ପ୍ରବନ୍ଧ

ଦରିଆପାରି ଜାତି

Odia Author Biraja Routray

“ମୋ ଅଜାଙ୍କ ନିଶ” କହି ଅତୀତର ସ୍ୱପ୍ନ-ପ୍ରାୟତା ଭିତରେ ଆମର କ୍ଲୀବତ୍ୱ ଖୁବ୍ ଫର୍ଚ୍ଚା ନତୁବା “ଗୁଣକୁ ସୁମରି ସରାଗେ ମୁଖ ଫେରାଅ ପଛେ” ତୁଲ୍ୟ ।

ଦରିଆପାରି ଜାତି

ଅତୀତରେ ଅଙ୍ଗ ବଙ୍ଗ କଳିଙ୍ଗ ଏହିପରି କେତେ କ’ଣ ନାମରେ କେତେ କେତେ ଖଣ୍ଡ ହୋଇ ଓଡ଼ିଶା ରୂପକ ପ୍ରାଦେଶିକ ଭୂଖଣ୍ଡଟି ଅବଶ୍ୟ ରହିଥିଲା । ଯଦିଓ ଓଡ଼ିଶା ନାମର ଏକକ ସ୍ୱତନ୍ତ୍ର ପରିଚୟଟି ସେତେବେଳେ ଗଠିତ ହୋଇ ନ ଥିଲା । କିନ୍ତୁ ଓଡ଼ିଆ ଜାତି ତା’ର ଏହି ଅତୀତର ବିକ୍ଷିପ୍ତ ଭୂଗୋଳ ମଧ୍ୟରେ ଅବସ୍ଥାନ କରି ସୁଦ୍ଧା ନିଜ ଅସ୍ତିତ୍ୱ ଓ ସ୍ୱକୀୟତାକୁ ଇତିହାସର ଲିଖିତ ପୃଷ୍ଠାରେ ଲିପିବଦ୍ଧ କରାଇବାରେ ସକ୍ଷମ ହୋଇଥିଲା ।

ଏମିତି କିଛି ଶତାବ୍ଦୀ ଏ ଜାତି ଇତିହାସରେ ବି ଅଛି । ଯେଉଁଠି ଏ ଜାତିର ଅକାତ ଛାତି ଥିଲା, ଢେଉ ଚିରିବା ପାଇଁ । କୁଶଳୀ ମଗଜ ଥିଲା ବେପାର ଯୋଡ଼ିବା ପାଇଁ । ଏସବୁ ଏକାଠି କଲେ ଏ ଜାତିର ଗୋଟିଏ ପରିଚୟ ବି ଥିଲା- ଦରିଆପାରି ଜାତି ।

ଏକଦା ଏହି ଦରିଆପାରି କଳିଙ୍ଗ ଇତିହାସର ଥିଲା ଗୌରବମୟ ଅଧ୍ୟାୟ । ନିଜର ପ୍ରାଣ ଶକ୍ତିକୁ ଚିହ୍ନିବା ଓ ଚିହ୍ନେଇବାର ସୁବର୍ଣ୍ଣ ଯୁଗ । ସୌଦାଗରୀ ପ୍ରତିଭାର ଶ୍ରେଷ୍ଠତ୍ୱ ପ୍ରତିଫଳିତ ଏହି ସମୟଖଣ୍ଡରେ ନିଜକୁ ଆବିଷ୍କାର କରିବାରେ ସବୁ ଓଡ଼ିଆଙ୍କ ତୃପ୍ତି । କଳ୍ପଲୋକରେ ସେ ମହାର୍ଘ ଇତିହାସର ଅହର୍ନିଶି କଳରବ । ସେଥିପାଇଁ ତ କଦଳୀପଟୁଆ ଖଣ୍ଡେ ହେଲେ ବି ବର୍ଷକୁ ଥରେ କାର୍ତ୍ତିକ ମାସରେ ସବୁ ଓଡ଼ିଆମାନେ ବୋଇତର ଏହି ସଂକ୍ଷିପ୍ତ ପ୍ରତୀକଟିକୁ ପାଣିରେ ଭସାଇ ଅତୀତର ସ୍ମୃତିକୁ ଉଜ୍ଜୀବିତ ରଖିଥାନ୍ତି । ଏ ଜାତିର ସୁଦୀର୍ଘ ଇତିହାସରେ ଶତାବ୍ଦୀ ଶତାବ୍ଦୀ ଧରି କାୟା ବିସ୍ତାର କରିଥିବା ଏହି ବୋଇତ ସଂସ୍କୃତିର ଅସ୍ତିତ୍ୱ ଏବର କାଳରେ ବିଲୟ ଘଟିଥିଲେ ସୁଦ୍ଧା ଏହାର ଭସ୍ମାବଶେଷ ଏବେ ମଧ୍ୟ ଓଡ଼ିଆ ଜାତିର ମାନସପଟରେ ସୁରକ୍ଷିତ ହୋଇ ରହିଛି ।

କଳ୍ପନା କରନ୍ତୁ, ଦକ୍ଷିଣପୂର୍ବ ଏସିଆର ଜାଭା, ବାଲି, ସୁମାତ୍ରା, ବର୍ମା, ବୋର୍ଣ୍ଣିଓ ଓ ଶ୍ରୀଲଙ୍କା ପ୍ରଭୃତି ରାଷ୍ଟ୍ର ସହିତ କଳିଙ୍ଗର ପ୍ରାଚୀନ ବାଣିଜ୍ୟ କାରବାର । ଢେଉ ଢେଉକା ଅକ୍ଷୟ ସ୍ମୃତି ଉପରେ କଳିଙ୍ଗ ପୋତର ଦୁଃସାହସିକତା । ଯାହାର ଆଭିମୁଖ୍ୟ ଥିଲା ଦୁଇଟି । ପ୍ରଥମଟି ଥିଲା ବାଣିଜ୍ୟ ପସରା ମେଲାଇବାର ଆଜନ୍ମ ପାରଙ୍ଗମତା । ଦ୍ୱିତୀୟଟି ନିଜର ସଂସ୍କୃତିକ ପରିଧିର ବୃହଦୀକରଣ । ବିଜ୍ଞାନର ସବୁ ସହଜଲଭ୍ୟତା ଠାରୁ ଢେର୍ ପଛରେ ଥିବା ଏହି ସମୟ ଉପରେ ନିଜର ଅସ୍ତିତ୍ୱ ଚିହ୍ନାଇ ପାରିବା କମ୍ କଥା ନୁହେଁ । ଏହା ଉଭୟ ସାଧନା ଓ ସାହସର ଅନାବିଳ ଦମ୍ଭପଣ । ଯେଉଁ ଦମ୍ଭପଣ ଏ ଜାତିର ଦୁର୍ଜୟ ଇଚ୍ଛାଶକ୍ତିର ସୀମାକୁ ଚିହ୍ନାଇଥାଏ ।

ଏ ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ତଥ୍ୟକୁ ଆଧାର କରି କୁହାଯାଇପାରେ ଯେ ପ୍ରଥମ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ, ଏହି ଏକ ହଜାର ବର୍ଷରୁ ଉର୍ଦ୍ଧ୍ଵ ସମୟର ପୋତ ଚାଳନା ଓ ନୌବାଣିଜ୍ୟ ପରମ୍ପରାରେ କଳିଙ୍ଗର ସାଧବ ଓ ଅଧିବାସୀମାନେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ଏବଂ ଏକ ଶକ୍ତିଶାଳୀ ସାମୁଦ୍ରିକ ଜାତି ଭାବରେ ନିଜକୁ ପ୍ରତିଷ୍ଠା କରିପାରି ଥିଲେ । ପ୍ରଚଳିତ କିମ୍ୱଦନ୍ତୀ, ଲୋକକଥା, ଇତିହାସ ଓ ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଭିତରେ ଏ ସତ୍ୟତା ନିକଟରେ ପହଞ୍ଚି ହୁଏ ।

ଅତୀତର ଏ ପରିକ୍ରମା ଭିତରେ ଯେଉଁ ଅମୂଲ୍ୟ ପ୍ରାଣଶକ୍ତିକୁ ଆମେ ଛୁଇଁ ଛୁଇଁ ଯାଉ ତାହା ଯେ ଏହି ଜାତିର, ଭାବିଲେ ଦଣ୍ଡେ ବିମୂଢ଼ ହେବାକୁ ହୁଏ । ଏହା ଭିତରେ ଓଡ଼ିଆ ଜାତିର ଆକାଂକ୍ଷା, ଇଚ୍ଛା, କଳ୍ପନା ପ୍ରାୟ ସବୁଥିରେ ରୂପାନ୍ତର ଘଟିସାରିଛି । କିନ୍ତୁ ଏ ରୂପାନ୍ତର ଆମ ଜାତିର ଚାରିତ୍ରିକ ଉତ୍ତୁଙ୍ଗତା ନିର୍ମାଣ କରିବାରେ ଯେ ଅକ୍ଷମ ଏହା ଏବେ ସବୁ ଓଡ଼ିଆଙ୍କ ଗୁମର କଥା । ବିଶ୍ୱାସ ହେଉନି ଅଧଃପତନର ବ୍ୟବଧାନ ଏତେ ଦୀର୍ଘ ହୋଇପାରେ ବୋଲି । “ମୋ ଅଜାଙ୍କ ନିଶ” କହି ଅତୀତର ସ୍ୱପ୍ନ-ପ୍ରାୟତା ଭିତରେ ଆମର କ୍ଲୀବତ୍ୱ ଖୁବ୍ ଫର୍ଚ୍ଚା ନତୁବା “ଗୁଣକୁ ସୁମରି ସରାଗେ ମୁଖ ଫେରାଅ ପଛେ” ତୁଲ୍ୟ ।

ଆଜିର ଏକବିଂଶ ଶତାବ୍ଦୀର ଦ୍ରୁତ ପରିବର୍ତ୍ତନଶୀଳ ଓ ଦ୍ରୁତ ପ୍ରଗତିଶୀଳ ଯୁଗରେ ଆମେ ନିର୍ବଳଙ୍କ ପରି ନିଜର ସବୁ ଦୁର୍ଦ୍ଧର୍ଷପଣକୁ ହରାଇ ଆଗକୁ ବଢ଼ିବା ନିମନ୍ତେ ପ୍ରେରଣାର ଉତ୍ସ ଖୋଜି ଅତୀତର ସମୁଦ୍ର ଭିତରୁ କେବଳ ବୋଇତର ପ୍ରାଣହୀନ ଖୋଳପାଟିକୁ ଉଣ୍ଡାଳି ସେହି ଅତୀତ ପାଖରେ ଅଟକି ରହିଯାଇଛୁ । ଅତୀତରୁ ବଳ ଆଣି ବର୍ତ୍ତମାନକୁ ବଳଶାଳୀ କରାଇବାର ବିଦ୍ୟା ଆମକୁ ଜଣାନାହିଁ କିମ୍ୱା ଏହାକୁ ଜାଣି ମଧ୍ୟ ଆମେ କସ୍ତୁରୀମୃଗ ପରି ନିଜକୁ ନିଜେ ଅଜଣା ହୋଇ ରହିବାକୁ ଚାହୁଁଅଛୁ । ଓଡ଼ିଶାର ଚାରିପଟରେ ଥିବା ସମୁଦ୍ରର ସେହି ବିସ୍ତୀର୍ଣ୍ଣ ଜଳରାଶି ଏବେ ବି ରହିଛି । ଏହା ସହ ଅଙ୍କାବଙ୍କା ହୋଇ ଯୋଡ଼ି ହୋଇଥିବା ଅସଂଖ୍ୟ ନଦନଦୀ ରହିଛନ୍ତି । ଯାହାର କୂଳେ କୂଳେ କେବେ ସକ୍ରିୟ ପୋତାଶ୍ରୟ ଓ ବନ୍ଦର ଥିବା ବୋଇତ ଯୁଗର ସ୍ତୁତି ସ୍ୱରୂପ ଅପାଂକ୍ତେୟ ନଈପଠା କିମ୍ୱା କେଉଁ ପୋତାନଈର କାହାଣୀ ଏବେ ସୁଦ୍ଧା ଜନମାନସରେ କିମ୍ୱଦ୍ୱନ୍ତୀ ପାଲଟି ବଞ୍ଚି ରହିଛନ୍ତି ।

ଗମନାଗମନ ଓ ଯୋଗାଯୋଗର ଏହି ସହଜ ସଂଯୋଗୀ ଯୁଗରେ ବୋଇତ ଆଜି ତା’ର ଅସ୍ତିତ୍ୱ ହରାଇସାରିଛି ସତ କିନ୍ତୁ ଏ ଜାତିର ସୁଦୀର୍ଘ ଜୀବନ ଆକାଶରେ ଉତ୍ତରପିଢ଼ି ନିମନ୍ତେ ପାଲଟି ସାରିଛି ଏକ ପ୍ରେରଣାଦାୟୀ ଧ୍ର୍ରବତାରା । ଏହି ପ୍ରସଙ୍ଗରେ ଉପକୂଳ ଓଡ଼ିଶାରେ ଦିନେ ଜନ୍ମ ହୋଇ ବଢ଼ିଥିବା ଓ ପରବର୍ତ୍ତୀ କାଳରେ ସୁଦୂର ଆମେରିକାର ଆଲସ୍କା ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ବିଭାଗରେ ପ୍ରଫେସର୍ ରୂପେ କାର୍ଯ୍ୟ କରୁଥିବା ଦେବେନ୍ଦ୍ର କୁମାର ଦାସଙ୍କ ଏକ ସ୍ମରଣୀୟ ବକ୍ତବ୍ୟ ଏଠାରେ ପ୍ରଣିଧାନ ଯୋଗ୍ୟ । ଏକ ବୋଇତ ବନ୍ଦାଣ ସମିତିର ଉତ୍ସବରେ ଅତିଥି ରୂପେ ଯୋଗ ଦେଇ ସେ ଯେପରି ଅତୀତ ଓଡ଼ିଶାର ସମୃଦ୍ଧ ବୋଇତ ସଂସ୍କୃତିକୁ ଭବିଷ୍ୟ ଓଡ଼ିଶାର ରୂପରେଖ ସହ ସଂଯୋଗ କରି ଉପସ୍ଥାପନା କରିଥିଲେ, ତାହାକୁ ଏଠାରେ ଉଲ୍ଲେଖ କରାଯାଇପାରେ । ତାଙ୍କ ମତରେ ସାଗରର ନୀଳ ଜଳରାଶିରେ ପୋତ ମେଲି ବାଣିଜ୍ୟ ପସରାର ଦିଗ୍‌ବଳୟକୁ ପ୍ରସାରିତ କରିବାର ଅତୀତର ସୁବର୍ଣ୍ଣ ସମୟ ଅତିକ୍ରାନ୍ତ ହୋଇସାରିଛି । ବର୍ତ୍ତମାନର ଓଡ଼ିଆ ଜାତି ପାଇଁ ମୁଣ୍ଡ ଉପରର ବିରାଟ ଆକାଶ ହେଉଛି ନିଜର ପାରଦର୍ଶିତା ପ୍ରଦର୍ଶନ କରିବାର ଏକ ମୁକ୍ତ ଚାରଣଭୂମି । ଯେଉଁଠି ଓଡ଼ିଆପୁଅ ଆଉ ବୋଇତରେ ନୁହେଁ, ଉଡ଼ାଜାହାଜରେ ବସି ପରିକ୍ରମଣ କରିବ ସାରା ପୃଥିବୀକୁ । ବାଣିଜ୍ୟ ଓ ବ୍ୟବସାୟ, ଶିକ୍ଷା ଓ ପ୍ରଯୁକ୍ତି ବିଜ୍ଞାନ ପରି ପ୍ରତ୍ୟେକ କ୍ଷେତ୍ରରେ ପୃଥିବୀର ବିଭିନ୍ନ ଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରି ଯେତେବେଳେ ଉଡ଼ାଜାହାଜ ରୂପୀ ଆକାଶୀ ବୋଇତରେ ଘରକୁ ଫେରୁଥିବ ସେତେବେଳେ ହିଁ ହେବ ଭବିଷ୍ୟତର ପ୍ରକୃତ ବୋଇତ ବନ୍ଦାଣ ।

ଏବେ ଆହ୍ୱାନ ସବୁଠି, ସବୁ କ୍ଷେତ୍ରରେ । ଆତ୍ମ ପରିଚୟ ପାଇଁ, ଆତ୍ମ ପ୍ରତିଷ୍ଠା ପାଇଁ, ଆତ୍ମ ଗୌରବ ପାଇଁ, ସ୍ୱ ସ୍ୱାଭିମାନ ପାଇଁ । ବୋଇତ କେବଳ ସେ ଆହ୍ୱାନକୁ ଦିଗ ଦେଖାଉଥିବା ଇତିହାସର ଗୋଟିଏ ଅଲିଭା ଦିହୁଡ଼ି । ଦରିଆ ସେଠି ସମୃଦ୍ଧ ଓ ବୈଭବଯୁକ୍ତ କାଲି ପାଇଁ ଏକ ପ୍ରଶସ୍ତ କ୍ଷେତ୍ରର ପ୍ରତିଶୃତି ।

ଲୋକପ୍ରିୟ ଲେଖା

To Top