ପ୍ରବନ୍ଧ

ସିନେମା ଓ ସମାଜ

Biraja Routray's odia prose cinema o samaaja

ଚଳଚ୍ଚିତ୍ର ନିର୍ମାଣର ଏହି ମୁଖ୍ୟସ୍ରୋତରୁ ଅଲଗା କିଛି ଭିନ୍ନ ରୁଚିର ଚଳଚ୍ଚିତ୍ର ମଧ୍ୟ କାଁ ଭାଁ ନିର୍ମାଣ କରାଯାଉଥିବାର ଦେଖିବାକୁ ମିଳୁଛି ।

ସିନେମା ଓ ସମାଜ

ଏହା ଭିତରେ ଭାରତୀୟ ସିନେମାକୁ ଶହେ ବର୍ଷରୁ ଉର୍ଦ୍ଧ୍ଵ  ବୟସ ଅତିକ୍ରାନ୍ତ ହୋଇସାରିଲାଣି । ଦର୍ଶକଙ୍କ ହୃଦୟ ମାଟିରେ ମନୋରଞ୍ଜନର ଏକ ଛୋଟ ଚାରାଟିଏ ରୂପେ ଅଙ୍କୁରିତ ହୋଇ ଆଜି ଏହି ମାଧ୍ୟମଟି ଏକ ବିରାଟ ବଟଦ୍ରୁମରେ ପରିଣତ ହୋଇସାରିଛି । ଭାରତ ମାଟିରେ ସିନେମା ତା’ର ଉନ୍ମେଷ କାଳରୁ ସାମାଜିକ ତଥା ସáସ୍କôତିକ ରୂପଚିତ୍ରକୁ ପ୍ରତିଫଳିତ କରିଆସିଛି । ସମ୍ପ୍ରତି ସାରା ପୃଥିବୀରେ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଭାରତର ସ୍ଥାନ ହେଉଛି ପ୍ରଥମ । ଏଠାରେ ନିର୍ମିତ ହେଉଥିବା ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଭାଷାର ଚଳଚ୍ଚିତ୍ର ଓ ଏହାର ସଂଗୀତ ଗୁଡ଼ିକ ଏପରି ଲୋପ୍ରିୟତା ଅର୍ଜନ କରିଛନ୍ତି ଯେ ଦେଶ ଓ ମହାଦେଶର ସୀମାରେଖା ଡେଇଁ ବିଭିନ୍ନ ସ୍ଥାନର ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇପାରୁଛନ୍ତି । ପୃଥିବୀର କୌଣସି ଦେଶରେ ଭାରତ ପରି ବହୁଭାଷା ଓ ଉପଭାଷାରେ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଥିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେନାହିଁ । ଲୋକ ସଂସ୍କୃତିର ଉପାଦାନ ଠାରୁ ଆରମ୍ଭ କରି ପାଶ୍ଚାତ୍ୟ ପପ୍ ସଂସ୍କୃତି ପର୍ଯ୍ୟନ୍ତ ଏକ ସମନ୍ୱିତ ମିଶ୍ରିତ ଶୈଳୀର ଅନୁସରଣ ଆଧୁନିକ ଭାରତୀୟ ସିନେମାର ଅନ୍ୟତମ ବୈଶିଷ୍ଟ୍ୟ ଅଟେ ।

ଭାରତୀୟ ସିନେମାର ଉନ୍ମେଷ ଅର୍ଥାତ୍ ବିଂଶଶତାବ୍ଦୀର ପ୍ରାରମ୍ଭିକ କାଳରେ ସିନେମା ମନୋରଞ୍ଜନର ଏକ ବିସ୍ମୟ ବାହକ ରୂପେ ଆର୍ବିଭୂତ ହୋଇ ଜନମନ ପ୍ରାଣକୁ ମୋହାଚ୍ଛନ୍ନ କରିବା ଆରମ୍ଭ କରିଥିଲା । ଦେଖୁ ଦେଖୁ ଗୋଟିଏ କିମ୍ୱା ଦୁଇଟି ଭାଷାରୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଏହାର ନିର୍ମାଣ କରାଗଲା । ସେହି ଅନୁସାରେ ବାର୍ଷିକ ହାରାହାରି ଫିଲ୍ମ ନିର୍ମାଣର ସଂଖ୍ୟା ବଢ଼ି ବଢ଼ି ଏବେ ଏକ ହଜାରରୁ ଉର୍ଦ୍ଧ୍ଵରେ ପହଞ୍ଚିଲାଣି । ସେହିପରି ସାରା ଦେଶରେ ଫିଲ୍ମହଲ୍‌ର  ସଂଖ୍ୟା ଦଶହଜାରରୁ ଅଧିକ ଅଟେ । ଭାରତୀୟ ସିନେମାର ଏହି ଗତି ଓ ପ୍ରଗତିକୁ ବିଚାର କଲେ ଆମେ ଯଥେଷ୍ଟ ସଫଳତା ପାଇପାରିଛୁ ବୋଲି ଧାରଣା ଆସିବ । ମାତ୍ର ପରିମାଣ ଦୃଷ୍ଟିରୁ ଏହା ସଠିକ୍ ଜଣାପଡୁଥିଲେ ହେଁ ଗୁଣାତ୍ମକତା ଦୃଷ୍ଟିରୁ ଆମ ଚଳଚ୍ଚିତ୍ରଗୁଡ଼ିକ ଢେର୍ ପଛରେ ଅଛି ବୋଲି କୁହାଯାଇପାରିବ । ସମ୍ପ୍ରତି ଆମର ଗୁଣାତ୍ମକ ଚଳଚ୍ଚିତ୍ର ନିର୍ମାଣର ସଂଖ୍ୟା ଖୁବ୍ ସ୍ୱଳ୍ପ ଥିଲାବେଳେ ତଥାକଥିତ ଲୋକପ୍ରିୟ ଚଳଚ୍ଚିତ୍ରର ସଂଖ୍ୟା ସୀମାତୀତ ।

ସିନେମା ହେଉଛି ସାମାଜିକ ସ୍ଥିତି ଓ ସମସ୍ୟାର ଏକ କଳ୍ପନା ମିଶ୍ରିତ ପ୍ରତିଫଳନ । ଏଥିରେ ଗୋଟିଏ ଦେଶ ବା ଅଞ୍ଚଳର ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସଂସ୍କୃତିକ ଦୃଶ୍ୟପଟ ଆତ୍ମପ୍ରକାଶ କରିଥାଏ । ଲୋକଜୀବନର ଆଶା ଓ ଆକାଂକ୍ଷା, ସ୍ୱପ୍ନ ଓ ସଂଗ୍ରାମ, ଚଳଣି ଓ ପରମ୍ପରା ପ୍ରଭୃତିକୁ ଏଥିରେ ଦେଖିବାକୁ ମିଳିଥାଏ । ଭାରତରେ ଏହି ମାଧ୍ୟମଟିର ବିଶାଳ ଦର୍ଶକଶ୍ରେଣୀ ରହିଥିବାରୁ ଏହାକୁ ମନୋରଞ୍ଜନର ଏକ ପ୍ରଭାବଶାଳୀ ମାଧ୍ୟମ ରୂପେ ବିବେଚନା କରାଯାଇଥାଏ । ଏପରିକି ଶିକ୍ଷା ଦୀକ୍ଷା ନଥିବା ଜଣେ ନିରକ୍ଷର ଲୋକ ମଧ୍ୟ ଏଠି ଫିଲ୍ମକୁ ଦେଖିଥାଏ ଓ ବୁଝିଥାଏ । ସେହି ଦୃଷ୍ଟିରୁ ଭାରତୀୟ ସିନେମା ସହିତ ଭାରତୀୟ ସମାଜର ଅଙ୍ଗାଙ୍ଗୀ ସମ୍ପର୍କ ରହିଆସିଛି । ଚଳଚ୍ଚିତ୍ର ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିବା ଓ ସାମାଜିକ ସଂସ୍କାର ଆଣିବାରେ ଏହାର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ମାତ୍ର ସମକାଳୀନ ଭାରତୀୟ ସିନେମାର ଧାରା ଓ ପ୍ରବାହକୁ ପର୍ଯ୍ୟବେକ୍ଷଣ କଲେ ଏକ ପରାଙମୁଖୀ ସାମାଜିକ ବିରୋଧାଭାସର ଚିତ୍ରକୁ ଦେଖିବାକୁ ମିଳିଥାଏ । ଏଭେ ସମୁଦାୟ ନିର୍ମିତ ହେଉଥିବା ସିନେମାର ନବେ ଭାଗରୁ ଅଧିକ ହେଉଛି ବ୍ୟବସାୟିକ ସିନେମା । ଯେଉଁଠାରେ ଏହାର ନିର୍ମାତାମାନଙ୍କର ଆଖି ପ୍ରଚୁର ଲାଭ ଓ ତତ୍ଜନିତ ସଫଳତା ଉପରେ ଥାଏ । ତେଣୁ ସେମାନେ ଚଳଚ୍ଚିତ୍ରରେ ଶସ୍ତା ମନୋରଞ୍ଜନକୁ ଗୁରୁତ୍ୱ ଦେଇଥାନ୍ତି । ଯେଉଁଠି ମନୋରଞ୍ଜନର ସଂଜ୍ଞା କେବଳ ବାସ୍ତବତାଠାରୁ ପଳାୟନ । ଫର୍ମୁଲା ଉପରେ ଆଧାରିତ ମସଲାରେ ପରିପୂର୍ଣ୍ଣ ଏହି ପ୍ରକାରର ସିନେମା, ଅବାସ୍ତବ କାହାଣୀ, ଆବଶ୍ୟକତାଠାରୁ ଅଧିକ ଯୌନତା ଓ ପ୍ରତିହିଂସା ପ୍ରୟୋଗ କରି ସହଜ ସଫଳତା ପାଇବାକୁ ଉଦ୍ଦେଶ୍ୟ ରଖିଥାନ୍ତି । ସାଧାରଣ ଜୀବନର ଘଟଣା ଓ ଦୁର୍ଘଟଣା ସହିତ ଅଧିକାଂଶ ଚଳଚ୍ଚିତ୍ରର କୌଣସି ସମ୍ପର୍କ ଥିବା ପରି ଜଣାପଡ଼େ ନାହିଁ । ତଥାପି ବର୍ଷକୁ ଶହ ଶହ ଫିଲ୍ମ ହିନ୍ଦୀ ଭାଷାଠାରୁ ଆରମ୍ଭ କରି ବିଭିନ୍ନ ଆଞ୍ଚଳିକ ଭାଷାରେ ନିର୍ମାଣ କରାଯାଉଛି । ଦର୍ଶକମାନେ ଏହି ଅସତ୍ୟ ଓ ଅଯୌକ୍ତିକ ପରିବେଷଣକୁ ଦେଖୁଛନ୍ତି ଓ ଗ୍ରହଣ କରି ଚାଲିଛନ୍ତି । ଏହା ହିଁ ଆଶ୍ଚର୍ଯ୍ୟର ବିଷୟ ।

ମନୋରଞ୍ଜନର ଏହି ଶସ୍ତା ପରମ୍ପରାରେ ଭାରତୀୟ ଦର୍ଶକ ସିନେମାକୁ ଏକ ଦିବାସ୍ୱପ୍ନର ଆସର ବୋଲି ଭାବିଥାଏ । ଯେଉଁଠାରେ ସେ ନିଜର ଜାଗତିକ ଦୁଃଖ ଶୋକକୁ କିଛି ମୁହୂର୍ତ୍ତ ପାଇଁ ପାସୋରି ଯାଇ ଏକ କାଳ୍ପନିକ ପୃଥିବୀରେ ଆଶ୍ରୟ ନେଇଥାଏ । ପୂର୍ବାପେକ୍ଷା ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାଣ ଅତ୍ୟନ୍ତ ବ୍ୟୟବହୁଳ ବ୍ୟାପାର ହୋଇଥିବାରୁ କିପରି ଆର୍ଥିକ କ୍ଷତି ନ ଘଟିବ ସେଥି ନିମନ୍ତେ କଳାତ୍ମକ ଓ ବାସ୍ତବବାଦୀ ଦୃଷ୍ଟିକୋଣରୁ ଉପେକ୍ଷା କରାଯାଉଅଛି । ମୁଖ୍ୟତଃ କ୍ଲାନ୍ତିଲାଘବ ବା ଏକପ୍ରକାରର ସୁନେଲି ମନୋରଞ୍ଜନର ବାହକ ରୂପେ ଚଳଚ୍ଚିତ୍ର ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । ସେଥିପାଇଁ ନାମୀଦାମୀ ଚିତ୍ର ତାରକା ଓ ବିଦେଶର ଦର୍ଶନୀୟ ସ୍ଥାନରେ ସୁଟିଂ ପ୍ରଭୃତିକୁ ଅହେତୁକ ପ୍ରାଧାନ୍ୟ ଦିଆଯାଉଛି । ମୁକ୍ତି ଲାଭ କରିବା ପୂର୍ବରୁ ଗଣମାଧ୍ୟମରେ ଆକର୍ଷଣୀୟ ଓ ବ୍ୟାପକ ପ୍ରଚାର କରାଯାଇ କିପରି ରାତାରାତି ସଫଳତା ଅର୍ଜନ କରାଯିବ ସେଥିପାଇଁ ଦର୍ଶକମାନଙ୍କ ମଧ୍ୟରେ ପ୍ରାକ୍ ଉତ୍କଣ୍ଠା ସୃଷ୍ଟି କରାଯାଉଛି । ଏଥିରେ କିଛି ସନ୍ଦେହ ନାହିଁ ଯେ ଏହି ସବୁ ଫିଲ୍ମଗୁଡ଼ିକର ନିରର୍ଥ ଆବେଗ ସମାଜ ନିମନ୍ତେ ପ୍ରଭାବଶୂନ୍ୟ ଅଟେ । ଦର୍ଶକମାନଙ୍କର ଚିନ୍ତାଶକ୍ତିକୁ ଜାଗ୍ରତ କିମ୍ୱା ଉଦ୍‌ବୁଦ୍ଧ କଲାପରି ଏଥିରେ କିଛି ସାରାଂଶ ନଥାଏ । ମଣିଷ ପାଇଁ କଳା, ବଦଳରେ ଅର୍ଥ ପାଇଁ କଳା ନ୍ୟାୟରେ ଅଧିକାଂଶ ସାମ୍ପ୍ରତିକ ଚଳଚ୍ଚିତ୍ରଗୁଡ଼ିକ ଅନ୍ତଃସାର ଶୂନ୍ୟ । ନିଷ୍ଠାହୀନ ଚଟୁଳ ଚିତ୍ରତ କାହାଣୀ ବିନିମୟରେ ଦର୍ଶକଗଣଙ୍କ ଭାସମାନ ଆବେଗକୁ ପ୍ରଭାବିତ କରିବା ଏହାର ଉଦ୍ଦେଶ୍ୟ । ଏହି ପ୍ରଚଳିତ ଧାରାରୁ ସଂଖ୍ୟାନ୍ୟୁନ କିଛି ବ୍ୟତିକ୍ରମ କଳାତ୍ମକ ଓ ବାସ୍ତବଧର୍ମୀ ଚଳଚ୍ଚିତ୍ରକୁ ଛାଡ଼ିଦେଲେ ସଂଖ୍ୟାଧିକ ଭାରତୀୟ ଚଳଚ୍ଚିତ୍ର ଗୁଡ଼ିକ ମନୋରଞ୍ଜନଧର୍ମୀ ।

ଚଳଚ୍ଚିତ୍ର ଯେହେତୁ ଏକ ପ୍ରମୁଖ ଲୋକପ୍ରିୟ ଗଣମାଧ୍ୟମ ରୂପେ ସ୍ୱୀକôତ ସେହେତୁ ସାମାଜିକ ଓ ମଣିଷ ଜୀବନର ବିବିଧ ସମସ୍ୟାକୁ ଉପସ୍ଥାପିତ କରିବା ସହିତ ଯଥାର୍ଥ ମାର୍ଗ ସୂଚାଇବା ଆବଶ୍ୟକ । ସୁସ୍ଥ ମନୋରଞ୍ଜନ ଯୋଗାଉଥିବା ଗୋଟିଏ ଭଲ ସିନେମା ଦର୍ଶକମାନଙ୍କର ସ୍ୱାଦକୁ ପରିଷ୍କୃତ କରିବା ସହିତ ସେମାନଙ୍କୁ ଚେତନାସ୍ତରରେ ଆଲୋକିତ କରିଥାଏ । ମନୋରଞ୍ଜନର ଅର୍ଥ ନୁହେଁ କ୍ଷଣକ ପାଇଁ ସ୍ୱପ୍ନ ଓ କଳ୍ପନା ରାଜ୍ୟରେ ଆଶ୍ରୟ । ଭଲ ଓ ମନ୍ଦ ଉଭୟ ଦିଗରୁ ଗୋଟିଏ ସିନେମା କେତେଦୂର ସମାଜକୁ ପ୍ରଭାବିତ କରିଥାଏ ତାହା ତର୍କସାପେକ୍ଷ । ମାତ୍ର ଆମ ସାଧାରଣ ଜୀବନରେ ଉଭୟ ସିନେମା ଓ ସିନେମା ତାରକାମାନଙ୍କର ଅପ୍ରତିହତ ପ୍ରଭାବ ଯେ ରହିଅଛି ତାହା ନିଃସନ୍ଦେହ । ଆମର ଦୈନନ୍ଦିନ ଜୀବନଶୈଳୀ ଯେପରିକି ପୋଷାକ ପରିଧାନ, କେଶ ବିନ୍ୟାସ ଓ ସାମାଜିକ ଚାଲିଚଳନ ପ୍ରଭୃତି ଅନେକାଂଶରେ ସମକାଳୀନ ଚଳଚ୍ଚିତ୍ରମାନଙ୍କ ଦ୍ୱାରା ଅନୁପ୍ରାଣିତ । ଏପରିକି ଭାରତୀୟ ଗଣମାନସରେ ଚିତ୍ରତାରକାମାନେ ଏକ ସମ୍ମୋହିତ ଆଧିପତ୍ୟ ହାସଲ କରିଛନ୍ତି । ଜନସାଧାରଣରେ ସେମାନଙ୍କ ପ୍ରତି ଥିବା ବହୁଗୁଣିତ ମନୋଭାବ ଓ ଧାରଣା ସେମାନଙ୍କୁ ସାଧାରଣ ସ୍ତରରୁ ଅସାଧାରଣ ସ୍ତରରେ ନେଇ ପହଞ୍ଚାଇଛି । ସେଥିପାଇଁ ଏହି ତାରକାମାନେ ସିନେମାପରଦାରୁ ଓହ୍ଲାଇ ରାଜନୈତିକ କ୍ଷେତ୍ରରେ ସଫଳତା ଅର୍ଜନ କରିପାରୁଛନ୍ତି । କୌଣସି ପ୍ରଚାରଧର୍ମୀ କାର୍ଯ୍ୟକ୍ରମରେ ସରକାରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ କମ୍ପାନୀମାନେ ସୁଦ୍ଧା ଏହା ତାରକାମାନଙ୍କୁ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ଏମିତିକି ଦେଶବାସୀଙ୍କୁ ପୋଲିଓ ପ୍ରତିଷେଧକ ନେବା ପାଇଁ କୌଣସି ବଡ଼ ଅଭିନେତା ବା ଅଭିନେତ୍ରୀଙ୍କୁ ଟିଭି ପରଦାକୁ ଆସି ଜନସାଧାରଙ୍କୁ ପ୍ରବର୍ତ୍ତାଇବାକୁ ପଡୁଛି ।

ଚଳଚ୍ଚିତ୍ର ନିର୍ମାଣର ଏହି ମୁଖ୍ୟସ୍ରୋତରୁ ଅଲଗା କିଛି ଭିନ୍ନ ରୁଚିର ଚଳଚ୍ଚିତ୍ର ମଧ୍ୟ କାଁ ଭାଁ ନିର୍ମାଣ କରାଯାଉଥିବାର ଦେଖିବାକୁ ମିଳୁଛି । ମସଲାବିହୀନ ଏହି ସମାନ୍ତରାଳ ସିନେମାଗୁଡ଼ିକ ସ୍ୱଳ୍ପ ବଜେଟ୍ ଓ ବାସ୍ତବଜୀବନର ଚିତ୍ରାୟନ ଉପରେ ପର୍ଯ୍ୟବେସିତ ହୋଇଥିବାରୁ ଏହା ସାଧାରଣ ଦର୍ଶକମାନଙ୍କୁ ଆକୃଷ୍ଟ କରି ନଥାଏ । ସିନେମାର ଯେ ଏକ ସାମାଜିକ ପ୍ରତିବଦ୍ଧତା ଏବଂ ମାନବୀୟ ଅବଲୋକନ ରହିଛି ବୋଲି ଏହି ଧରଣର ଚଳଚ୍ଚିତ୍ରଗୁଡ଼ିକ ନିରବ ସ୍ଲୋଗାନ୍ ଦେଇଥାନ୍ତି । କେବଳ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ଓ ପୁରସ୍କୃତ ହେବା ଛଡ଼ା ସାଧାରଣ ଭାରତୀୟ ଦର୍ଶକମାନଙ୍କ ଦ୍ୱାରା ଅନାଦୃତ ହୋଇଥାନ୍ତି । ପ୍ରଚଳିତ ଦର୍ଶକୀୟ ରୁଚିବୋଧକୁ ସାମାନ୍ୟ ଆନ୍ଦୋଳିତ କରିବା ଛଡ଼ା ପରିବର୍ତ୍ତିତ କରିବାରେ ଏଗୁଡ଼ିକ ଅକ୍ଷମ ।

ଉପରୋକ୍ତ ଦୁଇଟି ବିପରୀତ ଧାରାର ସିନେମାର ଏକ ସଂଯୋଗଶୈଳୀ ରୂପେ ମଧ୍ୟମବର୍ଗର ସିନେମାଗୁଡ଼ିକ ନିର୍ମିତ ହୋଇ କ୍ରମଶଃ ସଫଳତା ପାଉଥିବାର ଦେଖିବାକୁ ମିଳୁଛି । ଏଥିରେ କଳାତ୍ମକତା, ସାମାଜିକ ବାସ୍ତବତା ଓ ଦର୍ଶକୀୟ ରୁଚିକୁ ସମାନୁପାତୀକ ଭାବେ ଗୁରୁତ୍ୱ ଦିଆଯାଉଥିବାରୁ ଏଗୁଡ଼ିକ ଦର୍ଶକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରୁଛନ୍ତି । ଭିନ୍ନ ସ୍ୱାଦ, କାହାଣୀ ଓ ପରିବେଷଣରେ ନୂତନତା ହେତୁ ଏହି କିସମର ଚଳଚ୍ଚିତ୍ର ଗୁଡ଼ିକୁ ଦର୍ଶକବୃନ୍ଦ ପସନ୍ଦ କରିବା ସହିତ ଏଗୁଡ଼ିକ ସାମାଜିକ ଚିନ୍ତନରେ ମଧ୍ୟ ରେଖାପାତ ସୃଷ୍ଟି କରିପାରୁଛନ୍ତି । ଲଗାନ୍, ମୁନ୍ନାଭାଇ ଏମ୍‌ବିବିଏସ୍, ଲଗେରହୋ ମୁନ୍ନାଭାଇ, ରଙ୍ଗଦେ ବସନ୍ତୀ ଓ ତାରେ ଜମିନ୍ ପର ପ୍ରଭୃତି ଏହି ଧାରାରେ ନିର୍ମିତ ଚଳଚ୍ଚିତ୍ରର ସଫଳ ଉଦାହରଣ ।

ଲୋକପ୍ରିୟ ଲେଖା

To Top