ପ୍ରବନ୍ଧ

ଦଶହରା ଓ ସଂଖ୍ୟା “ଦଶ(୧୦)”ର ମହତ୍ୱ

Er Bidyadhar Panda's odia prose Dashaharaa o Sankhyaa dash ra Mahatwa

ମୋଟାମୋଟି କହିବାକୁ ଗଲେ ସଂଖ୍ୟା ଦଶ ଏକ ପୂଣ୍ଣତାର ଏବଂ ବ୍ୟାପକ ଜୀବନ ଚକ୍ରର ପ୍ରତିକ ।

ଦଶହରା ଓ ସଂଖ୍ୟା "ଦଶ(୧୦)"ର ମହତ୍ୱ

ପ୍ରତିବର୍ଷ ଆଶ୍ୱୀନ ମାସ ଶୁକ୍ଲପକ୍ଷ ଦଶମି ତିଥିକୁ ଦଶହରା ପର୍ବ ହିସାବରେ ପାଳନ କରାଯାଇଥାଏ । ଭାରତର ଉତରପ୍ରାନ୍ତରେ ଯାଗାଯାଗା ଧୁମ୍‌ଧାମ୍‌ରେ ରାବଣପୋଡ଼ି ମହୋତ୍ସବ ପାଳନ କରାଯାଇ ରାବଣର ଦଶଶିରକୁ ଜାଳି ଦିଆଯାଉଥିବା ବେଳେ ପୂର୍ବପ୍ରାନ୍ତରେ ଦଶଭୂଜା ମାଆ ଦୁର୍ଗାଙ୍କ ଦ୍ୱାରା ପାପି ମହିଷାସୁରକୁ ବଦ୍ଧ କରାଯିବାର ଦୃଶ୍ୟର ପ୍ରତିମୁର୍ତିକୁ ନିଷ୍ଠାର ସହ ନ’ ଦିନ ପୂଜା କରାଯାଏ । ମୂଖ୍ୟତଃ ଏଇ ଦୁଇ କିମ୍ବଦନ୍ତି ସର୍ବମାନ୍ୟ । ଦଶହରା ରାବଣର ଦଶଶିର ଯୋଗୁଁ କିମ୍ବା ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ଦଶଭୁଜା ଉପରେ ନାମିତ ହୋଇଥାଇପାରେ କିନ୍ତୁ ଦୁଇଟି ଯାକ ଘଟଣାରେ ଗୋଟିଏ କଥା ଦୃଷ୍ଟିଗୋଚରକୁ ଆସେ ଯେ ଏହି ପର୍ବଟି ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ପାପ ଉପରେ ଧର୍ମର ବିଜୟର ପ୍ରତିକ । ଅନେକ ବିଶ୍ୱାସ କରନ୍ତି ଯେ ଦୂର୍ଗ ଶଦ୍ଧରୁ ଦୁର୍ଗା ଶଦ୍ଧର ପରିକଳ୍ପନା କରାଯାଇଛି । ଦୁର୍ଗର ଆକ୍ଷରିକ ଅର୍ଥହେଲା କିଲ୍ଲା, ଯାହାକି ସମ୍ରାଟ ମାନଙ୍କୁ ଶତ୍ରୁ ଆକ୍ରମଣ ବେଳେ ସୁରକ୍ଷା ଯୋଗାଇ ଦିଏ । ସେହିପରି ମାଆ ଦୁର୍ଗା ତାଙ୍କର ସମସ୍ତ ଭକ୍ତମାନଙ୍କ ସହ ସର୍ବଦେବାଦେବୀଙ୍କୁ ବି ସମସ୍ତ ପ୍ରକାର ଅସୁର ଶକ୍ତି କବଳରୁ ରକ୍ଷା କରି ଅଭୟ ପ୍ରଦାନ କରିବାରେ ସକ୍ଷମ ।

ତ୍ରେତୟା ଯୁଗରେ ରାବଣର କୁଟୁମ୍ବ ଏତେ ବଢ଼ିଗଲେ ଯେ ସାଧୁସନ୍ଥ ତାଙ୍କର ଦୂରାଚାରରେ ଅତିଷ୍ଠ ହୋଇ ଭଗବାନଙ୍କୁ ରକ୍ଷା କରିବାକୁ ପ୍ରାର୍ଥନା କଲେ । ପୁରାଣ କହେ ରାବଣର ଛପନ(୫୬) ଗଣ୍ଡା(୪) କୁମର ତେରଶତ(୧୩୦୦) ନାତି, ଅର୍ଥାତ ରାବଣକୁ ମିଶାଇ ପରିବାର ସଂଖ୍ୟା ମୋଟେ ପନ୍ଦର ଶହ ପଚିଶ(୧୫୨୫) । ଶେଷରେ ଭଗବାନ ରାମ ଅବତାର ନେଇ ଜଣ ଜଣକରି ବଦ୍ଧ କରିସାରିବା ପରେ ଏହି ବିଜୟା ଦଶମିଦିନ ରାବଣକୁ ମାରି ଲଙ୍କାଗଢ଼ ଜୟ କରିବା ସହ ମାତା ସୀତାଙ୍କୁ ଉଦ୍ଧାର କରିଥିଲେ । ଦେବୀ ଭାଗବତ ଅନୁସାରେ ମହିଷାସୁରର ଅସହ୍ୟ ଅତ୍ୟାଚାରରେ ପିଡ଼ିତ ସର୍ବ ଦେବାଦେବୀ ବିଚଳିତ ହୋଇ ପ୍ରର୍ଥନା କରିବାରୁ ମାଆ ଦୂର୍ଗା ଦଶଭୂଜା ରୂପରେ ଆବିର୍ଭାବ ହୋଇ ମହିଷାସୁର ସାଙ୍ଗରେ ଯୁଦ୍ଧ କଲେ । ଦଶଟି ହାତରେ ଦଶଟି ଅସ୍ତ୍ର ମଧ୍ୟ ଥିଲା ଯାହାର ବର୍ଣ୍ଣନା ବହୁତ ସୁନ୍ଦର ଭାବରେ କରାଯାଇଛି । ପ୍ରଥମ ହାତରେ ପ୍ରଥମ ଅସ୍ତ୍ର ଥିଲା ଶଙ୍ଖ, ଯାହା ସୃଜନଶୀଳ ସଂସାରର ପ୍ରତୀକ, ଦ୍ୱିତୀୟ ହସ୍ତରେ ଚକ୍ର, ଯାହା ଅଖଣ୍ଡ ଶକ୍ତିଯୁକ୍ତ ସଂହାରର ପ୍ରତିକ, ତୃତୀୟ ହସ୍ତରେ ଗଦା ଯାହା ଭକ୍ତି ଏବଂ ଆତ୍ମିୟତା ସହ ସମର୍ପଣ ଭାବର ପ୍ରତୀକ, ଚତୁର୍ଥ ହସ୍ତରେ ପଦ୍ମ, ଯାହାର ମର୍ମ ଟିକିଏ ଅଲଗା । ଯେମିତି ପଦ୍ମଫୁଲ ପଙ୍କରୁ ଉତ୍ପତି ହୋଇଥିଲେ ମଧ୍ୟ ସର୍ବଦା ପାଣିର କିଛି ଉପରେ ରହିବାକୁ ସକ୍ଷମ ଥାଏ ସେମିତି ଆମେ ସଂସାର ମାୟାରୁ ଉତ୍ପତି ହୋଇଥିଲେ ହେଁ ମୋକ୍ଷପାଇଁ ଚେଷ୍ଟାକଲେ ସୁଫଳ ଅବଶ୍ୟ ମିଳିବ । ପଞ୍ଚମ ହସ୍ତରେ ଖଣ୍ଡା, ଯାହାକି ନାକାରତ୍ମକ ଶକ୍ତି ଓ ବ୍ୟାଧିକୁ ଛେଦିଦେଇ ସାକାରତ୍ମକ ଦିଶାରେ ଆଗେଇଯିବାର ପ୍ରତିକ, ଷଷ୍ଠ ହସ୍ତରେ ଧନୁଶର । ଧନୂ ଏକ ବିଭବ ଶକ୍ତିର ପ୍ରତିକ ହୋଇଥିବା ବେଳେ ଶର ଗତିଜ ଶକ୍ତିର ପ୍ରତିକ । ସପ୍ତମ ହସ୍ତରେ ତ୍ରୀଶୂଳ, ଯାହା କି ତମ, ରଜ ଓ ସତ୍ୱ ଗୁଣର ଆୟତ କରିବାକୁ ଏକ ଅମୋଘ ଅସ୍ତ୍ର । ଅଷ୍ଟମ ହସ୍ତରେ ବଜ୍ର ଯାହା କଠୋର ତପ ଦ୍ୱାରା ନିଜ ଲକ୍ଷ ହାସଲ ଦିଗରେ ସଂଯୋଗ କରିବାର ପ୍ରତିକ ଏବଂ ନବମ ହସ୍ତରେ ଅଗ୍ନିଶିଖା ଯାହାକି ଜ୍ଞନ, ସୁଧତା ଓ ସ୍ୱାଧିନତାର ପ୍ରତିକ । ଦଶମ ହାତ ମୁର୍ତିରେ ଅଭୟ ମୂଦ୍ରାରେ ରଖାଯାଏ ଏବଂ ବେଳେ ବେଳେ ତ୍ରୀଶୂଳ ବିଧରେ ମାଆ ମଧ୍ୟ ଉପଯୋଗ କାରିବାର ଦେଖାଯାଇଥାଏ । ଏହି ଯୁଦ୍ଧରେ ମାଆଙ୍କ ସହାୟତା ପାଇଁ ଦିବ୍ୟ ଘୋଡ଼ା, ଐରାବତ ହସ୍ତି ଆଦିର ଯୋଗାଡ଼ କରାଯାଇଥିଲା ।

ଏସବୁ ଥିଲା ଦଶହରା ପର୍ବର କଥା । ଏବେ ଚାଲନ୍ତୁ ଦେଖିବା ସଂଖ୍ୟା ଦଶର ମହତ୍ୱ କଣ? ଯେତେସବୁ ସାଧନା ସଂସାରରେ ଅଛି, ତନ୍ମଧ୍ୟରେ ମହାବିଦ୍ୟା ସାଧନା ଅନ୍ୟତମ ଏବଂ ଅଗ୍ରଗଣ୍ୟ । ଏହି ଦଶ ମହାବିଦ୍ୟା ପାଠର ଅଧିଷ୍ଠାତ୍ରୀ ଦେବୀଙ୍କ ସଂଖ୍ୟା ଦଶ । ସେମାନେ ହେଲେ ୧-ମାଆ କାଳୀ, ୨-ତ୍ରୀପୁର ସୁନ୍ଦରୀ, ୩-ଭୈରବୀ, ୪-ଛିନ୍ନମସ୍ତା, ୫-କମଳା, ୬-ମାତଙ୍ଗୀ, ୭-ବଗଲାମୂଖୀ, ୮-ଧୂମବତୀ, ୯-ଭୂବନେଶ୍ୱରୀ, ୧୦-ତାରା । ଭଗବାନ ବିଷ୍ନୁଙ୍କର ଅବତାର ବି ଦଶ । ପ୍ରଥମ ଅବତାର ମତ୍ସ୍ୟ, ଦ୍ୱିତୀୟ ଅବତାର କଛପ, ତୃତୀୟ ଅବତାର ବରାହ, ଚତୁର୍ଥ ଅବତାର ନରସିଂହ, ପଞ୍ଚମ ଅବତାର ବାମନ, ଷଷ୍ଠ ଅବତାର ପରଶୁରାମ, ସପ୍ତମ ଅବତାର ରାମ, ଅଷ୍ଟମ ଅବତାର କୃଷ୍ନ, ନବମ ଅବତାର ବଳରାମ ଆଉ କେହି କେହି ଭଗବାନ ବୁଦ୍ଧଙ୍କୁ ମଧ୍ୟ ନବମ ଅବତାର ଭାାବେ ଗ୍ରହଣ କରିଥାନ୍ତି । ଦଶମ ଅବତାର କଳକୀ, ଯାହା କଳିଯୁଗକୁ ବିନାଶ କରି ସତ୍ୟଯୁଗର ପୁନଃ ପ୍ରତିଷ୍ଠା ସମୟରେ ଦେଖିବାକୁ ମିଳିବ ବୋଲି ହିନ୍ଦୁ ଧର୍ମଶାସ୍ତ୍ରର ମତ । ଧଳା ଘୋଡ଼ାରେ ମହାପ୍ରଭୁ କଳକୀ ଆରୋହଣ କରି ବାରହାତ ଖଣ୍ଡା ସାହାଯ୍ୟରେ ପାପିକୂଳ ବିନାଶ କରି ଧାର୍ମିକ ମାନଙ୍କୁ ସଂସାର କରିବାକୁ ଆଦେଶ ଦେଇ ସତ୍ୟ ଯୁଗର ସ୍ଥାପନା କରିବେ ବୋଲି ବହୁ ପ୍ରାଚିନ ପୁରାଣରେ ବର୍ଣ୍ଣନା କରାଯାଇଛି ।

ସଂଖ୍ୟା ଦଶ ଉପରେ ଏପରି ଅନେକ ଉଦାହରଣ ଅଛି । ଯେମିତି କି ଆମେ ଜାଣିଛେ ସମୁଦାୟ ଦିଗର ସଂଖ୍ୟା ମଧ୍ୟ ଦଶ । ୧-ପୁର୍ବ (ପ୍ରାଚି), ୨-ପଶ୍ଚିମ (ପ୍ରତିଚି), ୩-ଉତର (ଉଦିଚି), ୪-ଦକ୍ଷୀଣ (ଅବାଚି), ୫-ଇଶାନ୍ୟ (ଊତର ପୁର୍ବ), ୬-ଅଗ୍ନି (ଦକ୍ଷୀଣ ପୁର୍ବ), ୭-ନୈରୁତ (ଦକ୍ଷୀଣ ପଶ୍ଚିମ), ୮-ବାୟୁ (ଉତର ପଶ୍ଚିମ), ୯-ଉର୍ଦ୍ଧ (ଆକାଶ), ଅଦ୍ଧସ୍ତ (ପାତାଳ) । ଏମିତିରେ ଦେଖିବାକୁ ଗଲେ ଖାଲି ହିନ୍ଦୁ କାହିଁକି ସମସ୍ତ ମାନବ ସମାଜ ସହ ସଂଖ୍ୟା ଦଶ ଓତପ୍ରୋତ ଭାବେ ଜଡ଼ିତ । ଶିଶୁଟିଏ ଜନ୍ମ ହେବା ପୂର୍ବରୁ ମାଆ ଗର୍ଭରେ ଦଶ ମାସ ଦଶ ଦିନ ରହିବାକୁ ପ୍ରକୃତିର ଗୋଟିଏ ନିୟମ ଆବାହନ କାଳରୁ ଅଛି ଏବଂ ଧରା ପୃଷ୍ଠରେ ମାନବ ସମାଜ ବଞ୍ଚିଥିବା ଯାଏ ଏହି ନିୟମ ପରିବର୍ତନ ହେବାର ଲକ୍ଷଣ ଦେଖାଯାଉନି । ଜନ୍ମ ହେବା ପରେ ଷଷ୍ଠିଘର କରାଯାଇ ଷଷ୍ଠଦିନ ଘରଦ୍ୱାର ଲିପାପୋଛା ହୁଏ ମାତ୍ର ଦଶଦିନ ପରେ ମାତାପିତାଙ୍କୁ ପୂଜାପାର୍ବଣ କରିବାର ଅଧିକାର ମିଳେ । ବିବାହ ସମୟରେ କନ୍ୟାପିତା ବରପିତାଙ୍କୁ କନ୍ୟାର ଦଶଦୋଷ କ୍ଷମା କରିବାକୁ ପ୍ରାର୍ଥନା କରନ୍ତି । ଭାଗବତ ମହାପୁରାଣର ଦଶମ ସ୍କନ୍ଦର ମହତ୍ୱ ଅନ୍ୟ ସ୍କନ୍ଦଠାରୁ ଭିନ୍ନ । ହିନ୍ଦୁ ସମାଜରେ ପ୍ରଚଳିତ ରୀତିନିତି ଅନୁସାରେ, ଯେ କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ଦଶମ ଦିନ ମୂଖ୍ୟ କର୍ମକାଣ୍ଡ ଆଦି କରାଯାଇ ପ୍ରେତଶାନ୍ତି ଓ ପ୍ରେତହାଣ୍ଡି ବିଷର୍ଜନ କରାଯାଏ ।

ମୋଟାମୋଟି କହିବାକୁ ଗଲେ ସଂଖ୍ୟା ଦଶ ଏକ ପୂଣ୍ଣତାର ଏବଂ ବ୍ୟାପକ ଜୀବନ ଚକ୍ରର ପ୍ରତିକ । ସମସ୍ତ ଛାତ୍ରଛାତ୍ରୀ୍ଙ୍କ ପାଇଁ ଦଶମ ପରୀକ୍ଷାଟି ବହୁତ ଗୁରୁତ୍ୱ ରଖେ । ସଂଯୋଗ ଦେଖନ୍ତୁ କ୍ରିକେଟ ସାମ୍ରାଜ୍ୟର ବେଦାଗ୍ ବାଦ୍ସାହା ସଚିନ ତେନ୍ଦୁଲକର୍ଙ୍କ ଜର୍ସି ନମ୍ବର ବି ଦଶ । ସଂଯୁକ୍ତ ରାଷ୍ଟ୍ରର ପ୍ରଧାନ ମନ୍ତ୍ରୀ ଦଶ ଡ଼ାଉନିଂ ଷ୍ଟ୍ରୀଟ୍‌ରେ ରହୁଥିବା ବେଳେ ଆମ ଦେଶର ବି ଦଶ ଜନପଥ ଠିକଣାକୁ ଭାରତରେ କିଏ ବା ନ ଜାଣେ ? ଭବିଷ୍ୟ ଅନୁମାନ କରାଯାଉଥିବା ଭାଗ୍ୟଚକ୍ରରେ ବି ଦଶଟି ଘର ଥାଏ । ଆମେ ଯେ କୌଣସି ଆକଳନ କିମ୍ବା ମାନ ନିର୍ଦ୍ଧାରଣ ସମୟରେ ଦଶ ସଂଖ୍ୟାକୁ ସର୍ବୋଚ୍ଚ ବୋଲି ମାନିଥାଉ । ଗ୍ରାହକ ମାନଙ୍କ ସନ୍ତୁଷ୍ଟି ବି ଦଶ ନମ୍ବରରୁ କେତେ ଦେବେ ବୋଲି ପଚାରୁ । ବାସ୍କେଟ୍ ବଲର ରିଙ୍ଗ୍‌ଟିକୁ ଦଶଫୁଟ ଉପରେ ଲଗାଯାଏ ଏବଂ ଅଲମ୍ପିକ୍ ଖେଳରେ ଜଣେ ପ୍ରତିଯୋଗୀ ସର୍ବାଧିକ ଦଶ ନମ୍ବର ପାଇବାର ସମ୍ଭାବନା ରହିଥାଏ । ଶିଖ ଧର୍ମାବଲମ୍ବୀମାନଙ୍କର ବି ଦଶ ସଂଖ୍ୟା ସହ ବହୁତ ଅନୋଖା ସଂମ୍ପର୍କ । ସବୁଠାରୁ ମହତ୍ୱପୂଣ୍ଣ କଥା ହେଲା ଧର୍ମଗୁରୁଙ୍କର ସଂଖ୍ୟା ବି ଦଶ । ପ୍ରଥମ ଶିଖଗୁରୁ ନାନକ (୧୪୬୯-୧୫୩୯) ଏବଂ ଶେଷ ଓ ଦଶମ ଗୁରୁ ହେଲେ ଗୋବିନ୍ଦ ସିଂ । ଗୁରୁ ଗୋବିନ୍ଦ ସିଂଙ୍କର ସ୍ୱର୍ଗବାସ ପରେ ଗୁରୁ ପରଂପରାର ଅନ୍ତ ହୁଏ ଏବଂ ଗୁରୁ ଗ୍ରନ୍ଥ ସାହେବ ବୋଲି ମାନ୍ୟତା ପାଇ ଗୁରୁବାଣୀକୁ ପୂଜା ଅର୍ଚ୍ଚନା କରାଯାଇ ପ୍ରତ୍ୟେହ ଗୁତୁଦ୍ୱାର ମାନଙ୍କରେ ପାଠ କରାଯାଉଛି । ଏହିପରି ପାଠକ ମାନଙ୍କ ପାଖରେ ମଧ୍ୟ ସଂଖ୍ୟା ଦଶ ବିଷୟରେ ଏଭଳି ଅନେକ ତଥ୍ୟ ଥାଇପାରେ । ତେବେ ସମସ୍ତ ତଥ୍ୟ ପ୍ରମାଣକୁ ପରଖି ନିରିଖି ଏହି ସିଦ୍ଧାନ୍ତରେ ଉପନିତ ହେଉ ଯେ ସଂଖ୍ୟା ଦଶର ମହତ୍ୱ ଅନ୍ୟ ସଂଖ୍ୟାଠାରୁ ବୋଧହୁଏ ଟିକିଏ ଅଧିକ ।

ଲୋକପ୍ରିୟ ଲେଖା

To Top