାବ । ଦୃଷ୍ଟି ଅଛି, ଦୂରଦୃଷ୍ଟିର ଅଭାବ । ଏସବୁ ନେତିବାଦରୁ କ’ଣ ନିସ୍ତାର ନାହିଁ ?

ଲୋକପ୍ରିୟ ଲେଖା

To Top