ପ୍ରବନ୍ଧ

ଚାଲି ନ ଜାଣି ବାଟର ଦୋଷ

Odia Writer Shreebatsa Prasad Nath

ମଣିଷ ଜୀବନ ଅର୍ଥସର୍ବସ୍ୱ ହୋଇପଡ଼ୁଛି । ଅର୍ଥପାଇଁ ପାପ ପୁଣ୍ୟର ବିଚାର ରହୁନାହିଁ । କଳାଧନ ଉପାର୍ଜନ କରି ଯେ ଯେତେ ସମ୍ପଦ ବୃଦ୍ଧି କରି ପାରିଲା, ସମାଜରେ ତା’ର ପ୍ରତିଷ୍ଠା ସେତେ ଉଚ୍ଚରେ

ଚାଲି ନ ଜାଣି ବାଟର ଦୋଷ

ଆମେ ବର୍ତ୍ତମାନ ପରସ୍ପର ମଧ୍ୟରେ ଦୋଷାରୋପ କରିବାରେ ତତ୍ପର ସବୁ କ୍ଷେତ୍ରରେ ଦେଖା ଯାଉଛି ଜଣେ ଅନ୍ୟଜଣକ ଉପରେ ଦୋଷ ଲଦିଦେଇ ନିଜକୁ ନିର୍ଦ୍ଦୋଷ ବୋଲି ଦେଖାଇ ହେଉଛି । ଏବେ ଆମ ସମାଜରେ ଦୋଷଦର୍ଶିତା ଏକ ସାଧାରଣ ରୋଗ ହୋଇ ଗଲାଣି ।

ଅପରର ଦୋଷ ବର୍ଣ୍ଣନା କଲାବେଳେ ଆମେ ଶତମୁଖ ହୋଇଉଠୁ, କିନ୍ତୁ ନିଜ ଦୋଷ ଆମ ଆଖିକୁ ଦେଖାଯାଏ ନାହିଁ । ଅନ୍ୟର ଦୋଷ ଦେଖିବା ପୂର୍ବରୁ ନିଜ ଭିତରକୁ ଚାହିଁବା ଉଚିତ । ମନୁଷ୍ୟର ଏହି ଭାବକୁ ଅନ୍ତର୍ଦର୍ଶନ କହନ୍ତି ଓ ଜୀବ ସୃଷ୍ଟିରେ ଏହି ସ୍ୱଭାବ ତାହାର ଶ୍ରେଷ୍ଠ ଗୁଣ ବୋଲି ବିବେଚିତ ହୁଏ । ଯିଏ ନିଜ ଭିତରକୁ ଥରେ ହେଲେ ଦେଖିନାହିଁ, କିମ୍ୱା ଅବସର ସମୟରେ ନିଜ କର୍ମର ସମୀକ୍ଷା କରିନାହିଁ, ସେ କେବେହେଲେ ମନୁଷ୍ୟ ପଦବାଚ୍ୟ ନୁହେଁ । ସେଭଳି ଲୋକ ଅନ୍ୟର ନିନ୍ଦା ବା ପ୍ରଶଂସା କରିବାକୁ କଦାପି ଭାଜନ ହେବ ନାହିଁ । “କହିଦେଉଥାଏ ପରକୁ, ବୁଦ୍ଧି ନ ଆସେ ଘରକୁ” ନୀତିରେ ଆମ୍ଭେମାନେ ଅନ୍ୟକୁ ଯେପରି ପରାମର୍ଶ ଦେଉ ନିଜ ବେଳକୁ ତାହା ହୋଇପାରେ ନାହିଁ । ପରନ୍ତୁ ନିଜର ବିପଦ ଆପଦ ବେଳେ ଆମେ ଅନ୍ୟର ପରାମର୍ଶ ଲୋଡ଼ି ଥାଉଁ । କାରଣ ଅନ୍ୟବେଳକୁ ଯାହା ଆମେ ଦୃଢ଼ କଣ୍ଠରେ କହିଥାଉଁ, ନିଜବେଳକୁ ତାହା କାହିଁକି ଭଲହେବ କି ମନ୍ଦ ହେବ, ହଁ କି ନାହିଁ ଏହିପରି ଦୋନାବୁଡ଼ିଆ ଭାବ ଆଣି ଚିତ୍ତକୁ ଅସ୍ଥିର କରିପକାଏ । ଏଣୁ ଠିକ୍ ଭୁଲ୍ ବିଚାର କରିବା ଶକ୍ତି ଆମେ ହରାଇ ବସୁ ।

ନିଜର ଦୁଃଖ ସୁଖ ଯିଏ ଭଲ ଭାବରେ ବୁଝିଛନ୍ତି, ସେ ଅପରର ଦୁଃଖ ସୁଖରେ ନିଶ୍ଚୟ ଭାଗୀଦାର ହୋଇ ପାରିବେ । ଆତ୍ମାନୁଚିନ୍ତା ଯାହାର ଅଛି, ପରାନୁଚିନ୍ତା ଓ ସମାଜାନୁ ଚିନ୍ତା ତାଙ୍କର ରହିବହିଁ ରହିବ । ନିଜକୁ ନ ଚିହ୍ନିଲେ ସେ କାହୁଁ ଅନ୍ୟକୁ ଚିହ୍ନିବ ? ଦୁନିଆରେ ପ୍ରତ୍ୟେକ କଥା ଓ ଘଟନାକୁ ଅନୁଭବ କରି ତହିଁର ନିର୍ଯ୍ୟାସ ଅନ୍ତର୍ମୁଖୀ କରାଇ ପାରିଲେ ଅନୁଭବ କରିବା ଶକ୍ତି ବଢ଼େ । ଅନୁଭବୀ କେବଳ ପ୍ରତ୍ୟେକ କଥା ସହଜରେ ଉପଲବ୍ଧି କରି ପାରନ୍ତି । ତାଙ୍କ ପାଖରେ ଆପଣା ପର ଭେଦଭାବ ରହେ ନାହିଁ ।

ଆଜିକାଲି ସାରା ବିଶ୍ୱରେ ସହରୀ ସଭ୍ୟତାର ଦୃତ ବିକାଶ ଘଟୁଛି । ସହରରେ ଯେପରି କେହି କାହାରିକୁ ଚିହ୍ନନ୍ତି ନାହିଁ, କିମ୍ୱା ପରସ୍ପର ସୁଖଦୁଃଖରେ ସମଭାଗୀ ନୁହନ୍ତି, ସେହିପରି ମଫସଲ ଅଞ୍ଚଳରେ ମଧ୍ୟ ଏ ପ୍ରକାର ମନୋଭାବ ଦେଖା ଗଲାଣି । ଘରକୁ ଘର ଲାଗିଥିବା ପଡ଼ୋଶୀର ଦୁଃଖସୁଖ ବେଳେ ଆମେ ଅଜଣା ଅଶୁଣା ଭାବରେ ମୁହଁ ଲୁଚାଉ । ସାହାଯ୍ୟ ପାଇଁ ଜଣେ ଚାହିଁଲା ବେଳେ ଆମେ ନାନା ଆଳ ଦେଖାଇ ରହି ଯାଉଛୁ । ସ୍ୱାର୍ଥପରତା ବେଳକୁ ବେଳ ବୃଦ୍ଧି ପାଉଛି । ସ୍ୱାର୍ଥନ୍ୱେଷୀ ସଭ୍ୟ ମଣିଷ ଆଜି ନିଜ ଚିନ୍ତାରେ ମ୍ରିୟମାଣ । ନିଜର ସୁଖରେ ସ୍ୱପ୍ନ ବିଭୋର ।

କ୍ରମଶଃ ମଣିଷ ଜୀବନ ଅର୍ଥସର୍ବସ୍ୱ ହୋଇପଡ଼ୁଛି । ଅର୍ଥପାଇଁ ପାପ ପୁଣ୍ୟର ବିଚାର ରହୁନାହିଁ । କଳାଧନ ଉପାର୍ଜନ କରି ଯେ ଯେତେ ସମ୍ପଦ ବୃଦ୍ଧି କରି ପାରିଲା, ସମାଜରେ ତା’ର ପ୍ରତିଷ୍ଠା ସେତେ ଉଚ୍ଚରେ । ଅର୍ଥ ନ ପାଇଲେ ଡାକ୍ତର ରୋଗୀକୁ ଚାହୁଁ ନାହିଁ । ପଇସାକୁ ଆଖି ଆଗରେ ରଖି ଆମେ କର୍ତ୍ତବ୍ୟ କରୁଛୁ । ପ୍ରକôତ କର୍ତ୍ତବ୍ୟ ନ କରି ଯଦି ଅଧିକ ପଇସା ମିଳିଗଲା, ତେବେ ତହିଁରେ ଆମର ପୁରୁଷାର୍ଥ ପ୍ରକାଶ ପାଉଛି । ବର୍ତ୍ତମାନ ଆମ ଦେଶର ଅବସ୍ଥା ଏପରି ହୋଇଛି, କେହି କାହାରି କର୍ତ୍ତବ୍ୟ ପ୍ରତି ସଚେତନ ନୁହନ୍ତି । ଦେଶର ଦୁର୍ଗତି ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଜିର ସମାଜରେ ଜିଏ ପାପୀ ସେହି ପୁଣ୍ୟ କଥା କହୁଛି । ଅଧର୍ମାଚରଣ କରୁଥିବା ବ୍ୟକ୍ତି ଧର୍ମସଭାରେ ଗଳା ଫୁଲାଇ ଭାଷଣ ଦେଉଛି । ଆଦର୍ଶ, ଆଜି କଥାରେ, ଭାଷଣରେ ରହୁଛି । କିନ୍ତୁ ଆଚରଣରେ, କାର୍ଯ୍ୟରେ ରହୁନାହିଁ । ଛଦ୍ମବେଶରେ ନିଜକୁ ବିଜ୍ଞପିତ କରି ନିଜର ସ୍ୱାର୍ଥ ସିଦ୍ଧି ପାଇଁ ନାନା କୌଶଳ ଅବଲମ୍ୱନ କରୁଛୁ । ଅଧିକନ୍ତୁ ଘର ଠାରୁ ବାହାର ପର୍ଯ୍ୟନ୍ତ ସକଳ କ୍ଷେତ୍ରରେ ରାଜନୀତି ପ୍ରବେଶ କରି ସରଳ ଜୀବନକୁ ଜଟିଳ କରି ପକାଉଛି ।

ପୁଞ୍ଜିପତି ଓ ବ୍ୟବସାୟୀଙ୍କ ଆଜ୍ଞାରେ ଆଜି ଦେଶ ଚଳୁଛି । ଖାଦ୍ୟଦ୍ରବ୍ୟରେ ଅପମିଶ୍ରଣ ଓ ପ୍ରତ୍ୟେକ ଜିନିଷର ଅସ୍ୱାଭାବିକ ଦରବୃଦ୍ଧି ଫଳରେ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି । ଏ ସବୁର ପ୍ରତିବାଦ କରିବା କିମ୍ୱା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ କେହି ଆଗଭର ସେଉନାହାନ୍ତି । ତୁ ତ ମୁତୁରୀ, ମୁଁ ତ ମୁତୁରି ହେସଁ କାହିଁ ପାଇଁ ଧୋଇବା । ଯାଦୁକର ଯେପରି ଦର୍ଶକଙ୍କ ଦୃଷ୍ଟିକୁ ଅନ୍ୟଆଡ଼େ ନିବଦ୍ଧ କରାଇ ନିଜର ହାତସଫେଇ କାମ ସହଜରେ କରିପାରେ, ଠିକ୍ ସେସହିପରି ବର୍ତ୍ତମାନ କାଳରେ ଅନ୍ୟର ଦୋଷ ଦୁର୍ବଳତାକୁ ଦେଖାଇ ଜଣେ ଫାଇଦା ଉଠାଇବାକୁ ଚାହେଁ । ଯିଏ ଯେତେ ଜନସମାଜ ମନକୁ ଭୁଲାଇ ପାରିଲା, ସେ ସେତେ ପରିମାଣରେ ଲାଭବାନ୍ ହେଲା । ଏଣୁ ପ୍ରତ୍ୟେକ ବ୍ୟକ୍ତି ଏହି ନୀତି ଅନୁସରଣ କରି ଲାଭ ପାଇବା ଆଶାରେ ଅଭିଜ୍ଞଙ୍କ ଠାରୁ ତାଲିମ୍ ପାଉଛନ୍ତି ଓ ଅଭ୍ୟାସ କରୁଛନ୍ତି ।

ଅଧୁନା ଏହିପରି ସମାଜ-ଜୀବନ ଧରି ଆମ୍ଭେମାନେ ବଞ୍ଚି ରହିଛୁ । ଏଥିରେ ମନୁଷ୍ୟର ମନ ଓ ପ୍ରାଣ ଦିନକୁ ଦିନ ଅଧିକ କଳୁଷିତ ହେଉଛି । କଳୁଷିତ ମନରେ ଆମେ ଅନ୍ୟର ଗୁଣଗୁଡ଼ିକ ଦେଖିପାରୁ ନାହୁଁ । କେବଳ ତା’ର ଦୋଷ ଗୁଡ଼ିକ ଆମ ଆଖିରେ ସ୍ପଷ୍ଟ ଦେଖାଯାଉଛି । ଅପରକୁ ଦୋଷଦେବା ବର୍ତ୍ତମାନ ମାନବର ସାଧାରଣ ଧର୍ମ ହୋଇ ଗଲାଣି ।

ଏହି ଦୁର୍ଗତିରୁ ରକ୍ଷା ପାଇବାକୁ ହେଲେ ପରସ୍ପର ଦୋଷାରୋପ ଅଭ୍ୟାସ ପରିହାର କରିବାକୁ ପଡ଼ିବ । ପ୍ରତ୍ୟେକ ନିଜ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏକାନ୍ତ ଆବଷ୍ୟକ । “WORK IS WORSHIP DUTY IS GOD” ନୀତିବାଣୀ ଭାଷାରେ ନ ରହି, କାର୍ଯ୍ୟରେ ରହୁ । ସମାଜରେ ସଂଘଟିତ ଅକାର୍ଯ୍ୟକୁ ସମସ୍ତେ ଘୃଣା କରନ୍ତୁ । ଉତ୍ତମ କାର୍ଯ୍ୟ ପ୍ରଶଂସିତ ହେଉ । ଗୁଣୀର ଆଦର ବଢ଼ି, ଦୋଷୀ ନିନ୍ଦନୀୟ ହେଉ । ଦେଶପ୍ରେମ, ଜାତିପ୍ରେମ, ଭାଷାପ୍ରେମ ଆଦି ଭାବ ପ୍ରତ୍ୟେକଙ୍କ ହୃଦୟରେ ଜାଗ୍ରତ ହେଉ । କାୟମନୋବାକ୍ୟରେ ପବିତ୍ରତା ଆସୁ । ସ୍ୱାର୍ଥ ତ୍ୟାଗ ପାଇଁ ପ୍ରତ୍ୟେକ ଆଗଭର ହୁଅନ୍ତୁ ।

ଜୀବନ ପୁସ୍ତିକାକୁ ନିୟମିତ ଅଧ୍ୟୟନ କରି ତହିଁର ଦୋଷ ଦୁର୍ବଳତାକୁ ଜାଣିବା ନିତାନ୍ତ ଆବଶ୍ୟକ । ଆତ୍ମ ନିରୀକ୍ଷଣରେ ନିଜର ନ୍ୟୁନତା ବା ଦୁର୍ବଳତା ସ୍ପଷ୍ଟ ଉପଲବ୍ଧ ହୁଏ ଏବଂ ସେଗୁଡ଼ିକ ସଂଶୋଧନ ପାଇଁ ମନ ବ୍ୟାକୁଳ ହୋଇଉଠେ । ଫଳତଃ ଜୀବନର ଅପୂର୍ଣ୍ଣତା ଦୂର ହୋଇଯାଏ । ଜୀବନ ଯାତ୍ରା ପଥ ସୁଗମ ହୁଏ ।

ଲୋକପ୍ରିୟ ଲେଖା

To Top